Unknown

 

 

 

 

 

 

 

 

 

 

 

ତଟିନୀର ତୃଷ୍ଣା

ଅଧ୍ୟାପିକା ବୀଣାପାଣି ମହାନ୍ତି

 

ଉତ୍ସର୍ଗ

 

ବଂଧୁ

ଅଧ୍ୟାପିକା ଶ୍ରୀମତୀ ସମଲେଶ୍ୱରୀ ବର୍ଦ୍ଧନ

ଅଧ୍ୟାପିକା ଶ୍ରୀମତୀ ସ୍ୱର୍ଣ୍ଣମାଳା ଦାସ–

 

କରକମଳେଷୁ

ଲେଖିକା

 

ଆତ୍ମ-କଥା

 

ଶୈଳବାଳା ମହିଳା ମହାବିଦ୍ୟାଳୟ

କଟକ–୧

ଅକ୍ଟୋବର, ୧୯୭୨

 

ଏ ପୁସ୍ତକରେ ସନ୍ନିହିତ ଅନେକ ଗଳ୍ପ ଝଙ୍କାର, ସମାବେଶ, ଆସନ୍ତାକାଲି, ନବରବି, ଜୀବନରଙ୍ଗ ଓ ଅନ୍ୟାନ୍ୟ କେତେକ ସାମୟିକ ଗଳ୍ପ ପତ୍ରିକା ସଙ୍କଳନରେ ପ୍ରକାଶିତ ହୋଇଥିଲା । ସେଇସବୁ ପତ୍ରିକାର ସମ୍ପାଦକମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ପାଣ୍ଡୁଲିପିଟିକୁ ପ୍ରସ୍ତୁତ କରିଛନ୍ତି ମୋର ଛାତ୍ରୀ କଲ୍ୟାଣୀୟା ଶାନ୍ତି ଦେବୀ, ଚିତ୍ରା ସିହ୍ନା, ସଂଯୁକ୍ତା ପଟ୍ଟନାୟକ, ବନଲତା ଦାଶ ଓ ସୁଷମା ଦାସ ପ୍ରଭୃତି । ଆଜିର ଏ ଶୁଭ ଅବସରରେ ମୁଁ ସେମାନଙ୍କୁ ମୋର ଅନ୍ତରର ଶ୍ରଦ୍ଧା ଜଣାଉଛି ।

 

ପୁସ୍ତକଟିକୁ ପ୍ରକାଶ କରିବାପାଇଁ ମତେ ନାନା ଭାବରେ ସାହାଯ୍ୟ ସହଯୋଗ କରିଛନ୍ତି ଓଡ଼ିଶାର ସୁପ୍ରତିଷ୍ଠିତ ତରୁଣ ନାଟ୍ୟକର ଅନୁଜପ୍ରତିମ ଅଧ୍ୟାପକ ଶ୍ରୀମାନ୍‌ କାର୍ତ୍ତିକଚନ୍ଦ୍ର ରଥ । ପ୍ରକାଶନର ସମସ୍ତ ଦାୟିତ୍ୱ ନେଇଛନ୍ତି ଓଡ଼ିଶା ବୁକ୍‌ଷ୍ଟୋରର ପ୍ରୋପ୍ରାଇଟର ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏମାନଙ୍କ ପାଖରେ ମୁଁ ବାସ୍ତବିକ୍‌ ଋଣୀ ।

 

‘ତଟିନୀର ତୃଷ୍ଣା’ରେ ନୂଆ ମଣିଷର କଥା ଓ ତୃଷ୍ଣାକୁ ମୁଁ ରୂପ ଦେବାକୁ ଚେଷ୍ଟା କରିଛି । ସଫଳତାର ବିଚାର ପାଠକ ପାଠିକାଙ୍କ ଉପରେ ।

 

କୁମାର ପୂର୍ଣ୍ଣିମା

ବିନୀତା

୧୯୭୨ ଲେଖକ

 

Image

 

ସୂଚୀପତ୍ର

 

୧.

ତଟିନୀର ତୃଷ୍ଣା

୨.

ଦର୍ଶନ

୩.

ଡିମିରି ଫୁଲ

୪.

କ୍ରମଶଃ

୫.

ଆନନ୍ଦବାବୁ, କୋକିଳ ଦେଇ ଓ ଡିଭାଲ୍ୟୁଏସନ୍‌

୬.

କୈଫିୟତ୍‌

୭.

ବିଦୀର୍ଣ୍ଣ

୮.

ଅନେକ ରାତ୍ରିର ଆକାଶ

୯.

ଅପରିଚିତ

୧୦.

ସୁଅ

୧୧.

ଜେନେରେସନ୍‌ ଗ୍ୟାପ୍‌

୧୨.

ଅସାଧାରଣ

୧୩.

ଦର୍ପଣ

୧୪.

ଛାୟା

୧୫.

ସୀମାବଦ୍ଧ

୧୬.

କୁହୁଡ଼ି

୧୭.

ଅରଣ୍ୟ:ରାତ୍ରିର ନୀରବତା

୧୮.

ତୃଷ୍ଣା

Image

 

ତଟିନୀର ତୃଷ୍ଣା

 

ମନେ ହେଉଛି ଯେପରି ସେ ଅସାମାନ୍ୟ ସୁନ୍ଦରୀ ଥିଲେ । ମନେ ହେଉଛି ଯେପରି ତାଙ୍କର ଗଣ୍ଡଦେଶରେ ଗୋଲାପର ତ୍ୱକ୍‌ ଥିଲା ଆଉ ଚଞ୍ଚଳ ଆକ୍ଷିକୋଣରେ କିଛି, କିଛି ଆକାଶରେ ନୀଳରଙ୍ଗ ଥିଲା ।

 

ନାଁ ତାଙ୍କର ରୁଚି । ଅନେକ ଦିନ ତଳର ସେ ଯେପରି ଏକ ସତ୍ତାହୀନ ସୁରଭି !

 

ରୁଚି ! ଯାହାର ବୃହତ୍ତର କିମ୍ବା କ୍ଷୁଦ୍ରତର ନାମ ସହିତ ଚିନ୍ମୟଙ୍କର କୌଣସି ସମ୍ପର୍କ ନାହିଁ-

 

ସୂର୍ଯ୍ୟ ପ୍ରାୟ ଅସ୍ତ ହେବା ଉପରେ । ହୁଏତ ରୁଚି ଛିଡ଼ା ହୋଇଥିବେ ଅଧଘଣ୍ଟାଏ ଧରି ତାଙ୍କ ଅପେକ୍ଷାରେ.... ! ଟ୍ରେନ୍‌ ଅଧଘଣ୍ଟାରୁ ଉପର ବିଳମ୍ବ ହୋଇଗଲାଣି ।

 

ଷ୍ଟେସନ୍‌ ଏଇ ଆସିଗଲା । ରୁଚି ଛିଡ଼ା ହୋଇଛନ୍ତି । ପନ୍ଦର ବର୍ଷ ତଳର ସେଇ ଚେହେରାରେ ଅନେକ ପରିବର୍ତ୍ତନ ଆସିଥିଲେ ହେଁ ସେ ପରିଷ୍କାର ଚିହ୍ନି ହେଉଚନ୍ତି । ଉତ୍‌କ୍ଷିପ୍ତ ଚୂର୍ଣ୍ଣ କୁନ୍ତଳ ତଳେ ଯେପରି ତାଙ୍କର ଚଞ୍ଚଳ ଆକ୍ଷି ଚିନ୍ମୟଙ୍କ ସନ୍ଧାନରେ ଆହୁରି ବେଶୀ ଚଞ୍ଚଳ ହୋଇ ଉଠିଛି ।

 

ଆଃ ! ଆଜି ଯଦି ପନ୍ଦର ବର୍ଷ ତଳର ଅତୀତ ହୋଇଥାନ୍ତା..... । ନା,ନା ସେ ଭାବିବେ ନାହିଁ । ସେ ନିଜକୁ ଦୁର୍ବଳ କରିବେ ନାହିଁ ।

 

ପାଖକୁ ଆସିଲେ ରୁଚି । ଇଷତ୍‌ ହସି କହିଲେ–

 

’’ଅନେକ କଷ୍ଟ ସହି ଅନେକ ଦିନ ପରେ ଆସିଲ ଚିନ୍ମୟ ! ମାତ୍ର ଟ୍ରେନ୍‌ ଆଜି ଭୀଷଣ ଡେରି କରିଦେଲା । ଜୀବନ ସାରା କେବେ ତମେ ଠିକ୍‌ ସମୟରେ ଆସି ପାରିଲନି.... !’’

 

ଚିନ୍ମୟ ଉତ୍ତର ଦେଲେନି । ରୁଚିଙ୍କ କଥାର ଇଙ୍ଗିତ ସେ ବୁଝିଥିଲେ । ପନ୍ଦର ବର୍ଷ ତଳର ସ୍ମୃତି ତାଙ୍କ ମନର ସମସ୍ତ କମଳବନକୁ ଛାରଖାର କରି ଦେଇଥିଲା । ସେ କ୍ଷଣିକ ପାଇଁ କଥା କହିବାର ଶକ୍ତି ହରାଇ ବସିଥିଲେ ।

 

କାର୍‌ ଭିତରେ ବସି ଷ୍ଟାର୍ଟ ଦେଲେ ରୁଚି । କିଛି ଗୋଟାଏ କହିବାକୁ ହେବ ଭାବି ଚିନ୍ମୟ କହିଲେ–

 

‘‘ବରଂ ତୁମେ ବସ ରୁଚି ! ମୁଁ ଡ୍ରାଇଭ୍‌ କରେ ।’’

 

’’ତମକୁ କ’ଣ ଲାଜ ଲାଗୁଛି ଚିନ୍ମୟ ! ଏଠି ସମସ୍ତେ ଜାଣନ୍ତି, ମୁଁ ଡ୍ରାଇଭ୍‌ କରେ, ମଦପିଏ. କ୍ଳବ୍‌ ଯାଏ, ଆଉ ଅନେକ ବନ୍ଧୁଙ୍କୁ ଏପରି ସଂଖୋଳି ନେବା ଯେପରି ମୋର ଏକ ଚିରାଚରିତ ଧର୍ମ ! ତା’ପରେ ତୁମେ କ୍ଳାନ୍ତ ଏବଂ ମୋର ଅତିଥି । ତୁମେ ବସ ।’’

 

ଚିନ୍ମୟ ଯେପରି ଅନ୍ୟମନସ୍କ ହୋଇପଡ଼ିଲେ । ରୁଚି ଆଉ ତାଙ୍କୁ ପରିହାସ କରୁ ନାହାନ୍ତି ତ ?

 

ରୁଚି କାର୍‌ ଛାଡ଼ି ଦେଉ ଦେଉ କହିଲେ–

 

‘‘ତୁମେ ସବୁଦିନ ବଡ଼ ଦୁର୍ବଳ ଚିନ୍ମୟ ! ମୋର ଏଇ ଅବାଧ ଭ୍ରମଣ ନୀତିଟାକୁ ତୁମେ କେବେ ପସନ୍ଦ କରି ନ ଥିଲ, ଆଜି ବି କରୁ ନାହିଁ । ଆଜି ତୁମେ ମୋର ଅତିଥି । ମୁଁ ତୁମକୁ କଥା ଦେଉଛି ତୁମେ ଥିଲା ପର୍ଯ୍ୟନ୍ତ ମୁଁ ମଦ ସ୍ପର୍ଶ ନାହିଁ.... !’’ ଓଠ ଉପରେ ଓଠ ଚାପି ସେ ଯେପରି କଣ୍ଠର ସଜଳତାକୁ ଘୋଡ଼ାଇ ରଖିଲେ ।

 

‘‘ତୁମର ମୋ ପ୍ରତି ଗୋଟାଏ ଭ୍ରାନ୍ତ ଧାରଣା ରହିଛି ରୁଚି ! ତୁମେ ବୋଧହୁଏ ପ୍ରଦୋତ୍ତର କଥାଟାକୁ ବିଶ୍ୱାସ କରିଛ !’’

 

ରୁଚି କହିଲେ–‘‘ମୋ ନିଜର ଗଣନା ଉପରେ ମୁଁ ବେଶୀ ନିର୍ଭର କରେ ଚିନ୍ମୟ ! ମୋର ଏଇ ଅହଂ ଭାବଟାକୁ ତୁମେ ସହ୍ୟକରି ପାରିଲନି....ତୁମେ କାହିଁକି...ମୁଁ ନିଜେ ବି ସମୟେ ସମୟେ ଦୁର୍ବଳ ମନେକରେ ତାକୁ ନେଇ.... । ଛାଡ଼...ତେବେ ପ୍ରଦୋଷକୁ କଥାକୁ ମୁଁ ଦାମ୍‌ଦେଇ ନାହିଁ କେବେ–ଆଉ ଆଜି ?’’

 

ରୁଚି ହସୁଥିଲେ । ଖୁବ୍‌ ସ୍ତିମିତ ଆଲୋକରେ ତାଙ୍କର ପ୍ରଦୋଷ ପାଇଁ ଉଦ୍ଦିଷ୍ଟ ବ୍ୟଙ୍ଗ ହସର କ୍ଷୀଣରେଖା ଯେପରି ଚିନ୍ମୟଙ୍କୁ କ୍ଷତବିକ୍ଷତ କରି ଦେଉଥିଲା ।

 

ଏଇ ସେ ରୁଚି । ବହୁ ସୁଖ୍ୟାତିସମ୍ପନ୍ନ ଧନୀ ପିତାର କନ୍ୟା । ବିଳାସ–ବ୍ୟସନ–ପ୍ରାଚୁର୍ଯ୍ୟ ଭିତରେ ଜୀବନଟାକୁ ଅହରହ ଫାଙ୍କିଦେବା ଯେପରି ତାଙ୍କର ଗୋଟାଏ ନିଶା ଥିଲା । ଅଥଚ କି ଅମାୟିକ ବ୍ୟବହାର ସେ କରୁଥିଲେ ! ତାଙ୍କର ବ୍ୟକ୍ତିତ୍ୱ ବିରାଟ ନାରୀତ୍ୱ ଭିତରେ ଚିନ୍ମୟ ଯେପରି ନିଜର ସତ୍ତା ହରେଇ ବସୁଥିଲେ ।

 

ସହର ରାସ୍ତା ଛାଡ଼ି ଗାଡ଼ି ଯେପରି ଅନ୍ୟ ଏକ ରାସ୍ତାରେ ଚାଲିଛି ! ଚିନ୍ମୟ ପାଟିକରି ଉଠିଲେ– ‘‘ଆରେ ! ଏ କ’ଣ କରୁଛ ରୁଚି ! ଆମେ ଯେ ରାସ୍ତା ଛାଡ଼ି ଅବାଟକୁ ଆସିଗଲେଣି !’’

 

‘‘ଭୟ କରିବାର କିଛି ନାହିଁ । ସମଗ୍ର ରାତି ଆମକୁ ଏମିତି ଅବାଟରେ ଚାଲିବାକୁ ହେବ-

 

ମୁଁ ଆଉ ଏଠାରେ ରହୁ ନାହିଁ । କିଛି ଦିନ ଧରି ଯେପରି କିଛି ଭଲ ଲାଗୁ ନାହିଁ । ତେଣୁ ସହର ଛାଡ଼ି ଦି’ଶହ ମାଇଲ ଦୂରରେ ମୁଁ ଅଛି । ଅବଶ୍ୟ ଯେ ସ୍ଥାନକୁ ସହର କୁହାଯାଇପାରିବ । ହେଲେ ସେ ମୋର ଅପରିଚିତ ସହର । ସେଠି କିନ୍ତୁ ମୋର ଭୟ ହୁଏ ଚିନ୍ମୟ, ମୁଁ ବେଶୀ ଦିନ ରହିପାରିବି ନାହିଁ । କେଜାଣି କେଉଁ ମୁହୂର୍ତ୍ତରେ ସେ ଅସ୍ଥାୟୀ ନୀଡ଼ ଛାଡ଼ିଦେଇ ମୁଁ ପୁଣି ଚାଲିଯିବି.... ।’’

 

‘‘ଜୀବନଟାକୁ ଏମିତି ଫାଙ୍କି ଉଡ଼େଇଦେଲ ରୁଚି ?’’

 

‘‘ଫାଙ୍କିଲି ଆଉ କୁଆଡ଼ୁ ? ଜୀବନଟା ଯେ ମୋ ଉପରେ ବୋଝ ହୋଇ ବସିଗଲାଣି । ବରଂ ଜୀବନଟା ମତେ ଫାଙ୍କିବାକୁ ବସିଲାଣି ।’’

 

ଚିନ୍ମୟ ଉତ୍ତର ଦେଲେନି । ପନ୍ଦର ବର୍ଷ ଧରି ରୁଚିଙ୍କ ସହିତ ନବ ବର୍ଷର ଶୁଭେଚ୍ଛା କାର୍ଡ଼ ଆଉ ଜନ୍ମଦିନର ବଧେଇ ବ୍ୟତୀତ ତାଙ୍କର କିଛି ସମ୍ପର୍କ ନାହିଁ । ବହୁ ପରିଚିତ ଏଇ ନାରୀଟି ସହିତ ତାଙ୍କର ଦୀର୍ଘ ଦିନର ବିଚ୍ଛେଦ ଭିତରେ ଅନେକ ଘଟଣା ଯେ ଘଟି ନ ଥିବ, ଏ କଥା ସେ କାହିଁକି ଭାବୁଛନ୍ତି ?

 

ଷାଠିଏ ମାଇଲ ବେଗରେ ଗାଡ଼ି ଗତିକରି ଚାଲିଛି । ଦୁଇ ତଟରେ ଶ୍ୟାମଳ କ୍ଷେତରାଶି-। ଆକାଶରେ ଖଣ୍ଡ ଖଣ୍ଡ ଧଳାମେଘ, ଆଉ ମଝିରେ ମଝିରେ ହାଲ୍‌କା ଶୀତଳ ପବନର ସ୍ପର୍ଶ । ଚିନ୍ମୟଙ୍କୁ ଲାଗୁଥିଲା ସତେ ଅବା ସ୍ୱର୍ଗର ପରୀ ତାଙ୍କୁ ଉଡ଼େଇ ନେଇ ଯାଉଛି କୁଆଡ଼େ ।

 

ହଠାତ୍‌ ଷ୍ଟାର୍ଟ ବନ୍ଦ କରି ରୁଚି କହିଲେ– ‘‘ତୁମକୁ ନିଶ୍ଜୟ ଭୋକ ଲାଗିବଣି ଚିନ୍ମୟ ! ଟିଫିନ୍‌ କ୍ୟାରିୟର୍‌ ଖୋଲି ତୁମେ କିଛି ଖାଇ ନିଅ ।’’ ସେ ଦ୍ୱାର ଖୋଲି ପଦାକୁ ଉଠିଗଲେ ।

 

‘‘ତମେ ନିଜେ କିଛି ଖାଇବିନି ରୁଚି ?’’

 

‘‘ନା, ମତେ ମୋଟ ଭୋକ ନାହିଁ । ତା’ପର ଆଜିକାଲି କେଜାଣି କାହିଁକି ଖାଇବାକୁ ଇଚ୍ଛା ବି ହୁଏ ନାହିଁ । ସମୟେ ସମୟେ ଭୟ ହୁଏ ମୁଁ ଆଉ ଅନାହାରରେ ମରିଯିବି ନାହିଁ ତ ?’’ ରୁଚି ଯେପରି କହୁ କହୁ ଆବେଗରେ ଚିନ୍ମୟଙ୍କ ହାତପାପୁଲିକୁ ମୁଠାଇ ଧରିଲେ ।

 

ଅନ୍ଧକାର, ଚତୁର୍ଦ୍ଦିଗରେ ଘନ ଅନ୍ଧକାର । ତଥାପି ରୁଚିଙ୍କୁ ସେ ସ୍ପଷ୍ଟ ଦେଖି ପାରୁଥିଲେ । କେତେ ନିକଟରେ, କେତେ ଆପଣାର ଲୋକ ପରି ସେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି । ଅଥଚ ପନ୍ଦର ବର୍ଷ ତଳେ ଗୋଟାଏ କଥା କହିବାକୁ ଯାଇ ବାରମ୍ବାର ଲେଉଟି ଆସିଥିଲେ; କିନ୍ତୁ ତାଙ୍କ ପ୍ରତି ଯେଉଁ ଭୀଷଣ ଦୁର୍ବଳତା ତାଙ୍କର ଥିଲା, ସେ କଥା ସେ ପାଶୋରିବେ କିପରି ? ରୁଚିଙ୍କର ବିବାହ ପରେ ଚିନ୍ମୟ ଚାହିଁଥିଲେ ମୃତ୍ୟୁ । କିନ୍ତୁ ତା’ ହେଲା ନାହିଁ ।

 

ଆଜି ଯେପରି ପୌଷର ପଳିତ ପତ୍ରରେ ବସନ୍ତର ମଳୟ ଅକାଳରେ ଅଗ୍ନି ସଂଯୋଗ କରିଛି । ବଞ୍ଚିବା ପାଇଁ ଆଉ ଥରେ ମନରେ ଆସୁଛି ରୋମାଞ୍ଚ ।

 

‘‘....ଆରେ, ଆରେ ଚିନ୍ମୟ ! ଆଇ ଆଡ଼୍‌ମିଟ୍‌, ଇଉ ଆର୍‌ ଏ ବ୍ରେଭ୍‌ ବୟ । ଓଃ ! ସିଲି...-। ଦେଖ ଚିନ୍ମୟ–ଅନ୍ଧକାର ଯାଇ ଆଲୋକ ଆସିଲେ...ତୁମେ ପୁନଶ୍ଚ....’’

 

ହସିଉଠିଲେ ରୁଚି ଆଉ ଚମକି ଘୁଞ୍ଚିଗଲେ ଚିନ୍ମୟ । ସେ ହସ ଭିତରେ ଯେପରି ଅଜସ୍ର କାରୁଣ୍ୟର ଜଳତରଙ୍ଗ ସୃଷ୍ଟି ହେଲା ।

 

ଗାଡ଼ିରେ ବସୁ ବସୁ ରୁଚି କହିଲେ– ‘‘ମୋ କଥାରେ ତୁମେ ଆଘାତ ପାଇଲ ପୁଣି । ଚୁପ୍‌ ହେଲ ଯେ !’’

 

ଚିନ୍ମୟ ହସି ସିଗାରେଟ ଧରିଲେ । ଆଉ କଥାର ମୋଡ଼ ଘୂରାଇ ପ୍ରଶ୍ନ କଲେ–‘‘ତୁମେ ପ୍ରଦୋଷକୁ ଏମିତି ଏକା ଛାଡ଼ି ଦେବାଟା ମୁଁ ପସନ୍ଦ କରୁ ନାହିଁ ରୁଚି ସେ ଦାର୍ଜିଲିଂରେ ଆଉ ତୁମେ ଏକ ନିରାଟ ମଫସଲରେ...ମୁଁ ଏହାର ମାନେ ବୁଝୁନି !’’

 

‘‘ତୁମେ ବୁଝିପାରିବ ନି ଚିନ୍ମୟ ! ଧନୀ ଲୋକଙ୍କର ଯେପରି ଗର୍ବ ଆଉ ଉଦ୍ଧତ ଭଙ୍ଗୀ ଥିବ, ସେମିତି ଗରିବ ଲୋକଙ୍କର ଏକ ନିଃସହାୟ ଭାବ ଥିବ । ଏ ଦୁଇଟି ଜିନିଷ ମଣିଷକୁ ସହଜ କରେ ନାହିଁ । ଏକାଠି ରହି ବଞ୍ଚିବାକୁ ହେଲେ କିଛିଟା ସ୍ୱାଭାବିକତା ଦରକାର । ସେ ହେଲା ନାହିଁ । ମୋର ଉଦ୍ଧତ ମାତ୍ରା ତାଙ୍କ ଉପରେ ଯେତିକି ମାଡ଼ି ମାଡ଼ି ପଡ଼ିଲା–ତାଙ୍କର ନିଃସହାୟ ଭାବ ସେତିକି ଅନୁତାପରେ ମୋତେ ଅଣନିଶ୍ୱାସୀ କରିଦେଲା । ପ୍ରଦୋଷର ଅନେକ ଗୌଣ ମନୋବୃତ୍ତିର ବିକାର ଅଛି । ତୁମେ ଜାଣ ଚିନ୍ମୟ, ମୁଁ କୌଣସି ପୁରୁଷ ଲୋକର ଅସହାୟତାକୁ ସହ୍ୟ କରିପାରେ ନା । ମୁଁ ବଡ଼ ଅହଂକାରୀ, ଆଉ ମୁଁ ଚାହିଁଥିଲି ପ୍ରଦୋଷ ହେଉ ମୋଠାରୁ ବଳି ଅହଂକାରୀ ।

 

କିନ୍ତୁ ଦିନକୁ ଦିନ ଯେ ବଡ଼ ଭୀରୁ ହୋଇଗଲେ । ସେଥିପାଇଁ ସେ ଦୂରେଇ ଯାଉଛନ୍ତି । ବ୍ୟବସାୟ ଆଳରେ ସେ ମାସ ମାସ ଧରି ଏଣେ ତେଣେ ବୁଲୁଛନ୍ତି । ମୁଁ ସେଥିପାଇଁ ଚିନ୍ତିତ ନୁହେଁ-। ମୁଁ ଚିନ୍ତିତ ଜୀବନଟା ମୋ ଉପରେ ଯେପରି ବୋଝ ହୋଇଗଲା.... ।’’

 

‘‘ତମର ଝିଅ କେଉଁଠି ତେବେ ?’’

 

‘‘ସିଏ ଆହୁରି ଆଶ୍ଚର୍ଯ୍ୟ କଥା । ପ୍ରଦୋଷ ତାକୁ ପାଖରୁ ଛାଡ଼ିବେ ନାହିଁ । ଝିଅ କୁଆଡ଼େ ମୋ ପାଖରେ ରହିଲେ ଖରାପ ହୋଇଯିବ । ତାକୁ ଭିନ୍ନ ବାଟରେ ଟ୍ରେନିଂ ଦେଉଛନ୍ତି ପ୍ରଦୋଷ । ହିନ୍ଦୁଧର୍ମର ବିଭିନ୍ନ ରୀତି ଶୃଙ୍ଖଳା ଯୋଗ ସେ ଅଭ୍ୟାସ କରୁଛି । ମୁଁ ବି କରିଥିଲି ଚିନ୍ମୟ । ଓଷା ବ୍ରତ କରିବାକୁ ଆଉ ପୁରାଣ ପଢ଼ିବାକୁ ଜେଜେମାଙ୍କ ପାଖରେ ମତେ ଭାରି ଭଲ ଲାଗୁଥିଲା । ଜାଣ ଚିନ୍ମୟ, କେଡ଼େ ସରଳ ମୁଁ ଥିଲି ? ମିଛ କହିଲେ ଯମପୁରରେ ଶିମିଳୀ ଗଛରେ କଣ୍ଟା ପିଟା ହୋଇ ମରିବା କଥା ପଢ଼ି ମୁଁ ନିଶ୍ଚିନ୍ତରେ ଶୋଇ ପାରୁ ନ ଥିଲି । ଇସ୍‌ ! ସକାଳୁ ସଞ୍ଜ ପ୍ରାର୍ଥନା କରି କରି ମୁଁ ଯେମିକି କ୍ଳାନ୍ତ ହୋଇ ପଡ଼ୁଥିଲି । ଏସବୁ ମନେ ପଡ଼ିଲେ ସେଇ ସେଦିନର ଝିଅ ରୁଚି ପ୍ରତି ମୋର ଦୟା ହୁଏ । ଆଉ ମୋର ଝିଅ ଶୁକ୍ଳ । ...ବିଂଶ ଶତାବ୍ଦୀର ଅଜସ୍ର ଜୀବାଣୁ ଆଉ ଦ୍ୱନ୍ଦ୍ୱରୁ ଯାହାର ଉତ୍ପତ୍ତି..... !’’

 

ଚିନ୍ମୟ ଅନ୍ୟମନସ୍କ ହୋଇ ପଡ଼ିଥିଲେ । କେଉଁ ଦୂର ଅତୀତର ରୁଚିଙ୍କ କଥା ତାଙ୍କର ମନେ ପଡ଼ୁଥିଲା । ବାସ୍ତବିକ ରୁଚି ଥିଲେ ଅଦ୍ଭୁତ ନମ୍ର ଆଉ ଆତ୍ମବିଶ୍ୱାସୀ ତରୁଣୀ । ତାଙ୍କ ଆଖିରେ ଆଉ ମୁହଁରେ କ’ଣ ଥିଲା କେଜାଣି, କେତେ ବାର କିଛି କହିବାକୁ ଯାଇ ଅଟକିଛନ୍ତି ନିଜେ ସେ । ପ୍ରଦୋଷକୁ ଯେ ରୁଚି ଏପରି ବିବାହ କରିବାର ସିଦ୍ଧାନ୍ତଟା ହଠାତ୍‌ନେବେ–ସେ କଥା କେହି ଜାଣି ନ ଥିଲେ; କିନ୍ତୁ ବିବାହ ପରେ ଅନେକ ବାର ସେ ପ୍ରଦୋଷ ସହିତ ଦେଖା କରିଛନ୍ତି.... ରୁଚି ସହିତ ସାକ୍ଷାତଟାକୁ ସେ ସର୍ବଦା ଏଡ଼େଇ ଆସିଛନ୍ତି । କେତେବାର ପ୍ରଦୋଷ ନିମନ୍ତ୍ରଣ କରିଛି, ଆଉ କେତେ ବାର ଅଭିମାନ କରି ରୁଚି ପତ୍ର ଲେଖିଛନ୍ତି; କିନ୍ତୁ ଚିନ୍ମୟ ସେସବୁ ଲାବୋରେଟୋରୀ ଭିତରେ ପୋଡ଼ି ଦେଇଛନ୍ତି । ଦିନ ଦିନ ଧରି ନିଜକୁ ରୁଦ୍ଧ କକ୍ଷ ଭିତରେ ଆବଦ୍ଧ ରଖି ସେ ରୁଜିକୁ ସୁଖୀ କରିବାର କାମନା କରିଛନ୍ତି । ମାତ୍ର ତାଙ୍କର ଏତେ ଆତ୍ମତ୍ୟାଗ, ନିଷ୍ଠା–ସବୁ କ’ଣ ବ୍ୟର୍ଥ ହୋଇଗଲା ? ପ୍ରଦୋଷ ସହିତ ଦେଖା ହେଲେ ସେ କହିବେ ଶାନ୍ତି ସୁଖ ଯଦି ସେ ରୁଚିକୁ ନ ଦେଇ ପାରୁଛି ନାହିଁ, ସ୍ତ୍ରୀର ସ୍ୱଚ୍ଛନ୍ଦଟା ଟିକିଏ ତା’ର ସ୍ୱାମୀ ହିସାବରେ ଦେଖିବାତ ଦରକାର ।

 

କିଛି ସମୟ ଅଖଣ୍ଡ ନୀରବତା । ଆକାଶରେ ଭଙ୍ଗା ଭଙ୍ଗା ବାଦଲ । ମନ ଭିତରେ ଅଜସ୍ର ସ୍ମୃତିର କଲ୍ଲୋଳ ।

 

ନୀରବତା ଭାଙ୍ଗି ରୁଚି ପ୍ରଶ୍ନ କଲେ–

 

‘‘ତୁମେ ପ୍ରଶାନ୍ତ ଚୌଧୁରୀକି ଚିହ୍ନିଛ ? ବିଲିୟାର୍ଡ଼ ଖେଳି ଯେ ଗୁଡ଼ାଏ ସୁଖ୍ୟାତି ଅର୍ଜନ କରିଛି ? ଚିହ୍ନ ତାକୁ ?’’

 

ଚିନ୍ମୟ ଚମକି ପଡ଼ିଲେ । ପ୍ରଦୋଷ ଯେପରି ରୁଚି ସହିତ ପ୍ରଶାନ୍ତର ବନ୍ଧୁତ୍ୱଟାକୁ ସହ୍ୟ କରୁ ନ ଥିଲା । ସେଦିନ କଥାବାର୍ତ୍ତାରୁ ଯେପରି ଚିନ୍ମୟ ଏକ ହୀନ ଇଙ୍ଗିତ ପାଇଥିଲେ । ରୁଚି ତା’ହେଲେ କ’ଣ.... ?

 

ରୁଚି ହସୁ ହସୁ କହିଲେ–‘‘ମୋର ଏଇ ଅପବାଦର ନାଗରା ନିଶ୍ଚୟ ତୁମ କାନରେ ବାଜିଥିବ । ତେବେ ଏ କଥା ସତ ଯେ ପ୍ରଶାନ୍ତ ଚୌଧୁରୀ ସହିତ ମୋର ବନ୍ଧୁତ୍ୱ ଥିଲା ପ୍ରଚୁର । ଲୋକମୁଖରେ ନାନା କଥା ରାଷ୍ଟ୍ର ହେଲା । ମୁଁ ହେଲି କଳଂକିନୀ,ମୁଁ ହେଲି ଅସତୀ । ମୁଁ କାନ ଦେଲି ନାହିଁ ସେଥିରେ । ଯାହାର ବନ୍ଧୁ ନାହିଁ ପୃଥିବୀର ତା’ର ସ୍ଥିତି ନାହିଁ । ବନ୍ଧୁତ୍ୱ କରିବାକୁ ହେଲେ ମୁଁ ଲିଙ୍ଗ ବିଚାର କରେ ନାହିଁ ଚିନ୍ମୟ । ମୁଁ ତାକୁ ସ୍ନେହ କରୁଥିଲି । ଅତଏବ ତାକୁ ମୁଁ ବୁଝାଇ କହିଲି ନ ଆସିବାକୁ; କିନ୍ତୁ ସେ ସ୍କାଉଣ୍ଡେଲ କ’ଣ କଲା ଜାଣ ? ମୋ ବେଳ ଚାରିପଟେ ହାତ ଗୁଡ଼ାଇ ସେ କହିଲା–‘ପ୍ରଶାନ୍ତ ଖେଳଓ୍ୟାର୍ଡ଼ ହେଲେ ବି ଏଡ଼େ ନୀଚ ନୁହେଁ, ରୁଚି ଦେବୀ ! ମୁଁ ତମକୁ ବିବାହ କରିବାକୁ ରାଜି ଅଛି...ଚାଲ ପଳେଇବା... ।’’

 

ମୁଁ ତାକୁ ଅନେଇ ଚମକି ପଡ଼ିଲି । ମୋଠାରୁ ସେ ଛ’ବର୍ଷ ଛୋଟ । ମୋ ବାଳଗୁଡ଼ାକ କାନ ପାଖରୁ ପ୍ରାୟ ପାଚିଗଲାଣି । ମୋ ମୁଣ୍ଡରେ ଏମିତି ପିତ୍ତ ଉଠି ଯାଇଥିଲା ଯେ ମୁଁ ତାକୁ ପାଦରୁ ଚପଲ କାଢ଼ି ସେକି ଦେଇଗଲି ଚିନ୍ମୟ ! ଭବିଷ୍ୟତରେ ଯେପରି ସେ କେଉଁଠି ଏହାର ପୁନରାବୃତ୍ତି ନ କରେ । ସେଦିନ ମୁଁ ତାକୁ ଆଉ ଦେଖି ନାହିଁ । କୌଣସି ପୁରୁଷର ଅଯଥା ଅତ୍ୟାଚାର ମତେ ସୁଖ ଲାଗେ ନାହିଁ । ନିହାତି ସ୍କାଉଣ୍ଡ୍ରେଲଟାଏ ।’’

 

ଚିନ୍ମୟ ଏକନିଷ୍ଠ ହୋଇ ଶୁଣୁଥିଲେ ରୁଚିଙ୍କ ଜୀବନରେ ପ୍ରଶାନ୍ତ ଚୌଧୁରୀର ସଂକ୍ଷିପ୍ତ ଇତିହାସ । କ’ଣ କହିବେ କହିବେ ହୋଇ ସେ ଅଟକିଗଲେ...କାରଣ ରୁଚି କାର୍‌ ଅଟକାଇ କହିଲେ–‘ପଦାକୁ ଆସ ଚିନ୍ମୟ ! ଟିକିଏ ଖୋଲା ପବନ ଦେହରେ ବାଜୁ... ।’’

 

ଚିନ୍ମୟ ଉଠିଆସିଲେ । ଚତୁର୍ଦ୍ଦିଗରେ ତମସାର ଘନ କାଳିମା । ସାମ୍ନାରେ କ୍ଷୀଣ ରେଖାର ନଇଟିଏ ବହିଯାଉଛି କେବଳ । ବଡ଼ ନିସ୍ତବ୍‌ଧ, ବଡ଼ ନିଃସଙ୍ଗ ଲାଗୁଛି ମନଟା ।

 

’’ଜାଣ ଚିନ୍ମୟ । ବେଳେ ବେଳେ ଏମିତି ମଝି ରାତିରେ ଖୋଲା ପଡ଼ିଆରେ ଛିଡ଼ା ହୋଇ ଆକାଶର ତାରାଙ୍କୁ ଚାହିଁବାକୁ ଭାରି ଇଚ୍ଛା ହୁଏ । ଜନ୍ମକାଳରୁ ଯେପରି ବଞ୍ଚିବାର ନିମ୍ନତମ ଚାହିଦା ଖୋଜି ଖୋଜି ମୁଁ କ୍ଳାନ୍ତ ହୋଇ ପଡ଼ିଲାଣି । ଅଥଚ ପୃଥିବୀର ସମସ୍ତ ପ୍ରାଚୁର୍ଯ୍ୟ ଯେପରି ମୋ ପାଦତଳେ ଲୋଟୁଛି । ଆଉ ଯେପରି ଭଲ ଲାଗୁନି ଚିନ୍ମୟ.... !’’

 

‘‘ପନ୍ଦର ବର୍ଷ ତଳର ରୁଚି ଆଉ ଆଜିର ରୁଚି ଭିତରେ ଏତେ ବେଶୀ ପ୍ରଭେଦ ଆସିଛି–ଯାହା କି ମୋ କଳ୍ପନାର ବହିର୍ଭୂତ । ମୁଁ ତମକୁ କ’ଣ କହି ବୁଝାଇବି–ମୁଁ ନିଜେ ଜାଣେ ନାହିଁ ।’’

 

‘‘ମୋତେ ବୁଝାଇବାର ପ୍ରଚେଷ୍ଟା କରିବ ନାହିଁ । ତମର ମନେଥିବ ଚିନ୍ମୟ, ମୋର ଲାଇବ୍ରେରୀରେ ପୃଥିବୀର ସବୁ ବିଶିଷ୍ଟ ସାହିତ୍ୟିକଙ୍କର ବହି ଥିଲା । ରାଶି ରାଶି ବହି । ରାଶି ରାଶି ଉପଦେଶ, ଅଭିଜ୍ଞତାର କାହାଣୀ । ସେ ବହିସବୁ ମୋର ଅତି ଆପଣାର ପ୍ରିୟଜନ ଥିଲେ । ଗ୍ରନ୍ଥକୀଟ ପରି ମୁଁ ସେମାନଙ୍କ ଭିତରେ ବସି ରହୁଥିଲେ ବର୍ଷ ବର୍ଷ; କିନ୍ତୁ ସେଥିରେ ଦିନେ ହଠାତ୍‌ ନିଆଁ ଲାଗିଗଲା । ଅତି ବିକଳରେ ମୁଁ ଯେତେବେଳେ ପ୍ରଦୋଷକୁ ପ୍ରତିକାର ବ୍ୟବସ୍ଥା କହିଲି, ସେ କ’ଣ କହିଲେ ଜାଣ– ‘‘ଯାହାର ଧ୍ୱଂସ ଅନିବାର୍ଯ୍ୟ, ତୁମେ ତାକୁ ପ୍ରତିରୋଧ କରିପାରିବ ନାହିଁ ।’’ ମୁଁ ଫେରି ଆସିଲି । ମୋର ନିଜର ପ୍ରଚୁର ଟଙ୍କା ଅଛି...କିନ୍ତୁ ଲାଇବ୍ରେରୀ ସଉକ ମୋର ଯେପରି ଭାଙ୍ଗିଗଲା । ଆଉ ଥରେ ନୂଆ କରି ଗଢ଼ିବାର ସ୍ଫୃହା ମୋର ରହିଲାନି । ହାରିଯାଇଥିବା ସେଇ ପୁସ୍ତକର ବନ୍ଧୁତ୍ୱକୁ ସାଉଁଟି ଆଣିବାକୁ ମୋର ଇଚ୍ଛା ହେଲା ନାହିଁ ।

 

ହଠାତ୍‌ ଥରେ ଆର୍ଟିଷ୍ଟ ସୁନୀଲ ସହିତ ଦେଖା ଦେଲା । ଆର୍ଟ ଛାଡ଼ି ଏବେ ସେ ଦାର୍ଶନିକ ହୋଇଯାଇଛି । କିନ୍ତୁ ମତେ ଦେଖି ତା’ର ଛବି ଆଙ୍କିବାର ସଉକ୍‌ ହେଲା ଚିନ୍ମୟ ! କିନ୍ତୁ କ’ଣ କଲା ଜାଣ ? ସେ ଯେଉଁ ଛବି ଆଙ୍କିଲା ସେଥିରେ ମୁଁ ଏକ ଭରା ପୁଷ୍ମରିଣୀର ମଧ୍ୟସ୍ଥଳରେ ଛିଡ଼ା ହୋଇ ଏକ ପଦ୍ମପତ୍ରକୁ ଚାହିଁ ହସୁଚି । ମୋ ଓଠର ହସଗୁଡ଼ାକ ଖଣ୍ଡ ଖଣ୍ଡ ହୀରା ପରି ପଦ୍ମପତ୍ର ଉପରେ ପଡ଼ି ତଳକୁ ଖସିପଡ଼ୁଛି, ଆଉ ତା’ ତଳେ ସୁନୀଲ ଲେଖିଛି–

 

‘‘Life you may evade, but Death you shall not. You shall not deny the stranger.’’

 

ସେ ଛବି ମୋ ପାଖରେ ନବ ବର୍ଷରେ ଶୁଭେଚ୍ଛା, ନେଇ ଆସି ଯେଉଁ ଦିନ ପହଞ୍ଚିଲା, ସେଦିନ ମୋର ମନେ ହେଲା, ମୋର ରକ୍ତ ଆଉ ଜୀବନିକା ଯେପରି କିଏ ଶୋଷି ନେଇଯାଇଛି । ମୁଁ ହଠାତ୍‌ କ୍ଳାନ୍ତ ହୋଇପଡ଼ିଲି । ମୋର ମନେ ହେଲା, ପୃଥିବୀର କୌଣସି ଲୋକ ପାଖରେ ମୁଁ ଯେପରି ଗ୍ରାହ୍ୟ ନୁହେଁ ।

 

ଚିନ୍ମୟ ! ମୁଁ ବଡ଼ ଅବଶ ମନେକରୁଛି । ପ୍ରତି ମୁହୂର୍ତ୍ତରେ ମୁଁ ଯେପରି ଇଞ୍ଚ ଇଞ୍ଚ କରି ମରିଯାଉଛି.... । ମୋର ମନେ ହେଉଛି, ପୃଥିବୀର ଅଜସ୍ର ପ୍ରାଚୁର୍ଯ୍ୟ ଭିତରେ ମୋର ଯେପରି ବଞ୍ଚିବା ପାଇଁ ସାମାନ୍ୟତମ ଆବଶ୍ୟକତାର ଅଭାବ ରହିଛି । ତମେ କୁହ ଚିନ୍ମୟ ! ମୁଁ କ’ଣ ଆକାଶକୁସୁମ ପଛରେ ଧାଇଁଛି ? ମୁଁ କ‘ଣ ଅରଣ୍ୟରୋଦନ କରୁଛି ?’’

 

ଚିନ୍ମୟ ଉତ୍ତର ଦେଲେନି । ସେ ବୈଜ୍ଞାନିକ । ଖାଦ୍ୟଶସ୍ୟ ଉପରେ ପ୍ରତ୍ୟକ୍ଷ ନିଭର ନ କରି ମଣିଷ କିପରି ସାମାନ୍ୟ ଟାବ୍‌ଲେଟ୍‌ଗୋଟିଏ ଖାଇ ଜୀବନ ଯାପନ କରିପାରିବ, ସେଇ ଗବେଷଣାରେ ସେ ଦିନରାତି ଲାଗିଛନ୍ତି । ସେଇ ଟାବ୍‌ଲେଟ ବ୍ୟତୀତ ମଣିଷଜୀବନର ଅନ୍ୟ କିଛି ଚାହିଦା ସେ ଜାଣନ୍ତି ନାହିଁ । ରୁଚିଙ୍କ ପ୍ରଶ୍ନବାଣରେ ସେ ଯେପରି ତଟସ୍ଥ ହୋଇ ଯାଇଥିଲେ ।

 

ରୁଚି ପୁଣି ତାଙ୍କୁ ହଲାଇ ଦେଇ କହିଲେ– ‘‘ମୁଁ ଜାଣେ ଚିନ୍ମୟ । ଜଣେ ନାରୀ ତୁଣ୍ଡରେ ଏସବୁ କଥା ଅନ୍ୟାୟ ଆଉ ଅଶୋଭନୀୟ ।

 

ତୁମେ ବୁଝି ପାରିବନି, ତୁମ ବଂଧୁ, ତୁମର ସମାଜ ଆଉ ତୁମର ପୌରୁଷ ଏ କଥାର ଦମ୍‌ ଦେବ ନାହିଁ । ମୁଁ ଯଦି ଅକାଳରେ ମରିଯାଏ....ତେବେ ତମେ ତାକୁ କହିବ ମୋର ଗୋଟାଏ ସଉକ । ତୁମେ ତ ବୁଝିବ ନାହିଁ ତୁମର, ତୁମ ସମାଜ ଆଉ ପୃଥିବୀର ଅଜସ୍ର ପ୍ରାଚୁର୍ଯ୍ୟ ଭିତରେ ସାମାନ୍ୟ ଗୋଟାଏ ନାରୀ ବଞ୍ଚିବାର ନିମ୍ନତମ ଚାଦିଦା ଅଭାବରେ....ଅସମୟରେ..... ।’’

 

ଚିନ୍ମୟ ପାଟିକରି ଉଠିଲେ–’’ ତୁମେ ଚୁପ୍‌କରି ରୁଚି । ତୁମେ ପାଗଳୀ ହୋଇଯାଇଛ ନା କ’ଣ ?’’

 

’’ମୁଁ ପାଗଳୀ ନୁହେଁ । ଗୁଡ଼ାଏ ସତ କଥା ତୁମେ ନିସ୍ତବ୍‌ଧ ରାତ୍ରିରେ ଶୁଣୁଥିବାରୁ ମତେ ମଣିଷ ନ ଭାବି ପାଗଳୀ ଭାବିବ । ମୁଁ ଜାଣେ ଚିନ୍ମୟ,ଚିରଦିନ ସତ୍ୟଟାକୁ ଏଡ଼େଇଦବା ତୁମର ଗୋଟାଏ ଅଭ୍ୟାସ । ସତ୍ୟକୁ ତୁମେ ଭୟ କର । ମୁଁ କହିବି ତୁମେ ଭୀରୁ, ଦୁର୍ବଳ... ।’’

 

‘‘ଆଃ ରୁଚି ! ତୁମେ ଏବେ ବି ମୋତେ ବୁଝିଲ ନାହି !’’

 

’’ତୁମକୁ ବୁଝି ନାହିଁ ? ବୁଝିଛି ବୋଲି ତ ଏତେ ନିର୍ଭୟରେ କହୁଛି । ମୁଁ କ’ଣ ଜାଣେନା,ତୁମେ ରୁଚି ପାଇଁ ଆଜୀବନ ନିଃସଙ୍ଗ ଜୀବନ–ଯାପନ କରିଛ....କିନ୍ତୁ ସେ ପନ୍ଦର ବର୍ଷ ତଳର ରୁଚି ଆଜିର ରୁଚି ନୁହେଁ । ତୁମର ଜୀବନତ୍ୟାଗର ନମୁନା ପୃଥିବୀରେ ବିରଳ ! ତୁମେ ମହାନ୍‌ ପ୍ରେମିକ ସତ, କିନ୍ତୁ ପରୁଷ ହେଲ ନାହିଁ... ।’’ ଏଥର ବାସ୍ତବିକ୍‌ ରୁଚି କାନ୍ଦିଲେ ଶବ୍ଦ କରି–ଆଉ ଦୁଇ ହାତ ପାପୁଲିରେ ମୁହଁ ଢାଙ୍କି ।

 

ଚିନ୍ମୟ ତାଙ୍କ ହାତକୁ ଧରି ପକାଇଲେ; କିନ୍ତୁ ରୁଚି ଦୂରକୁ ଘୁଞ୍ଚିଯାଇ ପାଟି କରି ଉଠିଲେ– ‘‘ତୁମେ ମୋ ପାଖକୁ ଘୁଞ୍ଚିଯାଅ ଚିନ୍ମୟ ! ମୁଁ କାନ୍ଦିବା ପାଇଁ ଆଜି ଅବଲମ୍ବନ ଲୋଡ଼େ ନାହିଁ । ମୁଁ ଏକାକୀ କାନ୍ଦିବି । ଏ ଦୁଃଖ, କଷ୍ଟ ମୋ ନିଜର–ଏକାନ୍ତ ଭାବେ ନିଜର । ମୁଁ ଏଥିରେ କାହାକୁ ଭାଗୀଦାର କରିବାକୁ ଚାହେଁ ନାହିଁ ।

 

ତୁମେ ଦୂରେଇ ଛିଡ଼ା ହୁଅ ! ମୋ ଆଶ୍ରୁରେ ଅଜସ୍ର କଳଙ୍କ ରହିଛି । ସେ କଳା ଦାଗରେ ତୁମର ପ୍ରେମକୁ ମୋ ପ୍ରତି ନଷ୍ଟ ହେବାକୁ ଦିଅନା... ।’’

 

ବାହାରେ ଅନ୍ଧକାରର ଯେପରି ଶେଷ ନାହିଁ । ରୁଚିଙ୍କର କ୍ରନ୍ଦନର ସାଇଁ ସାଇଁ ଶବ୍ଦ ସହିତ ନଦୀର କୁଳୁକୁଳୁ ସ୍ୱର ମିଶି ଏକ ତୃତୀୟ ଶବ୍ଦର ସୃଷ୍ଟି ହେଉଥିଲା, ଯେଉଁ ଶବ୍ଦର ମାନେ ବୁଝିବା ଚିନ୍ମୟଙ୍କ ପକ୍ଷେ ଅସମ୍ଭବ ଥିଲା ।

 

ଚିନ୍ମୟ ନିର୍ବାକ୍‌ ହୋଇଯାଇଥିଲେ । ଜୀବନସାରା‘ନାରୀ’ କଣ ଯେପରି ସେ ବୁଝିଲେ ନାହିଁ । ପ୍ରଦୋଷ କହୁଥିଲା, ଚିନ୍ମୟ ନାରୀ ଜାତିକୁ ଭୟ କରେ । ନାରୀର ବିଭିନ୍ନ ରୂପରେ ସେ ବାସ୍ତବିକ୍‌ ସମୟେ ସମୟେ ସଂବିତ୍‌ ହାରୁଥିଲେ ।

 

ଚିନ୍ମୟର ତନ୍ଦ୍ରା ଭାଙ୍ଗିଲା । ରୁଚି କାନ୍ଦ ବନ୍ଦ କରି ଗାଡ଼ିରେ ଷ୍ଟାର୍ଟ ଦେଲେଣି । ସେ ପାଖକୁ ଯାଇ କହିଲେ–’’ତମେ ଟିକେ ବିଶ୍ରାମ କର ରୁଚି ! ମୁଁ ଡ଼୍ରାଇଭ୍‌ କରେ ।’’

 

‘‘ନା, ନା, ତମେ ବସ । ତମେ ମୋର ଅତିଥି ଚିନ୍ମୟ । ତମକୁ ସୁସ୍ଥରେ ରଖିବା ମୋର କର୍ତ୍ତବ୍ୟ; କିନ୍ତୁ ତମକୁ ଆଜି ବହୁତ କଷ୍ଟ ଦେଲିଣି....ଏତିକି ବେଦନା ତମେ ସହ୍ୟ କରିନେବ । ବସ-। ଡେରି ହେଉଚି ଯେ ।’’

 

ଚିନ୍ମୟ ଅଗତ୍ୟା ବସିଲେ । ଶୁଖିଲା ଲୁହର ଦାଗ ତାଙ୍କ ଆଖି ଆଗରେ । ବଡ଼ ଶ୍ରୀହୀନ ଲାଗୁଛନ୍ତି ରୁଚି । ଅଥଚ କେତେ ଲୋଭନୀୟ ଥିଲା ତାଙ୍କର ଚେହେରା । ବାରମ୍ବାର ଚାହିଁ ରହିଲେ ବି ତାଙ୍କର ତୃପ୍ତି ଆସୁ ନ ଥିଲା ।

 

ଲାବୋରେଟୋରୀରେ ଗବେଷଣା କରୁ କରୁ ବହୁବାର ତାଙ୍କ ଆଖି ସାମ୍ନାରେ ନାଚି ଉଠେ ରୁଚିଙ୍କର ସେଇ ମନୋମୁଗ୍‌ଧକର ଛବି । ଗବେଷଣା ବନ୍ଦ ରହେ । ଫର୍ମୁଲା ଶେଷ ହୁଏନା କି ବହିର ପୃଷ୍ଠା ଓଲଟେ ନାହିଁ । ପନ୍ଦର ବର୍ଷ ଧରି କେବଳ ମାମୁଲି ସମ୍ପର୍କ ଛଡ଼ା ସେ ଅଧିକ ନିଜ ଅପେକ୍ଷା ସେ ଅଧିକ ଭଲ ପାଉଥିଲେ ରୁଚିଙ୍କୁ । ତେଣୁ ନିଜକୁ ଅଗ୍ନିରେ ଦାହ କରି ତାଙ୍କୁ ଆଲୋକ ଦେବାକୁ ଅନବରତ ଚେଷ୍ଟାକରି ଆସିଛନ୍ତି ସେ । ହେଲେ... ।

 

ଚିନ୍ମୟଙ୍କ ଆଖିପତା ବୁଜି ହୋଇ ଆସୁଛି । ଘଣ୍ଟାରେ ବୋଧେ ଚାରି ବାଜିବ । ଏତେ ସମୟ ଧରି ଡ୍ରାଇଭ୍‌ କଲେ ମଧ୍ୟ କ୍ଳାନ୍ତ ଆସୁନାହିଁ । ବଡ଼ ଚିନ୍ତାମଗ୍ନ ଯେପରି ସେ !

 

ନା ଥାଉ ! ସେ ତାଙ୍କୁ ଅଧିକ କିଛି ପ୍ରଶ୍ନ କରିବେ ନାହିଁ; କିନ୍ତୁ ରୁଚି ଯେ ତାଙ୍କୁ ଡାକିଥିଲେ କ’ଣ କରିବେ ବୋଲି, ଏପର୍ଯ୍ୟନ୍ତ କିନ୍ତୁ କହି ନାହାନ୍ତି । ପଚାରିବେ କି ? ନା–ଆଉ ।

 

ବଡ଼ ଅସୁସ୍ଥ ଲାଗୁଛି ମନଟା । ଚତୁର୍ଦ୍ଦିଗ ଫାଙ୍କା । ନିର୍ଜନ ଏକାକୀ ମନ ଖା ଖାଁ କରି ଉଠୁଛି । ରୁଚିଙ୍କର ବିବାହ ଦିନ ଯେଉଁ ନିଃସଙ୍ଗ ବେଦନା ସେ ଅନୁଭବ କରିଥିଲେ–ସେ ବେଦନା ମନେ ହେଲା ଯେପରି ତାଙ୍କର ମନନ କେନ୍ଦ୍ରକୁ,ସ୍ମୃତି ଓ ଧୀମତ୍ତାକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେବ !

 

ରୁଚି କିନ୍ତୁ ନୀରବ । ଅବିଶ୍ରାନ୍ତ ଝଡ଼ ପରେ ସବୁଜ ବନାନୀ କ୍ଳାନ୍ତ ଅବା !

 

ଚିନ୍ମୟ ଆଖି ବୁଜିଲେ ।

 

କେତେବେଳେ ବିତିଯାଇଛି ଚିନ୍ମୟ ଜାଣନ୍ତି ନାହିଁ । ଗାଡ଼ି ଅଟକିବାରୁ ସେ ଉଠିପଡ଼ିଲେ-

 

କିନ୍ତୁ ଏ କ’ଣ ? ଏ ଯେ ଷ୍ଟେସନ୍‌ ! ଯେଉଁଠି ସେ ସନ୍ଧ୍ୟାବେଳେ ଓହ୍ଳାଇଥିଲେ । ରାସ୍ତା ଭୁଲ ତେବେ ଅବାଟରେ ଚାଲିଆସିଲେ ରୁଚି !

 

ରୁଚି କିନ୍ତୁ ମୃଦୁ ହସି କହିଲେ–

 

‘‘ରାସ୍ତା ଭୁଲ କରିଛି ବୋଲି ତମେ ଭାବୁଛନା ? ତା’ ନୁହେ ! ନଦୀକୂଳରୁ ମୁଁ ପୁଣି ଷ୍ଟେସନ୍‌ ଆଡ଼କୁ କାର୍‌ ବୁଲାଇ ଦେଇଥିଲି । ତମେ ଫେରିଯାଅ । ମୁଁ ତମକୁ ମୋ ସାଙ୍ଗରେ ଘରକୁ ନେଇ ଅମର୍ଯ୍ୟାଦା କରିବାକୁ ଚାହେଁ ନା !’’

 

‘‘ଏ କ’ଣ ତମେ କହୁଛ ରୁଚି ! ଏତେ ଦିନ ପରେ ମୁଁ ଆସିଲି....କିନ୍ତୁ ତମେ.... !’’

 

‘‘ସେଇଥିପାଇଁ ତ କହୁଛି ଚିନ୍ମୟ ! ଏତେ ଦିନ ପରେ କଳଙ୍କର ଦାଗରେ ମୁଁ ତମକୁ ରଞ୍ଜିତ କରିବାକୁ ଚାହେଁ ନା । ଯେଉଁ ରୁଚିର ସମାଜରେ ସ୍ଥାନନାହିଁ, ଘରେ ସ୍ଥାନନାହିଁ କି କେଉଁ ପ୍ରିୟ ପରିଜନଙ୍କଠାରେ ସ୍ଥାନ ନାହିଁ–ସେ ତମକୁ ସ୍ଥାନ ଦେବ କୁଆଡ଼ୁ ? ବଞ୍ଚିବାର ନିମ୍ନତମ ଚାହିଦାର ଅଭାବରେ ଯିଏ ଦୀର୍ଘଦିନ ଧରି କ୍ଷୁଧିତ ସେ ତୁମର ସମ୍ମାନ ରକ୍ଷା କରିପାରିବନି ! ତୁମେ ଫେରିଯାଅ ଚିନ୍ମୟ ! ଫେରିଯାଅ.... !’’

 

‘‘ରୁଚି ! ଶୁଣ, ମୋ କଥା ଶୁଣ ଟିକେ !’’

 

‘‘ଆହା ! ଆଜି ଆଉ ଅଙ୍ଗୀକାର କରି ଲାଭ ନାହିଁ । ମୁଁ ତୁମକୁ ଶ୍ରଦ୍ଧା କରେ । ତେଣୁ ତୁମକୁ ବିଦାୟ ଦେଉଛି । ରୁଚିର ଏଇ ରୁଚି ହୀନତା ପାଇଁ ତୁମେ ତାକୁ କ୍ଷମା କର ଚିନ୍ମୟ । କିନ୍ତୁ ଫେରିଯାଅ, ମତେ କଷ୍ଟରୁ ଆଉ ଯନ୍ତ୍ରଣାରୁ ତ୍ରାହି ଦିଅ । ତୁମକୁ ନଷ୍ଟ କରିବାର ବେଦନାରୁ ମକେ ମୁକ୍ତି ଦିଅ ।’’

 

ସେ କଣ୍ଠରେ କି ନିର୍ଦ୍ଦେଶ ଥିଲା କେଜାଣି, ଚିନ୍ମୟ ଗାଡ଼ିରୁ ଓହ୍ଳାଇ ଧୀରେ ଧୀରେ ପ୍ଳାଟ୍‌ଫର୍ମ ଭିତରେ ପଶିଲେ । ପଛେ ପଛେ ଚାଲିଥିଲେ ରୁଚି । ପ୍ରଭାତ ପ୍ରାୟ ହେବା ଉପରେ ।

 

କମ୍ପାର୍ଟମେଣ୍ଟର ରେଲିଂ ଧରି ଚିନ୍ମୟ ଚାହିଁଥିଲେ ରୁଚିଙ୍କୁ । ବଡ଼ ଉଦାସ ଦିଶୁଥିଲେ ସିଏ-। ଟ୍ରେନ୍‌ ସିଗ୍‌ନାଲ ଦେଲାଣି ।

 

ଚିନ୍ମୟ ନଇଁପଡ଼ି କହିଲେ– ‘‘ତମକୁ ବୁଝିପାରିଲି ନାହିଁ ରୁଚି ! ତମେ ମତେ କ୍ଷମା କରିବ-। କିନ୍ତୁ କ’ଣ କହିବି ବୋଲି ମୋତେ ଏତେ ଆଗ୍ରହରେ ଡାକିଥିଲେ, କହିଲ ନାହିଁ ଯେ !’’

 

ରୁଚି ଯେପରି ଚମକି ଚାହିଁଲେ । ଆଉ ଆବେଗରେ ପ୍ରଶ୍ନ କଲେ–‘‘ତମେ ପାରିବ ଚିନ୍ମୟ ? ପାରିବ ଗୋଟିଏ କାମ କରି ? ମୋ ପାଇଁ କହୁ ନାହିଁ, କହୁଛି ଅନ୍ୟମାନଙ୍କ ପାଇଁ ।’’

 

‘‘କୁହ ରୁଚି ! ଟ୍ରେନ୍‌ ଛାଡ଼ିଦେବ ଯେ.... !’’

 

ଶୁଷ୍କ ହସ ହସିଲେ ରୁଚି–‘‘ତୁମେ ବୈଜ୍ଞାନିକ । ମଣିଷର ଶରୀରକୁ ବିନା ଖାଦ୍ୟରେ ବଞ୍ଚେଇ ରଖିବା ପାଇଁ କ’ଣ ଉଭାବନରେ ଲାଗିଛ ତୁମେ, ମୁଁ ଜାଣେନା । କିନ୍ତୁ ମଣିଷର ମନକୁ ବଞ୍ଚେଇ ରଖିବା ପାଇଁ କ‘ଣ କରୁଛ ? ପାରିବ ? ପାରିବ ଗୋଟାଏ ଜିନିଷର ଉଭାବନ କରି ? ବଞ୍ଚେଇ ରଖିବାର ନିମ୍ନତମ ଚାହିଦାକୁ ଆବିଷ୍କାର କରିପାରିବ ? ଆଧୁନିକ ମଣିଷର ମାନସିକ ରିକ୍ତତାକୁ ତମେ ଦୂର କରିପାରିବ ଚିନ୍ମୟ ? ଆଜିର ନିଜନ ବୃଦ୍ଧିନିର୍ଭର ମନୁଷ୍ୟ ପାଇଁ କିଛି ନୂତନ ଆବିଷ୍କାର ଦରକାର । ନଚେତ୍‌ ସେ ମରିଯିବ ଚିନ୍ମୟ ! ଆଉ ପୃଥିବୀ ହେବ କେତୋଟି ପଶୁଙ୍କର ବାସସ୍ଥଳୀ... !

 

ଟ୍ରେନ୍‌ର ବିକଟାଳ ହୁଇସିଲ୍‌ ଶବ୍ଦରେ ଚିନ୍ମୟଙ୍କ ହୃତ୍‌ପିଣ୍ଡ ଭିତରଟା ଯେପରି ଠକ୍‌ ଠକ୍‌ କମ୍ପି ଉଠୁଥିଲା । ଆଉ ଗୁଡ଼ାଏ ଭଙ୍ଗା କାଚର ଶବ୍ଦ ତାଙ୍କ କାନକୁ ବଧିର କରି ଦେଇଥିଲା ।

 

ମନେ ହେଉଥିଲା ତାଙ୍କ ଗବେଷଣାଗାରରେ ଥିବା ସମସ୍ତ ଯନ୍ତ୍ରପାତି ଆଉ ରାସାୟନିକ ପ୍ରଣାଳୀ ଅକସ୍ମାତ୍‌ ପଡ଼ିଯାଇ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି ।

 

ଟ୍ରେନ୍‌ର ଗତି ସହିତ ତାଳ ମିଳାଇ ରୁଚି ଯେମିତି ଦୌଡ଼ିଛନ୍ତି ଅଣନିଶ୍ୱାସୀ ହୋଇ ।

Image

 

ଦର୍ଶନ

 

ତାଙ୍କ ପାଦ ଥର–ଥର ଭାବରେ କମ୍ପି ଉଠୁଥିଲା । ଲାଇନ ଉପରେ ଠିକ୍‌ ଭାବରେ ସେ ଛିଡ଼ା ହୋଇ ପାରୁ ନ ଥିଲେ । ଅନାହାର ଆଉ କାନ୍ତିରେ ଶରୀରର ଚମଡ଼ା ଯେପରି ସ୍ପର୍ଶଶକ୍ତି ହରାଇ ବସିଥିଲା ।

 

ତଥାପି ଛିଡ଼ା ହେବାକୁ ହେବ । ଘରେ ଅଗଣି, ମାଗୁଣି ଚାହିଁ ବସିଥିବେ । ଚାହିଁ ବସିଥିବେ ସେବତୀ ଆଉ ପୁସି ଛୁଆଟା ଘୁଡ଼ୁରୁ ଘୁଡ଼ୁରୁ ହେଉଥିବ ।

 

ପଛଆଡ଼ୁ ଚନ୍ଦ୍ରମଣି ଠେଲାଟାଏ ଦେଇ କହିଲା–‘‘ଅନାମ ଭାଇ ! ଟିକେ ଆଗକୁ ମାଡ଼ି ଚାଲମ ! ଏମିତି ଠିଆଟା ହୋଇ ରହିଲେ ଆଜି ଆଉ ଘରକୁ ଫେରିବା କଥା ନାହିଁ । ଦେଖୁନା, ସଞ୍ଜ ଗଢ଼ିଗଲାଣି । ମୁଁ ପରା ଦେଢ଼ଶହ ଲୋକଙ୍କୁ ପଛରେ ଥିଲି, ଆସି ତମ ପାଖରେ ହେଲିଣି, ଆଉ ତମେ ସେମିତି କାଠଟା ପରି କାହିଁକି.... ?’’

 

ଅନାମ ମହାପାତ୍ର ପଛକୁ ବୁଲି ଚନ୍ଦ୍ରମଣିକୁ ଅନାଇଲେ । ଆଖି ଦି‘ କୋଣରେ ଝାପସା ହୋଇ ନେନ୍ଦେରା ଲାଗିଛି ଚନ୍ଦ୍ରମଣିର । ପାଟିରୁ ଆସୁଛି ଭଣ ଭଣ ବିଡ଼ିର ଗନ୍ଧ । ଆଖିରେ ନିରାଶା ଆଉ କ୍ଳାନ୍ତି । ପନ୍ଦର ଦିନ ହେଲାଣି ଘରେ ଖାଇବାକୁ ନାହିଁ । ଦଶ ଜଣ କୁଟୁମ୍ବ ଆଉଟିପାଉଟି ହେଉଛନ୍ତି ଭୋକରେ । ଏଡ଼େ ବଡ଼ ଯୁଆନ ଭେଣ୍ଡା ଚନ୍ଦ୍ରମଣି ଦିନ ପନ୍ଦରଟାରେ କେଡ଼େ ବଡ଼ ବୁଢ଼ା ଲାଗୁଛି ସତରେ !

 

ଅନାମ ହଠାତ୍‌ ଯେପରି ଅନ୍ୟମନସ୍କ ହୋଇଉଠିଲେ ! ଚନ୍ଦ୍ରମଣି ପୁଣି ତାଙ୍କୁ ଠେଲି ଦେଇ କହିଲା–‘‘ଚାଲୁନା ଭାଇ ! ଆଗକୁ ବଢ଼ିଚାଲ । ହେଇ ଦେଖିଲଣି ସେ ଧୋବଧାଉଳିଆ ବାବୁଗୁଡ଼ାକ ଫଟ୍‌କିନା ଆସି କିପରି ଲାଇନ ଭାଙ୍ଗି ପଶି ଯାଉଛନ୍ତି... ! ସେମାନେ ତ ଫେର୍‌ ପଢ଼ାଣୁଣା ନୋକ ! ତାଙ୍କୁ କ’ଣ ଆଉ ନିୟମନୀତି ଜଣା ନାହିଁ ?’’

 

ଅନାମ ଦେଖୁଥିଲେ ଲାଇନ୍‌ଖାଲି ନାମକୁ ମାତ୍ର । ଏମିତି ଛିଡ଼ା ହୋଇ ରହିଲେ ଆଜି ଆଉ ଚାଉଳ ମିଳିବ ନାହିଁ କି ଘରକୁ ଫେରିବା କଥା ହେବ ନାହିଁ । ଆସିଲା ବେଳେ ସେବତୀ କହୁଥିଲା ସଅଳ ଫେରିବା ପାଇଁ । ବହୁତ ଜିଗର କରି ଭଜା ସୁଆଁ ଚାଉଳ ମୁଠାଏ ତାଙ୍କ ଜାମା ପକେଟରେ ପକେଇ ଦେଇଛି । କାଳେ ଭୋକ ହେବ, କାଳେ ତଣ୍ଟି ଶୁଖି ଅଠା ହେବ....ସେଇ ମୁଠାକର ଗନ୍ଧ ବାରି ମାଗୁଣିଟା ରାହା ଧରି ଆସିଲା ବେଳେ ରଡ଼ି ଛାଡ଼ିଥିଲା । ମାଗୁଣିର କାନ୍ଦୁରା ମୁହଁଟା ଆକ୍ଷି ଆଗରେ ନାଚିଯାଉଛି ।

 

ଛାତି ଭିତରେ ଏକ କଅଁଳ ପଦାର୍ଥ ରଟ୍‌କିନା ଯେପରି ମୋଡ଼ି ହୋଇଗଲା । ଛଟପଟ ଆଉ ଯନ୍ତ୍ରଣାରେ ସେ ଶିହରି ଉଠିଲେ । ମାଗୁଣିଟା ଯେମିତି ବାପ ମୁହଁ ଛିଡ଼େଇ ଆଣିଛି । ସୁଦର୍ଶନଟା ଯଦି ଆଜି ଥାଆନ୍ତା... ! ଚାଉଳ ପାଇଁ ଅପେକ୍ଷା କରିଥିବା ଲାଇନ୍‌ ଉପରେ ମଧ୍ୟ ଅନାମ ଦଶ ବର୍ଷ ତଳର ସେବତୀଙ୍କର ବୁକୁଫଟା କ୍ରନ୍ଦନ–ଚିତ୍କାର ଆଉଥରେ ଶୁଣିପାରିଲେ..... । ଇସ୍‌ । ସେ ଶବ୍ଦ ଯେପରି ବୋମା ପଡ଼ିଲା ପରି ତାଙ୍କ ମନରୁ ପାସୋର ଯାଇ ନାହିଁ ।

 

ଏଡ଼ିକି ବଡ଼ ପୁଅ ସୁଦର୍ଶନ ! ଗଛମୋଟର ବାହାଗୁଡ଼ାକ, ଶତ୍ରୁ ଶଙ୍କିଯିବ । ଦ୍ୱିତୀୟ ମହାଯୁଦ୍ଧ ସମୟରେ କାହା କଥା ଶୁଣିଲା ନାହିଁ, ପଳେଇଲା ଯୁଦ୍ଧକୁ । ଯୁଦ୍ଧରୁ ପଦକ ନେଇ ଫେରିଲା, ହେଲେ ଘେନି ଆସିଲା ସାଥିରେ ରାଜଯକ୍ଷ୍ମାକୁ । ଏଡ଼େ ବଡ଼ ଯୁଆନ ପୁଅଟା ଶୁଖି ଶୁଖି ବର୍ଷ ଦି’ଟାରେ ମଶାଣି ମାଟିରେ ମିଶିଲା ତାଙ୍କରି ଆକ୍ଷି ଆଗରେ । ତା‘ ପଛକୁ ଗୋଟାଏ ଝାଡ଼ାରେ ତାର ସ୍ତ୍ରୀ ଅଗଣି ମାଗୁଣିକୁ ପକେଇ ଦେଇ ବାଟ କାଟିଲା । ସେବତୀ ସେଦିନ ଦଉଡ଼ି ଦେବାକୁ ଯାଉଥିଲେ, ଭାଗ୍ୟକୁ ଅନାମ କାଟି ପକାଇଲେ; କିନ୍ତୁ ସେବତୀଙ୍କର ସେଇ ବୁକୁଫଟା କରୁଣ କ୍ରନ୍ଦନ ଥାଇ ଥାଇ ଯେପରି ଅନାମଙ୍କର ଛାତି ଫୁଟାଇ ରକ୍ତ ଝରାଏ ।

 

ସେଇ ସୁଦର୍ଶନ ଗଲା ଦିନଠୁ ବଢ଼ି, ମରୁଡ଼ି ସେ ଗାଁକୁ ଯେମିତି ଛାଡ଼ୁନାହିଁ । ପାଞ୍ଚବର୍ଷ ହେଲାଣି ଜମିରେ ଧାନ ଗୋଟାଏ ହେଲେ ନାହିଁ । ଦି’ ଦି’ ଟା ଯୁଦ୍ଧ ଦେଖିଲେ ଆଖି ଆଗରେ ଅନାମ ମହାପାତ୍ର । ପିଲାଦିନେ ତାଙ୍କ ବାପା କହୁଥିଲେ ନ‘ଅଙ୍ଗ ଦୁର୍ଭିକ୍ଷ କଥା । ଆଉ ହାତ ଆଙ୍ଗୁଠିରେ ହିସାବ କରି କହୁଥିଲେ ତା’ଠାରୁ ଆହୁରି ଗୋଟାଏ ଭୟଙ୍କର ଦୁର୍ଭିକ୍ଷ ପଡ଼ିବ । ସରକାର ଯେତେ ଯା’ ବ୍ୟବସ୍ଥା କରୁ ରୋକି ପାରିବ ନାହିଁ ! କଥାରେ ଅଛି ଯେଡ଼େ ବାଉଁଶରେ ସେଡ଼େ ପୋଲ ।

 

ସେତେବେଳେ ଅନାମ ହସୁଥିଲେ । ବାପା ପୁରୁଣା–କାଳିଆ ଲୋକ । ନୂଆ ସରକାର କଂଗ୍ରେସ ପାର୍ଟି, ଗାନ୍ଧି ମହାତ୍ମା କଥା ଶୁଣିଲେ ନାକ ଟେକୁଥିଲେ...କେଉଁଥିରେ ତାଙ୍କର ବିଶ୍ୱାସ ନ ଥିଲା । ରାମରାଜ୍ୟର ଘିଅ, ମହୁ କଳ୍ପନାରେ ଅନାମ ହୋଇଯାଉଥିଲେ ମନ୍ତ୍ରମୁଗ୍‌ଧ । କାହାର ଅଭାବ ରହିବ ନାହିଁ, ରୋଗ–ଯନ୍ତ୍ରଣାରେ ଔଷଧ ନ ପାଇ କେହି ମରିବେ ନାହିଁ, ଅନାହାର, ଅଭାବ ଅନାଟନ ରହିବ ନାହିଁ....ଖାଲି ସୁଖ, ଖାଲି ଅମୃତ, ଖାଲି ଦିବାସ୍ୱପ୍ନ ଦେଖୁଥିଲେ ଅନାମ । ବାପାଙ୍କଠାରୁ ନିଜକୁ ସ୍ୱତନ୍ତ୍ର କରି ଭାବିବାରେ ଯେପରି ଗୋଟାଏ ରୋମାଞ୍ଚ ଅନୁଭବ କରୁଥିଲେ ସିଏ ।

 

ବାପା ଚାଲିଗଲେ, ଆଉ ଚାଲିଗଲା ଅକାଳରେ ପୁଅ । କେହି ତ ତାଙ୍କ ପୁଅକୁ ସାହାଯ୍ୟ କଲେ ନାହିଁ । ଔଷଧ ପାଇଁ ଟଙ୍କା ସାହାଯ୍ୟ ମିଳିବବୋଲି କେତେ କୁଆଡ଼େ ଅନାମ ମହାପାତ୍ର ନ ଧାଇଁଛନ୍ତି ? କେତେ କାଗଜ ଦରଖାସ୍ତ ଆଉ କେତେ ଅଫିସ ? ଦେଶ ପାଇଁ ପୁଅ ତାଙ୍କର ନିଜ ଜୀବନକୁ ପାଣି ଛଡ଼େଇ ଦେଇଥିଲା–ଆଉ ଦେଶ ପାଇଁ ଗୋଟାଏ ଔଷଧ ପାଣି ଦେଇପାରିଲା ନି ? କିଏ କେତେ ରକମ କଥା କହିଲେ ? ହେଲେ ଗୋଟାଏ ପଇସା ଅନାମ ମହାପାତ୍ରଙ୍କ ହାତକୁ ଆସିଲା ନାହିଁ । ଖାଲି ଭାଗ୍ୟକୁ ନିନ୍ଦି ସେ ଚାହିଁଥିଲେ କେବଳ ।

 

ଆଉ ସେଇକାଳରୁ ବଢ଼ି, ମରୁଡ଼ି, ଦୁର୍ଭିକ୍ଷ ଯେମିତି ଗାଁ ଛାଡ଼ୁନାହିଁ । କେତେ ତ ବନ୍ଧ ବନ୍ଧା ହେଲା ସୁମାରି ନାହିଁ । ରାତି ଅଧରେ ଲୁଚି ଲୁଚି ବନ୍ୟାସବୁ ଛାରଖାନ କରିଦେଇଗଲା । ଘରଦ୍ୱାର ଗାଁ ଗଣ୍ଡା ସବୁ ଭାସିଗଲା ବର୍ଷ, ବର୍ଷ । ପୁଣି ଯଦି ବର୍ଷେ ବର୍ଷା ନାହିଁ, ଖାଲି ଆକାଶକୁ ଅନେଇ ବସିବା ସାର । ନିଆଁ ମୁଣ୍ଡରେ ଦେହକୁ ପୋଡ଼ି, ହିଡ଼ ମୁଣ୍ଡରେ ବସି ସେ ହେଜ କରନ୍ତି ଖବର କାଗଜରେ ପଢ଼ିଥିବା ବହୁମୁଖୀ ନଦୀବନ୍ଧ ଯୋଜନା କଥା । ମାଟିରେ ସୁନା ଫଳେଇବା ସ୍ୱପ୍ନ । ଚମକି ଉଠନ୍ତି ସେ । କାହିଁ ? କୁଆଡ଼େ ଗଲା ସେସବୁ ? ଦୁର୍ଭିକ୍ଷ ଅନାଟନରେ ଧଡ଼ରା ଚମ ଥରଥର ଥରିଉଠେ । ବାପାଙ୍କର ଶୁଖିଲା ଶିରାଳ ମୁହଁଟା ଆଖି ଆଗରେ ନାଚିଯାଏ । ସତେ କ’ଣ, ସତେ କ’ଣ ଆଉ ଗୋଟାଏ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିବ ? ଏତେ ଯୋଜନା, ଏତେ ପରିକଳ୍ପନା ଥାଉ ଥାଉ ସତେ କ’ଣ ସରକାର ତାକୁ ରୋକିପାରିବେ ନାହିଁ ? ମନେ ମନେ ଅଦୃଶ୍ୟ ଭଗବାନଙ୍କୁ ହାତ ଟେକି ପ୍ରଣାମ ଜଣାଏ ଅନାମ । ‘ପ୍ରଭୂ ବଳୀୟାର ଭୂଜ । ରଖ, ରଖ ଏ ଦେଶକୁ, ଏ ମାଟିକୁ....ତୁ ନ ରଖିଲେ ସଭିଏଁ ଗଲେ ପ୍ରଭୂ । ’

 

ଏମିତି କେତେ ଦିନ, କେତେ ରାତି ଚିନ୍ତାରେ ପାହିଛି ସେ କଥା କିଏ କହିବ, କିଏ ହିସାବ କରିବ ? ଶେଷକୁ ମୁଣ୍ଡ ଉପରୁ ମଥାନ ଖଣ୍ଡକ ବି ଠାକୁର କାଢ଼ିନେଲେ । କେଉଁ ଚଉଦ ପୁରୁଷର ଭିଟାମାଟି କେଉଁ ପୁରୁଷରେ ନିଆଁ ପଡ଼ିଥିଲା କେଜାଣି, କେତେ ବଢ଼ି କେତେ ଝଡ଼ ତୋଫାନ ସମ୍ଭାଳିଥିଲା, କେତେ ଶୀତ, କେତେ ଖରା ବର୍ଷା ଫୁଙ୍କି ଉଡ଼େଇ ଦେଇଥିଲା, ପୃଥ୍ୱୀ ପ୍ରଳୟ ହେଲେ ବି ସେ ଟିକିଏ ଚଙ୍କି ନ ଥିଲା; ହେଲେ ? ହେଲେ... ?

 

ସେଦିନ ବେଳ ଦ୍ୱି-ପ୍ରହର । ଆଶ୍ୱିନର ନିର୍ମଳ ସତେଜ ଖରା ବିଞ୍ଚି ହୋଇ ପଡ଼ିଛି । ଆନନ୍ଦ ଉତ୍ସବ ଆଉ ଦୈନନ୍ଦିନ ଜୀବନଯାତ୍ରାର ଚହଳ ଭରି ରହିଛି; କିନ୍ତୁ ଏ କ’ଣ ହେଲା ? ଖରା ଚାଲିଗଲା ଆଖି ପିଛୁଳାକେ । କାହୁ ଘୋଟିଆସିଲା କଳାହାଣ୍ଡିଆ ମେଘ । ମେଘ କି ମହାପ୍ରଳୟର ଅଖଣ୍ଡ ବାରିଧାରା ତା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ । ଆଉ ତା ସହିତ ମିଶିଆସିଲା ପବନ ଭୀଷଣ ପବନ ।

 

ଗାଁ ଦାଣ୍ଡରୁ ଫେରୁଥିଲେ ଘରକୁ ଅନାମ । ବତାସର ବେଗ ଯେମିତି ପାଏ ବାଟକୁ ଚାଖଣ୍ଡେ କରି ତାଙ୍କୁ ଫିଙ୍ଗିଦେଲା ଘର ବାରଣ୍ଡା ଉପରେ । ଧୂଳି-କୁଟା-କାଠିରେ ଯେପରି ନିମିଷକରେ ଖଣ୍ଡପ୍ରଳୟ ସୃଷ୍ଟି ହେଲା । ରଡ଼–ରାଡ଼ ଗଛଗୁଡ଼ାକ ଆଖି ଆଗରେ ଭାଙ୍ଗିପଡ଼ିଲେ–କିଏ ଯେପରି ଡାଳ–ପତ୍ର ମୋଡ଼ିମାଡ଼ି ପକେଇ ଦେଉଛି । ମଥାନ ଉପରୁ ଛପର ଉଡ଼ି ପଳାଇଲେ, ସତେ କି ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଟେକିନେଉଛି । କୁଟା ଉଡ଼୍‌ନାହିଁ, ଉଡ଼ୁଛି ସମୁଦାୟ ମଥାନ ଛପର । ପତ୍ର ଉଡ଼ୁ ନାହିଁ, ଉଡ଼ୁଛି ଗଛର ଡାଳ, ଗଣ୍ଡି ଆଉ ଚେରମୂଳ । ପ୍ରଳୟ...ପ୍ରଳୟ.....ମହାପ୍ରଳୟ....ଅନାମ ମହାଯାତ୍ରା କଳ୍ପନା କରିଗଲେ, ଆସିଗଲା ପ୍ରଳୟ । ପୃଥିବୀ ହେବ ଜଳାର୍ଣ୍ଣବ-। ସ୍ଥାବର ଜଙ୍ଗମ, କୀଟପତଙ୍ଗ, ଗୃହବାଡ଼ି, ଶସ୍ୟ, ମନୁଷ୍ୟ ସମସ୍ତେ ହେବେ ଲୀନ । ଆଉ ସାମାନ୍ୟ ଏକ ବଟପତ୍ର ଉପରେ ନିଜ ସୃଷ୍ଟିର ଅସହାୟତାକୁ ନିରୀକ୍ଷଣ କରି ବୁଲିବେ ପ୍ରଳୟପ୍ରୟୋଧି ଜଳେ ସ୍ୱୟଂ ପତିତପାବନ, ଜଗତର ନାଥ ଜଗନ୍ନାଥ !

 

ଗୋଡ଼ ଥରି ଉଠୁଥିଲା ଅନାମଙ୍କର । ଦେହର ଅସ୍ତିତ୍ୱ ଯେମିତି ଧରି ରଖିବାକୁ ତାଙ୍କର ସମ୍ବଳ ନାହିଁ । ପବନର ବେଗ ସେ ସମ୍ଭାଳି ପାରୁ ନାହାନ୍ତି । ପାଞ୍ଚ ବଖରା ଘର ଉପରୁ ଚାଳ ଛପର ଉଡ଼ିଗଲାଣି । ଖାଲି ଡିହଟା ଉପରେ ସେ ଆଣ୍ଠୁ ତଳେ ଅଗଣି ଆଉ ମାଗୁଣିକୁ ଚାପିଧରି ବସିଛନ୍ତି । ସେବତୀ ଥର–ଥରକର କମ୍ପୁଛନ୍ତି ଆଉ ତାଙ୍କ ଶାଢ଼ୀକାନିରେ ଅନାମଙ୍କ ଲୁଗାକୁଞ୍ଚଟାକୁ ଗଅଁଠେଇ ଦେଇଛନ୍ତି । କାଳେ ଅନାମ ଉଡ଼ିଯିବେ, ଆଉ ସେ ପଛରେ ପଡ଼ିଯିବେ । ଖୁବ୍‌ବଡ଼ ପାଟିରେ ତେତିଶ କୋଟି ଦିଅଁଙ୍କୁ କେବଳ ନିଜ ପରିବାରର ସୁରକ୍ଷା ପାଇଁ କାନ୍ଦି କାନ୍ଦି ଉଚ୍ଚ ସ୍ୱରରେ ଡାକ ଦେଉଥିଲେ ସେବତୀ ।

 

ଏତିକିବେଳେ ଦମକାଏ ପବନ ମାଡ଼ରେ ଗୁହାଳକାନ୍ଥ ପଡ଼ିଗଲା ଦୁମ୍‌ଦାମ୍‌ କରି । ଏଇ ମାସ ଦି’ଟା ତଳେ ନୂଆ କାନ୍ଥ ଦେଇଥିଲେ ଅନାମ । ନିଜ ପିଲାଙ୍କୁ କଚାଡ଼ି ଦେଇ ସେ ଦଉଡ଼ିଲେ । ଗାଇ, ଗୋରୁ ନିରୀହ ଜୀବ; ପଘାରେ ପ୍ରାଣ ଦେଲେ ସିଧା ନରକକୁ ସେ ଯିବେ ।

 

ଗୁହାଳରୁ ଫେରି ଅନାମ କ’ଣ କରିବେ ବୁଝିପାରିଲେ ନାହିଁ । ଚତୁର୍ଦ୍ଦିଗ ଜଳାର୍ଣ୍ଣବ, ଆକାଶ ଅନ୍ଧକାର ଆଉ ପ୍ରଚଣ୍ଡ ଜଳବୃଷ୍ଟି; କିନ୍ତୁ ଏ କ’ଣ ? ଏ କି ଶବ୍ଦ ? ଏକି କାରୁଣ୍ୟ ? ପବନର ଏ କି ସ୍ୱର ? କିଏ ଯେପରି ଗୁମୁରି ଗୁମୁରି କଇଁ କଇଁ କାନ୍ଦୁଛି...ଶତ ଶତ, କୋଟି କୋଟ, ଅସଂଖ୍ୟ ସେବତୀଙ୍କର କଣ୍ଠସ୍ୱରର କାରୁଣ୍ୟ, କୋହ ବେଦନାରେ ଝଡ଼ ଯେପରି ଫୁଲି ଫୁଲି ଉଠୁଛି । ନା, ନା ଏକା କାହିଁକି ଏ ସେବତୀର ସ୍ୱର ହେବ, ଏଥିରେ ମିଶିଛି ଶୁକୁଟି, ଗେହ୍ଳେଇ, ପଦୀ, ପତେଇମା, ରାଧୁ ବୋଉ, ଯଦୁଖୁଡ଼ୀ ଆଉ ଚେମୀ ଆଇର କଣ୍ଠ । ତାଙ୍କରି ପରି ଆଉ କେତେ ? ଅନାମ ଚମକି ପଡ଼ିଲେ । ଆହା । ଏଇତ ତାଙ୍କ ବୋଉର କାନ୍ଦୁରା ସ୍ୱର । ପିଲାଦିନେ ବୋଲ ଏମିତି କଇଁ କଇଁ ବାହୁନିଦାର ତାଙ୍କର ମନେଅଛି । ହଁ, ହଁ, ନାନୀ ଯେଉଁଦିନ ମଲା, ବୋଉ ଏମିତି କାନ୍ଦୁଥିଲା । ବହୁ ଦିନ ପରେ ସତୁରି ବର୍ଷ ବୟସରେ ଏକ ଛୋଟ ପିଲାଟି ପରି ନିଜକୁ ଅସହାୟ କାତର ଅନୁଭବ କରି ଅନାମ’’ ବୋଉ ଲୋ’’ ବୋଲି ଚିତ୍କାର କରିଉଠିଲେ । ସେବତୀ ତାଙ୍କ ତୁଣ୍ଡରେ ହାତ ଦେଲେ ଆଉ ତାଙ୍କ କାନ ପାଖକୁ ମୁହଁ ଲଗାଇ କହିଲ–‘‘ପିଲାଙ୍କୁ ନେଇ ଦେଉଲ ପିଣ୍ଡାକୁ ଚାଲ । ନ ହେଲେ ଗଛବୃଚ୍ଛ ପଡ଼ି ଛୁଆଙ୍କ ପ୍ରାଣ ଯିବ । ଚାଲ, ସେଇ ରଖିଲେ ରଖିବ, ମାରିଲେ ମାରିବ, । ପୃଥ୍ୱୀ ଆଉ ସମ୍ଭାଳି ପାରିବ ନାହିଁ । ମା’ ବସୁଧା ବାହୁନି କାନ୍ଦୁଛି...ହେଇ ଶୁଣ...ବାସୁକି କେମିତି ଭାରା ସହି ନ ପାରି ସୁଉ ସୁଉ ହେଲାଣି..ତମେ ଉଛୁର କରନା.....ଚାଲ, ଚାଲ ।’’

 

ସେବତୀଙ୍କ କଥାରେ ନିଶା ଥିଲା ବୋଧେ । ଅନାମ ମଦତିଙ୍କ ଭଳି ଚାଲିଲେ ମନ୍ଦିରପିଣ୍ଡାକୁ । ମା’ ବସୁଧା କାନ୍ଦୁଛି, ବାସୁକୀ ଆଉ ସହିପାରୁନି । କେତେ ବା ଆଉ ସହିବ ସିଏ ! ମା’ ବସୁଧା କାନ୍ଦୁଛି....ସମଗ୍ର ମାତୃଶକ୍ତି ଆଜି ବିକଳ, ପରାସ୍ତ । ଅନାମ ମନ୍ଦିରପିଣ୍ଡା ଉପରେ ଗଡ଼ି ପଡ଼ିଲେ ଆଉ ତା’ପରେ କ’ଣ ହେଲା ତାଙ୍କର ଆଉ ମନେ ନାହିଁ....ଖାଲି ବସୁଧାର ସେଇ କଇଁ କଇଁ ସ୍ୱରଟା ତାଙ୍କ ବୋଉସ୍ୱର ପରି ହୋଇଥିବାରୁ ଆତ୍ମାଭିତରେ ରହି ରହି ଝଙ୍କାରି ଉଠୁଛି ।

 

ବତାସ ଝଡ଼ ଛାଡ଼ିଗଲା । ଆକାଶ ପରିଷ୍କାର ହେଲା । କିନ୍ତୁ ନଷ୍ଟ ହୋଇଗଲା ଅସୁମାରି ଘରଦ୍ୱାର, ଗାଇ, ଗୋରୁ, ଶସ୍ୟ ଅମାର ଆଉ ମଣିଷର ଅମୂଲ୍ୟ ଜୀବନ । ଗାଁଟା ସତେ କି ମଣାଣିଭୂଇଁ । ପ୍ରତି ଘରୁ କେହି ନା କେହି ଯାଇଛି । ଆଉ ସିଏ ଅଛନ୍ତି ସିଏ ନିର୍ଜୀବ । ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଚାଳ ବକଟେ ନାହିଁ । ଅମାର ଅମାର ଧାନ ଭାସିଯାଇଛି, କାଦୁଅ ମାଟିରେ ଗଜା ହୋଇ ମୁଣ୍ଡ ଟେକିଛି । ଅନାମଙ୍କର ଦୁଇ ଅମାର ଧାନ ନିଶୂନ । ଖାଇବେ କ’ଣ ? ଦେବେ କ’ଣ ? ଭାବିଲେ ମୁଣ୍ଡ ଘୂରୁଛି । ଅଗଣି ମାଗୁଣି ଅନବରତ ରାହା ଧରିଛନ୍ତି । କାଳୀ ଗାଇ ଆଉ ନାଲି ଗାଇର ମଢ଼ ପଡ଼ିଛି ଗୁହାଳ ଦେହରେ, କିଏ ଟେକିନେବ ମଶାଣିକି ?

 

ନିର୍ଜୀବ ମସ୍ତିଷ୍କ ବିକୃତ ଲୋକ ଭଳି ମନକୁ ମନ ବିଡ଼୍‌ ବିଡ଼୍‌ ହେଉଥିଲେ ଅନାମ ମହାପାତ୍ର । ଦିନ ଆଠଟାରେ କେଡ଼େ ଯେ ପରିବର୍ତ୍ତନ ହୋଇଗଲା, ତା’ର ସୁମାରି ନାହିଁ । ଖାଲି ବୋକାଙ୍କ ଭଳି ସେ ଠାକୁର ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଥାନ୍ତି ।

 

ଖବର ଆସିଲା ଅମୁକ ସହରରୁ–ସମୁକ ସଂଘ ତରଫରୁ ରିଲିଫ ସାହାଯ୍ୟ ବଣ୍ଟା ହେବ ଗାଁ ଲୋକ ଠୁଳ ହେବା ପାଇଁ ପ୍ରତିଦିନ ମୁଖିଆମାନଙ୍କଠାରୁ ନିର୍ଦ୍ଦେଶ । କେଉଁଟା ଯେମିତି ତାଙ୍କ କାନରେ ପଶୁ ନ ଥିଲା । କେଉଁଠିକି ସେ ଯିବେ ? କେଉଁଠି ହାତ ପତାଇ ଛିଡ଼ା ହେବେ ଭାତ ମୁଠାଏ ପାଇଁ ? ଏତେ ବଡ଼ ବଡ଼ ମରୁଡ଼ି ବଢ଼ିଯାଇଛି, ଅନାମ କେବେ ହାତ ପାତି ନାହାନ୍ତି । ଓଳଟି ନିଜେ ଛତର ଖୋଲି ଅନ୍ନ ବସ୍ତ୍ର ବାଣ୍ଟିଛନ୍ତି । ଔଷଧ ଦେଇଛନ୍ତି । ରୋଗ ବଇରାଗ ବେଳେ ଗାଁ ଗାଁ-। ବୁଲି ସେବା କରିଛନ୍ତି । ନା, ନା, ସେ ପାରିବେ ନାହିଁ । ଇତର ଲୋକ ପରି କୋଶେ ବାଟ ଦଉଡ଼ି ସେ ଅପନ୍ତରାରେ ପତର ପକାଇବା ଅପେକ୍ଷା ଅନାହାରରେ ମରିଯିବା ଭଲ ।

 

କିନ୍ତୁ ସେ କରିବେ କ’ଣ ? ଅଗଣି, ମାଗୁଣି ବଞ୍ଚିବେ କିପରି ? ସେ ସିନା ମରିଯିବେ, ଆଉ ତାଙ୍କ ସାଙ୍ଗକୁ ସେବତୀ ମରିଯିବେ ବିନା ଆପତ୍ତିରେ, ହେଲେ ଛୁଆ ଦି’ଟା.... ! ଚନ୍ଦ୍ରମଣି ସେ ଦିନ କେତେ ବୁଝାଇଥିଲା । ଆଉ ଗାଁ ସାରା ସମସ୍ତେ ଆସି ହାତ ଧରି ତାକୁ ବୁଝାଇଥିଲେ । ସତ କଥା, ନିଜ ପେଟରୁ କାଟି କିଏ କେତେ ଦିନ ଅନ୍ୟ ଛୁଆଙ୍କୁ ଢୋକ ଦେବ ।

 

ମନକୁ ବୁଝାଇଲେ, ଦେହକୁ ଟାଣ କଲେ ଅନାମ ମହାପାତ୍ର । ଭଲ କଥା । ସେ ତ ଅନ୍ୟ କେଉଁଠୁ ସାହାଯ୍ୟ ଆଣିବେ ନାହିଁ ? ବିପଦ-ଆପଦ ବେଳେ ସେ ସରକାରଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କ ବିପଦରେ ସେ ସରକାରଙ୍କଠୁ ସାହାଯ୍ୟ ନ ନେବେ କାହିଁକି ?

 

ସେଥିପାଇଁ ସେ ଦୁଇ କୋଶ ବାଟ ଧାଇଁ ଆସିଛନ୍ତି । ଘରକୁ ଚାଉଳ ନେବେ । ଘରେ ତାଙ୍କର ଚୁଲୀ ଲାଗିବ... । ମାତ୍ର ଲାଇନ୍‌ଉପରେ କେତେ ଘଣ୍ଟା ଯେ ବିତିଗଲାଣି ! ଅନ୍ତରାତ୍ମା ଥରି ଉଠୁଛି । ବୃଦ୍ଧାବସ୍ଥାରେ ଏତେ ଦଶା ଭାଗ୍ୟରେ ଥିଲା ? ଏହିକ୍ଷଣି ସେ ଘରେ ବସି ଖାଇବା କଥା, ମାତ୍ର ଭାଗ୍ୟ । ସୁଦର୍ଶନଟା ଯଦି ଆଜି ଥାଆନ୍ତି...ମୁହଁଟା ତା’ର ନାଚିଉଠିଲା ଆଖି ଆଗରେ । ଅନାମ କେହି ସମ୍ଭାଳି ପାରିଲେ ନାହିଁ । ଜନ–ଅରଣ୍ୟ ଭିତରେ ତାଙ୍କୁ ସବୁ ଅନ୍ଧାର ଦିଶିଲା । ସେ ତଳେ ବସିପଡ଼ିଲେ ।

 

ଲାଇନ୍‌ରେ ତାଙ୍କ ପଛରୁ ଚିମୁଟାଏ ଦେଇ ଚିନ୍ତାମଣି କହିଲା–‘‘ମୋ ରାଣ ଅନାମ ଭାଇ, ତୁ ଆଉ ପଦା ଭୂଇଁରେ ଆଖିରୁ ଲୁହ ଗଡ଼ାନା ରେ ! ତୁ କାନ୍ଦିଲେ ଆମର ଆଉ ଟାଣ ରହିବ ଟି ? ହେଇଟି ଅନାମ ଭାଇ ! ବସୁଧା ଛୁଇଁ କହୁଛି ରେ, ତୁ କାଲି ସଳଖ ହୋଇ ବସି, ଆମକୁ ଟିକେ ହିମ୍ମତ ଦେବୁ । ବଢ଼ି ମରୁଡ଼ିରେ ତୁ ନ ଥିଲେ ଆମେ ତ ମରିଯାଆନ୍ତୁଣି । ତୋରି ମୁହଁକୁ ଚାହିଁ ଆମେ ବଞ୍ଚୁଛୁ ଆଉ ତୁ କ’ଣ ନା....

 

ହଉ ଦେ ଦେ, ତୋ ମୁଣିଟା ଦେ । ତୁ ନ ଗଲେ ନାହିଁ, ମୁଁ ଯାଇ ନେଇ ଆସିବି ତୋ’ ପାଇଁ । ସଞ୍ଜ ଗଡ଼ିଗଲାଣି । ବାଟ ଦି’କୋଶ ଯିବାକୁ ହେବ । ମୋ ରାଣ, ତୁ ଲୁହ ଗଡ଼ାନା । ସୁଦର୍ଶନଟା ତୋର ଶତ୍ରୁଥିଲା ରେ, ଶତ୍ରୁ ।’’

 

ପେଙ୍ଗେଇ ପେଙ୍ଗେଇ ଆଣ୍ଠୁ ଧରି ଅନାମ ଉଠିଲେ । ତାଙ୍କ ପାଳି ପଡ଼ିଛି । ସଅଳ ଫେରିବାକୁ ପଡ଼ିବ । ଅଗଣି, ମାଗୁଣି ଚାହିଁ ବସିଥିବେ ଯେ.... !

 

ମୁଣିଟାକୁ ଟେକି ଧରିଲେ ମେଲା କରି ଅନାମ । ହାତ ଥରୁଛି, ପାପୁଲିରେ ଟିକେ ହେଲେ ବଳ ନାହିଁ ଯେପରି । ନିକିତି ଧରି ମାପୁଥିବା ଚବିଶ ପଚିଶ ବର୍ଷର ଭେଣ୍ଡିଆ ପିଲାଟା ତାଙ୍କୁ ତନଖି ଦେଖୁଛି, କିନ୍ତୁ ଅନାମଙ୍କ ଦୃଷ୍ଟି ପଡ଼ିଛି ଚାଉଳ ଉପରେ । ଯେଉଁ ଚାଉଳରେ ମାଟି ଗୋଡ଼ ପୋକ ଅଗାଡ଼ି କାଣ୍ଡି ହୋଇଥାଏ ବୋଲି ସେବତୀ ତାକୁ ନେଇ ଗୋରୁ ହାଣ୍ଡିରେ ଦିଅନ୍ତି, ଇଏ ସେଇ ଚାଉଳ । ଚାଉଳ ଗୋଟିକେ ଗୋଡ଼ି ମୁଠିଏ ।

 

ଚିହିଙ୍କି ଉଠୁଥିଲେ ଅନାମ । ତାଙ୍କର ସତୁରି ବର୍ଷର ଧଡ଼ରା ଚମରେ ହଠାତ୍‌ ଯେମିତି କିଏ ନିଆ ଲଗେଇ ଦେଇଛି, ଶିରାପ୍ରଶିରା ତନ୍ତୁରେ ବିଜୁଳି ଖେଳୁଛି । କାହିଁକି ସେ ସରକାରଙ୍କଠାରୁ ଏ ଚାଉଳ ନେବେ ? ଦେଲାବେଳେ ସେ ତ ଖରାପ କିଛି ଦେଇ ନାହାନ୍ତି । ଅମାର ଅମାର ଧାନ ସେ ସରକାରଙ୍କ ଦରକାର ବେଳେ ଟେକି ଦେଇଛନ୍ତି–ସରୁଧାନ, ବାସନା ଧାନର ଅମାର । ନିଜ ପାଇଁ ମୋଟା ବଗଡ଼ା ସାଇତି ରଖି, ବାସୁ ଭୋଗ, ସୁନାକାଢ଼ିର ପଉଟି ପଉଟି ଚାଉଳ ସେ ବାଣ୍ଟି ଦେଇଛନ୍ତି । ଟେକି ଦେଇଛନ୍ତି ଏକୋଇର ବଳା ବିଶିକେଶନକୁ । ଦେଶ ପାଇଁ ଲଢିବ, ନାଁ କରିବ, ସରକାରଙ୍କର ହାତମୁଠାକୁ ଆଣ୍ଟ କରିବ ! ବଢ଼ି ମରୁଡ଼ି ମଡ଼କବେଳେ ସରକାରଙ୍କ କଥା ମାନି ଅନ୍ୟ ପାଞ୍ଚ ଖଣ୍ଡ ଗାଁ ବୁଲି ସେ ଦିନରାତି ଅଖିଆ ଅନିଦ୍ରା ରହି ଲୋକଙ୍କ ମୁହଁରେ ଔଷଧ ପାଣି ପଥି ଦେଇଛନ୍ତି । ହେଇ ଯେତେବେଳେ ଚାଇନା ସଙ୍ଗରେ ଯୁଦ୍ଧ ଲାଗିଲା, ଦୁଆର ଦୁଆର ବୁଲି ସରକାର ସୁନା ମାଗିଲେ–ସେବତୀଙ୍କ ବେକରୁ ଧନିଆଫାଳ ହାର କାଢ଼ି ସେ ଟେକି ଦେଲେ । ନିଜେ ସଭା କରି, ସମିତି କରି ସେ ସୁନା ମାଗିଆଣି ସରକାରଙ୍କ ଥାଳିଭର୍ତ୍ତି କଲେ । ସେମିତି ଗଲାବର୍ଷ ଭୂଦାନବାଲାଙ୍କ ହାତକୁ କେବଳ ସରକାରଙ୍କ ସପୋର୍ଟ ଥିବାରୁ ମାଣେ ଜମି ସେ ଟେକିଦେଲେ । ଅଣ୍ଟ ନିଅଣ୍ଟକୁ ଟିକସ ଯେତେବାର ବଢ଼ିଛି, ଅନାମ ମହାପାତ୍ର ଆପତ୍ତି କରି ନାହାନ୍ତି, ଓଲଟି ଗାଁବାଲା ମେଳି କଲେ କି ସଭା କଲେ ଅନାମ ବିରକ୍ତ ହୁଅନ୍ତି ବୁଝାନ୍ତି, ଯା’ର କିଛି ଅଭାବ ପଡ଼େ ତାକୁ ସେ ନିଜ ହାତରୁ ଦିଅନ୍ତି । ସମୟେ ସମୟେ ସରକାରଙ୍କ ନୀତି ସହିତ ତାଙ୍କର ମନ ନ ମାନିଲେ ବି ସେ ଚୁପ୍‌ ରହନ୍ତି । ’ସମାଜ’ କାଗଜ ଖଣ୍ଡିକ ଅଧାପଢ଼ି ଅନ୍ୟମନସ୍କ ହୁଅନ୍ତି । କାହାକୁ କହିବେ ? ସମସ୍ତେ ଜାଣନ୍ତି, ଅନାମ ମହାପାତ୍ର ସରକାରଙ୍କର ଏକ ଅଙ୍ଗ, ଏକ ଆତ୍ମା । ତେଣୁ ବିରୁଦ୍ଧରେ କହିବାକୁ ତାଙ୍କୁ ଲାଜ ମାଡ଼ିବ ନି ? ତେବେ ପନ୍ଦର କୋଡ଼ିଏ ବର୍ଷର ପିଲା ସରକାରର ଭୂଲ ହେବ, ତା ବୋଲି ତାକୁ ତ ଆଉ ନଷ୍ଟ କରି ଦିଆଯିବ ନାହିଁ ? ତାଙ୍କ ଜୀବନର ସତୁରି ବର୍ଷ ଭିତରେ ଧୋଇ, ମରୁଡ଼ି, ଯୁଦ୍ଧ କେତେ କ’ଣ ଗଲାଣି । ଯେତେବେଳେ ସରକାର ଯେଉଁ କଥା ମାଗିଛନ୍ତି ସେ କଥା ସେ ଦେଇଛନ୍ତି, ଯା କହିଛନ୍ତି ତା କହିଛନ୍ତି, ସତେ କି ସରକାରଙ୍କ ପଛକୁ ଅଣ୍ଟାଭିଡ଼ି ମହୁରୀ ଗାଁରେ ଏକା ଅନାମ ମହାପାତ୍ର ଛିଡ଼ା ହୋଇଛନ୍ତି । ତେବେ ? ତେବେ....ସରକାର କ’ଣ କଲେ ?

 

ଅନାମଙ୍କ ଆଖିରୁ ଯେମିତି ନିଆଁ ଝୁଲ ଖସୁଛି । ନାଲି, କହରା ବାଲି ଉପରେ ଦୃଷ୍ଟି ନିବଦ୍ଧ । ଇଏ କି ଅପମାନ ତାଙ୍କୁ ଦେଲେ ସରକାର ? ବତାସ ହେବା ଦିନରୁ ମନ ଓ ଦେହ ଯେମିତି ଜଳୁଛି ତାଙ୍କର । ଆଜି ଯେମିତି ଏଇ ମୁହୂର୍ତ୍ତରେ ସେଥିରେ କିଏ ଅଗ୍ନି ସଂଯୋଗ କଲା । ଲଜ୍ଜା, ଅପମାନ, ରାଗରେ କମ୍ପିଉଠି ସେ ଚିତ୍କାର କଲେ–

 

‘‘ନା, ନା, ମୁଁ ଏ ଚାଉଳ ନେବି ନାହିଁ । ମୁଁ କିଛି ଭିଖାରୀ ନୁହେଁ । ଜୀବନସାରା ଅସଲ ଖାଣ୍ଟି ଜିନିଷ ମୁଁ ସରକାରଙ୍କୁ ଦେଇଛି, କାହିଁକି ମୁଁ ଖରାପ ଜିନିଷ ନେବି ? ନା, ମୁଁ ନେବି ନାହିଁ... ।’’

 

ଚାଉଳ ମାପୁଥିବା ଭେଣ୍ଡିଆ ଟୋକାଟା ଖେଁକି ଉଠିଲା–

 

‘‘କ’ଣ କହିଲୁ ବୁଢ଼ା । ତୁ ଚାଉଳ ନେବୁ ନାହିଁ ? ତୋତେ କିଏ ନିମନ୍ତ୍ରଣ କରିଯାଇଥିଲା ଶୁଣେ ? ନ ନବୁତ, ଯା, ଉଠ୍‌ । ପଛ ଲୋକ ଆଗକୁ ଆସ ହେ.... ।’’

 

ଅନାମ ଖୁବ୍‌ କଠିଣ ସ୍ୱରରେ ପାଟି କରି କହିଲେ–

 

’’ନେବି ନି କାହିଁକି ? ଅଲବତ୍‌ ନେବି । ହେଲେ ଏ ଚାଉଳ ମୁଁ ନେବି ନାହିଁ । ଏଥିରେ ଖାଲି ଗୋଡ଼ି, ଅଗାଡ଼ି...ଚନ୍ଦ୍ରମଣି, ମୁଁ ଏ ଚାଉଳ ନେବି ନାହିଁ.... ।’’

 

‘‘ଆହା....ହା.... ! ମୋର ରାଜକୁମାର ଅଇଲେ କି ଆଉ କୋଉଠୁ ? କିରେ ବୁଢ଼ା ! ତୋର ତ ଭାରି ସାହସ ! ଖୋଦ ସରକାରଙ୍କ ରିଲିଫ ଦୋକାନରେ ଛିଡ଼ା ହୋଇ......ଦେବି ଯେ ଶାଲାକୁ..... ।’’

 

ସେଇ ପଚିଶି ବର୍ଷର ଭେଣ୍ଡିଆ ଟୋକାଟା ହାତ ଉଠାଇ ତାଙ୍କ ଉପରକୁ ଉହୁଁଙ୍କି ଆସୁଛି ରକ୍ତ ଆଖି ଦେଖାଇ । ପାଖରେ ତଦାରଖ କରୁଥିବା ଅନ୍ୟ ଜଣେ ଯୁବକ ବିରକ୍ତ ବ୍ୟସ୍ତ ହୋଇ ଚାଉଳରୁ ଗୋଡ଼ିଗୁଡ଼ାକ ବାଛିବାରେ ଲାଗିଥାନ୍ତି ।

 

କିନ୍ତୁ ଅନାମ ମହାପାତ୍ର ଛାଡ଼ିବାର ଲୋକ ନୁହନ୍ତି । ସେ ଆଗକୁ ନଇଁ ପଡ଼ିଲେ ଚିତ୍କାର କରି କହିଲେ–

 

‘‘ମୋତେ ଛାଡ଼ ଚନ୍ଦ୍ରମଣି । ଏଡ଼େ ଟିକେ ପିଲା, ସେ ମୋତେ ହାତ ଉଞ୍ଚେଇବ ! ମୁଁ ଦେଖିନେବି ତାକୁ । ମୁଁ କି ଖରାପ କଥା କହିଲି ! କି ହୋ ବାବୁ, କେଉଁ ସରକାରୀ ବହିରେ ଏ କଥା ଲେଖା ହୋଇଛି ? ....ଡାକ–ସେ ସରକାରକୁ ଡାକ । ମୁଁ ପଚାରିବି, ଚାଉଳରେ କିଏ ଏତେ ଗୋଡ଼ି, ଅଗାଡ଼ି ମିଶାଇଲା ? କାହିଁକି ମିଶାଇଲା ? କାହିଁକି ଆମେ ଏ ଚାଉଳ ନେବୁ ? କାହିଁକି...ଭାଇମାନେ, କେହି ଏ ଚାଉଳ ନିଅନା–ଭାଇମାନେ.... ।’’

 

ଅନାମ ମହାପାତ୍ର ପିଣ୍ଡା ଉପରେ ବସି ପଡ଼ିଲେ । ତାଙ୍କ ଗଳା ଥରୁଛି । ଆଖିରୁ ନିଆଁ ଖସୁଛି । ଚାରିପାଖେ ଲୋକ ଜମିଗଲେଣି । ଚନ୍ଦ୍ରମଣି ଭୟରେ ଥରି ଥରି ତାଙ୍କ ହାତ ଧରି ଓଟାରୁଛି...ସେ ଶୁଣୁ ନାହାନ୍ତି । ସେଇ ଏକା ଜିଦ୍‌ । ଡାକ ସରକାରଙ୍କୁ, ଡାକ ହାକିମହୁକୁମାଙ୍କୁ । ଅନାମ ମହାପାତ୍ରଙ୍କ କଣ୍ଠ ପଡ଼ି ଆସୁଥିଲା, ସତେ ଯେମିତି ଆଉ ଟିକିଏ ଗଲେ ସେ ମୂର୍ଚ୍ଛିତ ହୋଇଯିବେ... !

 

ଶେଷକୁ ସେଇଆ ହେଲା । ଅନାମ ମହାପାତ୍ରଙ୍କ ମୁଣ୍ଡରେ ପିତ୍ତ ଉଠିଛି । ସେ ସରକାରଙ୍କୁ ଦେଖିବେ ଆଉ ଦେଖାଇବେ ଚାଉଳମୁଠାକ । ଚନ୍ଦ୍ରମଣି ଥକିଗଲେ; କିନ୍ତୁ ଅନାମ ଦବିଲେ ନାହିଁ....ରିଲିଫ କେନ୍ଦ୍ରରେ ଚହଳ ପଡ଼ିଗଲାଣି । ସମସ୍ତେ ଟୁପ୍‌ଟାପ୍‌ ହେଉଛନ୍ତି, ହେଲେ ସାହସ କରି କେହି କିଛି କହୁ ନାହାନ୍ତି । କେତେ ଯେ ଲୋକ ଠୁଳ ହେଲେଣି ତା’ର ଠିକ୍‌ନାହିଁ.... ।

 

ଅଧ ଘଣ୍ଟାକ ଭିତରେ ଦୁଇଟା କନେଷ୍ଟବଳ ଆସି ତାଙ୍କୁ ହାତ ଧରି ଭିଡ଼ିନେଲେ ଆଉ କହୁଥିଲେ, ’ଚାଲ ଶଳା, ସରକାରଙ୍କୁ ଦେଖିବୁ । ଏମିତି ଦେଖା ଦେଖେଇଦେବୁ ଯେ ଆଉ ଜୀବନ ଥିବା ଭିତରେ ମନେ କରିବୁନି... ।’’ ଚନ୍ଦ୍ରମଣି ଅନୁନୟ କରି ଗୋଡ଼ତଳେ ପଡ଼ିଗଲେ । ବୁଟ୍‌ ଜୋତା ସ୍ପର୍ଶରେ ତାଙ୍କର ଅନାହାରକ୍ଳିଷ୍ଟ ମୁଣ୍ଡ ଝାଇଁ ଝାଇଁ କରି ଉଠିଲା ।

 

ଅନାମ କିଛି ନ ଶୁଣି ଡଗଡଗ କରି ଚାଲିଗଲେ । ସତେ ଯେପରି ତାଙ୍କର ବିଜୟ ହାସଲ ହୋଇଛି । ଅନାହାର ତାଙ୍କୁ ବାଧୁ ନାହିଁ, କ୍ଳାନ୍ତି ତାଙ୍କୁ ଜଡ଼, ଅବଶ କରୁ ନାହିଁ ।

 

ଚେୟାର ଉପରେ ମୋଟାସୋଟା ହୋଇ ଜଣେ ଲୋକ କଲରାପତରି ନିଶ ରଖି ବସିଛନ୍ତି । ନିଶଗୁଡ଼ାକ ବେଶ୍‌ ସୁନ୍ଦର ଭାବରେ ସେ ସାଉଁଳଉଛନ୍ତି । ମଦ ପିଇଛନ୍ତି କି କ’ଣ, ଆଖି ଲାଲ ମନ୍ଦାର ପରି ରକ୍ତ ବର୍ଣ୍ଣ ହୋଇଛି ।

 

ଅନାମଙ୍କୁ ଦେଖି ବାବୁ ଜଣକ ଅଜବ ପ୍ରଶ୍ନଟାଏ କଲେ–

 

‘‘କିହୋ ବୁଢ଼ା ! କ’ଣ ତମର ଆପତ୍ତି ?’’

 

‘‘ଆଜ୍ଞା ! ମୁଁ ସରକାରଙ୍କ ସଙ୍ଗରେ ଦେଖା କରିବାକୁ ଚାହେଁ....ମୋର ଅନେକଗୁଡ଼ିଏ ଓଜର ଆପତ୍ତି ଅଛି... ।’’

 

ବାବୁ ଜଣକ ଭୟାନକ ଜୋରରେ ଚିତ୍କାର କରି ହସିଉଠିଲେ । ସେ ହସରେ ଯେପରି ଘର–ଛାତଟା ଅନାମଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲା ପରି ଲାଗିଲା । ସେ ଦୁଇ ହାତରେ ଛାତିକୁ ଚାପି ଧରି ତଳେ ବସି ପଡ଼ିଲେ ।

 

ବାବୁ ପଚାରିଲେ–

 

‘‘ତୁମ ନା କ’ଣ ହେ ?’’

 

‘‘ଅନାମ ମହାପାତ୍ର ।’’

 

ପୁଣି ବାବୁ ଜଣକ ହସରେ ଭାଙ୍ଗିପଡ଼ିଲେ ଟେବୁଲ ଉପରେ । ଆଉ ଅନାମଙ୍କର ମନେ ହେଲା ସତେ ଯେମିତି ତାଙ୍କର ବାଁ ଛାତିର କଲିଜାଟା ଦୁଇ ହୋଇ ଯାଉଛି ।

 

‘‘ତମ ପୁଅ ନାଁ କ’ଣ ?’’

 

‘‘ସୁଦର୍ଶନ । ତାକୁ ମୁଁ ସରକାରଙ୍କୁ ଯୁଦ୍ଧ ବେଳେ ଏଇ ମୋର ହାତରେ ଟେକି ଦେଇଥିଲି-। ଯୁଦ୍ଧରୁ ଫେରି ସେ ଚାଲିଗଲା ଅମୁହାଁ । ସରକାର ତା’ର ଖୋଜି ବି ଟିକିଏ କଲେ ନାହିଁ । ସେ ସିନା ଗଲା, ଛାଡ଼ି ଦେଇଗଲା ତା’ର ପିଲା ଦି’ଟା ଅଗଣି ଆଉ ମାଗୁଣି ।’’

 

‘‘କ’ଣ କହିଲ ? ହୋ ବୁଢ଼ା ! କ’ଣ କହିଲ ? ଅଗଣି ଆଉ.... ?’’

 

ବାବୁ ଯେପରି ହସରେ ଉବୁଟୁବୁ ଖାଇ କିଛି କହିପାରିଲେ ନାହିଁ । ବୁକୁଫଟା ହସର ଲହଡ଼ିରେ ସେ ଘରଦ୍ୱାର କମ୍ପାଇଦେଲେ ।

 

ଅନାମ କିଛି କହି ଆସୁ ଆସୁ ଅଟକିଗଲେ । ଇସ୍‌ ! ଇଏ କି ହସ ! ତାଙ୍କ କଥାରେ ଏମିତି ହସର କଥା କ’ଣ ବା ରହିଛି ?

 

ବାବୁଙ୍କ ହସରେ ତାଙ୍କ ଛାତିଟା ବା ଏମିତି ଚମକି ଉଠୁଛି କାହିଁକି ? ନା,ନା, ସେ ଡରିବେ ନାହିଁ ....ଏତେ ପରିଶ୍ରମ, ଏତେ କଷ୍ଟ ସହି ଯେ ଏତେ ବାଟ ଆସିଛନ୍ତି । ଡରିଗଲେ ଚଳିବ ନାହିଁ । ସେ ମଫସଲ ଲୋକ ବୋଲି ବୋଧେ ଏମିତି ସହରି ହସରେ ଡରି ଯାଉଛନ୍ତି । ନିଜର ଚେତାନାବୋଧକୁ ଜାଗ୍ରତ କରି ଖୁବ୍‌ ସାହସ ବାନ୍ଧି ସେ ଛିଡ଼ା ହୋଇ କହିଲେ–

 

‘‘ଆଜ୍ଞା । ଏମିତି ହସୁଛନ୍ତି କାହିଁକି ? ମୁଁ କହୁଛି ମୋ ନାମ ଅନାମ, ନାତି ନାମ ଅଗଣ ଆଉ.... ।’’

 

ବାଧ୍ୟ ହୋଇ ସେ ଅଟକିଗଲେ । ପୁଣି ଦମକାଏ ଘଡ଼ ଘଡ଼ ହସ ଶବ୍ଦରେ ବାବୁଜଣଙ୍କ ଭାଙ୍ଗି ପଡ଼ିଲେ ଟେବୁଲ ଉପରେ । ସେ କଣ୍ଠର ଆଓ୍ୱାଜରେ ସହସ୍ର ଝିଙ୍କାରୀ ଅନାମଙ୍କ କାନ ପାଖରେ ଏକାଥରେ ଝିଁ ଝିଁ କରିଉଠିଲେ । ଆଉ ସହସ୍ର ବର୍ଚ୍ଛା ଏକାଥରକେ ତାଙ୍କ ଛାତିରେ ସିଇଁ ହୋଇଗଲା । ସେ ତଳେ ବସି ପଡ଼ୁ ପଡ଼ୁ ଗଡ଼ିପଡ଼ିଲେ.... କାନ ପାଖରେ ପୃଥିବୀଯାକର ସବୁ ଶବ୍ଦ ନିମିଷକେ ନିସ୍ତବ୍‌ଧ ହୋଇଗଲା ।

 

କ୍ୟାମ୍ପ ବାହାରେ ଅନାମଙ୍କ ପ୍ରତ୍ୟାବର୍ତ୍ତନ ଅପେକ୍ଷାକରି ଛିଡ଼ା ହୋଇଥିଲେ ଚନ୍ଦ୍ରମଣି । ଅନାମଙ୍କ କୌଣସି କଥା ତାଙ୍କୁ ଶୁଭୁ ନ ଥିଲା, ଖାଲି ବାବୁଙ୍କର ହସର ଆଓ୍ୱାଜ ତାଙ୍କ ମନଭିତରେ ଆଶାର ସଂଚାର କରିଥିଲା । ଅନାମଭାଇ ପାଇଁ ମନଟା ଗର୍ବରେ ଫୁଲି ଉଠିଥିଲା । ସରକାରଙ୍କ ମନକୁ ସେ ପୂରାପୂରି କିଣି ନେଇଛନ୍ତି, ମୋହ କରି ଦେଇଛନ୍ତି । କରିବ ନାହିଁ ? ସାରାଜୀବନ ଆଉ ପରିବାରଟା ସରକାରଙ୍କ ପାଦତଳେ ସେ ସମର୍ପି ଦେଇଛି । କିଏ ନ ଜାଣେ ସେ କଥା ? ବୁଦ୍ଧିଆ ଲୋକଟାଏ ଏକା । ସରାକାରଙ୍କ ମନକୁ କିଣିନେଇଛି ପୂରା...କର୍ମର ତ ଫେର ଫଳ ଅଛି ! ଗୀତା, ଭାଗବତ ନେଇ ଯେଉଁ କଥାଗୁଡ଼ା ଅନାମ ଭାଇ ପାଣି କରି ବୁଝାଇ ଦେଉଥିଲା ସେ ଭାଗ୍ୟ ତାକୁ ପ୍ରାପ୍ତ ହୋଇଛି । ମହୁରୀ ଗାଁ ଧନ୍ୟ ହେଲା...ଚାଉଳ ମୁଠାକ ପାଇଁ ଆଉ ଚିନ୍ତା କରିବାକୁ ହେବ ନାହିଁ । ଚାଉଳ କ’ଣ ଅନାମ ଭାଇ ଯଦି କଥାଟା ବାଗେଇ କରି ସରକାରଙ୍କ କାନରେ ପକେଇ ଦିଏନା, ତେବେ ତ ଗାଁରେ ମାସ ଗୋଟାକରେ କୋଠା ପିଟି ଦେଇ ହେବ...ଆଃ । ଅନାମ ଭାଇଟା ଆଉ ଦଶ ବର୍ଷ ଯଦି ବଞ୍ଚିଯାଆନ୍ତା ନା.... ।

 

’‘ହୋ ବାବୁ ! କ’ଣ ଶୋଇ ପଡ଼ିଲା ନା କ’ଣ ? ଏଇଟା ଶୋଇବା ଜାଗା ନୁହଁ.....ଉଠ, ଉଠ ।’’

 

ଚନ୍ଦ୍ରମଣି ସୁଖର କଳ୍ପନାରେ ଢୋଳଉଥିଲେ । ମୁଣ୍ଡରେ ଠକ୍‌ ଠକ୍‌ ଠେଙ୍ଗୁଣି ପାହାରରେ ସେ ଚମକି ପଡ଼ି ହାତ ଯୋଡ଼ି କହିଲେ–

 

‘‘ନା ଆଜ୍ଞା ! ଭାଇକି ଅନେଇ ବଇଛି, ଆଜ୍ଞା ! ହଜୁର ମାଫ୍‌କରିବେ, ଶୋଇନି..... ।’’

 

କନେଷ୍ଟବଳଟି ରୁକ୍ଷ ସ୍ୱରରେ ଜବାବ ଦେଲା–‘‘ଶୁଣ ! ତମେ ଘରକୁ ଫେରିଯାଅ । ତମ ଭାଇ ଆଜି ଏଠି ରହିବେ । ତାଙ୍କ କଥା ସରକାରଙ୍କ ସଙ୍ଗରେ ସରିନି...ଯାଅ.....ଯାଅ ଉଠ...ଏଠ ।’’

 

ଚନ୍ଦ୍ରମଣି ହତବାକ୍‌ ପରି ଠିଆ ହୋଇ ରହିଲେ । ଯେମିତି କିଛି ପଚାରିବାକୁ ସାହସ କୁଳଉନି । କନେଷ୍ଟବଳ୍‌ ପାଟିକରି ଉଠିଲା–

 

‘‘ଯାଉଛୁ ନାଁ, ବୋକାଟା ପରି ଅନେଇଛୁ କ’ଣ ? ତୁ ଅନାମ ମହାପାତ୍ରର ଭାଇଟି, ଆରେ ବୋକା !’’

 

ଚନ୍ଦ୍ରମଣି ଚଟ୍‌କର ବୁଲିପଡ଼ି ଧାଇଁଲା ଭଳି ଚାଲିବାକୁ ଲାଗିଲେ । ଛିଃ,ଛିଃ, କି ଲାଜ କଥା । ପୋଲିସ ବାବୁଟା କେଡ଼େ ବୋକା ତାକୁ ନ ଭାବିଥିବ ? ସାମାନ୍ୟ କଥା ସେ ବୁଝିପାରି ନ ଥିବାରୁ ଲଜ୍ଜାରେ ଗୋଡ଼ ଯେମିତି ପଡ଼ୁ ନ ଥିଲା ତଳେ । ଅନାମ ଭାଇକୁ ଯଦି ଏ କଥା ପୋଲିସ ବାବୁ କହେ, ତା’ ହେଲେ ଏତେ ବାବୁ ଭୟାଙ୍କ ଭିତରେ ତା’ମାନ ଦି’କଡ଼ା ହୋଇଯିବ । ମନେ ମନେ ନିଜକୁ ଧିକ୍‌କାରି ଚନ୍ଦ୍ରମଣି ଅନ୍ଧାରରେ କଣ୍ଟାଝଣ୍ଟା ଡ଼େଇଁ ଗାମୁହାଁ ଦଉଡ଼ିଲେ ।

 

ଗାଁରେ ଖବର ଦେବାକୁ ହେବ । ସବୁ ଘଟଣା ବନେଇ ଚୂନେଇ କହିବାକୁ ହେବ । ସେବତୀ ଭାଉଜକୁ ବୁଝେଇ ସୁଝେଇ ଦେବାକୁ ହେବ । ଆଉ କାଲି ସକାଳେ ଗାଁ ଯାକର ସବୁ ଲୋକଙ୍କୁ ସଙ୍ଗରେ ନେଇ ଅନାମ ଭାଇକୁ ମୁଣ୍ଡରେ ମୁଣ୍ଡାଇ ସେ ଗାଁକୁ ଫେରିବ....ଧେତ୍‌, ବାଟ ସରୁ ନାହିଁ । ଚଞ୍ଚଳ ନ ଗଲେ ଗାଁରେ ତାଟି କବାଟ ପଡ଼ିଯିବ । ଖାଲି ଶୋଇବା ସମସ୍ତେ, ଏକା ଅନାମ ଭାଇଟା କେତେ ଖଟିବ ଯେ.... !

 

ଚନ୍ଦ୍ରମଣି ଏଣିକି ଗାଁ ମୁହାଁ ଅଣନିଶ୍ୱାସୀ ହୋଇ ଦଉଡ଼ିଲେ ।

Image

 

ଡିମିରି ଫୁଲ

 

ରସାନନ୍ଦ ଘର ଭିତରକୁ ପଶି ଆସୁ ଆସୁ ବଡ଼ ଝିଅଟୁନି ପାଟି କରି ଉଠିଲା–

 

‘‘ବୋଉ ଲୋ । ବୋଉ, ବାପା ଅଇଲେଣି । ବାପା, ମୋ କାନ ରିଙ୍ଗ ଆଜି ଆଣିଛଟି ?’’

 

ଟୁନି ଉତ୍ତରକୁ ଅପେକ୍ଷା ନ କରି ରସାନନ୍ଦଙ୍କ ବେକ ଦେଖାଇବାକୁ ହୋଇଥିଲା; ମାତ୍ର ସେ ବହୁ ପ୍ରତିଜ୍ଞା କରି ସକାଳୁ ଯାଇଥିଲେ ବି ରିଙ୍ଗ ଆଣି ପାରି ନ ଥିବାରୁ ସବୁଦିନ ପରି ଝିଅର ପିଠି ଆଉଁସି ଦେଇ ପାରୁ ନ ଥିଲେ କି ହସି ପାରୁ ନ ଥିଲେ ।

 

ଏତିକିବେଳେ ପାଉଁଜି ଝୁମ୍‌ ଝୁମ୍‌ କରି ରତ୍ନମଣି ମେଞ୍ଚାଏ ଚୁଡ଼ା ଚକଟା ନେଇ ତାଙ୍କ ପାଖରେ ପହଞ୍ଚିଲେ । ରତ୍ନମଣିଙ୍କର ଗହଣା ସଉକ ଅନେକ ଥିଲେ ବି ରସାନନ୍ଦ ବୁଝିପାରିଲେ ନାହିଁ ପାଉଁଜ ହଳେ ସେ କାହିଁକି ଏ ବୟସରେ ଛୋଟ ବୋହୂଟି ପରି ପିନ୍ଧିଛନ୍ତି । ଟୁନି ପାଖରେ ଛିଡ଼ା ହୋଇଥିଲେ ବି ପରିହାସଭରା ଆଖିରେ ସେ ତାଙ୍କୁ କାବା ହୋଇ ଚାହିଁଥିଲେ ! ଝିଅକୁ ତିରସ୍କାର କଲା ଭଙ୍ଗୀରେ ରତ୍ନମଣି କହିଲେ–‘‘ଯା ! ଚବିଶ ଘଣ୍ଟା କାନରେ ରିଙ୍ଗ ଲଗାଇବା ପାଇଁ ମଣିଷକୁ ବସ୍‌ ଉଠ୍‌ କରେଇ ଦେଉ ନାହିଁ ! ତୁମ ବାପ କ୍ଷମତାକୁ ଚାହିଁ ତମେ ଚଳିବ, ସେ ଅମୁକ ବାବୁ ଝିଅ ପିନ୍ଧିଲା, ସମୁକ ବାବୁ ବୋହୂ ପିନ୍ଧିଲା, ଆମର ସେଥିରେ କି ଯାଏ ଆସେ । ଲୋକଙ୍କ ଘରେ ବାପ ଭାଇ ଅଛନ୍ତି, କହିଲେ ବନ୍ଧା ପଡ଼, ଛନ୍ଦା ପଡ଼, ଧାର କରୁ ଯେମିତି ହେଉ ମନେ ରଖନ୍ତି....ହଁ ! ...ମ....ମୁଁ ଆପଣା ହାତରେ ସବୁ ସାରିଛି, କହିବି କାହାକୁ ଲୋ ମା...ନଣନ୍ଦରାଣୀ ଏବେ ସୁନାରେ ବାଟ ଚାଲୁଛନ୍ତି । ମୋରି କରମକୁ... ।’’

 

ରତ୍ନମଣିଙ୍କ ଆଖିରେ ସେତେବେଳକୁ ଲୁହ ଡବ ଡବ ହେଲାଣି । ଗେହ୍ଲାକରି ତାଙ୍କ ମା କହନ୍ତି, ସେ କୁଆଡ଼େ ଟିକିଏ ନାକକାନ୍ଦୁରୀ । ମା’ର ଏତାଦୃଶ ଅବସ୍ଥାରେ ଟୁନି ଦୌଡ଼ ପଳାଇଲା ।

 

ରସାନନ୍ଦ ଦେଖିଲେ ଯଦି ରତ୍ନମଣି କାନ୍ଦନ୍ତି ଆଜି ଆଉ ଲୁହ ଶୁଖିବ ନାହିଁ । ତାଙ୍କର ଏପରି କାନ୍ଦ ସହିତ ରସାନନ୍ଦ ବେଶ ପରିଚିତ । ତେଣୁ କଥା ବଦଳେଇ ବଡ଼ କୋମଳ କଣ୍ଠରେ ସେ କହିଲେ–

 

‘‘ମଣି ! ତମେ ରାଗିଲ ? ଝିଅ ଛିଡ଼ା ହୋଇଥିଲା ନା ସତରେ ତମକୁ ଏ ପାଉଁଜ ଦି’ଟା ସୁନ୍ଦୁରିଆ ଲାଗୁଛି । ବାହା ପରଠାରୁ କେବେ ତ ୟାକୁ ଲଗେଇବାର ଦେଖି ନ ଥିଲି । ଆଜି ଯେ ସତରେ ତମେ ବଡ଼ ସୁନ୍ଦର ଲାଗୁଛ ।

 

ରତ୍ନମଣି ସ୍ୱାମୀଙ୍କ ମୁହଁରୁ ଅଚାନକ ପ୍ରଶଂସା ଶୁଣି ବଡ଼ ଉତ୍‌ଫୁଲ୍ଲ ଭାବରେ କହିଲେ–

 

‘‘ମ ଅ...ମୁଁ ଏତେ ନାଟ ଜାଣେ ମ ! ଏବ କାଳକୁ ସେଇ ପୁରୁଣା ଛଇସବୁ ବାହାରିଲାଣି-। ଆଜି ଖରାବେଳେ ପାର ବୁଲି ଆଇଥିଲେ ତାଙ୍କ ଝିଅମାନଙ୍କୁ ନେଇ । ସଭିଏଁ ପାଦରେ ପାଉଁଜ ନାଇଛନ୍ତି । ପାର କହିଲେ, ଆଜିକାଲିକାର ଫେସନ ଇଏ । ଆଉ ସେଇ ତ ଜିଦ୍‌କରି ମତେ ଟ୍ରଙ୍କ ପେଟରା ଖୋଲି କେଉଁ ସାତତଳୁ କାଢ଼ି ଘଷିମାଜି ପିନ୍ଧେଇ ଦେଇ ରାଣ ପକେଇ କହିଛନ୍ତି–

 

‘‘ଭାଇ ଯେତେ ଟାପରା କଲେ ବି ତମେ ୟାକୁ ଗୋଡ଼ରୁ କାଢ଼ିବ ନାହିଁ । କାଢ଼ିବ ଯଦି ନା ମୋ ମଥା ଖାଇବ ।’’

 

‘‘ହଇ ହେ ! କଲେଜ ଝିଅଗୁଡ଼ାକ ସଭିଏଁ କାଳେ ହଳେ ଲେଖା ୟାକୁ ପିନ୍ଧିଛନ୍ତି ?’’

 

ଏତେ ବଡ଼ ଲମ୍ବା କଥା ଶୁଣିବାକୁ ରସାନନ୍ଦଙ୍କର କେବେହେଲେ ଧୈର୍ଯ୍ୟ ରହେ ନାହିଁ; କିନ୍ତୁ ପରିସ୍ଥିତିଦାୟରୁ ତାଙ୍କୁ ଶୁଣିବାକୁ ହେଲା । ଅଥଚ ଗହଣା ଫେସନ କେତେ ଆଖି ପଛୁଳାକେ ବଦଳୁଛି, ସେ କଥା କୋଡ଼ିଏ ବର୍ଷ କାଳ ଗହଣା ଦୋକାନରେ କାମ କରି ରସାନନ୍ଦ ଯଥେଷ୍ଟ ଅଭିଜ୍ଞ ଥିଲେ ହେଁ ରତ୍ନମଣିଙ୍କୁ କହୁ ନ ଥିଲେ ଭୟରେ । କାରଣ ସେ ଗହଣା ପାଇଁ ସେ ଅଡ଼ି ବସିବେ । କଲେଜ ଝିଅ ଗୋଡ଼ରେ ପାଉଁଜ ଲଗେଇବେ ବୋଲି କ’ଣ ରତ୍ନମଣ ତାଙ୍କ ଫାଟିଲା ଚମ ଆଉ ପଚା’ନଖ ଗୋଡ଼ରେ ପାଉଁଜ ଲଗାଇ ଝୁମ୍‌ଝୁମ୍‌ ହେବେ ? ଲୋକେ କହିବେ କ’ଣ ? ରତ୍ନମଣି ଠେଲାଟାଏ ଦେଇ କହିଲେ–

 

‘‘ମଲା ! ଏମିତି ଠାଅଟା ହୋଇ ବସିଲ କ’ଣ ବା ? ମୁଁ ଜାଣେ ପରା, ମୋ ଗହଣାନଗା ତମ ଦି ଆଖିରେ ଯିବ ନାହିଁ... ! ମୁଁ ନାହିଁ କରୁଥିଲି, ହେଲେ ପାରଙ୍କର ଯେଉଁ ରାଣ !’’

 

ରସାନନ୍ଦ ହସୁଥିଲେ ମନେ ମନେ । ରତ୍ନମଣିଙ୍କର ପାର୍ବତୀ ସହିତ ମୋଟେ ପଡ଼େ ନାହିଁ । ତା’ ନାଁ ପଡ଼ିଲେ ୟାଙ୍କ ନାହି ଡିଏଁ । ଅଥଚ ଗହଣା କିପରି ଯେମିତି ଗୋଟାଏ ମୈତ୍ରୀ ଭାବ ସୃଷ୍ଟି କରିଦେଇଛି । ତା’ର ରାଣ ପାଇଁ ଆଉ ଆଜୀବନ ପାଉଁଜି ସେ ଓହ୍ଳାଇବେ ନାହିଁ ।

 

ରତ୍ନମଣି ତାଙ୍କର ନୀରବତାରେ ଚିଡ଼ିଯାଇଁ କହିଲେ–‘‘କାହିଁକି ସେମିତି କାଠଟା ପରି ବଇଛ ବା ? ଦବକ ପଶିଗଲା କି କାଳେ ପାଉଁଜ ହଳେ ଗଢ଼ିବାକୁ କହିବ ! ମୁଁ ମରିଯାଉଥାଏଟି । ଆଇଲା ଦିନୁ ନିମ କାଠିଟାଏ ତ ଶରାଧାରେ ଆଣି ଦେଇନି, କହି କହି ତୁଣ୍ଡରୁ ଛେପ ଶୁଖିଲାଣି । ଆଉ ମୁଁ କୁଆଡ଼େ ୟା’ଙ୍କୁ କହିବି, ପାଉଁଜ ଦିଅ, ମଲ୍ଲ ଦିଅ–ଟାୟରା ଦିଅ... । ମୋର ବାପଘରୁ ଯା ଆଣିଥିଲି ଦୁଃଖେ ସୁଖେ ତାକୁ ନାଇଛି । ଆଉରି ସୁନା ମୁଦିଟା ଗଲା.... ।’’

 

ଆଉ କ’ଣ କହିଥାନ୍ତେ, ମାତ୍ର ରସାନନ୍ଦ ଚଟ୍‌କରି ତାଙ୍କ ପାଟିରେ ହାତ ଦେଇଦେଲେ । ପିଲାଏ ଶୁଣିବେ । ପାର୍ବତୀର ବିଭାଘରକୁ ଖାଦମିଶା ପିତ୍ତଳିଆ ସୁନା ମୁଦିଟାଏ ରତ୍ନମଣି ରସାନନ୍ଦଙ୍କ ଅନୁରୋଧରେ ଦେଇଥିଲେ । ତାଙ୍କ ବାପଘରୁ ସେଇ ବକଟକ ସୁନା ସାଥିରେ ସେ ନେଇ ଆସିଥିଲେ, ଆଉ ସେଇଥିପାଇଁ ସେ ବଡ଼ ମାଆ ଆଗରେ ଗୋଡ଼ କଚାଡ଼ି ବାଟ ଚାଲନ୍ତି । ମାତ୍ର ପାର୍ବତୀର ବର ସୁନାମୁଦି ନ ଦେଲେ ବେଦୀକୁ ଉଠିବ ନାହିଁ ବୋଲି ଯେତେବେଳେ ଜିଦ୍‌ଧରି ବସିଲା, ରସାନନ୍ଦ ରତ୍ନମଣିଙ୍କୁ ସୁନାହାର ଗୋଠ କରି ଦେବାର ପ୍ରତିଶ୍ରୁତି ଦେଇ ମୁଦିଟାକୁ ନେଇଥିଲେ; କିନ୍ତୁ ଇତି ମଧ୍ୟରେ ପନ୍ଦର ବର୍ଷ ବିତି ଯାଇଥିଲେ ବି ସେ ରତ୍ନମଣିଙ୍କୁ ରତିଏ ସୁନା ଦେଇପାରି ନ ଥିବାରୁ ବଡ଼ ଲଜ୍ଜିତ ମନେକରନ୍ତି, ଆଉ ନୀରବରେ ତାଙ୍କର ସବୁ ଗଞ୍ଜଣା ସହ୍ୟ କରିଯାଆନ୍ତି ।

 

ରତ୍ନମଣି ମିଛରେ ଅଯଥା ଦୋଷାରୋପ କରନ୍ତି । ଗହଣା ଦୋକାନରେ କାମ କରୁଥିଲେ ବି ଓ ଗହଣା ତିଆରି ଓଜନ ବିକ୍ରି ଉପରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ଥିଲେ ବି ତାଙ୍କ ନିଜର ଯେ ମୋଟେ ସୁନା ନାହିଁ ଏବଂ ଏକୁଟିଆ ଦୋକାନ ନିଜର କରି ସେ ଯେ ଚଳାଇ ପାରିବେ ନାହିଁ, ଏ କଥା ରତ୍ନମଣି ବୁଝିବାକୁ ବା ବିଶ୍ୱାସ କରିବାକୁ ନାରାଜ । ହୀରାଲାଲର ବିରାଟ ସୁନାମୋହର ଜହର ଦୋକାନ ଦେଖି ରତ୍ନମଣିଙ୍କ ଆଖି ଝଲସିଯାଏ । ସେ ଚାହାନ୍ତି ରସାନନ୍ଦ ମଧ୍ୟ ସେମିତି ଦୋକାନ ନ କରିବେ କାହିଁକି ? ବଡ଼ଲୋକର ସ୍ତ୍ରୀ ପରି ସୁନା ହୀରାରେ ଛାଇ ହୋଇ ସେ ଦୋଳିରେ ନ ଝୁଲିବେ କାହିଁକି ? ତାଙ୍କ ମତରେ ରସାନନ୍ଦ ଅଯୋଗ୍ୟ ପୁରୁଷ । ଉଦ୍ୟମ ଓ ଚେଷ୍ଟା ଅଭାବରୁ ସେ ଆଗେଇ ପାରୁ ନାହାନ୍ତି । ଧନ ତ ବଡ଼ କଥା ନୁହଁ, ଅସଲ ହେଲା ମନ ।

 

ଅବଶ୍ୟ ନିଜର ଅଯୋଗ୍ୟତା ପାଇଁ ରସାନନ୍ଦ ଯେ ନିଜକୁ ଧିକ୍‌କାର ନ କରନ୍ତି, ଏମିତି ନୁହେ । ନୂଆ ଡିଜାଇନ୍‌ର ଗହଣା ଆସିଲେ ରତ୍ନମଣିଙ୍କର ଲୋଭିଲା ଆଖି ତାଙ୍କ ସାମ୍ନାରେ ନାଚିଯାଏ । ଶ୍ରଦ୍ଧାରେ ଦିନେ ମୁଦିଟିଏ ବି କରିଦେଇ ପାରି ନାହାନ୍ତି ବୋଲି ମନ ଭିତରଟା ହାୟ ହାୟ କରିଉଠେ । କିନ୍ତୁ ଘରକୁ ଯେତେବେଳେ ସେ ଅଜସ୍ର ଅବସନ୍ନତା ଓ ବିଷାଦ ନେଇ ଫେରନ୍ତି ଓ ରତ୍ନମଣି ତାଙ୍କର ପୌରୁଷକୁ ଗୋଡ଼ କଚାଡ଼ି ନାକପୁଡ଼ା ଫୁଲେଇ ଝିଂଘାସନ୍ତି ତାଙ୍କ ମନଟା କିପରି ବିଦ୍ରୋହ କରିଉଠେ ।

 

ଥରେ ଅଧେ ରତ୍ନମଣି ଏମିତି ମଧ୍ୟ କହିଛନ୍ତି, ‘ଗହଣା ନ କହିଲେ ନାହିଁ, ଦୋକାନରୁ ଦି’ ଚାରିଟା ଆଣ, ମୁଁ ଟିକିଏ ନାଇ ମନସାଧ ପୂରେଇ ଦିଏ ।’ କିନ୍ତୁ ସେଥିରେ ମଧ୍ୟ ରସାନନ୍ଦ ମନ ଦିଅନ୍ତି ନାହିଁ । କାଳେ ଯଦି ଗହଣା ଆଉ ରତ୍ନମଣି ନ ଖୋଲନ୍ତି ? ସେ ବିଶ୍ୱାସ ତାଙ୍କର ନାହିଁ । ବିରାଡ଼ିକି ମାଛ ଶୁଙ୍ଘାଇବା କ’ଣ ନିରାପଦ ? ପର୍ବପର୍ବାଣିରେ ହୀରାଲାଲର ଦୋକାନ ଭିତରେ ରତ୍ନମଣି ଯେପରି ପାଗଳ ହୋଇଯା’ନ୍ତି ! ବଡ଼ ଲୋଭିଲା ଆକ୍ଷିରେ ଗହଣା ଉପରେ ହାତ ମାରି ଯେତେବେଳେ ସେ ଆତ୍ନହରା ହୁଅନ୍ତି, ରସାନନ୍ଦ ଯେମିତି ସଂକୁଚିତ ହୋଇଉଠନ୍ତି ! ଆତ୍ମପୁରୁଷ ହା’ ହା’ କରିଉଠେ ।

 

ରତ୍ନମଣି ଏତିକିବେଳେ କହିଲେ–

 

‘‘ହଅମ ! ସେ ଗହଣା କଥା ଛାଡ଼ । ମୁଁ ପାସୋରି ଯାଇଥିଲି । କାଲି ଚାରିଟାବେଳେ ହୀରାଲାଲ ଘରକୁ ଯାଇଥିଲି । ତାଙ୍କ ପୁଅର ବାହାଘରକୁ ଆଉ ଚାରି ଦିନ ରହିଲା କୁଆଡ଼େ ?’’

ହୀରାଲାଲର ଏକମାତ୍ର ପୁଅର ବିଭାଘର । ଦୀର୍ଘ ଆଠ ଦିନ ହେଲା ଅଖିଆ ଅପିଆ ଦୌଡ଼ୁଛନ୍ତି ରସାନନ୍ଦ । ସେକଥା ଭଲଭାବରେ ଜାଣନ୍ତି ରତ୍ନମଣି । ତଥାପି କହିବାର ଉଦ୍ଦେଶ୍ୟ ବି ବୁଝି ନ ପାରି ରସାନନ୍ଦ ଜିଜ୍ଞାସୁ ନୟନରେ ତାଙ୍କୁ ଚାହିଁ ରହିଲେ ।

ରତ୍ନମଣି କହିଲେ–

‘‘ମୁଁ ମନକୁ କାହିଁକି ଯାଆନ୍ତି ମ ! ହୀରାଲାଲର ସ୍ତ୍ରୀ ପରା ଖବର ପଠାଇଥିଲେ ! କ’ଣ ଦିଆନିଆ ହେବ ସବୁ ଗୋଟି ଗୋଟି କରି କହିଲେ । ତାଙ୍କ ଶାଶୁ ଅମଳର ଗହଣା ଯାହାକୁ ଆଇ ନାତୁଣୀବୋହୂ ପାଇଁ ନେଇ ଯାଇଛନ୍ତି, ଦେଖାଇଲେ । ଆଗକାଳିକା ଡିଜାଇନ୍‌ ହେଲେ କ’ଣ ହେବ, ସେ ଏଡ଼େ ସୁନ୍ଦର ଦିଶୁଛି କହନା ! ଏତେ କଥାକୁ ବୋହୂ ଘର ମନ ପାଉନି । ତାଙ୍କର ଦରକାର ହୀରାର ସେଟ୍‌ । ପୁଅର କି ବୋହୂର କାହାର ପୁରୁଣା ଗହଣାକୁ ପସନ୍ଦ ନାହିଁ । ମୋ ବାହାଘର ବେଳେ ମୋ ବାପା ଯେଉଁ ଗହଣା ଗଢ଼ିଥିଲେ ତୁମ ଘର ସିନା ତାକୁ ଓଠ ମୋଡ଼ିଲ, ହେଲେ ସେମିତି ଡିଜାଇନ୍‌ ମୁଁ କାହିଁ ଦେଖୁନି ! ଏବକୁ ନୂଆ,ନୂଆ ଉଠିଲାଣି..... !’’

ରସାନନ୍ଦ ହାତ ଧୋଇବା ପାଇଁ ପଦାକୁ ଉଠିଗଲେ । କାରଣ ରତ୍ନମଣି ବର୍ତ୍ତମାନ ଘୂରିଘୂରି ତାଙ୍କ ମୁଦି ପାଖକୁ ଆସିବେ ଏବଂ କିଛି ଶୋଧାଶୋଧି କରିବେ । ଶେଷକୁ ଏକ ମହାଭାରତ ହେବ, କିନ୍ତୁ ସେ ଛାଡ଼ିବା ଜନ୍ତୁ ନୁହନ୍ତି । ତାଙ୍କ ପଛେ ପଛେ ଉଠିଆସି ରତ୍ନମଣି କହିଲେ–

‘‘ତା’ ବି ସତ କଥା । ହୀରାଲାଲର ସ୍ତ୍ରୀ ଯେତେ ଗହଣା ନାଇଚନ୍ତି ସେ ତ ଦି’ପାଚିଆ ହେବ । ନଖ ପଚେଇ, ଗୋଡ଼ଠାରୁ ମୁଣ୍ଡ ଯାଏ ଗହଣାରେ ଛାଇ ହୋଇ, ପାନପିକ ପକେଇ ବୁଢ଼ୀ ଯେତେବେଳେ ଦୋଳାରେ ବସିଥିବ, ଆଉ କଥା ବଙ୍କେଇ ବଙ୍କେଇ କହୁଥିବ, ମୋ ଦେହରେ ନିଆଁ ନାଗିଯାଏ ପରା.... ! ମଣିଷ ଗଲେ ବି ତା’ର ଖାତର ନାହିଁ । ହେଇ, ହେଇ ତୁମେ ତାଙ୍କ ଦୋକାନରେ ଚାକିରି କରିଛ, ଆଉ ମୁଁ ତ ନୁହେଁ । ଆଉ ତମେ ଯଦି ଯୋଗ୍ୟର ହୋଇଥାନ୍ତ ମୁଁ ବି ସେମିତି ଗହଣାଗାଣ୍ଠି ଲଗେଇ ଦୋଳାରେ ବସିଥାନ୍ତି । କାହାକୁ କହିବି...ସେ ତ ମୋର କରମ....-!’’

ଅସଲ କଥାର ମର୍ମ ଆଉ ବୁଝିବାକୁ ଡେରି ହେଲା ନାହିଁ ରସାନନ୍ଦଙ୍କର । ଗହଣା ଲୋଭରେ କେଉଁ ଦିନ ରତ୍ନମଣି ଯେ ତାଙ୍କୁ ଛାଡ଼ି ପଳେଇବେ ଏ ବୟସରେ, କିଏ କହିବ ?

ଦୁମ୍‌ ଦୁମ୍‌ କରି ଟୁନି ଧାଇଁ ଆସିଲା–

‘‘ବୋଉ ଲେ ! ବୋଉ ! ପାରଦେଇଙ୍କ ପୁଅ ତୋ’ ନୋଥ ଫେରେଇ ଦେଇଗଲା ଆଉ କହିଲା ଯେ ପାର ଦେଈ କହିଛନ୍ତି ଏଥିରେ ସୁନା ନାହିଁ, ଖାଲି ପିତ୍ତଳ । ତେଣୁ ତୋ ମୁଦି ତିଆରି ହୋଇପାରିବ ନି ।’’

ରସାନନ୍ଦ କାବା ହୋଇ ଶୁଣୁ ଶୁଣୁ ହସି ଆସୁଥିଲେ । ରତ୍ନମଣିଙ୍କ ଜେଜେମା ସେଇଟା ତାଙ୍କୁ ବନ୍ଦାଇଥିଲେ ବିବାହ ବେଳେ । ଏମିତି ଖାଣ୍ଟି ସୁନା ଯେ ରସାନନ୍ଦ ଦେଖି ନ ଥିବେ କି ହୀରାଲାଲ ଦୋକାନରେ ନ ଥିବ । ନୋଥର ଗୁଣ ଶୁଣି ଶୁଣି ସେ ଥକି ଯାଇଛନ୍ତି । ସେଇ ଅମୂଲ୍ୟ ରତ୍ନଟିର ହଠାତ୍‌ ମୂଲ୍ୟହୀନତାଟା ଏପରି ପଦାରେ ପଡ଼ିଯିବାରୁ ସେ ହସି ଆସୁ ଆସୁ ଅଟକିଗଲେ-। କାରଣ ରତ୍ନମଣିଙ୍କ ମୁହଁରେ ହଠାତ୍‌ ଯେପରି କିଏ କାଳି ଲେପି ଦେଇଛି । ତାଙ୍କର ହସହସ ମୁହଁରେ ବିଷାଦ ସହିତ ମିଶିଯାଇଛି ଯେପରି ଅଜସ୍ର କାରୁଣ୍ୟ !

ସେ ମୁହଁ ପୋତି ନୋଥଟି ଖୋଲି ଦେଖୁଥିଲେ.... । ମୁଣ୍ଡ ଉପରୁ ତାଙ୍କର ଲୁଗାଟା ଖସିଯାଇଛି । ଇସ୍‌ ! ଖୋସାଟି ଆଜି ଭାରି ଚିକ୍‌କଣ କରି ରତ୍ନମଣି ବାନ୍ଧିଛନ୍ତି । ରୂପାଫୁଲ ଆଉ ନାଲିଫିତା ମେଞ୍ଚାଏ ଫୁଲ ହୋଇ ଖୋସା ଉପରେ ଖୁବ୍‌ ଯତ୍ନରେ ରହିଛି । ସର୍ବୋପରି ସେ ଗୋଟାଏ ନାଲି ପ୍ଳାଷ୍ଟିକ ଫୁଳ ମୁଣ୍ଡରେ ଖୋସିଛନ୍ତି, ଯାହାକୁ ସ୍କୁଲ ଝିଅମାନେ କହନ୍ତି, ଲଭ ଇନ୍‌ ଟୋକିଓ ! ଆଖିରେ କଜ୍ଜ୍ୱଳ; କପାଳରେ କୁଙ୍କୁମ ଆଉ ଗୋଡ଼ରେ ପାଉଁଜି, ଅଳତା । ବାଃ ବେଶ୍‌ ଲାଗୁଛନ୍ତି ରତ୍ନମଣି ! ନୋଥଟା କାଢ଼ିଥିଲେ ବୋଧେ ପିନ୍ଧିବା ପାଇଁ; ମାତ୍ର ରସାନନ୍ଦ ସେଇଟା ଉପରେ ଭୀଷଣ ବିରକ୍ତ ହୁଅନ୍ତି ବୋଲି ମୁଦି କରିବା ପାଇଁ ପଠାଇଥିଲେ; କିନ୍ତୁ ସେ କ’ଣ ଜାଣିଥିଲେ ଏମିତି ସିଧା ସିଧା ସେ ରସାନନ୍ଦଙ୍କ ଆଗରେ ଧରା ପଡ଼ିଯିବେ ଏବଂ ତାଙ୍କର ବାପଘର ଟାଣ ଏମିତି ଦି‘କଡ଼ା ହୋଇଯିବ ।

ରସାନନ୍ଦ ରତ୍ନମଣିଙ୍କ ମୁହଁକୁ ଅନେଇଲେ ଏବଂ ପାଖକୁ ଯାଇ ନୀରବରେ ତାଙ୍କୁ ସମୀକ୍ଷା କରୁଥିଲେ । ମନରେ ତାଙ୍କର ଆସିଲା ଗୋଟାଏ ବିଷାଦ ଭାବ । ଗୋଟାଏ ଲୁକ୍‌କାୟିତ କାରୁଣ୍ୟ ଯାହାକୁ ସେ ଚାପି ରଖିଥାନ୍ତି କିନ୍ତୁ ସେ ବେଳେବେଳେ ଉଁକିମାରେ । ସ୍ତ୍ରୀଙ୍କ ପାଖରେ ସେ ଦୁର୍ବଳ ହେବେ ନାହିଁ–ସାର ମର୍ମ ।

ରତ୍ନମଣି ଲଜ୍ଜା ଅପମାନରେ ସଢ଼ି ନ ଯଯୌ ନ ତସ୍ଥୌ ଅବସ୍ଥାରେ ଛିଡ଼ା ହୋଇଛନ୍ତି; କିନ୍ତୁ ସେ ସୁନ୍ଦର ଦିଶୁଛନ୍ତି । କୋଣାର୍କର ମୂର୍ତ୍ତି ପରି ସେ ଅଭିମାନରେ ଛିଡ଼ା ହୋଇଛନ୍ତି ।

ରସାନନ୍ଦଙ୍କର ଇଚ୍ଛା ହେଲା ସେ ସ୍ତ୍ରୀକୁ ଟିକିଏ ଆଦର କରିବେ । ଦରକାର ମନେ କଲେ ମଧ୍ୟ ଗୋଟିଏ ଗେଲ କରିବେ ଏବଂ ସେ ଯାହା ଚାହିଁବେ ତା’ ଦେବାର ଅଙ୍ଗୀକାର ସେ ନିର୍ବିକାରରେ କରିବେ ଭବିଷ୍ୟତରେ । ଏବେ ନ ଦେଇ ପାରିଲେ ନାହିଁ, କ୍ଷତି କିଛି ତ ହେବ ନି ? ସମସ୍ତେ କ’ଣ ସବୁ କଥା ଦେଇ ପାରନ୍ତି ? ତେବେ ରତ୍ନମଣିଙ୍କ ଗହଣା ଲୋଭ ଓ ଚାହିଦାକୁ ଡରି ସେ ଆଉ ତାଙ୍କୁ ସ୍ନେହ ଆଦର କରିବେ ନାହିଁ ନା କ’ଣ ? ସମଗ୍ର ଦାମ୍ପତ୍ୟ ଜୀବନଟା ତ ମିଥ୍ୟାର, ଛଳନାର ଗୋଟାଏ ଦେବା ନେବାର ଅଭିନୟ । ଯିଏ ଯେତିକି ଅଭିନୟପଟୁ, ସିଏ ସେତିକି ସୁଖୀ । ତେବେ ସିଏ ଏତେ ଡରିବେ କାହିଁକି ? ଡରି ଡରି ସେ ତ ବୁଢ଼ା ହୋଇଗଲେ...

 

ରସାନନ୍ଦ ହଠାତ୍‌ ନିଜକୁ ଉତ୍‌ଫୁଲ୍ଲ ମନେ କଲେ ଆଉ ରତ୍ନମଣିଙ୍କ କାନ୍ଧରେ ଯୁବକସୁଲଭ ଭଙ୍ଗୀରେ ହାତ ରଖି କହିଲେ–

 

‘‘ପାର କ’ଣ ଜାଣେ ମ ! ସୁନା କେବେ ସେ କାରବାର କରିଛି ଯେ ଜାଣିବ ? ମତେ ଦିଅ ତ ! ମୁଁ ତୁମର ରିଙ୍ଗ୍‌କରି ଆଣିବି ।’’

 

ରତ୍ନମଣି କିଛି ଜବାବ ନ ଦେଇ ନୋଥଟି ରସାନନ୍ଦଙ୍କ ହାତକୁ ବଢ଼େଇଦେଲେ ଆଉ ପିଲାଳିଆ ଆକ୍ଷିରେ ଡବ ଡବ କରି ତାଙ୍କୁ ଚାହିଁଥିଲେ । ତାଙ୍କ ମୁଣ୍ଡରୁ ଓଢ଼ଣା ସେମିତି ଖସିଯାଇଛି-। ରସାନନ୍ଦ ପକେଟ୍‌ରେ ନୋଥ ରଖି କହିଲେ–

 

‘‘ଆଜି ସତରେ ତମେ ଝିଅଟିଏ ପରି ଦେଖାଯାଉଛ ! ତମର ଏତେଗୁଡ଼ିଏ ପିଲା ଅଛନ୍ତି, ନ ହେଲେ ଆଉ ଥରେ ବିବାହ କରିବାକୁ ଚାହିଁଲେ ପାତ୍ରର ଅଭାବ ହେବ ନାହିଁ !’’

 

କୃତ୍ରିମ ବିରକ୍ତି ଫୁଟାଇ ରତ୍ନମଣି ଚାଲି ଯାଉ ଯାଉ କହିଲେ–

 

ମତେ ସେ ସିନେମା କଥା କହିବ ନାହିଁ । ଦରବୁଢ଼ା ହେଲଣି, ତଥାପି ତୁମକୁ ଲାଜ ଲାଗୁନାହିଁ ! ଛି, ଛି !’’

 

ପଛ କଥା କହିଲା ବେଳକୁ ସେ ନିଜେ ବି ହସୁଥିଲେ, ଆଉ ନିଜ ପ୍ରତି ମଧୁର ସମ୍ବୋଧନରେ କିପରି ଏକ ଆତ୍ମପ୍ରସାଦ ଅନୁଭବ କରି ହସୁଥିଲେ ରସାନନ୍ଦ ।

 

ବିଶେଷ କହିବା ନିଷ୍ପ୍ରୟୋଜନ । ତିନି ଚାରି ଦିନ କ୍ରମାଗତ ରସାନନ୍ଦଙ୍କର ପାରିବାରିକ ଜୀବନ ବେଶ ପ୍ରୀତିମୟ, ଛନ୍ଦୋମୟ ମନେ ହୋଇଥିଲା । କଥା କଥାକେ ସେ ରତ୍ନମଣିଙ୍କୁ ନାନାବିଧ ଗହଣା, ଶାଢ଼ୀ ଦେବାର ଅଙ୍ଗୀକାର ତାଙ୍କ ନିଜ ତରଫରୁ ବାରମ୍ବାର କରୁଥିଲେ ଏବଂ ସେପରି କରିବାଦ୍ୱାରା ସେ ବେଶ୍‌ ଗର୍ବିତ ମନେ କରୁଥିଲେ ମଧ୍ୟ ।

 

ଶେଷକୁ ସେଇଆ ହେଲା । ହୀରାଲାଲର ବୋହୂ ପାଇଁ ହୀରାର ଗହଣା ସେଟ୍‌ ନୂଆ ଡିଜାଇନ୍‌ରେ ଗଢ଼ାଇ ଆଣିବାର ଦାୟିତ୍ୱ ପରମ ଆତ୍ମୀୟ ରସାନନ୍ଦଙ୍କ ଉପରେ ଦିଆଗଲା । ମଝିରେ ଦିନେ ଛାଡ଼ି ବାହାଘର ।

 

ରସାନନ୍ଦ ହଠାତ୍‌ କିପରି ଦବିଗଲେ । ଯଦି ରତ୍ନମଣି ଅଡ଼ି ବସନ୍ତି ସଙ୍ଗରେ ଯିବା ପାଇଁ କିମ୍ବା ବରାଦ କରନ୍ତି କିଛି ଦାମି ଗହଣା ? ନିକଟରେ ସେ ତ କମ୍‌ ଅଙ୍ଗୀକାର କରି ନାହାନ୍ତି ! ମାତ୍ର ତା’ ହେଲା ନାହିଁ । ରତ୍ନମଣି ନବବିବାହିତା ଲାଜକୁଳୀ ବଧୂଟି ପରି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁଣ୍ଡ ଖୋଲି କିଛି କହି ନ ଥିଲେ ଆଣିବା ପାଇଁ ।

 

କିନ୍ତୁ ଯେତେବେଳେ ଖୁବ୍‌ ନିକଟରେ ଗୁଡ଼ାଏ ଅଙ୍ଗୀକାର କରିଛନ୍ତି, କିଛି ଗୋଟାଏ କିପରି ନ ଆଣିବେ ? କି ମୁସ୍କିଲ କଥା ? କ’ଣଟାଏ ନେବେ ? ସ୍ତ୍ରୀଲୋକଙ୍କ ପାଇଁ ଜିନିଷ ପସନ୍ଦ କରିବା ଏକ ବିଷମ ବ୍ୟାପାର । ସେଥିରେ ଯଦି କଲିକତାର ବିରାଟ ପ୍ରହେଳିକା ଗ୍ରାସ କରି ବସେ, ସେ କାହାକୁ କିଣିବେ ଆଉ କାହାକୁ ଛାଡ଼ିବେ ? ସେ ଯାହା ହେଉ, ବହୁ ଅନ୍ତର୍ଦ୍ୱନ୍ଦ୍ୱ ଓ ଅଭାବ ସତ୍ତ୍ୱେ ରସାନନ୍ଦଙ୍କର ପୁରୁଷପଣିଆକୁ ଭୀଷଣ ବାଧିଲା ରତ୍ନମଣିଙ୍କ ପାଇଁ କିଛି ନ ନେଇ ଫେରିଯିବା ପାଇଁ-। ଶେଷକୁ ସେ ଖଣ୍ଡିଏ ନାଲି ଫୁଲପକା ଶାଢ଼ୀ କିଣି ଟ୍ରେନ ଧରିଲେ ।

 

ରସାନନ୍ଦ ଟ୍ରେନ୍‌ରେ ଗହଣା ଥିବା ଯୋଗୁ ଦିନ ଚାରିଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଅନିଦ୍ରାରେ ବସି ରହିଥିଲେ । ବଡ଼ କ୍ଳାନ୍ତି ଲାଗୁଥିଲା; କିନ୍ତୁ ଗହଣା ନେଇ ନିଜ ଘରକୁ ତାଙ୍କର ଯିବାକୁ ମୋଟେ ଇଚ୍ଛା ନ ଥିଲା । ମାତ୍ର ନିର୍ଜ୍ଜନ ରାତ୍ରିରେ ଚାରିମାଇଲ ରାସ୍ତା ରିକ୍‌ସାରେ ଏକାକୀ ଏତେଗୁଡ଼ାଏ ଜିନିଷ ନେଇ ହୀରାଲାଲର ଘରକୁ ଯିବାର ମନରେ ସାହସ କି ଦେହରେ ବଳ ନ ଥିଲା ତାଙ୍କର ।

 

ଅଗତ୍ୟା ରସାନନ୍ଦ ଷ୍ଟେସନ ପାଖରେ ତାଙ୍କ ଘରକୁ ଫେରିଲେ ଏବଂ ଅବସ୍ଥାର ଗୁରୁତ୍ୱଟା ରତ୍ନମଣିଙ୍କୁ ବେଶ୍‌କରି ବୁଝାଇଦେଲେ । ରତ୍ନମଣି କିନ୍ତୁ ଦବିଯିବାର ଲୋକ ନୁହନ୍ତି । ସେ କହିଲେ–

 

‘‘ମଲା ! ରାତିଟାଏ ଚେଇଁ ପାରିବିନି କ’ଣ କହୁଛ ମ ! ତମେ ନିଶ୍ଜିନ୍ତରେ ଶୋଇପଡ଼ । ମୋ ତକିଆ ତଳେ ଗହଣା ରଖି ମୁଁ ଏଇଠି ବସିଛି ତୁମ ନିଦ ଭାଙ୍ଗିବା ଯାଏ । ଟିକିଏ ଖୁଟ୍‌କରି ହେଲେ ମୁଁ ତମକୁ ଡାକିଦେବି । କିଛି ଚିନ୍ତା ନାହିଁ ମ । ଆମେ କ’ଣ ଅନ୍ୟାୟ, ଅଧର୍ମ କରିଛେ ଯେ ଠାକୁରେ ଆମକୁ ଦଣ୍ଡ ଦେବେ... !’’

 

ତାଙ୍କ କଣ୍ଠରେ ଏପରି ଏକ ଅଭୟବାଣୀ ଥିଲା ଯେ ସ୍ତ୍ରୀଲୋକ ହେଲେ ବି ରସାନନ୍ଦ କିପରି ଟିକିଏ ବେଶୀ ମାତ୍ରାରେ ନିଶ୍ଚିତ ଓ ଶାନ୍ତି ଅନୁଭବ କଲେ । ଅତିଶୟ ଗରମ ହେଉଥିଲା ବି ଝରକା ଖୋଲା ରଖିବାର ସାହସ କିନ୍ତୁ ରସାନନ୍ଦଙ୍କର ହେଲା ନାହିଁ । ତା’ର ପ୍ରୟୋଜନ ମଧ୍ୟ ନ ଥିଲା । କାରଣ ରତ୍ନମଣି ପାଖରେ ବସି ତାଳପଙ୍ଖାରେ ତାଙ୍କୁ ଧୀରେ ଧୀରେ ବିଞ୍ଚୁଥିଲେ । ପରମ ନିଶ୍ଚିନ୍ତରେ ପନ୍ଦର ମିନିଟ୍‌ଭିତରେ ରସାନନ୍ଦ ଶୋଇପଡ଼ିଲେ... !

 

କେତେବେଳେ ଗତ ହେଇଛି ସେ କଥା ରସାନନ୍ଦ ଜାଣନ୍ତି ନାହିଁ । ଭୟାନକ ଗୋଟାଏ ଦୁଃସ୍ୱପ୍ନ ଦେଖି ସେ ଚିତ୍କାର କରି ଉଠି ବସିଲେ ଓ ରତ୍ନମଣିଙ୍କୁ ଡାକ ପକାଇଲେ । ଆଶ୍ଚର୍ଯ୍ୟ ! ତେବେ କ’ଣ ସ୍ୱପ୍ନଟା ସତ !

 

ସାମ୍ନା ଝରକା ଖୋଲା । ଖରାଦିନର ପାହାନ୍ତି ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସି ବୁଲୁଛି । ଆଉ ଝାପ୍‌ସା ଝାପ୍‌ସା ହୋଇ କାଳି ଜହ୍ନ ପଡ଼ିଛି । କିପରି ଗୋଟାଏ ଆତଙ୍କରେ ଶିହରି ଉଠିଲେ ରସାନନ୍ଦ । ତକିଆତଳେ ହାତ ମାରିଲେ–ଗହଣା ନାହିଁ । ବାକ୍‌ସଟା ତଳେ ପଡ଼ିଛି । ତେବେ କ’ଣ ସ୍ୱପ୍ନ କଥା ସତ ! ରତ୍ନମଣିଙ୍କୁ ଚୋରମାନେ ଗହଣା ସହିତ ନେଇ ପଳାଇଲେ ?

 

ରସାନନ୍ଦ ଭୟରେ ମୂକ ପାଲଟି ଯାଇଥିଲେ । ସେ କି ବୁଦ୍ଧି କଲେ ? ବୃଦ୍ଧ ହୋଇ ଯୁବକ ହେବା ଅଭିନୟର ପରିଣତି ଏତେ ବିଷମ ହେବ ବୋଲି ସେ କଳ୍ପନା ବି କରି ନ ଥିଲେ ?

 

ସେ ପଦାକୁ ଉଠି ଆସିଲେ । ରତ୍ନମଣି ଆଉ ଗହଣା ନେଇ ପଳାଇ ଗଲେ ନି ତ ? ମନଟା ପାପ ଛୁଉଁଛି !

 

ବାରି ଆଡ଼କୁ ଗଲେ ସେ । କାରଣ ଦାଣ୍ଡକବାଟରେ ତାଲା ପଡ଼ିଛି । ଆଉ ରତ୍ନମଣି କଦାପି ପାଚେରୀ ଡେଇଁପାରିବେ ନାହିଁ ।

 

ବାରି କବାଟ ମେଲା । ଅରମା ବଣ-ଝଣ୍ଟାରେ କିଛି ଦେଖାଯାଉ ନାହିଁ । ଝାପ୍‌ସା ଜହ୍ନ ଆଲୁଅରେ ଟୁନିର ରଜ ପାଇଁ ଲଗାଯାଇଥିବା । ଦୋଳିଟା ଦିଶୁଛି । ଆଉ ମନେ ହେଉଛି ସେଥିରେ ଜଣେ କିଏ ବସିଛି । ପିଲାଦିନର କୋକୁଆ ଭୟ ତାଙ୍କୁ ଗ୍ରାସ କରି ଆସୁଛି.... । ସେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ଟର୍ଚ୍ଚ ଆଲୁଅ ପକାଇଲେ ଲକ୍ଷ୍ୟ କରି ଦୋଳି ଉପରକୁ । ମୁଣ୍ଡରେ ଲୁଗା ଦେଇ ନାଲି ଶାଢ଼ୀ ପିନ୍ଧି ସେଥିରେ ଜଣେ କିଏ ସ୍ତ୍ରୀଲୋକ ବସିଛି । ତାଙ୍କ ତଣ୍ଟି ଅଜଣା ଭୟରେ ଶୁଖିଗଲା । ଆଉ ମନକୁ ମନ ଟର୍ଚ୍ଚଟା ସେ ବନ୍ଦ କରି ଦେଇଥିଲେ । ବାପ୍‌ରେ ବାପ ! ଗହଣା ପାଇଁ ସେ ଜୀବନଟା ତ ପାଣି ଛଡ଼େଇ ପାରିବେ ନାହିଁ । ମନେ ମନେ ତେତ୍ରିଶ କୋଟି ଦେବତାଙ୍କୁ ସେ ସ୍ତୁତି ଆରମ୍ଭ କରିଦେଲେ । କିନ୍ତୁ ମନକୁ ମନ ପଶ୍ଚାତ୍ ପଥରେ ସେ ଅଟକିଗଲେ । ସେ ନାଲି ଶାଢ଼ୀ ଖଣ୍ଡିକ କାଲି କଲିକତାରୁ ସେ ଆଣିଥିଲେ ବୋଧେ । ସନ୍ଦେହ ଆସୁଛି ମନରେ... । ତେବେ, ତେବେ କ’ଣ ରତ୍ନମଣି ତାଙ୍କୁ ଭସାଇ ଦେଇ ଆତ୍ମହତ୍ୟା କଲେ ? ହାୟ,ହାୟ ! ସ୍ୱାମୀ ହୋଇ ସେ ସ୍ତ୍ରୀକୁ ଗହଣାଖଣ୍ଡେ ଦେଇ ପାରିଲେ ନାହିଁ ? ଆଦର କରି କଥାଟିଏ ବି କହି ନାହାନ୍ତି ! ରସାନନ୍ଦଙ୍କର ମନେ ହେଉଥିଲା ନିଜକୁ ହତ୍ୟା କରିବା ପାଇଁ । ରତ୍ନମଣି ଠିକ୍‌ କରିଛନ୍ତି–ନାଲି ଶାଢ଼ୀ ପିନ୍ଧି ଶେଷରେ ସେ ଆତ୍ମହତ୍ୟା କରି ତାଙ୍କ ପୁରୁଷତ୍ୱକୁ ଧିକ୍‌କାର କରି ଉଚିତ କାର୍ଯ୍ୟ କରିଛନ୍ତି ।

 

ରସାନନ୍ଦ ଧୀରେ ଧୀରେ ଆଗେଇଲେ ଅପରାଧୀ ପରି । ଟର୍ଚ୍ଚ ଆଲୁଅ ପକାଇ ସେ ଯାହା ଦେଖିଲେ, ସେଥିରେ ସେ ସ୍ତମ୍ଭିତ ହୋଇଗଲେ... ।

 

କଲିକତାରୁ ଆଣିଥିବା ସମସ୍ତେ ଗହଣା ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଲଗେଇଛନ୍ତି ରତ୍ନମଣି । ହୀରା, ଲୀଳା, ମୋତିର ଚିକ୍‌ଚିକ୍‌ରେ ତାଙ୍କ ଶରୀରରେ ସେଇ ଅନ୍ଧକାର ଭିତରେ ଏକ ଜ୍ୟୋତି ଯେପରି ପ୍ରକଟିତ ହେଉଛି । ଆଉ ତା’ ସାଙ୍ଗକୁ ତାଙ୍କ ବାପଘରୁ ଆଣିଥିବା ସବୁ ପିତ୍ତଳ ମିଶା ସୁନା ଗହଣା ମଧ୍ୟ ପିନ୍ଧିଛନ୍ତି । ମୁଣ୍ଡରେ ନାଲି ଫିତା ଆଉ ତାରକସି ଫୁଲ ଚିକ୍‌ଚିକ୍‌ କରୁଛି । ପାଦରେ ପାଉଁଜି ଅଳତା ଆଉ ପ୍ରଜାପତି ଝୁଣ୍ଟିଆ । ତା’ ସାଙ୍ଗକୁ ଜରି ଧଡ଼ିର ନାଲି ଶଢ଼ୀ ଆଉ ନାଲି ବ୍ଳାଉସ୍‌ । ଆହା ! ଠାକୁମାର ସେଇ ପିତ୍ତଳିଆ ନୋଥଟାକୁ ବି ସେ ନାକରେ ଲଗେଇଛନ୍ତି । ବିଭିନ୍ନ ଗହଣାରେ ଆକ୍ଷି ବୁଜି ବସି ସେ ବେଶ୍‌ସୁନ୍ଦର ଦିଶୁଛନ୍ତି । ସତେ କି ସେ ଷୋଳ ସତର ବର୍ଷଟିର ଝିଅଟିଏ । ମଧୁରାତ୍ରିରେ ପ୍ରତୀକ୍ଷମାଣା ଏକ ନବବଧୂ । କ୍ଳାନ୍ତ ହୋଇ ଘୁମେଇ ପଡ଼ିଛି !

 

ଏଇ ବୟସରେ ରତ୍ନମଣିଙ୍କର ହଠାତ୍‌ଏପରି ଦୋଳିରେ ସଜ ହୋଇ ଝୁଲିବାର ସଉକ କାହିଁକି ହେଲା ? ଅବଶ୍ୟ ଥରେ ରତ୍ନମଣି କହୁଥିଲେ–

 

‘‘ହୀରାଲାଲ ଘରେ ଯେମିତି ଝୂଲା ଦୋଳି ଖଟ ଅଛି, ଆମର ସେମିତି ଗୋଟାଏ କରନ୍ତ ନାହିଁ ?’’

 

ରସାନନ୍ଦ ବିରକ୍ତ ହୋଇ ଜବାବ ଦେଇଥିଲେ–

 

ଖଟରେ ଝୁଲିବାକୁ ମନ ତ ଅନ୍ୟଠାରେ ବିବାହ କଲ ନାହିଁ ? ତାଟିଆ କଂସା ଚୂରି ଲୁଗାପଟା ପୋଡ଼ି ଜିଦ୍‌କରି ମୋତେ କାହିଁକି ବିଭା ହେଉଥିଲ ? ଖଟରେ ଝୁଲିବାକୁ ହେଲେ ଦାମୀ ଶଢ଼ୀ ଆଉ ଦାମୀ ଗହଣା ଦରକାର । ସେସବୁ ଆମ ଭଳି ଗରିବ ଲୋକଙ୍କୁ ପୋଷାଏ ନାହିଁ ।’’

 

ରତ୍ନମଣି ଅଭିମାନଭରା କଣ୍ଠରେ କହିଥିଲେ–

 

‘‘ଗରିବ ଲୋକଙ୍କର ଆଉ ମନ ନାହିଁ ? ଦିନେ ଅଧେ ସଉକି କରିବାକୁ ମନା କ’ଣ ଅଛି-? ଅସଲ କଥା ମନ ନାହିଁ... ।’’

 

ସେ ଅନେକ ଦିନର କଥା । ତଥାପି ସେ କଥା ଏଇ ମୁହୂର୍ତ୍ତରେ ମନେପଡ଼ି କିପରି ଗୋଟାଏ କାରୁଣ୍ୟ ସୃଷ୍ଟିକଲା ମନ ମଧ୍ୟରେ ତାଙ୍କର । ସେ ଅନୁଭବ କଲେ ଯେପରି ପୁଣି ସେ ଅଥର୍ବ ବୃଦ୍ଧ ହୋଇ ଯାଇଛନ୍ତି । କିଛିଦିନ ଧରି ହଠାତ୍‌ ଆସିଥିବା ଯୌବନ ଯେମିତି ଖପ୍‌ଖାପ୍‌ କରି ତାଙ୍କ କାନ୍ଧରୁ ଓହ୍ଳାଇ ଚାଲିଗଲା ଅନ୍ଧାରରେ କୁଆଡ଼େ !

 

ଦୋଳି ଉପରେ ନିଦ୍ରିତା ରତ୍ନମଣିଙ୍କୁ ଅନାଇ ସେ ଅବଶ ହୋଇପଡ଼ିଲେ । ତାଙ୍କ ପାଇଁ ପ୍ରତୀକ୍ଷମାଣା ନବବଧୁକୁ ସେ ଶତଚେଷ୍ଟା କରି ମଧ୍ୟ ଚୁମ୍ବନ କରିପାରିଲେ ନାହିଁ !!!

Image

 

Unknown

କ୍ରମଶଃ

–ଏକ–

 

ସୁମତି ବିରକ୍ତି ହୋଇ ପାଟି କରି ଉଠିଲେ–

‘‘କାହାର ଚା’ତ କା’ର କଫି, କାହାର ଯଦି କୋକୋ ତ କାହାର ଓଭାଲଟିନ୍‌ ! ବାପ୍‌ରେ ବାପ୍‌ ! ତା’ପଛକୁ ପୁଣି ହାଫ୍‌ ବଏଲ ଏଗ୍‌ ତ ଆମ୍‌ଲେଟ, କି ପୋଚ୍‌.... ! ଗୋଟାଏ କାହା ସାଙ୍ଗରେ କାହାର ମେଳ ନାହିଁ । ପ୍ରତ୍ୟେକର ଗୋଟାଏ ଗୋଟାଏ ଅଲଗା ଅର୍ଡ଼ର । ଏସବୁ ମୁଁ ପାରିବି ନି...ପାରିବି ନି...ପାରିବିନି ହଜାରବାର କହୁଛି, ଅଥଚ ଏ ଘରେ କେହି କାନ ଦେଉ ନାହାନ୍ତି-। କ’ଣ ଯେ ସମସ୍ତେ ଭାବୁଛନ୍ତି... !’’

ଆକ୍ଷିରୁ ଚଷମାଟା କାଢ଼ି ଅଭୟବାବୁ ଟେବୁଲ ଉପରେ ରଖି ନୀରବରେ ଚା’କପରେ ଓଠ ଲଗାଇଲେ ।

ସକାଳଟାରେ କୌଣସି ଦିନ ସୁମତି ପାଟିତୁଣ୍ଡ କରିବାକୁ ଭଲ ପାଆନ୍ତି ନାହିଁ ବୋଲି ଅନେକ ବାର କହନ୍ତି । ସବୁ ଝମେଲା ସେଇ ସନ୍ଧ୍ୟାବେଳେ ପୁଅ ଝିଅ, ଚାକର, ଦିଅର, ନଣନ୍ଦ ବାକି ଗଲା ଆସିଲା ଯିଏ ଯେତେ ।

ଆଜି ଏକ ଅଭିନବ ବ୍ୟାପାର । କେଜାଣି କାହିଁକି ସମୁତିଙ୍କ ମୁହଁକୁ ଚାହିଁ ଅଭୟବାବୁ ହସି ଉଠିଲେ ଏବଂ କହିଲେ–‘‘ବିବାହ କରିବା ତମର ଉଚିତ ନ ଥିଲା, ସୁମତି । ବିଶେଷତଃ ମୋ ଭଳି ଜଣେ ବୃଦ୍ଧା ଯେ କି... ।’’

‘‘ଆହା ! ଚୁ ଚୁ ! ବୃଦ୍ଧା ? ଏଇ ଘର କଥା ବୁଝିଲା ବେଳକୁ ନା ଅନ୍ୟ କିଛି.... ?’’ ସୁମତି ରାଗିଲା ଭଙ୍ଗୀରେ ପଛକୁ ବୁଲି ପଡ଼ିଲେ ।

 

ଅଭୟବାବୁ ଧୀରେ କାନିଟା ଧରି ପକେଇ କହିଲେ–‘‘ଅବଶ୍ୟ ସ୍ଥଳବିଶେଷରେ ବାର୍ଦ୍ଧକ୍ୟର ଡିଗ୍ରୀଟାରେ ପାର୍ଥକ୍ୟ ରହିଛି; ଏଇ ତ କାଲି ରାତିରେ କ’ଣ କହୁଥିଲ, ମନେ ନାହିଁ ?’’

 

ସୁମତି କୃତ୍ରମ ବିରକ୍ତିରେ ମୁହଁ ଫୁଲେଇ କହିଲେ,’’ମୁଁ ଜାଣେ, ଏମିତି ଗୁଡ଼ାଏ ଆଜେ ବାଜେ କଥା କହି ତମେ ଅସଲ କଥାଟା ଭୂଲାଇ ନେବାକୁ ଚାହଁ । କାହିଁକି ଶୁଣେ ? କ’ଣ ମୋର ଅପରାଧ ? ତମ ମନ କଥାଟା ଖୋଲି କହୁନ କାହିଁକି ? ନାଇଁ, ଆଜି ତମକୁ କହିବାକୁ ହେବ । ଏଇଠି ମୁଁ ବସିଲି...ତମଠୁ ଶେଷ କଥାଟା ନ ଶୁଣିଲା ପର୍ଯ୍ୟନ୍ତ ମୁଁ ଯାଉନି । ଆଜି କିଛି ନ ହେଉ, ମୋର କ’ଣ ହୋଇ ଯାଉଛି କି ?’’ ସୁମତି ପାଖ ଚେୟାରଟା ଉପରେ ଲଥ୍‌କିନା ବସିଲେ ।

 

‘‘ଆରେ । ସତକୁ ସତ ତମେ ରାଗି ଯାଇଛ ନା କ’ଣ ? ‘ଇଣ୍ଟରନେସନାଲ ଉଇମେନ୍‌ସ ଡେ’ ତ କେତେ ଦିନୁ ଗଲାଣି । ଆଜି ହଠାତ୍‌ ଶ୍ରୀମତୀଙ୍କର କୋପର କାରଣ ? ଅନ୍ତତଃ ଗଲା ରାତ୍ରିରେ ତ ତା’ର ସୂଚନା ମିଳିଥାନ୍ତା, ଯାହା ଫଳରେ କି ଏଇ ଅଧମ ସକାଳକୁ ‘ଦେହି ପଦପଲ୍ଲବ ମୁଦାରମ୍‌’... ।’’

 

ସୁମତି ହାତଟା ଘୋଷାରି ନେଇ କହିଲେ–

 

‘‘ସବୁବେଳେ ମତେ ଥଟ୍ଟା ତାମସା ଭଲ ଲାଗେ ନାହିଁ । ତମର ଏ ଘର ଖବର ବୁଝିବାର କିଛି ହେଲେ ଇଚ୍ଛା ନାହିଁ । ଏକା ତମର ନୁହେଁ, ତମ ଭାଇଙ୍କର, କି ଭାଇବୋହୂର, ଭଉଣୀମାନଙ୍କର କି ପୁଅ ଝିଅ କାହାର କେଉଁଥିରେ ଦାୟ ନାହିଁ । ଘରଟା ରୀତିମତ ହୋଟେଲ । ସମସ୍ତେ ଅର୍ଡ଼ର କରିବେ ଉପରୁ ବସି ଆଉ ମତେ ଚବିଶ୍‌ଘଣ୍ଟା ମରିବାକୁ ଅବସର ବି ନ ଥିବ । କାହିଁକି ? ଶୁଣେ ମୁଁ କି ଦୋଷ କରିଛି ?’’

 

ସିଗାରେଟ୍‌ରୁ ଧୂଆଁ ମେଞ୍ଚାଏ ସୁମତିଙ୍କ ମୁହଁକୁ ଲକ୍ଷ୍ୟ କରି ଛାଡ଼ୁ ଛାଡ଼ୁ ଅଭୟବାବୁ କହିଲେ–

 

‘‘କାହିଁ, ତୁମେ ତ ଏ ‘ନନ୍‌-କୋଅପରେସନ୍‌’ କଥା ମତେ ଆଗରୁ କହିନ ! ସମସ୍ତେ ଏ ଘରେ ଏମିତି ଗୋଟାଏ କାହିଁକି ହେଉଛନ୍ତି ? ଅଜୟ ଆଉ ଚିତ୍ରାଙ୍କର ଫେର୍‌ କ’ଣ ହେଲା ?’’

 

ସୁମତି, ଉତ୍ତର ଦେଲେ ନି । ସେଇ ପୁରୁଣା ଅଭ୍ୟାସ–ଆକ୍ଷିରେ ଲୁହ । ଅଭୟବାବୁ କହିଲେ–

 

‘‘ସୁମତି, ତମେ ବୁଝି ମଧ୍ୟ ଅବୁଝା । କେହି କାହାକୁ ଶାସନ କରି ଗତିପଥ ବଦଳାଇ ଦେଇ ପାରେ ନା । ଯୁଗ ତା’ର ବାଟରେ ଯିବ.... । ଛାଡ଼, ତମର ଚା, କଫି କି କୋକୋ ନେଇ ଯଦି ଏ ଘରେ କିଏ ବ୍ୟାଘାତ ସୃଷ୍ଟି କରୁଥାଏ, ତା’ହେଲେ ମୁଁ ଏଇନେ ତାକୁ ବାହାର କରି ଦେଉଛି-! ଏଇ ଅଜୟ.... !’’

 

ସୁମତି ଉଠି ତାଙ୍କ ପାଟିରେ ହାତ ଦେଇ କହିଲେ–

 

‘‘ମୋ ରାଣ ! ହାତ ଧରୁଛି । ତମେ ଯାଅ ବଗିଚାରେ ବୁଲି ଆସ । ଆଉ ପାଟିତୁଣ୍ଡ କର ନା.... । ଗଲ, ଉଠ ! ତେଣେ ତମ ତଅପୋଈଙ୍କର ଓଭାଲଟିନ୍‌ ବେଳ ହୋଇଗଲାଣି ।’’

 

ଅଭୟବାବୁ ଘଡ଼ିଟାକୁ ଅନାଇ ଚମକିଲା ପରି କହିଲେ–

 

‘‘ଯାଃ ! ସାତଟା ବାଜିଲାଣି । ଏକଦମ୍‌ ଲେଟ୍‌ । ଏ ବୟସରେ ସ୍ତ୍ରୀଲୋକଙ୍କ ବୁଦ୍ଧିରେ ପଡ଼ିଲେ ଦେଖୁଛି ଶୀଘ୍ର ବାର୍ଦ୍ଧକ୍ୟ, ତା’ପରେ ମୃତ୍ୟୁ..... ।’’

 

ସୁମତି କୃତ୍ରିମ ବିରକ୍ତିରେ ମୁହଁ ଫୁଲାଇ ଯାଉ ଯାଉ କହିଲେ–

 

‘‘ଆଃ ! ସକାଳୁ....ଗୋଟାଏ ଦିନ ବାକି ପଡ଼ିଛି ।’’

 

–ଦୁଇ–

 

‘‘ତମେ କ’ଣ ଚାହୁଁଛ ଖୋଲି କହୁନ କାହିଁକି ? ମୁଁ ରୋକ୍‌ଠୋକ୍‌ ଶୁଣିବାକୁ ଚାହେ ।’’ ଅଜୟ ଖବରକାଗଜ ଉପରୁ ମୁହଁ ଟେକି ଦୃଢ଼ କଣ୍ଠରେ ପଚାରିଲେ ।

 

ଚିତ୍ରଲେଖା ଝରକା ରେଲିଂ ଉପରେ ମୁହଁ ରଖି ରାସ୍ତା ଆଡ଼କୁ ଚାହିଁ ନିର୍ଲିପ୍ତ ଗଳାରେ ଜବାବ ଦେଲା–

 

‘‘ସେଇ ଗୋଟାଏ କଥା । କେତେ ବାର ତମେ ଶୁଣିବାକୁ ଚାହ ? ମୁଁ ଆଡ଼ଜଷ୍ଟମେଣ୍ଟ ଚାହେନା । କାରଣ ମୁଁ ସହ୍ୟ କରିବାର ସମସ୍ତ ସୀମା ହରେଇଛି । ଅତଏବ.... ।’’

 

ଅଜୟ କ୍ଷିପ୍ତ ଗଳାରେ କହିଲେ–

 

‘‘ଅତଏବ କ’ଣ ? ବିବାହ ପାଇଁ ମୁଁ ତୁମକୁ ବାଧ୍ୟ କରି ନ ଥିଲି । ଏପରି ବେଶ୍‌ ଚଳୁଥିଲା ।’’

 

ଚିତ୍ରଲେଖା କହିଲେ–

 

‘‘ବେଶ୍‌ ଭଲ ଚାଲିଥିଲା । ଅବଶ୍ୟ ମନ୍ଦ ନୁହେଁ । କିନ୍ତୁ ବିବାହ ପରେ । ମୋର ସମସ୍ତ ସ୍ୱାଧୀନତା ତମ ପାଖରେ ସ୍ୱଚ୍ଛାଚାରିତା ଓ ବ୍ୟଭିଚାର । ମୋର ସମସ୍ତ ବ୍ୟକ୍ତିତ୍ୱ ବର୍ତ୍ତମାନ ତମର ଖେୟାଲ୍‌ । ଆଉ ମୁଁ ତମର ଗୋଟାଏ ସମ୍ପତ୍ତି....ହାଓ ନାଷ୍ଟି !’’

 

ଅଜୟ ଖବରକାଗଜରେ ମୁହଁ ଚାପି କହିଲେ–

 

‘‘ସାଧାରଣ ଶିଷ୍ଟାଚାରବୋଧ ରହିବା ତମର ଦରକାର । ଅନ୍ତତଃ ସାମାଜିକ ଜୀବନ ପ୍ରତି ଦୃଷ୍ଟି ରହିବା ତମର ଉଚିତ୍‌ ବୋଲି ମୁଁ ମନେକରେ ।’’

 

ଚିତ୍ରଲେଖା ରାଗରେ କମ୍ପି ଉଠି କହିଲେ–

 

‘‘ସମାଜରେ ବଞ୍ଚିବା ପାଇଁ ମୁଁ ଏଠାକୁ ଆସି ନି । ମୁଁ ଆସିଥିଲି ବଞ୍ଚିବା ପାଇଁ.....ସୁସ୍ଥ ମଣିଷ ପରି, ସବଳ ଦେହ ଆଉ ମନ ନେଇ । ଗୁଜୁରାଣ ମେଣ୍ଟାଇବା ପାଇଁ ମୁଁ ଏଠାକୁ ଆସିଛି ବୋଲି ତମେ ଯଦି ମନେ କରୁଥାଅ, ତା’ହେଲେ ସେଇଟା ତମର ଭୁଲ୍‌ ।’’

 

ଅଜୟ ଖବରକାଗଜଟା ଫୋପାଡ଼ି ଦେଇ ଉଠିପଡ଼ିଲେ ଏବଂ ପାଖକୁ ଆସି ପଚାରିଲେ–

 

‘‘ମେଣ୍ଟେନାନ୍‌ସ ପାଇଁ ତମେ ଦାବୀ କରିବନି ତ ? ଆଉ ଚାରି ମାସ ପରେ ଯେଉଁ ଶିଶୁ ଜନ୍ମ ନେବ, ତା’ର ଦାୟିତ୍ୱ ନେଇପାରିବ ଯଦି ମୋର ଆପତ୍ତି ନାହିଁ !’’

 

ଚିତ୍ରଲେଖା ଅଜୟଙ୍କୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୃଣାରେ ଚାହିଁଥିଲେ । ପୁରୁଷର ଏଇ ଚରମ ଦାୟିତ୍ୱହୀନତା, ନାରୀ ପ୍ରତି ଏଇ ଅବହେଳା କୌଣସିଟା ସହ ସାଲିସ କରି ସେ ଏଠାରେ ରହିପାରିବେ ନି । ଦିନ ଦିନ ଧରି ଏଇ ଯନ୍ତ୍ରଣାର ଅବସାନ ହେବା ଉଚିତ୍‌......ନଚେତ୍‌ ସେ ମରିଯିବେ । ତାଙ୍କର ସୀତା ସାବିତ୍ରୀର ଗୌରବ ଲୋଡ଼ା ନାହିଁ....ସେ ଚାହାନ୍ତି ମୁକ୍ତି, ମୁକ୍ତି, ଅଖଣ୍ଡ ମୁକ୍ତି । ଆଉ ? ଯେପରି ତାଙ୍କର ମନେ ହେଲା ଅଜସ୍ର ଘୃଣାରେ ତାଙ୍କ ଛାତି ଭିତରଟା ଭାଙ୍ଗିପଡ଼ୁଛି....ଭାଙ୍ଗି ପଡ଼ୁଛି ।

 

ଚିତ୍ରଲେଖା ଖଟ ଉପରେ ବସି କହିଲେ–‘‘ନା, ଏ ଶିଶୁର ଦାୟିତ୍ୱ ମୋର । ମୁଁ ତାକୁ ଜନ୍ମ ଦେଇପାରେ, ନ ଦେଇ ବି ପାରେ । ମୁଁ ଟ୍ରାଡ଼ିସନ୍‌ସରେ ବିଶ୍ୱାସ କରେ ନା ।’’

 

 

ଅଜୟ ଉତ୍ତର ଦେଲାନି । ନିର୍ଲପ୍ତ ଭଙ୍ଗୀରେ ସେ ସିଗାରେଟ୍‌ ଟାଣୁ ଟାଣୁ କହିଲେ–‘‘ତମର ବୋଧେ ଅବ୍‌ଜେକ୍‌ସନ ନାହିଁ ଚିତ୍ର ! ଶାନ୍ତା ସହିତ ଗୋଟାଏ କ୍ଲବ୍‌ରେ ଆପଏଣ୍ଟମେଣ୍ଟ ଥିଲା । ମୁଁ ଟେକି ଫୋନ୍‌କରୁଛି..... ।’’

 

‘‘ନୋ ଅବଜେକ୍‌ସନ୍‌ । ଉଇସ୍‌ଇଉ ବେଷ୍ଟ ଅଫ୍‌ ଲକ୍‌ ।’’ ଧୀର ପଦକ୍ଷେପରେ ଚିତ୍ରଲେଖା ଚାଲିଗଲେ । ସତେ କି ସେ ଗୋଟାଏ ପୂର୍ଣ୍ଣଚ୍ଛେଦ !

 

–ତିନି–

 

‘‘ଦାଦା !’’

 

‘‘କ’ଣ ଟିକୁ !’’ ଅକ୍ଷୟ ମୁଣ୍ଟଟେକି ଚାହିଁଲା ବହି ଉପରୁ ।

 

‘‘କାଲି କହିଥିଲ ନା ଗପ କହିବ ବୋଲି ! ଏଇକ୍ଷଣି କହିବ ? ଡାକିବି ଫୁକୁକୁ ?’’

 

‘‘ନା; ଅବି ନାହିଁ । ତୁ ଗଲୁ ମା’କୁ କହିବୁ କଫି, ବ୍ଲାକ୍‌ କଫି କପେ ଶୀଘ୍ର ପଠାଇବ । ଯା, ତୁ ନେଇଆ.......ତା’ ପରେ ବୋମା କେମିତି ତିଆରି ହୁଏ ତତେ କହିବି ।’’

 

‘‘ସତରେ ଦାଦା ! କହିବ....ଫୁକୁକୁ ଡାକିବି ନା ନାହିଁ ? ତମେ ସେଦିନ କହିଥିଲ ନା ଝିଅ ପିଲା ଯୁଦ୍ଧ କଥା ଶୁଣିଲେ ଡରିଯାନ୍ତି । ମତେ ଏକା କହିବ । ଦେଖିବ ଦାଦା, ବଡ଼ ହେଲେ ମୁଁ ବୋମା ତିଆରି କରିବି, ଜାହାଜ କରିବି......ଭାଏଁ, ଭାଏଁ, ଖଣ୍ଡା ବୁଲାଇ...’’

 

ଅକ୍ଷୟ ଉଠିପଡ଼ିଲା । ଟିକୁକୁ କୋଳକୁ ଟେକି ନେଇ କହିଲା–

 

‘‘ନା ରେ ବୋକା ! ଖଣ୍ଡାଫଣ୍ଡାରେ ଆଜିକାଲି ସିନେମା ଛଡ଼ା କେଉଁଠି ଯୁଦ୍ଧ ହେଉନି । ରକେଟ୍‌ ନେଇ ଯୁଦ୍ଧ ହେବ । ଚନ୍ଦ୍ର ମଣ୍ଡଳରେ ତୁ ଥାଇ ମଙ୍ଗଳଗ୍ରହ ସଙ୍ଗରେ ଯୁଦ୍ଧ କରିବୁ । ବାଃ କେମିତି ମଜା ହେବ.... !’’

 

ଟିକୁର ଆଖି ଯୁଦ୍ଧର ସୁନେଲି ସ୍ୱପ୍ନରେ ବନ୍ଦ ହୋଇ ଆସୁଥିଲା । ରାତି ରାତି ଦିନ ଦିନ ଖାଲି ସେଇ ସ୍ୱପ୍ନ । ଆଉ ତା’ ମୂଳରେ ଦାଦାର ଅବଦାନ ଯଥେଷ୍ଟ; କିନ୍ତୁ ଗୋଟାଏ କଥାରେ ମନରେ ବଡ଼ ଖଟ୍‌କା ଲାଗୁଛି । ଯଦି ଯୁଦ୍ଧ ହେଉ ହେଉ ବୋମାଟା ଆସି ତାଙ୍କ ଘର ଉପରେ ପଡ଼ିଯାଏ....ଯଦି ମା’ ଉପରେ ପଡ଼ିଯାଏ, ତା’ହେଲେ କଣ ହେବ ? ଠିକ୍‌ ସେଇ ସିନେମାରେ ମା’ଟା ବୋମାରେ ଛଟପଟ ହୋଇ ମରିଯିବାର ଯେଉଁ ମର୍ମନ୍ତୁଦ ଦୃଶ୍ୟ ସେଇଟା କେବେ ହେଲେ ଟିକୁ ପାସୋରି ପାରିବ ନି; କିନ୍ତୁ ଦାଦାକୁ ଏ ପ୍ରଶ୍ନ କରାଯାଇ ପାରିବ ନି । ଅବଶ୍ୟ ବୋମାଟାକୁ ଏମିତି ଭାବରେ ପକାଇବାକୁ ହେବ ଯେମିତି ସେଇଟା ତାଙ୍କ ଘର ଉପରେ ବିଶେଷତଃ ମା’ର ଶୋଇଲା ଘର ଉପରେ କି ରୋଷେଇ ଘର ଉପରେ ନ ପଡ଼େ ।

 

ଅକ୍ଷୟ କୋଳରୁ ଓହ୍ଲାଇ ଟିକୁ ଏଇ କଥା ଭାବି ଭାବି ରୋଷେଇ ଘର ଆଡ଼କୁ ଗଲା ।

 

ଅକ୍ଷୟ ଛିଡ଼ା ହୋଇ ଦର୍ପଣରେ ନିଜକୁ ସମୀକ୍ଷା କରିବାକୁ ଆରମ୍ଭ କଲା । ଇଉନିୟନ୍‌ ଇଲେକ୍‌ସନ୍‌ଟା ପାଖେଇ ଆସୁଛି । ଭାଷଣ ଗୋଟେ ଅଧେ ରେଡ଼ି କରିବାକୁ ହେବ । କି କି ଶବ୍ଦ ନେଇ କରିବାକୁ ହେବ, ଗୋଟାଏ ସମସ୍ୟା । ଖାଲି ସେତିକି ନୁହେଁ । କ’ଣ ପିନ୍ଧି କରି ଯିବାକୁ ହେବ ? ଧୋତି ପିନ୍ଧି ଗଲେ କିଏ କହିବ ମାଇଚିଆ ତ ପ୍ୟାଣ୍ଟ ପିନ୍ଧି ଗଲେ କିଏ ବିଜାତୀୟ କହିବ । ସେଥିରେ ଢିଲା କି ନଳୀ ପ୍ୟାଣ୍ଟ ଆଉ ଗୋଟାଏ ଚିନ୍ତା । ବାପ୍‍ରେ.....ଝିଅଗୁଡ଼ାକଙ୍କ ଆଖି ଯେମିତି ଗୋଟାଏ ନିଆଁପିଣ୍ଡୁଳା । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଯେତେବେଳେ ଚାହିଁ ଦେବେ ନା, ମନେ ହେବ ଏହାଠାରୁ ଦି’ ଚାରିଟା ବୋମା ପଡ଼ିଯିବା ଭଲ । ଏପରି ଅବସ୍ଥାରେ ଭାଷଣ ଦେବା କମ୍‌ କଷ୍ଟକର ନୁହେଁ ।

 

ଅକ୍ଷୟ ନିଜ ନିଶ ଉପରେ ଟିକିଏ ହାତ ମାରି ଆଣିଲା । ଜୟା କହୁଥିଲା, ଝିଅମାନେ ସାମାନ୍ୟ ନିଶକୁ ଭଲ ପାନ୍ତି । ବେଶୀ ଗହଳିଆ ନିଶ କୁଆଡ଼େ କୁତୁ କୁତୁ ଲାଗେ ଧେତ୍‌ ! ଏ ନିଶ, ପୋଷାକ ଆଉ ଶବ୍ଦର ସମସ୍ୟା ତ ଇଲେକ୍‌ସନ୍‌ର ହାର୍‌-ଜିତ୍‌ଠାରୁ ଆହୁରି ସମସ୍ୟା ହେଲାଣି.... ।

 

ଭାଷଣ ଲେଖାଥିବା କାଗଜଟା ଉଠାଇ ନେଇ ଅକ୍ଷୟ ଦର୍ପଣ ସାମ୍ନାରେ ଛିଡ଼ା ହେଲା । ନଗେନ୍‌ କହିଥିଲା, ମୁହଁଟାରେ ସାମାନ୍ୟ ହସ, ଅର୍ଥାତ୍‌ଯେଉଁଥିରେ ବୀରତ୍ୱ ଫୁଟି ଉଠିବ, କିନ୍ତୁ ହେରେସାମି ଜଣାପଡ଼ିବ ନି, ଏମିତି ଗୋଟାଏ ହସ ଦେବାକୁ ହେବ । ସାମାନ୍ୟ ଯାଃ । ହସିଲା ବେଳକୁ ବାଁ ପାଖ ଓଠଟା ଏମିତି ବାଙ୍କିଲା ପରି ଦିଶୁଛି କାହିଁକି ? ବରଂ ନ ହସିବା ଭଲ... । ଉହୁଁ...ତା ବି ହେବ ନି ।

 

ଅକ୍ଷୟ ଥକ୍‌କା ହୋଇ ବସିପଡ଼ିଲା ଚେୟାର ଉପରେ । ପେଟ ଭୋକରେ କଁ କଁ ଡାକିଲାଣି । ଜଳଖିଆ ତ ଦୂରର କଥା, ସାତଟା ବାଜିଗଲାଣି, କପେ କଫି ଦେଖା ନାହିଁ । ଏଇ ଘରେ ମଣିଷ କରେ କ’ଣ ? ଏପରି ଘରେ ଜନ୍ମହେବା ଗୋଟାଏ ଅଭିଶାପ । ତା’ ଅପେକ୍ଷା ବରଂ ହଷ୍ଟେଲ୍‌ କି ହୋଟେଲ ଭଲ । ଏମାନେ କୌଣସି କାମ କରାଇ ଦେବେ ନି.....କଥା ପଦେ ତ କେହି ଧୈର୍ଯ୍ୟ ଧରି ଶୁଣିବେନି । ଗୋଟାଏ କଲେଜ ଛାତ୍ରର କ’ଣ କ’ଣ ଦରକାର ଏ ବିଷୟରେ ପରିବାରର ଯଦି ଦାୟିତ୍ୱବୋଧ ନ ରହେ, ତେବେ ଦେଶରେ ସରକାର ରହିବ କାହିଁକି, ଅନୁଷ୍ଠାନ, ସଂଘ ରହିବ କାହିଁକି ? ଏଇ ଯେ ଏତେଗୁଡ଼ିଏ ସମୟ କଫି କପେ ପାଇଁ ଅପେକ୍ଷା କରିବାକୁ ପଡ଼ିଲା ଏବଂ ଅପେକ୍ଷାରେ ହିଁ ନଷ୍ଟ ହେଲା, କିଏ ଜାଣେ ହୁଏତ ସମୟ ଭିତରେ ମୁଁ ଗୋଟାଏ ନୂତନ ଚିନ୍ତାଧାରା ସୃଷ୍ଟି କରିପାରିଥାନ୍ତି, କିମ୍ବା ଗୋଟାଏ କିଛି ଆବିଷ୍କାର କରି ପାରିଥାନ୍ତି....ହଅ କିଛି ନ ହେଲେ ବି ଭାଷଣଟା ତ ରେଡ଼ି ହୋଇ ପାରିଥାନ୍ତା ।

 

ନାଃ ! ହବ ନି, ହବ ନି । ଅକ୍ଷୟ ଉଠିପଡ଼ି ରୁମ୍‌ରୁ ବାହାରକୁ ଆସିଲା । ଉପର ମହଲାରୁ ସିଧା ଅନେଇଲେ ରୋଷେଇ ଘରଟା ଦିଶେ । ଆଶ୍ଚର୍ଯ୍ୟ ! ସାତଟା ବାଜିଲାଣି, ଅଥଚ ରୋଷାଇଘର ବନ୍ଦ.....

 

ଅକ୍ଷୟ ମୁଣ୍ଡ ଭିତରେ ନିଆଁ ଲାଗିଯାଇଥିଲା । ବିପ୍ଲବ ଦରକାର, ସଂଘର୍ଷ ଦରକାର । ଖାଲି ଚର୍ଚ୍ଚ, ମନ୍ଦିର, ମସ୍‌ଜିଦ୍‌ ଭାଙ୍ଗିବା କି ସରକାରର ପୁରୁଣା ନୀତି ଭାଙ୍ଗିବାଟା ବଡ଼ କଥା ନୁହେଁ....ଏଇ ଶିଉଳି ଲଗା ପୁରୁଣା ଫେମିଲି ସିଷ୍ଟମ୍‌ଆଉ ତା’ର ସବୁ ଟ୍ରାଡ଼ିସନ୍‌ସ ପ୍ରଥମେ ଭାଙ୍ଗି ଦବାକୁ ହେବ । ଟପ୍‌ଟୁ ବଟମ୍‌ ସବୁର ପରିବର୍ତ୍ତନ ଦରକାର.... ।

 

ଅକ୍ଷୟ ସାର୍ଟଟା ପିନ୍ଧି ଗୋଡ଼ରେ ସ୍ୟାଣ୍ଡାଲ୍‌ ହଳେ ଲଗାଇ ପ୍ୟାଣ୍ଟ ପକେଟରେ ଆର୍ଥିକ ଅବସ୍ଥାଟା ତଉଲି ନେଇ ରୁମ୍‌ଟା ଲକ୍‌ଅପ୍‌ କଲା ବିଡ୍‌ବିଡ୍‌ ହୋଇ ।

 

–ଚାରି–

 

ଅନୁ ଆଖି ଖୋଲି ପୁଣି ବନ୍ଦ କଲା । ମିନୁର ଅଧାମୁକୁଳା ଶରୀରର ଯୌବନର ଦୀପ୍ତି ଯେପରି ଏତେ ସକାଳୁ ଆଖିଟାକୁ ଝଲସାଇ ଦେଉଛି । ଦର୍ପଣରେ ନିଜକୁ ସଜାଡ଼ି ନେବାର ପ୍ରଣାଳୀଟା ମିନୁର ଅଦ୍ଭୁତ ।

 

ଅସହ୍ୟ ମନେକରି ଅନୁ କହିଲା–

 

‘‘ଏତେ ସକାଳୁ ବାହାରିଲୁଣି ? କୁଆଡ଼େ ?’’

 

‘‘ପିକ୍‌ନିକ । ଚଣ୍ଡୀଖୋଲ ଯିବି, ତତେ କହିଥିଲି ନା ଅପା !’’

 

‘‘ତୁ ଆଉ କିଏ ?’’

 

ଲିପ୍‌ଷ୍ଟିକ୍‌ଟା ଓଠ ଉପରେ ବୁଲାଇ ନେଇ ବିରକ୍ତ ହେଲା ପରି ମିନୁ କହିଲା–

 

‘‘ଯାଃ ସବୁ କଥା ତୁ ଭୁଲିଯାଉଚୁ ? ମୁଁ ଆଉ ଅରୁଣ...ଆଉ କିଏ ? ଦେଖିଲୁ ଅପା ! ଏ ମୁଦିଟା କେମିତି ହୋଇଛି ?’’

 

‘‘ମିନୁ !’’

 

‘‘ହଁ ଅପା ! ଧରିନେ ଏଇଟା ମୋର ଏନ୍‌ଗେଜ୍‌ମେଣ୍ଟ ରଙ୍ଗ । ଲା......ଲା.....ଲା.... ।’’

 

ଅନୁ ଅନେଇଥିଲା ମିନୁକୁ । ଆଖିରେ ତା’ର ଅନେକ ସ୍ୱପ୍ନ । ଦେହରେ ବସନ୍ତର ପ୍ରାଚୁର୍ଯ୍ୟ; କିନ୍ତୁ ବିକୃତ କାହିଁକି ହେଲା ତା’ର ଦୃଷ୍ଟି କୋଣ ? ଏଇ ଚାରି ମାସ ତଳେ ସୁରମାକୁ ଗୋଟାଏ ରିଙ୍ଗ ଦେଇଥିଲା ଅରୁଣ । ଆଉ ଏମିତି ପ୍ରାଣପ୍ରାଚୁର୍ଯ୍ୟରେ ସେଦିନ ସେ ହସି ହସି ଭାଙ୍ଗିପଡ଼ୁଥିଲା । ମାତ୍ର ହଠାତ୍‌ ମିନୁ ତା’ର ଶିକାର ହେଲା କେମିତି ?

 

ମିନୁ ଅପାକୁ ଅତ୍‌ମତ୍‌ ହେବାର ଦେଖି ପରିହାସରେ ପଚାରିଲା–

 

‘‘କ’ଣ ଏପରି ଚିନ୍ତାମଗ୍ନ ହୋଇଗଲୁ ଯେ... !’’

 

ଗମ୍ଭୀର ହୋଇ ଅନୁ କହିଲା–

 

‘‘କିଛି ଭଲ କଲୁନି ମିନୁ ! ତୁ ତ ଜାଣିଛୁ ସୁରମାର.... ।’’

 

ମୁହଁରେ ଅଜସ୍ର ଘୃଣା ଫୁଟାଇ ମିନୁ କହିଲା–

 

‘‘ସୁରମା କଥା ତୁ ମତେ କହ ନା । କାହାର କିଛି ଅଭିଯୋଗ ମୁଁ ବରଦାସ୍ତ କରେ ନା...ମୁଁ ଜାଣେ ଠିକ୍‍ କରୁଛି କି ନାହିଁ । ଆଉ ଏଥିରେ ଭୁଲ ବା କେଉଁଠି ?’’

 

‘‘କ’ଣ କହିଲୁ ? ଭୁଲ ନାହିଁ.... ? ସାମାନ୍ୟ ଗୋଟାଏ ମୁଦି ପାଇଁ ? ଭୁଲ ଠିକ୍‌ ଜାଣିବାର ଯଥେଷ୍ଟ ବୟସ ତୋର ହୋଇଛି... ।’’

 

ମିନୁ ଭ୍ରୂ ଉପରେ ପେନ୍‌ସିଲଟା ଦେଇ ତିର୍ଯ୍ୟକ୍‌ ରେଖା ଟାଣୁ ଟାଣୁ କହିଲା–

 

‘‘ଭୁଲ ଠିକ୍‍ର ମାନେ ? ମୁଁ ଅନ୍ତତଃ ବୋକା ନୁହେଁ ତୋ ପରି । ସେଦିନ ମନେ ପଡ଼ୁଛି...ବିଭୂତିବାବୁଙ୍କ ଉପରେ ରାଗି ତୁ ନେକ୍‌ଲେସଟା ଫୋପାଡ଼ିଦେଲୁ...କି ସୁନ୍ଦର ସେଇ ଜାପାନିଜ୍‌ ଶାଢ଼ୀଟା ସେଦିନ ସେ ପଠେଇଥିଲେ ମୋ ହାତରେ..ତୁଇ ତାକୁ ଟିକ୍‌ଟିକ୍‌ କରି ଚିରି ଫୋପାଡ଼ିଦେଲୁ...ମୁ ତୋ’ ପରି ସ୍ୱପ୍ନବିଳାସୀ ନୁହେଁ । ଅବଶ୍ୟ ମାନୁଛି ଅପା...ମୋର ଖାଲି ପ୍ରେଲୋଟାରିଏଟ୍‌ ଫ୍ରେଣ୍ଡସ ।’’

 

‘‘ମିନୁ !’’

 

ମିନୁ ଉତ୍ତର ଦେଲା ନି । ହଠାତ୍‌ ଅତର ଗନ୍ଧରେ ଘରଟା ଭରପୂର ହୋଇଉଠିଲା ।

 

ମିନୁ ସୁର ଧରିଥିଲା ଗୋଟାଏ ସିନେମା ଗୀତର ।

 

‘‘ମୁଁ ଆସୁଛି ଅପା ! ଆଉ ଚା’ ପାଇଁ ଅପେକ୍ଷା କରିପାରିବି ନି । ଭାଉଜଙ୍କର ସେନ୍‌ସ ଅଫ୍‌ଟାଇମ୍‌ ଟିକେ କମ୍‌....ତେବେ ବି ଘରର ରୁଲ୍‌ସଟା ମାନି ଅପେକ୍ଷା କରିଥିଲି.... ।’’

 

ମିନୁ ଚାଲିଗଲା । ଅନୁ ଅନ୍ୟମନସ୍କ ହୋଇ ତା’ର ଯିବା ବାଟକୁ ଚାହିଁଥିଲା । ପୃଥିବୀର ଇତିହାସରେ ଏମିତି କେତେ ମୁହୂର୍ତ୍ତରେ ଅନିଶ୍ଚିତତା, ଦ୍ୱନ୍ଦ୍ୱ ଆଉ ଭୁଲ୍‌ଠିକର ଗଣନା ନିରର୍ଥକ ଅଥଚ କଷ୍ଟଦାୟକ, କିଏ ତା’ର ହିସାବ ରହିଛି ? ବଞ୍ଚି ରହିବାର ଦୃଷ୍ଟିକୋଣରେ ସମତା ସ୍ଥାପନ ସମ୍ଭବ ନୁହେଁ । ...ଆଉ ସେଇଥିପାଇଁ ହୁଏତ ବିଭେଦ ଆଉ ଆଉ ଅସମତା ପୃଥିବୀର ନିୟମ... । କେବଳ ଧନର ନୁହେଁ, ମନ ଆଉ ଦୃଷ୍ଟିକୋଣର ବି ।

 

ସେଣ୍ଟ୍‌ର ଗନ୍ଧ ତିକ୍ତକର । ଆଉ ତା’ ସହିତ ନାନା ଜାତିର କସ୍‌ମେଟିକ୍‌ସ ମିଶି ଯେଉଁ ତୃତୀୟ ଗନ୍ଧର ଆବିଷ୍କାର ସେଥିରେ ଅଣନିଃଶ୍ୱାସୀ ମନେ କରୁଥିଲା ଅନୁ । ବାଥ୍‌ରୁମ କବାଟ ଖୋଲି ନିଜକୁ କୌଣସିମତେ ଘୋଷାରିନେଲା ସେ ତା’ ଭିତରକୁ ।

 

–ପାଞ୍ଚ–

 

ଫୁକୁ ତା’ର ଟେବଲ୍‌ ପାଖରେ ବସି ବଡ଼ ଚିନ୍ତାମଗ୍ନ ହୋଇ ଯାଇଥିଲା । ସାର୍‌ଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ । କରେ ଏବେ ସେ କ’ଣ ? ଏଇକ୍ଷଣି ଉଠିଯାଇ ଖେଳିବା ବୁଲିବା ତା’ ପକ୍ଷରେ ଅସମ୍ଭବ । ଦାଦାଙ୍କ ପାଖରେ ବସି ଟିକୁ ଗପ ଶୁଣୁଥିବ କି ଖୁଡ଼ୀଙ୍କ ପାଖରେ ପାଉଡ଼ର ଲଗାଉଥିବ । ଆଃ ସେ ଯଦି ଟିକୁ ହୋଇଥାନ୍ତା...ନା ଯଦି ସେ ବଡ଼ ଦାଦାଙ୍କ ଭଳି ହୋଇଥାନ୍ତା.... । ଇସ୍‌ ! କେତେ ମଜା । ଗାଡ଼ି ଧରି ଚାଲିଯାନ୍ତା....ଦୂରକୁ ଦୂରକୁ । ବାପା କିଛି କହନ୍ତେ ନି, ଖାଲି ହସୁଥାନ୍ତେ । କିନ୍ତୁ....ଯାଃ । ମଜା ଆଉ କ’ଣ ?

 

ଖୁଡ଼ୀ ଯେତେବେଳେ ବିରକ୍ତ ହୁଅନ୍ତି, ଦାଦା କେମିତି ଡରିଯାନ୍ତି....ସେ କିନ୍ତୁ କାହାକୁ ଡରିବାକୁ ରାଜି ନୁହେଁ.... । ଅତଏବ । ଅତଏବ ସାନ ଦାଦା ହୋଇଥିଲେ....ଇସ୍‌ । ଏତେ ବହି ଧରି ସ୍କୁଲକୁ ଯିବାକୁ ହୁଅନ୍ତା ନି କି ସକାଳୁ ସାର୍‌ଙ୍କୁ ଡରିବାକୁ ହୁଅନ୍ତା ନି..... । ଖଣ୍ଡେ ଖାତା ଧରି ପ୍ରତିଦିନ ସକାଳୁ ଚାଲିଯାନ୍ତା କି ସଂଧ୍ୟାରେ ଫେରନ୍ତା । ଖାଲି ବୁଲୁଥାନ୍ତା.... । କିନ୍ତୁ ଯାଃ ! ଆଉ ଭଲ କ’ଣ ? ସାନଦାଦାଙ୍କ କାନଟା କେମିତି ସେଦିନ ବାପା ମୋଡ଼ିଦେଲେ ? ଯେମିତି ହେଲେ ତ ବାପାଙ୍କୁ ଡରିବାକୁ ହେବ.... ।

 

ନାଃ ଧର ଯଦି ସେ ଅନୁପମା ହୋଇଥାନ୍ତା । ବାପ୍‌ରେ ବାପ୍‌ । କିଏ ସବୁବେଳେ ବହି ଧରି ବସିପାରିବ, ହସିବନି, କୁଆଡ଼େ ଯିବନି...ମୁହଁଟା ରାଗିଲା ରାଗିଲା, ଆଖିଟାରୁ ନିଆଁ ବାହାରୁଥିବ... । ଛି ଛି, ପ୍ରଭୁ, ଅନୁ ଅପା ପରି କେବେ ଯେମିତି ସେ ନ ହୁଏ ।

 

ଆଉ ମିନୁ ଅପା ! ଉ ହୁଁ, ସବୁ ଭଲ । ହେଲେ ମିନୁ ଅପାଟା ବଡ଼ ରାଗୀ । କଥା–କଥାକେ ମାରେ, କାନ ମୋଡ଼ିଦିଏ; ବାଳ ଟାଣି ଦିଏ...ଆଉ ମା’କୁ ଜବାବ ଦିଏ, ବାପାଙ୍କୁ ଠୋ ଠୋ କଥା କହେ... ଯାଃ ! ମିନୁ ଅପାକୁ ସେ ମୋଟେ ଭଲ ପାଏନି । ତା ପରି ଗୋଟାଏ କ’ଣ ହେବ ?

 

ଆଉ ବାପା କି ମା ? ଯାଃ ! କେହି ଭଲ ନୁହନ୍ତି । ସବୁବେଳେ ଖାଲି ପାଠ ପଢ଼, ଆଉ ପାଠ ପଢ଼ । ଆଉ ଯେମିତି କିଛି ନାହିଁ.... ।

 

ତେବେ ସେ କାହା ପରି ହୋଇଥାନ୍ତା ? କାହାପରି... ? ବାଘ, ଭାଲୁ, ହାତୀ, ମୟୁର, ଶୁଆ, ସାରୀ ନା... ।

 

କେହି ତ ଭଲ ଲାଗୁ ନାହାନ୍ତି । ଉଁ...ହୁଁ... ସାର୍‌ କହୁଥିଲେ...... କ’ଣ ତ ......ମଣିଷ କୁଆଡ଼େ ଆଗେ ମାଙ୍କଡ଼ ଥିଲା । ସତ ?

 

ଫୁକୁର ଆଖି ଆଗରେ ନାଚିଗଲା ପଲ ପଲ ଛୋଟ ବଡ଼ ମାଙ୍କଡ଼ । ବଣ ଜଙ୍ଗଲ ବୁଲି ଗଛରୁ ଗଛକୁ ଡେଇଁ ଡେଇଁକି କୋଠାରୁ କୋଠାକୁ କୁଦା ମାରି କେତେ ସୁଖରେ ସେମାନେ ବଞ୍ଚିଛନ୍ତି । କି ଆନନ୍ଦ ? ପାଠ ପଢ଼ିବାକୁ ତାଡ଼ା ନାହିଁ; ସଫା ଜାମା ଦରକାର ନାହିଁ...ଖାଲି ଖୁସି ଆଉ ଖୁସି । ଉଡ଼ି ଉଡ଼ି ବୁଲୁଛନ୍ତି ଆଉ ଡେଇଁ ଡେଇଁ ନାଚୁଛନ୍ତି.... ।

 

ଫୁକୁର ମନଟା ଦୁଃଖରେ ଭାଙ୍ଗିଲା । ମାଙ୍କଡ଼ ହୋଇଥିଲେ ସେ କେତେ ଖୁସିରେ ବର୍ତ୍ତମାନ ବୁଲୁଥାନ୍ତା । ମାଙ୍କଡ଼ସବୁ କ’ଣ ପାଇଁ ମଣିଷ ହୋଇଗଲେ ? ଯଦି ବା ହୋଇଗଲେ କ’ଣ ଆଉ ଥରେ ମାଙ୍କଡ଼ ହୋଇ ପାରିବେନି ? ଏତେ କଥା ତ ହୋଇପାରୁଛି....ମଣିଷ କାହିଁକି ମାଙ୍କଡ଼ ହୋଇ ପାରିବନି... !!

 

କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରରେ ଗଣେଶ ମୂର୍ତ୍ତିକୁ ଦୁଇ ହାତ ଯୋଡ଼ି ପ୍ରମାଣ କରି ଫୁକୁ କହିଲା–

 

‘‘ପ୍ରଭୁ ଗଣେଶ ! ମଣିଷକୁ ତମେ ଶୀଘ୍ର ମାଙ୍କଡ଼ କରିଦିଅ । ଏତେ ପାଠ ସେ ମନେ ରଖି ପାରିବନି । ଏତେ କଥା ସେ ବୁଝିପାରିବନି । ତମେ ମଣିଷକୁ ମାଙ୍କଡ଼ କରିଦିଅ ପ୍ରଭୁ... !’’

Image

 

ଆନନ୍ଦବାବୁ, କୋକିଳ ଦେଈ ଓ ଡିଭାଲ୍ୟୁଏସନ

 

ଆନନ୍ଦବାବୁ ମୁହଁ ହାଣ୍ଡି ପରି କରି ଘର ଭିତରେ ପଶିଲେ । ଦେହ, ହାତ, ବେକରୁ ସର ସର ହୋଇ ଝାଳ ବହୁଛି ।

 

ସ୍ତ୍ରୀ କୋକିଳ ଦେଈ ଆସି ଦୁଆର ମୁହଁରେ ଛିଡ଼ାହେଲେ । କ’ଣ କହିବେ ହୋଇ ଭରସି କହିପାରିଲେ ନାହିଁ । ଆନନ୍ଦବାବୁଙ୍କର ମୁହଁଟି ବଡ଼ । ସେଥିରେ ଯଦି ସେ ତାକୁ କୌଣସି ମତେ ଟିକିଏ ଫୁଲାଫୁଲି କରି ଦିଅନ୍ତି, ତା’ହେଲେ ଆଉ ତାକୁ ଚାହିଁବାର କଥା ନୁହଁ ।

 

କୋକିଳ ଦେଈ ଟିକିଏ ଛିଡ଼ା ହୋଇ ମୁହଁ ନେଫେଡ଼ି ଦେଇ ଫେରିଲେ । ଆଉ ଶୁଣେଇ ଶୁଣେଇ କହିଲେ–

 

‘‘ଯାଏ ଲୋ ମା, ଘର ଗୋଟାକର କାମ ପଡ଼ିଛି; ଯେଉଁ କାମକୁ ତ ନ ହେବି ସେ କାମ ସରିବ ନାହିଁ । ସେଥିରେ ଯଦି କଥା ପଦେ ବି ଶୁଣିବାକୁ ମିଳନ୍ତା.... !’’

 

ଆନନ୍ଦବାବୁ ତଥାପି କିଛି କହିଲେ ନାହିଁ । ଗୋଡ଼ ହାତ ମନ ସବୁ କ୍ଲାନ୍ତିରେ ଭାଙ୍ଗି ପଡ଼ୁଛି । ସେ ସେମିତି ଲୁଗା ପିନ୍ଧି ଖଟ ଉପରେ ଗଡ଼ି ପଡ଼ିଲେ ।

 

ପିଲାଗୁଡ଼ାକ ପାଖ ପଡ଼ିଆରେ ଚଢ଼େଇମାନଙ୍କ ପରି କାଉରୁମାଉରୁ ହୋଇ କଂପେଇ ଚାଲିଛନ୍ତି । ଧେତ୍‌ ! ମଣିଷକୁ ଘରେ ବାହାରେ କେଉଁଠି ହେଲେ ଟିକିଏ ଶାନ୍ତି ନାହିଁ ।

 

ଆନନ୍ଦବାବୁ କର ଲେଉଟାଇଲେ । ଟିକକ କଥାରେ ଆଜିକାଲି ତାଙ୍କୁ କଷ୍ଟ ହେଉଛି । ଆଉ ସବୁ କଥାରେ ଆଗେଇ ଯିବା ନାରେ ସେ କୁଆଡ଼େ ସମୁଦାୟ ଅଫିସର ଲୋକକୁ ପଛେଇ ଆଣୁଛନ୍ତି ବୋଲି ଅଫିସର ଆଜି ବିରକ୍ତ ହେଲେ । ହାୟରେ ଦେଶ ! ଫଁ କରି ଗୋଟାଏ ନିଶ୍ୱାସ ମାରି ଆନନ୍ଦବାବୁ ଆକ୍ଷି ଖୋଲି ଚାହିଁଲେ ।

 

ବଡ଼ବୋହୂ ଲଣ୍ଠନ ଜାଳି ରଖି ଦେଇଗଲା ଛୋଟ ଟେବ୍‌ଲ ଉପରେ । ନିସ୍ତବ୍‌ଧ ସଂଜରେ ଲଣ୍ଠନର ମଳିନ ଆଲୋକରେ ତାଙ୍କର ନଜର ପଡ଼ିଲା ଜେଜେବାପାଙ୍କର ଫଟୋ ଉପରେ-। ସେ ଯେପରି ତାଙ୍କ ଅନ୍ଧାରୀ ମନର ପ୍ରଦୀପ । ସେ କହୁଥିଲେ, ନନ୍ଦ, ଯାହା ଉଚିତ୍‌, ଯାହା ସତ୍‌ ତା’ କେବେ କରିବାକୁ ଡରିବୁ ନାହିଁ.... ! ଆନନ୍ଦବାବୁ ଆକ୍ଷିକଣରୁ ଲୁହ ପୋଛିଲେ ।

 

ଘର ଭିତରକୁ ପଶିଲେ କୋକିଳ ଦେଈ । ରୁଟି ଆଉ ସନ୍ତୁଳା ଥାଳିଟାକୁ ତାଙ୍କ ଆଗରେ ଥୋଇ ସେ ବସିଲେ ଖଟ ଦାଢ଼ରେ । ସେ ବି ବଡ଼ ଶୀର୍ଣ୍ଣ ମଳିନ ଦିଶୁଛନ୍ତି ।

 

ଆନନ୍ଦବାବୁ ଉଠି ବସି ଖଣ୍ଡେ ରୁଟି କାଢ଼ି ଦେଇ କହିଲେ ‘‘ଏଇଟି ନେଇଯାଅ ! ଏତିକି ମୋର ଯଥେଷ୍ଟ ହେବ ।’’

 

କୋକିଳ ଦେଈ କାନ୍ଦ କାନ୍ଦ କଣ୍ଠରେ କହିଲେ–‘‘ହେଉଟି ଇଂରେଜୀ ପାଠ ଦି’ ଅକ୍ଷର ପଢ଼ିନି ବୋଲି ମୁଁ କ’ଣ ତମ ମନ କଥା ବୁଝିପାରୁନି ଭାବୁଛ ! କିନ୍ତୁ ଏମିତି ହେଲେ ଦେଶର ସେବା ହେବ ନାହିଁ । ମାସକ ତଳେ ଭାତ ଛାଡ଼ିଲ, କୋଉ କାଳରୁ ତ ସୋମବାର ଉପାସ ଯେ ସପ୍ତାହରେ ଖାଡ଼ାଖାଡ଼ା ଗୋଟାଏ ଦିନ ବିତେ । ଚବିଶ ଘଣ୍ଟା ଏଇ ଗହମ ଚୂନା ଖାଇ ତମେ ଦେଶକୁ ଟେକି ଧରିବ ବୋଲି ଭାବିଛ ? ଫଳମୂଳ ଟିକେ ଟିକେ ଖାଉଥିଲ ଯେ, ସେତିକି ବି ଆଉ ପାଟିରେ ଦେଉନ ? ମରିଷଟାର ଦେହହାତ ନିସକତେଇ ଯିବନି ତ ଆଉ କ’ଣ.... ? ନିଆଁ ପୋଡ଼ି ସେ ଡିଭାଲି (କୋକିଳ ଦେଈ ଡିଭାଲ୍ୟୁଏସନକୁ କହନ୍ତି) ହେଲା ଯେ ତୁମେ ତୁଣ୍ଡରେ ଭାତ ମୁଠାଏ ଦେଉନ ମାସେ କାଳ ? ସାହେବ ସୁବା ଘରେ ଚୁଲୀରେ ଭାତହାଣ୍ଡି ବସୁନି, ଚାଲିଲ ଦେଖିବା... । ଯେତେହେଲେ ଭାତମୁଠାକ...’’

 

ଖଟ୍‌ଖଟ୍‌ ଜୋତା ଶବ୍ଦ କରି ନିର୍ମଳ ଆସି ପହଁଚିଲା । ବି.ଏ ପରୀକ୍ଷା ଦେବ ସେ ଏବର୍ଷ-। ବାପ ପୁଅ ସଂଧ୍ୟାବେଳେ ବସି ବସି କ’ଣ ସବୁ କଥାବର୍ତ୍ତା ହୁଅନ୍ତି । ପାଟିତୁଣ୍ଡରେ ଖଞ୍ଜା କଂପେ ।

 

ନିର୍ମଳ କହିଲା, ‘‘ବାପା ! ବଜାର ସାରା ଆଜି ଚହଳ । ଦରଦାମ ନିୟନ୍ତ୍ରଣ କମିଟି ମେମ୍ବର ସବୁଠାରେ ଜଗି ରହିଛନ୍ତି । ଦେଖିବ ବାପା, ଦରଦାମ ସବୁ ଆସ୍ତେ ଆସ୍ତେ ତଳକୁ ଖସିଯିବ । ଆମେ ଏମିତି କଣ୍ଟ୍ରୋଲ କରି ରଖିଛୁ ଯେ ଦୋକାନୀ କେହି ଚଢ଼ା ଦରରେ ବିକି ପାରିବେ ନାହିଁ କି ଖରିଦଦାର ଚଢ଼ା ଦର ନେବେ ନାହିଁ । ଆଜି ସବୁ ବଡ଼ ବଡ଼ ଅଫିସର ଆମ କାମ ବୁଲି ଦେଖୁଥିଲେ । ସରକାରଙ୍କର ଏଥିରେ ପୂର୍ଣ୍ଣ ସହଯୋଗ ଆମେ ପାଇବୁଁ ।’’

 

ଆନନ୍ଦ କିଛି ନ କହି ହସିଲେ । ମଳିନ ହସ । ସେ ହସ ଯେପରି ଜେଜେବାପାଙ୍କର ଆକ୍ଷିପତାକୁ ଓଦା କରି ଦେଉଛି ।

 

‘‘ବୋଉ ! ଚାଲ ମତେ ଖାଇବାକୁ ଦେବୁ’’, ନିର୍ମଳ କହିଲା ‘‘ଯା, ସେ ଘରେ ତୋର ଖାଇବା ଟେବୁଲ ଉପରେ ଥୋଇ ଦେଇଛି । ମୁଁ ଆଉ କ’ଣ କରିବି ?’’

 

‘‘କ’ଣ ଏଇ ରୁଟି ତରକାରୀ ? ପିଠା ପୁରୀ, କି ଖିରୀ ଫିରି କିଛି... !’’

 

‘‘ହେଇ ହେଲାଟି ? ଗୁଣମଣିଙ୍କ କାଣ୍ଡ ଦେଖୁଛ ତ ? ରୁଟି ଖାଇ ପାରିବେ ନି, ଆଉ ଖାଲି ରୋଷେଇ ଘରେ ବସି ମୋତେ କହୁଥିବ ବୋଉ ଲୋ, ଖାଇବା ଢଙ୍ଗ ପରିବର୍ତ୍ତନ କର । ଭାତ ରାନ୍ଧନା । ଚାଉଳ ଖରଚ କମ୍‌ କର । କିରେ, ତମ ବାପା କ’ଣ ଜମିଦାର ହୋଇଛନ୍ତି ମାଛ, ମାଉଁସ, କୁକୁଡ଼ା, ଅଣ୍ଡା ରାନ୍ଧି ଥୋଇଦେବି । ଆଉ ତମେ ଭାତ ରୁଚି ନ ଖାଇ ହେଣ୍ଡି ମାରି ସଭା ସମିତି କରୁଥିବ ? ପରିବା ଯେଉଁ ଦର ସେଥିରେ ଗୋଟା ଗୋଟା ଆଣି କୁଆଡ଼େ ସିଝେଇ ଥୋଇଦେବି ! ଘର ବଉଁଶକୁ ତ ଚାରି କିଲୋ ପରିବା ଦରକାର । ଦୁଧ ଗିଲାସେ ଗିଲାସେ । ପରିବା ସିଝା ଆଉ କୁକୁଡ଼ା ଅଣ୍ଡା.....ବାପା ରେ ! ଆମ ଘରକୁ ସେ ପୋଷେଇବ ନାହିଁ । ହଜାର ଥର କହିଲି, ତମ ପୁରୁଷ ପୁଅଙ୍କ ବୁଦ୍ଧି ଚୂଲୀଚାଳକୁ ନଅଣ୍ଟ । ଦେଶକୁ ଚଳେଇବାକୁ ତମେ କ୍ଷମ ହେବ କୁଆଡ଼ ? ଏମିତି କଥାରେ ଦିହ ଚାଲିବନି.....ଦେଶ ଚାଲିବ କିମିତି ? ମୋର ତ ମାଇପି ବୁଦ୍ଧି.... । ଯାହା କରିବି ବାପ ପୁଅ ଅସୁଖ ପାଇବ । ମୁଁ ଯାଏ.......ତମେ କ’ଣ କରୁଛ କର ।’’

 

ନିର୍ମଳ ସେ ବାକ୍ୟ–ବାଣରେ ସେତେବଳକୁ ଚାଲି ଯାଇଥିଲା ତା’ ରୁମ୍‌କୁ । କଥା ଶେଷ କରି ଧମ୍‌ଧମ୍‌ ପାଦ ପକାଇ ଉଠିଗଲେ କୋକିଳ ଦେଈ ।

 

ରୁଟି ପାଟିରେ ଚୋବାଉ ଚୋବାଉ ଆନନ୍ଦବାବୁ ମନକୁମନ କହୁଥିଲେ, ଆଦର୍ଶକୁ ବକ୍ତୃତା ଦେଲେ ସେ ସୁନା ଫଳେଇବ ନାହିଁ ନିର୍ମଳ ! ଆଦର୍ଶକୁ ଦିହରେ ଭେଦେଇ, ହାଡ଼ଗୋଡ଼ ଭାଙ୍ଗି ଚୂନା କରିବାକୁ ହେବ ପୁଅରେ ! କେତେ ହାତ ଗୋଡ଼ ରକ୍ତମାଂସ ଚୂନାହୋଇ ସ୍ୱାଧୀନତା ଆସିଲା, ତାକୁ ଏମିତି ନଷ୍ଟ କରିଦେଲେ ଘରେ ବସି ବସି ଲାଭ କ’ଣ..... ?

 

ଭାବନାରେ ବାଧା ପଡ଼ିଲା ତାଙ୍କର । ବଡ଼ପୁଅ କମଳର ପୁଅ ‘ଟିକୁ’ କହୁଛି ନିର୍ମଳର ହାତ ଧରି, ‘‘ଦାଦା ! ସାର୍‌ଆଜି ସ୍କୁଲରେ କହିଲେ, ସେମାନେ ହରତାଳ କରିବେ, ‘ଗୁରୁଦିବସ’ ପାଳିବେ ନାହିଁ । ତାଙ୍କୁ କ’ଣ ଆମେରିକା ଚାଉଳ, ଗହମ ମିଳୁ ନାହିଁ ଦାଦା ? ଆମେ ପଢ଼ିବୁ କେମିତି ?’’

 

‘‘ମିଳୁଛି ଯେ ହେଲେ ତାଙ୍କର ପଇସା ନାହିଁ ଟିକୁ, ଦରମା ନ ବଢ଼ିଲେ ସେମାନେ ହରତାଳ କରିବେ ।’’

 

‘‘ତମେ ପରା କହୁଥିଲ, ଦାଦା, ସରକାରଙ୍କର ବହୁତ ପଇସା ଅଛି । ଟଙ୍କକଳ କୁଆଡ଼େ ଅଛି ? ଆମ ସାର୍‌ଙ୍କୁ ଟଙ୍କା ଦେଉ ନାହାନ୍ତି କାହିଁକି ? ସମସ୍ତିଙ୍କର ଦରମା ବଢ଼ୁଛି; ଆମ ସାର୍‌ଙ୍କର ବଢ଼ୁ ନାହିଁ କାହିଁକି ?’’

 

ନିର୍ମଳ କ’ଣ ଉତ୍ତର ଦେବ, ଆନନ୍ଦବାବୁ କାନ ପାରିଥିଲେ ଶୁଣିବାକୁ । କିନ୍ତୁ ନିର୍ମଳର କଣ୍ଠକୁ ଟପି କୋକିଳ ଦେଈଙ୍କ ଗର୍ଜ୍ଜନ ଶୁଭିଲା ଘର ଭିତରୁ । ପିଅନ ‘ନଟବର’ ଉପରେ ସେ ସପ୍ତମ ସ୍ୱରରେ ତାଙ୍କର ସବୁ ରାଗ ଝାଡ଼ୁଛନ୍ତି ।

 

ନଟବର କହୁଛି, ‘‘ତମେ ଆଉ କାହାକୁ ପଠେଇ ଜିନିଷ ଆଣ ମା ! ମୁଁ ପାରିବି ନାହିଁ । ଦୋକାନୀ ବାପୁଡ଼ାଏ ମୋଟେ ମୋ କଥାରେ କାନ ଦେଉ ନାହାନ୍ତି । ମାଛ ପହଞ୍ଚିଲା ତ ବଡ଼ ବଡ଼ ଅଫିସରମାନେ ଚଢ଼ା ଦରରେ କିଣି ନେଉଛନ୍ତି । ମାଂସ କଥା ବି ସେଇଆ । ମୁଁ ନ ଆଣି ଆସିଲେ ତମେ ଚିଡ଼ିବ, ଆଣିଲେ ତ ଚଢ଼ା ଦର ହେବ । ମୁଁ ଆଉ କ’ଣ କରିବି ?’’

 

‘‘ହଁ ହଁ, ତୁ ଆଉ ଭଲେଇ ହୁଅନା । ବୁଝିଲୁ, ମୁଁ ସବୁ ଜାଣେ । ଇଂରାଜୀ ଦି’ଅକ୍ଷର ପଢ଼ିନି ବୋଲି ତୁ ମତେ କ’ଣ ହୁଣ୍ଡୀ ଭାବିଛୁ କିରେ ? ଦରଦାମ ତ ସବୁ ଦୋକାନ ସାମ୍ନାରେ ଟଙ୍ଗା ହୋଇଛି, ପୁଅ କହୁଥିଲା । କାଗଜରୁ ପଢ଼ି ଦୋକାନୀକୁ କହିବୁ, ଏଇ–ଏଇ ଦାମ୍‌ରେ ଦେ, ନ ହେଲେ ପୁଲିସ୍‌ ଡାକିବି । ଦରଦାମ କମିଟି ବାବୁଙ୍କୁ ଡାକ ପକଉନୁ, ସେମାନେ ପରା ପଇଁତରା ମାରୁଛନ୍ତି ! ମୁଁ ଜାଣେ ପରା, ତୋ ପାଟିରେ ବେଙ୍ଗ ପଶିଥିବ । ପର ପଇସା, ତମର ଖାତିର କାହିଁକି ରହିବ ?’’

 

‘‘ହେଇଟି ମା ! ତମେ ମିଛରେ ମୋ ଉପରେ ରାଗୁଛ ? କୋଉ ମେହେଂବର ସେଠି ଅଛି ମ ? ଯିଏ ଗଲା ଦୋକାନୀଏ ତାଙ୍କୁ ଭୁଲେଇ ଦେଲେ–ଦାଣ୍ଡପଟେ ନ ବିକି ବାରିପଟେ ପୁରୁଣା ଦାମଠୁଁ ଚାରି ଗୁଣରେ ବିକିଲେ । ଆଉ ଅଫିସର, ପୁଲିସ–ୟାଙ୍କ କଥା ଛାଡ଼...ମା ! ସିଏ ତ ଏ ମୁହଁରେ ଗୋଟାଏ କଥା ତ ଆର ମୁହଁରେ... !’’

 

ହୁଏତ ନିମ୍ନସ୍ତରରେ କ’ଣ କିଛି ଗୋଟାଏ ନଟବର ଗୁପ୍ତ ସଂବାଦ ତାଙ୍କ କାନରେ ଦେଇଥିବ ।

 

ହଠାତ୍‌ ନିର୍ମଳ ଚିହିଁକି ଉଠିଲା ପରି କହିଲା, ‘‘ହଇ ରେ ନଟ ! ତୁ ସବୁ ମିଛ କଥା କହୁଛୁ । ଚଢ଼ା ଦରରେ କିଏ କିଣୁଛି ? ଆମେ ତ ଚବିଶ ଘଣ୍ଟା ଜଗି ରହିଛୁ । ତୁଇ ବଦ୍‌ମାସ–ଠକିବାର ଗୋଟାଏ ସୀମା ଅଛି । ହାତର ପାଞ୍ଚ ତୋର ନ ରହିଲେ ଚିଲମ ଟାଣିବୁ କେମିତି ? ଛିଃ ତମେ ତ ଆମକୁ କିଛି କରେଇ ଦେବ ନାହିଁ । ଆମେ ତ ଯାହ କଲୁ, ତମେ ତା’ର ବିପରୀତ କଲ । କିରେ, ଯୋଜନା କାର୍ଯ୍ୟକାରୀ କିପରି ହେବ ? ତୁଇ ଚୋର, କେତେ ପଇସା ଠକିଛୁ ଆଜି ବାହାର କର ।’’

 

ନିର୍ମଳ କଣ୍ଠରେ ଅସମ୍ଭବ ଉଷ୍ଣତା । ଛାତ୍ରଙ୍କର ବିପକ୍ଷରେ କେହି କହିଲେ ସେ ଏମିତି ହୋଇଯାଏ ରାଗି କରି ।

 

‘‘ବାବୁ ! ମତେ ସେମିତି କହିବ ନାହିଁ । ମୁଁ ରାଗିଯିବି ଭାରି । ତମରି ମେହେମ୍ବରମାନେ ତ ଏଣିକି ତେଣିକି ଅନେଇ ବେଶୀ ପଇସା ଦେଇ ସିଗାରେଟ ପ୍ୟାକିଟ୍‌ କିଣି ନେଉଛନ୍ତି । ସେଇ ତମର ବଡ଼ବାବୁ, ଯିଏ ଭାରି ପାଟିତୁଣ୍ଡ କରୁଥିଲେ ପଅର ଦିନ ସଭାରେ.... । ଯାଃ ! ଭୁଲ ତ ଗଲି ତାଙ୍କ ନାଁ । ଆଉ ହାକି ମହୁକୁମା ସଭିଏ ମ ବାବୁ, ଏ ମୁହଁରେ ଗୋଟେ କଥା–ସେ ହାତରେ ଗୋଟେ କାମ । ମୁଁ ସବୁ ଜାଣେଟି ! ଖାଲି ଆମରି ବାବୁଙ୍କୁ ଛାଡ଼ିଦେଲେ...କିଏ ଏମିତି ପେଟରେ ଓଦାକନା ପକାଇ ବଇଛି । ଚୋରି କିଏ ନ କରୁଛି ନା କିଏ ନ ଠକୁଛି ? ଅସଲ କଥା ଆମେ ଛୋଟ ଲୋକ, ଗରିବ–ଆମ ପାଇଁ ମେହେମ୍ବର ନାହିଁ, କୁମିଟି ନାହିଁ, ସଭାସମିତି ନାହିଁ.... । ହେଲେ ବାବୁ ! ଦେଶଟା ସାରା ସଅମସ୍ତେ ଚୋର... । ଢୋଲ ଭିତରେ ମୂଷା ପରା ବାବୁ ! ଆଉ ଉପରେ କ’ଣ କରୁଛ ? ‘ଚୋର’ । ଆନନ୍ଦବାବୁ ଚମକି ପଡ଼ିଲା ପରି ବିଛଣାରେ ଉଠି ବସିଲେ । ନଟବର କ’ଣ କଥା କହୁଛି ? ଦେଶଟା ସାରା ମୂଳରୁ ଶେଷ ପର୍ଯ୍ୟନ୍ତ ଠକ ଆଉ ଚୋର ।

 

ଆଖି ପଡ଼ିଲା ଜେଜେବାପାଙ୍କ ଫଟୋ ଉପରେ । ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ପିଠିର ଦାଗ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅମଳିନ ଥିଲା । ଲବଣ ସତ୍ୟାଗ୍ରହରେ ଲୁଣ ଛାଡ଼ି ଦେଇଥିଲେ ଯେ ଆଉ ଛୁଇଁ ନ ଥିଲେ ମୃତ୍ୟୁ ପର୍ଯ୍ୟନ୍ତ । ଆଜି ତାଙ୍କୁ ସେ କି କୈଫିୟତ୍‌ ଦେବେ ?

 

ଝର୍କା ସେପଟରେ ଜମାଟ ଅନ୍ଧାର । ଦରଦାମ ରୋକିବା ପାଇଁ ଆଜି ସଭା ହେଉଛି ଟାଉନ୍‌ ହଲରେ । ଯିବେ କି..... ?

 

କୋକିଳ ଦେଈ ଅଟା ବଲବଲ ହାତରେ ଘର ଭିତରକୁ ପଶି ଆସି ପଚାରିଲେ, ‘‘ହଇହେ ! ତୁମେ ଆଜି ଏଠି ଖାଇବ ନା ତମ ସାହେବଙ୍କ ଘରକୁ ଯିବ ? ତାଙ୍କ ନାତୁଣୀର ଏକୋଇଶିଆ ପରା ଆଜି !

 

‘‘ହଁ, ହଁ, ଠିକ୍‌ ତ । ଯା, ଯା, ଭୁଲି ତ ଯାଇଥିଲି । ହଅ, ଖିଆପିଆର ତ ପ୍ରଶ୍ନ ଉଠୁନି । ସାମାନ୍ୟ ଚା’ ପାଣିର ବ୍ୟବସ୍ଥା କରିଥିବେ ବୋଧହୁଏ । ଆଜିକାଲି ଭୋଜିଭାତ ନିୟନ୍ତ୍ରଣ ନେଇ ସରକାରଙ୍କର ଯେଉଁ ଆଖି...ଆଉ ସହଜେ ତ ସିଏ ଅଫିସର..... ।’’

 

ଆନନ୍ଦବାବୁ ଅଧାରେ ଅଟକିଲେ; କାରଣ କୋକିଳ ଦେଈ ତାଙ୍କ କଥା ନ ଶୁଣୁଥିଲା ପରି ମୁହଁ ମୋଡ଼ିବାରେ ଲାଗିଥିଲେ । ହଠାତ୍‌ ଯେମିତି ଆନନ୍ଦବାବୁ କିଛି ଅପରାଧ କଲାପରି ଅଟକିଗଲେ । କଥା ନ ବଢ଼ାଇ ଚଟି ପିନ୍ଧି ଦାଣ୍ଡକୁ ବାହାରିଗଲେ ।

 

ଟାଉନ୍‌ହଲରେ ପାଟିତୁଣ୍ଡ । ଗୁଡ଼ାଏ ବତ୍କୃତା । ଗୁଡ଼ାଏ ଚହଳ । ସବୁ ଧରାବନ୍ଧା, ପୁରୁଣା କଥା । ତାଙ୍କୁ ଦୁର୍ବଳ ଲାଗୁଛି । ବ୍ଲଡ଼ପ୍ରେସର ଆଉ ବଢ଼ି ଗଲାଣି କି ?

 

ଆନନ୍ଦବାବୁ ପଡ଼ିଆ ଉପରେ ବସିଲେ ।

 

ପାଖରେ ଦି’ଜଣ କଥାବର୍ତ୍ତା ହେଉଛନ୍ତି । ଝାପ୍‌ସା ଆଲୁଅରେ ପରିଷ୍କାରଜାଣି ହେଉଛି ସେମାନେ ବେପାରୀ । ଜଣେ ବେଶ୍‌ହସିହସି କହୁଛି–‘‘ତୁ ଡରିବାର କିଛି ନାହିଁ । ସରକାର ଖାତା କଲମରେ ଦି’ପୁଳା ଗାରେଇଦେଲେ କିଛି ହୁଏନା ରେ ପୁଅ ! ଅସଲ ହେଲା ତାକୁ ମାନି ଚଳିବା । ସେସବୁ ସରକାରିଆଙ୍କୁ ହାତକୁ ଆଣିବାକୁ ବିରଞ୍ଚି ଦାସକୁ ଘଣ୍ଟେ ଲାଗିବନି । ହେଲେ ଯାବତ ଗଣ୍ଡଗୋଳିଆତ ଏଇ କଲେଜ ଛୁଆ । ସବୁ କଥାରେ ମୁଣ୍ଡ ପୂରାଇ ହଇହଲ୍ଲା କରିବେ । ଏଇଗୁଡ଼ାଙ୍କୁ ଆଗେ ଜବତ ନ କଲେ... ।’’

 

‘‘ଧୁତେରି ! ତୋର ସେଇ ଡିମ୍ବ ଛୁଆଗୁଡ଼ାଙ୍କୁ ଡର ! ଅସଲ ମଞ୍ଜି ଯାଇଁ କେଉଁଠି–ଆରେ, ସେ ଛୁଆଙ୍କୁ ବାଗକୁ ଆଣିବାକୁ ମିନିଟିଏ ଲାଗିବ ନି.....ହେଲେ.... ।’’

 

ଦି’ଜଣ କାନ ପାଖକୁ ମୁହଁ ଲଗାଇ ଫୁସ୍‌ଫୁସ୍‌ ହେଲେ । ଆନନ୍ଦବାବୁଙ୍କର ଆଉ କାନ ପାରି ଶୁଣିବାକୁ ବେଳ କି ଧୈର୍ଯ୍ୟ ନ ଥିଲା । ତାଙ୍କୁ ଉପରିସ୍ଥ ଅଫିସରଙ୍କ ଘରକୁ ଯିବାକୁ ହେବ ଯେ-!

 

ସୁରଥ ବାବୁଙ୍କ ଘରେ ବହୁ ଲୋକର ସମାଗମ । ସାମାନ୍ୟ ଜଳଯୋଗ ବଦଳରେ ବିରାଟ ଭୋଜିର ଆୟୋଜନ ଦେଖି ସେ ଚମକି ପଡ଼ିଲେ । ଏ କ’ଣ ? ପ୍ରଧାନ ପ୍ରଧାନ ଖାଦ୍ୟର ସଂଖ୍ୟା ଆଠ ଦଶରୁ ବେଶୀ । ଅପ୍ରଧାନ ଖାଦ୍ୟର ସୀମା ଗଣିବାକୁ ସାହସ ଖଟୁନି । ଆନନ୍ଦ ବାବୁ ଏଣିକି ତେଣିକି ବୁଲି ଅନେଇଲେ । ସବୁ ଉଚ୍ଚପାହିଆ ଅଫିସର । ଆଇନକର୍ତ୍ତାଠାରୁ ଆରମ୍ଭ କରି ଆଇନ ପ୍ରବର୍ତ୍ତନ ଓ ଆଇନ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ବଡ଼ ବଡ଼ କର୍ମଚାରୀ ସେଠାରେ ଉପସ୍ଥିତ । ସେ କାହାକୁ କ’ଣ କହିବେ ? ମନେ ପଡ଼ିଲା କୋକିଳ ଦେଈଙ୍କ ମୁହଁମୋଡ଼ା, ମନେ ପଡ଼ିଲା ନଟବରର ସମସ୍ତ ଦେଶଟାକୁ ଚୋର କହିବା କଥା । ଅଥଚ ବିଦେଶୀ ମୁଦ୍ରା କମ୍‌ଖର୍ଚ୍ଚ କରିବା ପାଇଁ ଭାବି ଚିନ୍ତି କିଏ ଯେ କେତେ ଯୋଜନାସବୁ ସରକାରଙ୍କୁ ଦେଇ ପ୍ରଶଂସା ପାଉଛନ୍ତି, ତାର ସୀମା ନାହିଁ ।

 

ଆନନ୍ଦବାବୁ ଗେଟ ଆଡ଼କୁ ମୁହାଁଇଲେ । ନା, ନା, ଘରେ ଗୁଡ଼ାଏ ଲୋକଙ୍କୁ ଦୀର୍ଘ କେତେ ଦିନ ହେଲା ଅର୍ଦ୍ଧ ଉପବାସ ରଖି ସେ ଏଠି ଦିବ୍ୟ ବ୍ୟଞ୍ଜନ ଉପଭୋଗ କରିପାରିବେ ନାହିଁ-

 

ଆନନ୍ଦବାବୁ ସମସ୍ତିଙ୍କ ଅଜଣାରେ ଫେରିଲେ ରାସ୍ତ ଉପରକୁ । ତାଙ୍କର ଦେହ ବାସ୍ତବିକ ଦୁର୍ବଳ ଲାଗୁଛି । ମନ ଆହୁରି ଭାରାକ୍ରାନ୍ତ ।

 

ସେ ଫେରିଥିଲେ ଅନ୍ୟମନସ୍ଥ ଭାବରେ । ଖବରକାଗଜ ବିକାଳୀ ଚିତ୍କାର କରି ଯାଉଛି-

 

‘‘ପାକିସ୍ଥାନ ଓ ବର୍ମାକୁ ଗୁପ୍ତରେ ଚାଉଳ ଚାଲାଣ । କଳାହାଣ୍ଡି, ରାଜସ୍ଥାନରେ ଅନାହାରରେ ମୃତ୍ୟୁ..... !’’

 

ଆନନ୍ଦବାବୁ ଅଟକିଲେ । ଚାହିଁକି ଉଠୁଛି ମୁଣ୍ଡରେ ତାଙ୍କର ରକ୍ତ । ମନ ହେଉଛି ଦେଶର ଚତୁର୍ଦ୍ଦିଗରେ ସେ ଖେଳେଇ ହୋଇ ଯାଇ ସବୁ ଚୋରଙ୍କୁ ଏକ ସଙ୍ଗରେ ଧରି ପକାନ୍ତେ କି ?

 

ନଟବର ଠିକ୍‌ କହୁଥିଲା ଢୋଲ ଭିତରେ ମୂଷା । ଉପରଟାରେ ତୁଚ୍ଛାକୁ ବାଡ଼େଇ ହେଲେ ଲାଭ କ’ଣ ?

 

ତାଙ୍କ ରୋଷେଇଘର ଝର୍କା ଦେଇ ଧୂଆଁ କୁଣ୍ଡଳୀ ଆକାରରେ ରାଜପଥ ଉପର ଦେଇ ଆକାଶକୁ ଉଠୁଛି । ଘରର ପ୍ଲାନଟା ଠିକ୍‌ ହୋଇ ନାହିଁ ବୋଧେ ! କ’ଣ ଭାବି ଆନନ୍ଦବାବୁ ସେଇ ଝର୍କା ଆଡ଼କୁ ମୁହାଁଇଲେ । କୋକିଳ ଦେଈ କାହା ସଙ୍ଗେ ଫୁଟ୍‌ଫୁଟ୍‌ ଆଉ ଫିସ୍‌ଫିସ୍‌ ହେଉଛନ୍ତି । ଆନନ୍ଦବାବୁ ଉହୁଁକି ପଡ଼ି ଅନାଇଲେ ଭିତରକୁ ।

 

ପିଢ଼ା ଉପରେ ଆଉଜି ପଡ଼ି ସାନପୁଅ କମଳ ଓ ଟିକୁକୁ କୋକିଳ ଦେଈ ଦୁଧଭାତ ଗୁଣ୍ଡାକୁ ଗୁଣ୍ଡା ଖୁଆଇଦେଇ ଖାଲି ତରତର ଛନଛନ ହୋଇ ରୋଷେଇ ଦ୍ୱାରା ମୁହଁକୁ ଅନେଇ କହୁଛନ୍ତି–‘‘ଦିଅ, ଖାଇଦିଅ । ମତେ ଆଉ ଜଳାନା । ଆସି ଯଦି ପଡ଼ିବେ ତୋ ବାପ ଏଇଛୁଣି କମଳ, ମୋର ଆଉ ରକ୍ଷା ନାହିଁ । ରାତିରେ ସମସ୍ତେ ରୁଟି ଖାଇବେ ବୋଲି ଏକା ଜିଗର । କ’ଣ ନିଆଁ ଚୁଲୀ ଡିଭାଲି ମୋ ଛୁଆଙ୍କୁ ସରଗ ନବ କି ? ଦେ ଖାଇଦେ ଟିକୁ, ଜେଜେ କି ଦାଦା ପଚାରିଲେ ରୁଟି ଖାଇଛୁ ବୋଲି କହିବୁ ।’’

 

‘‘ଜେଜେମା ! ବହିରେ ପରା ଲେଖା ହୋଇଛି–ଭାରତ ଗୋଟିଏ କୃଷି ପ୍ରଧାନ ଦେଶ । ଭାତ ଆମର ପ୍ରଧାନ ଖାଦ୍ୟ । ଆମେ ଭାତ ନ ଖାଇ ରୁଟି କାହିଁକି ଖାଇବା ଜେଜେମା.... ?’’

 

ବଡ଼ କରି ଗୁଣ୍ଡାଏ ଭାତ ତା’ ପାଟିରେ ଦେଉ ଦେଉ କୋକିଳ ଦେଈ କହିଲେ, ଜେଜେଙ୍କୁ ପଚାରିବୁ ସୁନା ! ମୁଁ ସେ ଇଂରେଜୀ ପାଠ ଜାଣେ ନାହିଁ । ମୋ ବାପ ଚଉଦ ପୁରୁଷ ଭାତ ଖାଇଛନ୍ତି । ମୋ ଘରେ ଅମାର ଅମାର ଧାନ, ମୁଗ ଭର୍ତ୍ତି । ମୋ ଛୁଆଙ୍କୁ ଫେରେ ଗଣ୍ଡାଏ ଭାତ ତୁଣ୍ଡରେ ଦେବାକୁ ମୁଁ ହୀନିମାନ ହେଲି ! ରୁଟି ଖାଇ ଛୁଆଙ୍କ ହାଡ଼ ରହିଲାଣି । କି ନିଆଁଚୁଲୀ ସରକାର, କି ଡିଭାଲି, କି ବିଦେଶୀ ଟଙ୍କା ଅର୍ଜନର ଲୀଳା ଲାଗିଛି କେଜାଣି–ମଣିଷଟା ଦିନକୁ ଦିନ କଣ୍ଟା ହୋଇଗଲାଣି । ନିର୍ମଳଟା କୋଉ କୁହାର ବୋଲାର ହୋଇଛି ଯେ କଥା ଶୁଣିବ ? ଦି’ଗୁଣ୍ଡା ଭାତ ସେ ବି ରାତିରେ ମୁହଁରେ ଦେଉନି । ଏ ଦେଶଟାରେ ଆଉ କାହା ଘରେ ଏ ଲୀଳା ଲାଗିଛି ? ମୋ ଭାଗ୍ୟ, ମୋ କର୍ମ..... । କୋକିଳ ଦେଈ ଏମିତି ମନକୁ ମନ କହନ୍ତି । ସେଥିରେ ଆନନ୍ଦବାବୁଙ୍କର ବ୍ୟସ୍ତ ହେବାଉ କିଛି ନାହିଁ ଯେ, କିନ୍ତୁ ଗୁଡ଼ାଏ ସାର କଥା କୋଉଠି ସେ କହି ପକାଇଥିବାରୁ ଆନନ୍ଦବାବୁ ହଡ଼ ବଡ଼େଇ ଗଲେ । ତାଙ୍କର ମନେ ହେଉଥିଲା ଦେଶର ଏମିତି ପ୍ରତିଟି ଘରେ ଘରେ ଏଇ ପ୍ରଶ୍ନ । ଏଇ ଚିନ୍ତା ଆଜି ସମସ୍ତିଙ୍କି ଦୁର୍ବଳ କରି ଦେଇଛି । ଭୋକିଲା ଅନାହାର କ୍ଲାନ୍ତ ମଣିଷ ସବୁ କିଛି କରିପାରେ । ତାକୁ କୌଣସି ନୀତି ଖାଟିବ ନାହିଁ । ଅଫିସରେ ଶ୍ରୀବତ୍ସବାବୁ ଯେଉଁ ଯୁକ୍ତି ଆଜି କରିଥିଲେ, ମାତ୍ର ଦଶ ବର୍ଷର ଟିକୁ ଆଜି ସେଇ ପ୍ରଶ୍ନ କରିଛି ତା’ର ଜେଜେମାଆଙ୍କୁ । ଭାତ ନ ଥିଲା ବେଳେ ସମସ୍ତେ ସମାନ..... ! କିନ୍ତୁ.....ଆହୁରି ଗୋଟାଏ ପ୍ରଶ୍ନ ଉଠୁଛି....ଅପର ପାଖରେ ହାତ ପାତିବାଠାରୁ ନିଜେ ଗଣ୍ଡିଏ..... ।

 

ସେ ଅନେଇଛନ୍ତି ଜଳଜଳ–କୋକିଳ ଦେଈ ବଳକା ଭାତ ଅଇଁଠା ସବୁ ପାଣି କରି ଛାଟିଦେଲେ ଝରକା ସେପଟକୁ । ଆଉ ଯାଆନ୍ତି କୁଆଡ଼େ ? ଆନନ୍ଦବାବୁଙ୍କ ଛାତି ପାଣିରେ ଭିଜିଗଲା । ଛାତିରେ ଲାଗିଥିବା ଦି’ ଚାରିଟା ଭାତକୁ ଗୋଟାଇ ଆନନ୍ଦବାବୁ ଟକ୍‌ଟକ୍‌ ଖାଇଦେଲେ.... ! କୋକିଳ ଦେଈ ଜିଭ କାମୁଡ଼ି ପାଟି କରିଉଠିଲେ ‘‘ଆହା ! କ’ଣ କଲ ତମେ ! ମୁଁ ଅହିନର୍କରେ ପଡ଼ିବି ଯେ ! ଗୁରୁବାରଟାରେ ମୋ ଅଇଁଠା ଖାଇଲ ? ମୋରି ଥାଳିରେ ଛୁଆ ଦି’ଟା ବସିଥିଲେ । ଇଲୋ ମା ! ମୁଁ କି ବୁଦ୍ଧି କରିବି.... ?’’

 

ବଡ଼ ଅସହାୟ ଭାବରେ କୋକିଳ ଦେଈ ଛିଡ଼ା ହୋଇଥିଲେ ଝର୍କା ଏପଟେ । ମୁହଁସାରା ତାଙ୍କର ଦୁଧ ଭାତ ଲାଗି ରହିଛି । ଅନ୍ୟଦିନ ହୋଇଥିଲେ ସଂଜର ଏଇ ମୁହୂର୍ତ୍ତକୁ ବେଶ୍‌ ମଧୁର କରି ପାରିଥାନ୍ତେ ଆନନ୍ଦବାବୁ ! କିନ୍ତୁ ଆଜି ସେ ବଡ଼ କ୍ଲାନ୍ତ, ବଡ଼ ଅବସନ୍ନ । ଦୟାଦାନର ପାତ୍ର କୋକିଳ ଦେଈଙ୍କୁ ସେ ନୀରସ ହସ ହସି କହିଲେ, ‘‘ବୁଝିଲ କୋକିଳ ! ତମେ ଯେମିତି ଭାତ ପାଣି ମୁଠାଏ ଫୋପାଡ଼ି ଦେଲନି ମୋ ଉପରକୁ, ସେମିତି ଭାରତ ଉପରକୁ ଋଷ, ଆମେରିକା, ଫ୍ରାନ୍‌ସ, ଅଷ୍ଟ୍ରେଲିଆ ଦେଶମାନେ ଗହମ, ଚାଉଳ ଫୋପାଡ଼ି ଦେଉଛନ୍ତି । ଆଉ ଆମେ ତାକୁ ପ୍ରସାଦ ପାଇଲା ପରି ଖାଇଯାଉଛେ... । ଭାରି ଭଲ ଲାଗୁଛି ଅଇଁଠା ଭାତ–ଇସ୍‌, ଆଉ ତମ ଅଇଁଠା ତ ଆହୁରି ସ୍ୱାଦୁକର.... ।’’ ଆନନ୍ଦବାବୁ ଆଉ ଗୋଟେ ଦି’ଟା ଭାତ ଖୁଣ୍ଟି ଖାଇଲେ.... ।

 

କୋକିଳ ଦେଈ ସପ୍ତପୁରୁଷଙ୍କ ପିଣ୍ଡ ଯେଉଁ କଣରେ ଥାଏ ସେଠି ଢୋ ଢୋ ମୁଣ୍ଡ ବାଡ଼େଇ ପାତକ ଖଣ୍ଡନ କରୁଥା’ନ୍ତି । କିଏ ଜେଣେ କେବେ ସେ ମୁକ୍ତି ପାଇବେ ? ଓ, କେବେ ଡିଭାଲ୍ୟୁଏସନରୁ ଏ ଦେଶକୁ ମୁକ୍ତି ମିଳିବ ? ?

Image

 

କୈଫିୟତ୍‌

 

ଶୀତ ଋତୁ ନୁହେଁ କି ବର୍ଷା ଋତୁ ନୁହେଁ, ତଥାପି ଗୋଟାଏ ଥଣ୍ଡା ପବନ । କେଜାଣି କେମିତି ମନେ ହେଉଛି, ଶାଲଟା ଦେହରେ ପକାଇଲେ ଟିକିଏ ଆରାମ ଲାଗନ୍ତା । କିନ୍ତୁ ସାଙ୍ଗରେ ଶାଲ ଆଣି ନାହିଁ ।

 

ସ୍ନେହଲତା ଗୋଟାଏ ସିଗାରେଟ୍‌ ଧରିଲେ । ସିଗାରେଟ ଖାଇଲେ ହୁଏତ ଟିକିଏ ଗରମ ଅନୁଭବ କରାଯାଇପାରେ; ମାତ୍ର ପ୍ରକୃତ ଶୀତ ହେଲା ପରି ପାପୁଲିଟା କମ୍ପୁଛି ! ଇସ୍‌ ! ନରଭ୍‌ସନେସ୍‌, ବାଜେ–ଫେମିନାଇନ କ୍ୱାଲିଟି !

 

ସ୍ନେହଲତା ସିଗାରେଟରୁ ଗୋଟାଏ ଜୋର୍‌ କରି ଧୂଆଁ ଛାଡ଼ିଲେ । ପ୍ରଥମେ ଯେଉଁଦିନ ସେ ସାମ୍ପେନ ଗ୍ଲାସଟା ହାତରେ ଧରି ଓଠ ପାଖକୁ ନେଇଥିଲେ, ହାତଟା ଏମିତି ଥରିଥିଲା । ସୁକୁମାର ହସିହସି କହିଥିଲା–ଫେମିନାଇନ୍‌ କ୍ୱାଲିଟି !

 

ସେଦିନ ସେହଲତା ପୁରୁଷପଣିଆର ଚୂଡ଼ାନ୍ତ ପରିଚୟ ଦେଇଥିଲେ । ଓଃ ! ମାତାଲ ହେବାରେ କି ଯନ୍ତ୍ରଣା !

 

ଅଥଚ ଆଜି ସିଗାରେଟଟା ଧରାଇଲା ବେଳେ ସେମିତି ଏକ ଯନ୍ତ୍ରଣା ହେଉଛି । ସିଲି....

 

ଝମ ଝମ କରି ଟ୍ରେନଟା ରହିଲା । କେଜାଣି କି ଷ୍ଟେସନ ! ଆହୁରି ପାଞ୍ଚ ଘଣ୍ଟା ରାସ୍ତା ଅଛି । ଆଉ ତା ସହିତ ପାଞ୍ଚ ଘଣ୍ଟା ରାତି । ରାତ୍ରି ଯେତେବେଳେ ଭୋର ହେବ.... ?

 

ଶୁଭେନ୍ଦୁ ଅତୀତର ସ୍ମୃତି ନୁହେଁ, ଭବିଷ୍ୟତର ସ୍ୱପ୍ନ ନୁହେଁ । କଠୋର ବାସ୍ତବ ବର୍ତ୍ତମାନର ଶୁଭେନ୍ଦୁ ସେ । ଅନ୍ତତଃ ବର୍ତ୍ତମାନ ପାଇଁ....ବର୍ତ୍ତମାନ ପାଇଁ...

 

ଶୁଭେନ୍ଦୁକୁ ଭୁଲି ହୁଏନା । ଛୁଇଁ ହୁଏନା କିନ୍ତୁ । ଖାଲି ଗୋଟାଏ ଅବ୍ୟକ୍ତ ବେଦନା ଅନୁଭବ କରିହୁଏ । ସେ ଯେମିତି ବେଦନାର ଏକ ଆଲେଖ୍ୟ–ଏକ ଚିତ୍ର ଛବି ।

 

ସ୍ନେହଲତା ଚମକି ଚାହିଁଲେ, ଧସେଇ ଅଣନିଶ୍ୱାସୀ ହୋଇ ଯୁବକ–ଯୁବତୀ ଦୁଇ ଜଣ କମ୍ପାର୍ଟମେଣ୍ଟ ଭିତରକୁ ପଶିଆସିଲେ । କେମିତି ଯେମିତି ଭୟ ଭୟ ଆଖି, ‘ରିଜର୍ଭକରା କୁପେ’ ବୋଲି କହି ଆସୁ, ଆସୁ ନିଜ ଅଜାଣତରେ ଅଟକିଗଲେ ସ୍ନେହଲତା । କାରଣ ଏହି ଥଣ୍ଡା ପାଗରେ ବି ଯୁବତୀଟିର ଦେହରୁ ଗମଗମ ଝାଳ ବୋହିଯାଉଛି । ଆଉ...ଆଉ ଶୁଭିଲାଣି ଗାର୍ଡ଼ ହୁଇସିଲର ଶବ୍ଦ, ଏଥର ଟ୍ରେନ୍‌ ଚାଲିଲା ଆଉ ଝଲକା ଝଲକା ଶୀତଳ ପବନ ବହିଆସିଲା ଗୋଟାଏ ଯେପରି ମାଦକଭରା ଗନ୍ଧ ନେଇ ।

 

କି ଗନ୍ଧ ! ହୁଏତ ସେଇ ଯୁବତୀରେ ସେଣ୍ଟ୍‌ ଗନ୍ଧ କିମ୍ବା ଯୁବକଟିର ବି ହୋଇପାରେ । ସ୍ନେହଲତା ଆକାଶକୁ ଅନେଇଲେ । ତାରା ଗୁଡ଼ାକ ହୁଏତ ପରିଷ୍କାର ପଡ଼ିଛି–ମାତ୍ର ଆଖିକୁ ସ୍ପଷ୍ଟ ଦେଖା ଯାଉ ନାହିଁ । ମନକୁ ମନ ହସିଲେ ସେ । ବୟସ ତ ଅନେକ ହେଲା, ଆଖିକୁ ନ ଦେଖାଯିବା ସ୍ୱାଭାବିକ । ତେବେ ବୃଥା ପ୍ରଚେଷ୍ଟା କାହିଁକି ?

 

‘‘ଏକ୍‌ସକ୍ୟୁଜ ମି, ମ୍ୟାଡ଼ାମ ! ଆପଣ ଯଦି କିଛି ମନେ ନ କରନ୍ତି...ତେବେ ଉପର ବର୍ଥକୁ ମୁଁ ଉଠିଯାଆନ୍ତି । ଆଉ ଆପଣ ଦୁଇ ଜଣ... ।’’

 

‘‘ଆମେ ଦୁଇ ଜଣ ସେୟାର କରି ରାତି କଟିବାର ପ୍ରଶ୍ନ ଉଠେନା ବାବୁ ! ତା’ପର ଉଇ ନିଡ଼୍‌ ଇଟ ଆଚ୍ଛା ! ଗୋଟାଏ କଥା କରାଯାଉ, ମୁଁ ଉପର ବର୍ଥକୁ ଉଠି ଯାଉଛି । ଆଉ ଆପଣମାନେ ତଳ ବର୍ଥଟା ଇଉଜ କରନ୍ତୁ ।’’

 

‘‘ଥ୍ୟାଙ୍କ ଇଉ ମମ୍‌ !’’ ଯୁବକ-ଯୁବତୀ ଦୁଇ ଜଣଙ୍କ ଆଖିରେ ଯେପରି ଆଶ୍ୱସ୍ତିର ଝଲକ-

 

ସ୍ନେହଲତା ଉପରକୁ ଉଠିଗଲେ । ଯୁବତୀଟିର ଫିସ୍‍ ଫିସ୍‍ କଣ୍ଠ ଶୁଭିଲା–

 

‘‘ବୁଢ଼ୀ ଯେ ଏତେ ସହଜରେ ଉପରକୁ ଯିବ, ମୋର ଆଦୌ ବିଶ୍ୱାସ ନ ଥିଲା । ଯା ହେଉ, ଆଜି ଭାଗ୍ୟ ଭଲ ।’’

 

‘‘ଇସ୍‌ ! ଆସ୍ତେ ! ଏଇଟା ରିଜର୍ଭ କୁପେ; କିନ୍ତୁ ମୋର ମନେ ହେଉଛି କ’ଣ ଜାଣ ? ଯେମିତି କେଉଁଠି ଦେଖିଛି, କେଉଁଠି ଠିକ୍‌ ମନେ ପଡ଼ୁନି । ତେବେ ଭାରି ଚିହ୍ନା ଚିହ୍ନା ମୁହଁ ।’’

 

‘‘ବାବା ! ତୁମେ ଆଉ ପରିଚୟ କରି ବସନି, ଦୁଇ ଦିନ ହେଲା ଟିକେ ହେଲେ ନିଦ ନାହିଁ, ଟିକେ ବିଶ୍ରାମ ଦରକାର ।’’

 

‘‘ଇସ୍‌ ! ଶୋଇବା ପାଇଁ ଯେମିତି ଏ ଟ୍ରେନ୍‌ ଧରିବା କଥା....ଚୁ,ଚୁ, ଚୁ....... !’’

 

ନିମିଷେ ନିସ୍ତବ୍‌ଧତା । ଖସ୍‌ ଖାସ୍‌ । ପୁଣି ଝିଅଟିର କଣ୍ଠ, ‘‘ଆଃ ! ଛାଡ଼ନା, ଯଦି ସେ ଦେଖୁଥିବେ କ’ଣ ଭାବିବେ ? ଛି...... !’’

 

ଉଚ୍ଚ କଣ୍ଠରେ ହସି ଆସୁ ଆସୁ ଯୁବକଟି ଅଟକିଯାଇ କହିଲା–‘‘ଇଟ ଉଇଲ୍‌ ରିମାଇଣ୍ଡ ହର୍‌.... ।’’

 

ଯୁବତୀଟିର ମୃଦୁ ଭର୍ତ୍ସନା–‘‘ଛି, ବଜାରୀ !’’

 

ସ୍ନେହଲତା କର ଲେଉଟାଇ ସେପଟକୁ ମୁହଁକରି ଶୋଇଲେ । କାନରେ ବାଜୁଛି–‘ଇଟ ଉଇଲ୍‌ ରିମାଇଣ୍ଡ ହର୍‌.... ।’ ସତେ ତ ? ନିଜର ଅଜାଣତରେ ସ୍ମୃତି ଯେପରି ଭାସି ଉଠିଲା–

 

ସେଥର ଏମିତି ଗୋଟାଏ ଭୟାନକ ଶୀତ ରାତିରେ ଶଭେନ୍ଦୁ କମ୍ପାର୍ଟମେଣ୍ଟ ଭିତରକୁ ପଶି ଆସିଥିଲା । କ’ଣ ଗୋଟାଏ ଯାତ୍ରା ପାଇଁ କି ଅସମ୍ଭବ ଭିଡ଼ ସେତେବେଳେ ! ତିଳ ପକାଇବାକୁ ଜାଗା ନ ଥିଲା । ରାତି ସେତେବେଳକୁ ପ୍ରାୟ ତିନିଟା ହେବ ।

 

ଟ୍ରେନ ଚାଲିଲା ପରେ ଶୁଭେନ୍ଦୁ ବ୍ୟସ୍ତ ହୋଇ ପଡ଼ିଥିଲା । ଗୋଟାଏ ଅସ୍ଥିର ବ୍ୟସ୍ତତା । ସ୍ନେହଲତା ବୁଝିଲେ ତାର ମାନେ କ’ଣ ? କିନ୍ତୁ ଉପାୟ କିଛି ନ ଥିଲା । ସ୍ନେହଲତା କେବଳ ମୁରୁକି ହସିଥିଲେ । ଶୁଭେନ୍ଦୁକୁ ଚଟାପଟ୍‌ ହବାର ଦେଖିଲେ ବଡ଼ ମଜା ଲାଗୁଥିଲା ସେତେବେଳେ । ଆଉ ଶୁଭେନ୍ଦୁର କି ରାଗ ? ମନେ ପଡ଼ିଲେ ସେଦିନର କଥା ଏଇ ପରିଣତ ବୟସରେ ବି ହସମାଡ଼େ । କେମିତି ଗୋଟାଏ କୌତୂହଳ ହୁଏ । ସେମିତି ରାଗିଲା ରାଗିଲା ଶୁଭେନ୍ଦୁର ମୁହଁଟା ଯଦି ଏଇ ବୟସରେ ଦେଖାଯାନ୍ତା ଆଉ ଥରେ, କ’ଣ କ୍ଷତି ହୁଅନ୍ତା ? ଯୌବନ ଚାଲିଯାଇଛି ବୋଲି ତାକୁ କି ଆଉ ଫେରା ଯାଇ ପାରିବନି ?

 

ନା, ଯୌବନ କେବଳ ଯାଇନି ତା ସାଥିରେ, ଅପସରି ଯାଇଛି ଶୁଭେନ୍ଦୁ ନିଜେ ।

 

ଅଥଚ ବହୁ ଦିନ ତଳେ ଗୋଟାଏ ଖିଆଲି ମୁହୂର୍ତ୍ତରେ ଶୁଭେନ୍ଦୁ ତାକୁ କହିଥିଲା–

 

‘‘ପ୍ରତି ଯୁଗରେ ଜୀବନର ଭିନ୍ନ ମୂଲ୍ୟ ରହିଛି ସ୍ନେହ ! ଏ ଜୀବନରେ ଏକାଠି ରହିବା ଆମର କେବଳ ସ୍ୱପ୍ନ । ତଥାପି ମୋର ଇଚ୍ଛା ହୁଏ, ଜୀବନର ଶେଷ ମୁହୂର୍ତ୍ତରେ ଅନ୍ତତଃ ତୁମକୁ ମୁଁ ଦେଖିବାର ସୁଯୋଗ ପାଏ ।’’

 

ସ୍ନେହଲତା ଜବାବ ଦେଇ ନ ଥିଲେ । କାରଣ ଜୀବନଟା ସତକୁ ସତ ଗୋଟାଏ ବ୍ୟର୍ଥ କାବ୍ୟରେ ପରିଣତ ହେବ, ଏ କଥା ସେ କଦାପି କଳ୍ପନାରେ ଆଣି ନ ଥିଲେ । ତାଙ୍କର ପଚିଶ ବର୍ଷ ବୟସର ସମସ୍ତ ମୂଲ୍ୟବୋଧ, ସମସ୍ତ ଆଶା–ଭରସା ଯେପରି ଗୋଟାଏ ଭୂମିକମ୍ପରେ ଚୂରମାର ହୋଇଗଲା ।

 

କିନ୍ତୁ କିଛି ନ ବୁଝିଲାର ଢଙ୍ଗ କରି ସ୍ନେହଲତା ଅଭିମାନ କୋହରେ ଗୋଟାଏ ବିରହିଣୀ ନାୟିକା ପରି ଶୁଭେନ୍ଦୁର ଛାତିରେ ମୁହଁ ରଖି ଆକାଶକୁ ଚାହିଁଥିଲେ । ଯେଉଁ ଛାତି ଭିତରେ ସେ ନିଜ ପାଇଁ ଆକୁଳ ପ୍ରତିଧ୍ୱନୀ ଶୁଣିଥିଲେ, ସେଠାରେ ଶୁଣିଲେ ସେ ପ୍ରତାରଣାର ଗୁଞ୍ଜନ । ହୃଦୟ ? ଛାତିରେ କେଉଁ ଅଂଶରେ ସେ ଥାଏ କେଜାଣି ? ସାତ ରଙ୍ଗରେ ରଙ୍ଗୀନ୍ ଥିବା ଜୀବନର ଦୃଷ୍ଟିପଥ ହଠାତ୍‌ ଯେପରି ନିହାତି କରୁଣ, ନିହାତି ମଳିନ ହୋଇ ଯାଇଥିଲା ।

 

ମାତ୍ର ଭୂମିତଳେ କମ୍ପି ଉଠିଥିବା ମାଟି ଆଉ ଉପରେ ଚକ୍ର ପରି ଘୂର୍ଣ୍ଣୟମାନ ଆକାଶର ସଭା ଭିତରେ ନିଜକୁ ସୁସ୍ଥ, ସବଳ ଓ ଅପରାଜିତର ପରିଚୟ ଦେବାକୁ ଚାହିଁଥିଲେ ସ୍ନେହଲତା । ଶୁଭେନ୍ଦୁ ତାକୁ ବୁଦ୍ଧି ଆଉ କୌଶଳରେ ଜିତିଯାଇଛି ହୁଏତ, କିନ୍ତୁ ସ୍ନେହଲତା କଦାପି ତାହା ସ୍ୱୀକାର କରିବେନି । ପୃଥିବୀର ପାଞ୍ଚ ଜଣଙ୍କ ସାମ୍ନାରେ ହାରିଯିବାର କାରୁଣ୍ୟବୋଧ ନେଇ ‘ଆହା’ ପଦ ଶୁଣିବାକୁ ସେ ପ୍ରସ୍ତୁତ ନୁହନ୍ତି ।

 

ସେଥିପାଇଁ ହୁଏତ ବହୁମୂଲ୍ୟ ଅଳଙ୍କାର ଆଉ ଶଢ଼ୀରେ ଆଚ୍ଛାଦିତ ହୋଇ ଏକ ବିରାଟ ପୁଷ୍ପଗୁଚ୍ଛ ଧରି ସେ ସର୍ବାଗ୍ରେ ଶୁଭେନ୍ଦୁକୁ ଏୟାରପୋର୍ଟରେ ଭେଟିଥିଲେ । ଶୁଭେନ୍ଦୁର ଭବିଷ୍ୟତ ସୁଖ କଳ୍ପନାରେ ସେ ଯେମିତି ଖୁସିରେ ଖୁସିରେ ଝଲମଲ କରି ଉଠିଥିଲେ । ଆଃ ! ଶୁଭେନ୍ଦୁର ପ୍ଲେନ ଯେତେବେଳେ ଗର୍ଜନ କରି ଉଠିଲା....ସେତିକି ତୃପ୍ତି, ସେତିକି ଶାନ୍ତି । ଖୁସିରେ ସତେ ବା ସ୍ନେହଲତା ଆତ୍ମହରା ହୋଇ ରୁମାଲ ହଲାଉଥିଲେ । ଦୂରକୁ ଦୂରକୁ ଉଡ଼ି ଯାଉଥିଲା ପ୍ଲେନ....ମେଘ ଭିତରେ ଅଦୃଶ୍ୟ ହୋଇଥିଲା । ତଥାପି ନିଶା ଲାଗିଲା ପରି ସ୍ନେହଲତା ରୁମାଲଟା ଧରି ଉଡ଼ଉଥିଲେ ଯେ କେତେ ସମୟ ଧରି ଖିଆଲ ନାହିଁ । ହଠାତ୍‌ ହାତଟା ଆସି ଧରି ପକାଇଲା ସୁକୁମାର ।

 

ଏୟାର ପୋର୍ଟରୁ ଜନଗହଳି କମି ଆସିଥିଲା । ସଂଧ୍ୟାର ଆକାଶରେ ସେତେବେଳେ ଅନ୍ଧାର ବ୍ୟତୀତ କିଛି ଦେଖୁନ ଥିଲେ ସ୍ନେହଲତା ।

 

ସୁକୁମାରର ଫ୍ଲାଟରେ ସେଦିନ ରାତି କଟେଇ ଥିଲେ ସ୍ନେହଲତା । ଆଉ ପ୍ରଥମ କରି ସେଦିନ ସାମ୍ପେନର ଗ୍ଲାସ ଧରିଥିଲେ ନିଜ ଓଠ ପାଖରେ ନିଜେ । ସୁକୁମାରର ସ୍ତ୍ରୀ ସ୍ମିତା କହିଥିଲା, ଜୀବନଟା ପାନପାତ୍ର ନ ହୋଇପାରେ ସ୍ନେହନାନୀ, ପାନପାତ୍ରଟା ଜୀବନ ହେଲେ କ୍ଷତି ତ କିଛି ନାହିଁ । ସେ ହୁଏତ ଆଉ କିଛି କହିଥାନ୍ତା, ମାତ୍ର ସୁକୁମାରର ନୀରବ ଭ୍ରୂକୁଟୀରେ ସେ ନୀରବ ହୋଇ ଯାଇଥିଲା । ସ୍ମିତାର ବ୍ୟଙ୍ଗୋକ୍ତିରେ ଯଥେଷ୍ଟ ଯୁକ୍ତି ଥିଲା; କାରଣ ବମ୍ବେର ଏମିତି କୌଣସି କ୍ଲବ କି ବାର୍‌ ନ ଥିଲା, ଯେଉଁଥିରେ ସ୍ମିତା ଡ୍ରିଙ୍କ କରି ନଥିଲା । ବମ୍ବେ ସୋସାଇଟିରେ ବିଶେଷତଃ ଏରିଷ୍ଟୋକ୍ରାଟ ସୋସାଇଟିରେ ସ୍ମିତା ଯଥେଷ୍ଟ ସୁନାମ ଅର୍ଜନ କରିଥିଲା । ଶୁଭେନ୍ଦୁର ବନ୍ଧୁ ହିସାବରେ ସ୍ନେହଲତା କିଛିଟା ସୁକୁମାର ସହିତ ଅନ୍ତରଙ୍ଗତା କରି ପାରିଥିଲେ । ସେଇ ଖାତିରରେ ଗୋଟାଏ ପାର୍ଟିରେ ସଂଜ୍ଞାଶୂନ୍ୟ ଅବସ୍ଥାରେ ସ୍ମିତାକୁ ଦେଖି ତିକ୍ତ ଭର୍ତ୍ସନା କରିଥିଲେ ସେ । ହୁଏତ ଅପମାନିତା ସ୍ମିତା ସ୍ନେହଲତାକୁ ଚରମ ଦୁର୍ଦ୍ଦିନରେ ଆଘାତ ଦେବାଟା ବାଞ୍ଛାନୀୟ ମନେ କରିଥିଲା ।

 

କିନ୍ତୁ ସ୍ମିତାର କଟୂକ୍ତି ଅପେକ୍ଷା ତା କଥାର ମର୍ମ ଯେପରି ସ୍ନେହଲତାକୁ ବେଶୀ ସ୍ପର୍ଶ କରିଥିଲା–ପାନପାତ୍ରଟା ଜୀବନ ହେଲେ କିଛି କ୍ଷତି ନାହିଁ । ସେଦିନ ରାତିରେ ସାମ୍ପୋନର ଜ୍ୱାଳା, ଶୁଭେନ୍ଦୁର ଅନୁପସ୍ଥିତି ଆଉ ସ୍ମିତାର କଟୂକ୍ତି ସବୁରି ଭିତରେ ନିଜକୁ ମୁକ୍ତ ଅବସ୍ଥାରେ ଅନୁଭବ କରିବା ପାଇଁ ସ୍ନେହଲତା ଭୟ ପାଇଥିଲେ । ଭୟ....ଭୟ....ନିଜର କ୍ଷତି.....ନିଜର ଦୁରବସ୍ଥା...ନିଜର ବ୍ୟକ୍ତିତ୍ୱର ଲାଞ୍ଛନା ସବୁଦିନ ଯେପରି ସ୍ନେହଲତାକୁ ଭୀରୁ, ଏକାନ୍ତ ଭାବରେ ନିଜ ପାଖରେ ଭୀରୁ କରି ଦେଇଥିଲା ।

 

ଆଉ ? ଗୋଟାଏ ଅସ୍ଥିରତା, ଗୋଟାଏ ଜ୍ୱଳନ ଅବିରତ ଯେପରି ସ୍ନେହଲତାଙ୍କୁ ଅନ୍ତରାଳରେ କୀଟ ପରି କାଟି କାଟି ଧ୍ୱଂସ କରି ଚାଲିଥିଲା । ସେ କୀଟକୁ ଦୁରେଇବା ପାଇଁ ସ୍ମିତା ସହିତ ସେ ବନ୍ଧୁତା କରିଥିଲେ । କେତେ ଯେ ପାର୍ଟି ଡ୍ୟାନ୍‌ସ, କ୍ଳବ ଆଉ ଉତ୍ସବରେ ନିଜର କଣ୍ଠ, ନିଜର ଶରୀର–ମନକୁ ଲୋଟାଇ ଦେଇଥିଲେ ସ୍ନେହଲତା, ତାର ଇୟତ୍ତା ନାହିଁ । କେତେ ପୁରୁଷର ଆଖିର ଆଶା, ମନର ଭାଷା, ଶରୀରର ଉତ୍ତାପ ଆଉ ଜୀବନର ସ୍ୱପ୍ନ ରଙ୍ଗୀନ୍‌ ହୋଇ ଉଠିଥିଲା ସ୍ନେହଲତାଙ୍କ ସାନିଧ୍ୟରେ । ମାତ୍ର ସେ ନିଜେ ରହି ଯାଇଥିଲେ ଅତୃପ୍ତ ଆଉ ଉତ୍ତପ୍ତ । ମନ୍ଦିର, ମସଜିଦ ଆଉ ଗିର୍ଜାର ପ୍ରାଙ୍ଗଣରେ ନୀରବ ରାତ୍ରିରେ ସେ ଅଶ୍ରୁ ଗଡ଼ାଇ ଖୋଜିଥିଲେ ଟିକିଏ ସାନ୍ତ୍ୱନା ।

 

କିନ୍ତୁ କେହି କି ଦେଇପାରିଲେ ସାମାନ୍ୟ ବୋଲି ଶୀତଳତା ? କେହି କି ଦେଇପାରିଲେ ଟିକିଏ ବୋଲି ଭରସା ?

 

ହେଲାନି । ଜୀବନକୁ ପାନପାତ୍ରରେ ଧରିବାର ସମସ୍ତ ପ୍ରଚେଷ୍ଟା ବୃଥା ହେଲା ସ୍ନେହଲତାଙ୍କର । ଦିନେ ସୁକୁମାର ଆସି ପ୍ରସ୍ତାବ କଲେ–

 

‘‘ଇଫ୍‌ଇଉ ଡୋଣ୍ଟ ମାଇଣ୍ଡ, ସ୍ନେହଲତା ! ବେଟର ଇଉ ଗେଟ ମ୍ୟାରି । ଆଇ ମିନ......ସ୍ତ୍ରୀଲୋକର ଜୀବନରେ ମ୍ୟାରେଜଟା ନିହାତି ଦରକାର । ତା ପର ଜୀବନର ସବୁକିଛି ଅଭିଜ୍ଞତା ତ ରହିବା ଅବଶ୍ୟକ ।’’

 

ଚମକିପଡ଼ି ସ୍ନେହଲତା ପଚାରିଲେ–

 

‘‘ତୁମେ କ’ଣ ଏସବୁ ବିଶ୍ୱାସ କର ? ତୁମେ ଏତେ କନ୍‌ଜର–ଭେଟିଭ... !’’ କଥା ଛଡ଼ାଇ ସୁକୁମାର କହିଲା–

 

‘‘ଦୃଷ୍ଟିକୋଣ ନେଇ ଏଠି ପ୍ରଶ୍ନ ଉଠେନା । ପ୍ରତିଟି ମଣିଷର ଜୀବନରେ..ଆଇ ମିନ...ଇଏସ୍‌....ମ୍ୟାରେଜ ଇଜ ଏ ନେସେସିଟି ।’’

 

‘‘କିନ୍ତୁ ସୁକୁମାର ! ଗୋଟିଏ ବ୍ୟର୍ଥ ହୃଦୟ ନେଇ ମୁଁ ଯେ କାହାକୁ ଶାନ୍ତି ଦେଇପାରିବି, ଏକଥା ମୁଁ.... ।’’

 

‘‘ଶାନ୍ତି ହୁଏତ ତମେ ନ ଦେଇପାର ସ୍ନେହଲତା ! ଶାନ୍ତି ହୁଏତ ପାଇପାର, ଆଉ ନ ପାଇବ ବା କାହିଁକି ?’’

 

ଆବେଗରେ ସ୍ନେହଲତା ସୁକୁମାର ହାତକୁ ମୁଠାଇ ଧରି ପଚାରିଥିଲେ–

 

‘‘କିନ୍ତୁ ସୁକୁମାର ! ତୁମେ....ତୁମେ କ’ଣ ଏସବୁକୁ ବିଶ୍ୱାସ କର ? ତୁମର କଣ ଏଥିରେ ଆସ୍ଥା ଅଛି ? ନିଜେ ନିଜେ କି ତୁମେ ବିବାହ କରି ସୁଖି ହୋଇଛ ? ଶାନ୍ତି ପାଇଛ ?’’

 

ସିଗାରେଟ ଧୂଆଁ ଭିତରେ ନିଜକୁ ଆଚ୍ଛନ୍ନ ରଖି ସୁକୁମାର କହିଲା–

 

‘‘ବନଟା ଗୋଟାଏ ଜୁଆଖେଳ । ଗୋଟାଏ ଥର ହାରିଗଲ ବୋଲି କି ଆଉଥରେ ତମେ ଜିତିପାରିବ ନାହିଁ ? ସାହସ ଦରକାର, ଧୈର୍ଯ୍ୟ ଦରକାର... ।

 

ମୃତ୍ୟୁଟା ଏତେ ସୁବିଧାଜନକ ନୁହେଁ ଲତା ! ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବ, ତମକୁ ଜୁଆ ଖେଳିବାକୁ ହେବ । ତମେ ହାରିଯିବ, ପୁଣି ତମେ ଜିତି ବି ଯିବ ।

 

କିନ୍ତୁ ଏ ସମସ୍ତ ଭିତରେ ତମକୁ ବାଜି ରଖିବାକୁ ହେବ । ସେ ବାଜି କ’ଣ ଜାଣ ଲତା ?

 

ସେ ହୃଦୟ । ଏକାନ୍ତ ଆପଣାର ହୃଦୟ.... ।’’

 

ଲାଇଟଟା ବୋଧେ ତଳେ କିଏ ଦେଲା । ସ୍ନେହଲତା ନିଦ୍ରିତ ଥିବାର ଭଙ୍ଗୀର ଚୁପ୍‌ଚାପ୍‌ ପଡ଼ି ରହିଲେ । ଟ୍ରେନଟା ଥମିଯାଇଛି । କେତେଟା ବାଜିଲାଣି କେଜାଣି ?

 

ବାଥରୁମ ଖୋଲି କେହି ଜଣେ ଆସିଲା । ତ୍ରସ୍ତ ଚଞ୍ଚଳ କଣ୍ଠରେ ଯୁବକଟି କହିଲା–

 

‘‘ଗେଟ ରେଡ଼ି ସ୍ୱପ୍ନା ! ଏଇ ଷ୍ଟେସନ ଆସିଛି । ସିଗନାଲ ଦେଲେ ହିଁ ଇନ୍ କରିବ ।’’

 

‘‘ତମେ ଠିକ ଫେରିବ ତ ? ମତେ କାହିଁକି ଭୟ ଲାଗୁଛି । ହଠାତ୍‌ ଘରେ ପହଞ୍ଚି କ’ଣ ଯେ କହିବି.... ?’’ କିପରି ଗୋଟାଏ ବିଷର୍ଣ୍ଣ କଣ୍ଠରେ ସ୍ୱପ୍ନା ଉତ୍ତର ଦେଲା ।

 

‘‘କାହିଁକି ? ସିଧା କହିବ–ସେ ମ୍ୟାରେଜରେ ତମର ସମ୍ମତି ନାହିଁ, ସାରା ଜୀବନ ଧରି ସଫର କରିପାରିବନି । ଡରୁଛ କାହିଁକି ?’’

 

ଗୋଟାଏ ଲମ୍ବ ଦୀର୍ଘ ନିଶ୍ୱାସ ଟାଣି ସ୍ୱପ୍ନା ଉତ୍ତର ଦେଲା–

 

‘‘ନା ହିମାଂଶୁ ! ସେଥିପାଇଁ ଯେତେ ବେଶୀ ଡର ନାହିଁ....’’

 

‘‘ଓ, ମୁଁ...ଫେରିବି କି ନାହିଁ ! ମତେ ତମେ ଏତେ ନୀଚ ଭାବୁଛ କାହିଁକି ସ୍ୱପ୍ନା ! ପରର ସ୍ତ୍ରୀକୁ ନିଜର ସ୍ତ୍ରୀ କଲା ପୂର୍ବରୁ ଜୀବନର ଗତିପଥରୁ ସମସ୍ତ ବାଧାବିଘ୍ନ ଛିନ୍ନ କରିବା ପାଇଁ ମୁଁ ପ୍ରସ୍ତୁତ ହୋଇନି ବୋଲି ତମେ ଭାବୁଛ କାହିଁକି ? ହିମାଂଶୁ ଯାହା ଉଚିତ ମନେକରେ ତା’ କରେ । ମୋର ଯାହା ପ୍ରାପ୍ୟ; ଯାହା ଦାବୀ ତାକୁ କିପରି ଗ୍ରହଣ କରାଯାଇପାରେ, ତାକୁ ଅନ୍ତତଃ ମୁଁ କାହାଠାରୁ ଶିକ୍ଷା କରିବା ମୋର ଦରକାର ମନେ କରେନା ।’’

 

‘‘କିନ୍ତୁ ତୁମର ସୋସାଇଟି, ବାପ ମା, ଆଭିଜାତ୍ୟ.... ?’’

 

‘‘ସିଲି । ସୋସାଇଟି ? ସମାଜ ! ମଣିଷ ବଡ଼ ଏକାକୀ ଏ ଯୁଗରେ ସ୍ୱପ୍ନା । ପୃଥିବୀର ଲକ୍ଷ କୋଟି ବର୍ଷର ଇତିହାସ, ସମାଜ, ଟ୍ରାଡ଼ିସନସ ଆଉ ମୂଲ୍ୟବୋଧ ଥାଇ ବି ସେ ବଡ଼ ଏକାକୀ, ଭାରି ନିଃସଙ୍ଗ । ନିଜର ଦାବୀ, ନିଜର ଇଚ୍ଛା, ଆବଶ୍ୟକତା ନିଜେ ଜୋର କରି ନ ନେଇ ଗଲେ କେହି ତାକୁ ଆଣି ଦେବେନି ମୋତେ । ଅଯଥା ନୀତି–ଅନୀତି, ପାପ–ପୁଣ୍ୟ ନେଇ ତମେ ମୋତେ...ପ୍ଲିଜ ସ୍ୱପ୍ନା, ବ୍ୟସ୍ତ କରନା ।’’

 

‘‘ଓଃ ହିମାଂଶୁ.... !’’

 

ସ୍ନେହଲତା ଆଉ ଶୁଣି ପାରିଲେନି । ସ୍ୱପ୍ନା ବୋଧହୁଏ ଆନନ୍ଦର ଆତିଶଯ୍ୟରେ ହିମାଂଶୁର ବକ୍ଷଦେଶରେ ଲୋଟି ପଡ଼ିଛି । ଗାର୍ଡ଼ର ହୁଇସିଲ ଶବ୍ଦରେ ଟ୍ରେନଟା ପୁଣି ହାତ ପାଦ ହଲାଇ ନାଚି ଉଠିଲା ।

 

ଛୋଟ ଷ୍ଟେସନ । ସ୍ୱପ୍ନା ଓହ୍ଲାଇଗଲା । ହିମାଂଶୁର ‘ବାଏ’ ‘ବାଏ’ କେବଳ ସ୍ନେହଲତାଙ୍କର କାନରେ ଦୁଇ ଥର ପାଇଁ ଝଙ୍କୃତ ହୋଇ ଟ୍ରେନର ବିକଟାଳ ଶବ୍ଦରେ ଲୀନ ହୋଇଗଲା ।

 

ସ୍ୱପ୍ନ ଦେଖୁଥିଲେ କି ସ୍ନେହଲତା ? ଜୀବନର ସ୍ୱପ୍ନ ଆଉ ଆଶା ତା ହେଲେ କାହାର ଯେ ପୂରଣ ନ ହୋଇଛି, ଏ କଥା ସେ ଭାବିବ କାହିଁକି ? ଏକ ଦୀର୍ଘଶ୍ୱାସ ଛାଡ଼ି ସ୍ନେହଲତା ପୁଣି କର ଲେଉଟାଇ ଶୋଇଲେ... ।

 

ସ୍ନେହଲତାଙ୍କୁ ଯଦି ଏମିତି ଆସି ଶୁଭେନ୍ଦୁ ଲୁଚେଇ ନେଇ ଦେଶ ଛାଡ଼ି ପଳେଇ ଥାଆନ୍ତା ? କ୍ଷତି କ’ଣ ହୋଇଥାଆନ୍ତା ? ବିଷ୍ଣୁପ୍ରସାଦଙ୍କ ସହ ବାହାଘରର ଦୁଇ ବର୍ଷ ପରେ ତ ଶୁଭେନ୍ଦୁ ସହ ସାକ୍ଷାତ ହୋଇଥିଲା ସ୍ନେହଲତାଙ୍କର...... ।

 

କିନ୍ତୁ ? ଶୁଭେନ୍ଦୁ ମୀରାକୁ ଚିହ୍ନାଇ ଦେଇଥିଲା ନିଜର କ୍ଲାସମେଟ ବୋଲି । ଆଉ ମୀରାକୁ ପରିଚୟ ଦେଲା ବେଳେ ମୀରା ହସି ହସି କହିଲା–

 

‘‘ବୁଝିଲେ, ମୋରି ନାମଟା ବାସ୍ତବିକ ମେରୀ । ଶୁଭେନ୍ଦୁଙ୍କୁ ଭଲ ନ ଲାଗିବାରୁ ନାଁଟାକୁ ତାଙ୍କ ରୁଚି ଅନୁଯାୟୀ ବଦଳାଇ ଦିଆଯାଇଛି ।

 

ସ୍ନେହଲତା ଯେପରି ନିଜ ଅଜାଣତରେ ଅନ୍ୟମନସ୍କ ହୋଇ ଯାଇଥିଲେ । ନାମକରଣ କରିବା ଶୁଭେନ୍ଦୁର ଗୋଟାଏ ଖେୟାଲ ତା ହେଲେ । ‘ସୁରଜିତ’ ନାଁଟାକୁ ବଦଳାଇ ସ୍ନେହଲତା କରିଥିଲା ଶୁଭେନ୍ଦୁ । ଏପରିକି କାଗଜପତ୍ର, ବନ୍ଧୁ ମହଲ ଓ ନିଜ ବାପ ମାଙ୍କ କଣ୍ଠରେ ବି ସେହି ନାଟା ବଡ଼ ଆଦୃତ ହୋଇ ଯାଇଥିଲା । ‘ସୁରଜିତ’ର ମୃତ୍ୟୁ ହୋଇ ଜନ୍ମ ନେଇଥିଲା ‘ସ୍ନେହଲତା’ ।

 

ସ୍ନେହଲତାର ଜୀବନ୍ତ ଦଗ୍‌ଧ ଶରୀରଟାକୁ ବୋହି ବୋହି ଯେମିତି ଭାରି କ୍ଲାନ୍ତି ଲାଗିଲାଣି ।

 

ବିଷ୍ଣୁପ୍ରସାଦଙ୍କ ସହ ବିଭାଘରର ସାମାନ୍ୟ କିଛି ଦିନ ପରେ ବଡ଼ କ୍ଲାନ୍ତ ହୋଇ ପଡ଼ିଲେ ସ୍ନେହଲତା । ଚାରି ବର୍ଷ ଭିତରେ ସେ ହୋଇଥିଲେ ଦୁଇଟି ସନ୍ତାନର ଜନନୀ ।

 

ବିଷ୍ଣୁ ପ୍ରସାଦ ବୁଡ଼ି ରହିଥିଲେ ବ୍ୟବସାୟରେ । ବେଳ ନାହିଁ । ଘର, ସ୍ତ୍ରୀ, ସନ୍ତାନ ଆଉ ପରିବାରର ଖବର ନେବା ପାଇଁ । ଆଉ ତାର ପ୍ରୟୋଜନ ହିଁ ନାହିଁ । ସ୍ନେହଲତା କେବେହେଲେ ଆବଦାରୀ କରନ୍ତିନି, ଅଭିମାନର ରେଖା ସୁଦ୍ଧା ତାଙ୍କ ମୁହଁରେ ନାହିଁ । ଆଉ ପୁଅ ଝିଅଙ୍କ ପାଇଁ ସବୁ ରକମର ବନ୍ଦୋବସ୍ତ କରା ଯାଇଥିଲା । ଅତଏବ, ବିଷ୍ଣୁପ୍ରସାଦ ମନେ କରୁଥିଲେ ଅଖଣ୍ଡ ଶାନ୍ତି, ଅସୀମ ତୃପ୍ତି । ସେ ଦେଇଛନ୍ତି ସ୍ତ୍ରୀ ଆଉ ସନ୍ତାନସନ୍ତତିଙ୍କୁ । ଆହୁରି ତୃପ୍ତି ପାଇଁ ସେ ଧାଉଁଛନ୍ତି ଅବିରତ.....କେବେ ଅଭିଯୋଗ ନାହିଁ କି କ୍ଲାନ୍ତି ନାହିଁ ।

 

ସ୍ନେହଲତା ମନେ ମନେ ହସନ୍ତି । ପରିବାର ? ସନ୍ତାନ ? ସ୍ୱାମୀ ଆଉ ଲମ୍ବା ଭବିଷ୍ୟତ-? ସବୁ ତ ଅଛି । ଗର୍ବ କରିବାର ଅନେକ କିଛି ଅଛି । କିନ୍ତୁ ସମୁଦ୍ରର ଅଖଣ୍ଡ ଶୀତଳତା ଭିତରେ ଦେହ ଆଉ ମନର ତନ୍ତୁ ଏମିତି ଜଳିଯାଉଛି କାହିଁକି ?

 

ସେ କ’ଣ ଚାହାନ୍ତି ? ପ୍ରତିଶୋଧ ନା କ୍ଷମା ?

 

ବିଷ୍ଣୁ ପ୍ରସାଦ ଦିନେ କହୁଥିଲେ–

 

ତୁମେ କିଛି ମୁହଁ ଖୋଲି କହୁନା କାହିଁକି ସ୍ନେହ ! ତମର କିଛି ଦରକାର ହୁଏନା, କୌଣସି ଜିନିଷର ଅଭାବ ହୁଏନା ?

 

ଚକିତା ସ୍ନେହଲତା ବିଷ୍ଣୁପ୍ରସାଦଙ୍କ ଛାତିରେ ବୋତାମ ଲଗାଉ ଲଗାଉ ନିଜ ଅଜାଣତରେ ଲୁହରେ ଟଳମଳ କରିଉଠିଲେ । ନିଜକୁ ସଂଯତ କରି ସେ ହସିଦେଇ କହିଲେ–

 

ଅଖଣ୍ଡ ତୃପ୍ତି ଯାହାକୁ ମିଳିଛି, ସେ କ’ଣ ଆଉ ଚାହେଁ ? ଭାବୁଛି ଏ ମତେ ସହ୍ୟ ହେବ କି ନାହିଁ ! ଏତେ ସୁଖ ମୁଁ କଳ୍ପନା କରି ନ ଥିଲି....... ।

 

ସ୍ନେହଲତା ଲକ୍ଷ୍ୟ କରିଥିଲେ ବିଷ୍ଣୁପ୍ରସାଦଙ୍କ ପ୍ରଶାନ୍ତିଭରା ମୁହଁକୁ । ସେ କି ସନ୍ଦେହ କରନ୍ତି ?

 

ତେବେ ସେ କ’ଣ ନିର୍ବୋଧ ? ମନ ବିଦ୍ରୋହ କରିଉଠେ । ନିଜର ଚତୁରତାକୁ ସାବାସ କରି ହୁଏ ନା କି କାହାର ଦୁର୍ବଳତାକୁ ସ୍ନେହ ଚକ୍ଷୁରେ ଦେଖି ହୁଏନା ।

 

ଶୁଭେନ୍ଦୁର ସ୍ମୃତି ପଚିଶ ବର୍ଷରୁ ଊର୍ଦ୍ଧ୍ୱ । ତଥାପି ଯେମିତି ଆଦ୍ୟ ଜୀବନରେ କୁଠାରାଘାତରେ ନଇଁ ପଡ଼ିଥିବା ମେରୁଦଣ୍ଡ ଆଉ ସଳଖି ହୋଇ ପାରି ନାହିଁ । ସେଥିପାଇଁ ବିଷ୍ଣୁପ୍ରସାଦଙ୍କ ସହନଶୀଳତା, ସନ୍ତାନର ଭବିଷ୍ୟତ କି ନିଜର ସମଜଦାରପଣିଆ କେହି ହେଲେ ତାଙ୍କୁ ସାହାଯ୍ୟ କରିପାରିବେନି । ସେଠି ସେ ଏକା–ଏକାକୀ । ନିର୍ଜନ ଆଉ ନିଃସଙ୍ଗ ।

 

ତଥାପି ନିରୋଳାରେ, ବିନିଦ୍ର ରଜନୀ ଆଉ କର୍ମହୀନ ଦ୍ୱି-ପ୍ରହରରେ ସେସବୁ ଯେ ଛାୟା ଛବି ପରି କାହିଁକି ମନେପଡ଼େ ? କାହିଁକି ଛାତି ଭିତରେ କଲିଜା ଗୁରୁ ଗୁରୁ ହୋଇ ପୋଡ଼ିଉଠେ ? କି କୈଫିୟତ୍‌ ତାର ?

 

ସ୍ନେହଲତାଙ୍କ ରିଷ୍ଟୱାଚରେ ସାତଟା ବାଜିବାକୁ ପନ୍ଦର ମିନିଟ, ଆରେ ? ସେ ଉଠି ବସିଲେ । ମୁଣ୍ଡଟା ବୁଲୁଛି । ସାରା ରାତି ଅନିଦ୍ରା । ଅବଶ । କ୍ଲାନ୍ତ ।

 

କିନ୍ତୁ କାହିଁକି ସେ ଆସିଲେ ? ନ ଆସିଥିଲେ ଚଳି ନ ଥାନ୍ତା । ମାତ୍ର ଉପାୟ ନ ଥିଲା..... ।

 

ଗତ କାଲି ସକାଳେ ବିଷ୍ଣୁପ୍ରସାଦ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ‘‘ଶୁଭେନ୍ଦୁ’’ର ଅସୁସ୍ଥତା ସମ୍ବାଦ ଦେଖାଇଲା କ୍ଷଣି କିପରି ହଠାତ୍‌ ଅବଶ ହୋଇଗଲେ ସ୍ନେହଲତା । ବହୁ ସାବଧାନ ସହକାରେ ସାରାଦିନ ସେ ନିଜକୁ ସଂଯତ ରଖିବାକୁ ଚେଷ୍ଟା କରିଥିଲେ; ମାତ୍ର ସଂଧ୍ୟାବେଳେ ବିଷ୍ଣୁପ୍ରସାଦ ନିଜେ ହିଁ ପ୍ରସ୍ତାବ କଲେ–

 

ତମେ ବରଂ ତୁମ ବନ୍ଧୁଙ୍କୁ ଦେଖିଆସ ସ୍ନେହ ! ମୁଁ ନିଜେ ନେଇଯାନ୍ତି; କିନ୍ତୁ ୟା ଭିତରେ ଏତେ କାମ ଯେ ଯିବା ସମ୍ଭବ ଦେଖୁନି । କ’ଣ ଭାବୁଛ ?

 

ସ୍ନେହଲତା ଉତ୍ତର ଦେଇ ନ ଥିଲେ । ଘର ଛାଡ଼ି ପଳାଇ ନ ଆସିବା ଛଡ଼ା ସତେ ଯେମିତି ଉପାୟ କିଛି ନ ଥିଲା ।

 

ମାତ୍ର ସେ କ’ଣ କହିବେ ଶୁଭେନ୍ଦ୍ରକୁ ? ମୀରାକୁ ? ହୁଏତ ଥିବେ ସେମାନଙ୍କର ପୁତ୍ର–କନ୍ୟା ? କେତେ ଯୋଡ଼ା ଆଖିର ସନ୍ଦେହ ଚାହାଁଣୀ ଭିତରେ ନିଜକୁ ଠିକ୍‌ ଭାବରେ ପରିଚିତ କରାଇ ପାରିବେ ତ ସ୍ନେହଲତା.... ?

 

ନା, ଆଉ ଭାବିବାକୁ ବେଳ ନାହିଁ । ଷ୍ଟେସନ..... । କୁଲି.....ଯାତ୍ରୀ ଭିଡ଼ । ପାଟିଗୋଳ....ହଇହଲ୍ଲା । ଚଳମାନ ଜୀବନର ବ୍ୟସ୍ତତା ଭିତରେ ସ୍ନେହଲତା ଟ୍ରେନରୁ ଓହ୍ଲାଇ ଷ୍ଟାଣ୍ଡକୁ ଯାଇ ଟ୍ୟାକ୍‌ସିରେ ବସିଲେ ।

 

ହସପିଟାଲ ଲିଫ୍‌ଟର ଅନ୍ଧକାର ବକ୍ଷରେ ସ୍ନେହଲତା ଅନୁଭବ କଲେ ତଣ୍ଟି ଭିତରଟା ଯେମିତି ଶୁଖିଯାଇଛି । ଗୋଟାଏ ଅଜଣା ବେଦନା, ଗୋଟାଏ ଭୀତି ଯେମିତି ତାଙ୍କୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗ୍ରାସ କରିଆସୁଛି..... ।

 

ଶୁଭେନ୍ଦୁର ରୁମ୍‌ଖୋଜିବା ଦରକାର ପଡ଼ିଲାନି । ତାଙ୍କର ଦୃଷ୍ଟି ସାମ୍ନା ଦେଇ ଛିଡ଼ା ହୋଇଛି ଇଏ କିଏ ? ଶୁଭେନ୍ଦୁର ଚିତ୍ରପଟ ପରି ଅତୀତର ସେ ସ୍ମୃତିସବୁ ନାଚିଯାଉଛି ।

 

ସ୍ନେହଲତାର ହଠାତ୍‌ ହାରିଯାଇଥିବା ପ୍ରସ୍ତାବଟି ସଜାଗ ହୋଇଉଠିଲା । କାରଣ ଯୁବକଟି ମଧ୍ୟ ବଡ଼ କୌତୁହଳୀ ହୋଇଛି ତାଙ୍କ ପ୍ରତି କିପରି ଗୋଟାଏ ସଲଜ୍ଜତା ଅନୁଭବ କଲେ ସ୍ନେହଲତା ସେଇ ଯୁବକଟି ପାଖରେ ।

 

ତଥାପି ଯିବାକୁ ହେବ, ପଚାରିବାକୁ ହେବ ପରିଚୟ । ସ୍ନେହଲତା ଗଳା ପରିଷ୍କାର କରି ଆଗେଇଗଲେ । ମାତ୍ର ଯୁବକଟି ତା ପୂର୍ବରୁ ଇଂରାଜୀରେ ପଚାରିଲେ–

 

‘‘ଆପଣ କାହାକୁ ନିଶ୍ଚୟ ଖୋଜୁଛନ୍ତି ?’’

 

‘‘ଓ ଡାଡ଼ିଙ୍କୁ ଦେଖିବାକୁ ଚାହାନ୍ତି ! ଆଇ ଆମ୍‌ ସରି ମ୍ୟାଡ଼ମ୍‌ ! ସେ ବର୍ତ୍ତମାନ ଅବ୍‌ଜରଭେସନ ସେଣ୍ଟରରେ । ମମୀର ସ୍ପଟ ଡେଥ୍‌ ହୋଇଯାଇଛି ।’’

 

ଯୁବକଟି ଉଦାସ ଆଖିରେ ବାହାରକୁ ଅନାଇଲା । ଯେପରି ଆଉ କିଛି କହିବାକୁ ଚାହେଁନା । ସ୍ନେହଲତା ସଂଯତ ଗଳାରେ ପଚାରିଲେ–

 

‘‘କିନ୍ତୁ ଲେବୋରେଟୋରୀରେ ନିଆଁ ଲାଗିଲା କିପରି ? ଏତେ ବଡ଼, ଏତେ ଫେମସ, ଭଏଲ ପ୍ରୋଟେକ୍‌ଟେଡ଼ ଲାବୋରେଟୋରୀ ।’’

 

ଯୁବକଟି ଆଶ୍ଚର୍ଯ୍ୟ ହେଲା ପରି ଉତ୍ତର ଦେଲା–

 

‘‘ଦୁର୍ଘଟଣାର ଛତ୍ରିଶ ଘଣ୍ଟା ଭିତରେ ସମଗ୍ର ଇଣ୍ଡିଆ ଆଉ ଇଣ୍ଡିଆ ବାହାରର କ୍ୟାବଲ ମିଶି ପ୍ରାୟ ଛତ୍ରିଶ ହଜାର କି ତା’ଠାରୁ ବେଶୀ ଲୋକଙ୍କୁ ମୁଁ ଡାଡ଼ିଙ୍କ ହେଲ୍‌ଥ କଣ୍ଡିସନ ଉପରେ ଉତ୍ତର ଦେଇଛି । ମାତ୍ର ଏ ପର୍ଯ୍ୟନ୍ତ ମୋତେ ଏ ପ୍ରଶ୍ନ କେହି କରିନି......ନିଆଁ ଲାଗିଲା କିପରି ? ଏହାର ଉତ୍ତର ନିଜେ ମୁଁ ଖୋଜି ଖୋଜି ପାଇନି.... ।’’

 

‘‘କିନ୍ତୁ..... ?’’ ସ୍ନେହଲତା ଦ୍ୱିଧା ଅନୁଭବ କରୁଥିଲେ ।

 

ପୁଣି ସେଇ ଉଦାସଭରା ଆଖି ଟେକି ଯୁବକଟି କହିଲା–

 

‘‘ପୃଥିବୀରେ ସବୁ ଜିନିଷର କି କାରଣ ଥାଏ ? କାରଣ ନ ଥାଇ କ’ଣ କାର୍ଯ୍ୟ ହୁଏନା ? ଆଉ ସେ କାର୍ଯ୍ୟର ଫଳାଫଳ କି ବିଷମୟ, କି ସାଙ୍ଘାତି, କି ବିଭୀଷିକାମୟ ? ସେଥିପାଇଁ ପୃଥିବୀକୁ କେତେ ଜୀବନ ବଳୀ ଦେବାକୁ ହୁଏ, କେତେ ସୁଖ, କେତେ ଆଶା ପାଣି ପରି କାଳର ସ୍ରୋତରେ ମିଶିଯାଏ । ମଣିଷ ବଡ଼ ଅସହାୟ । ମଣିଷ ଅଦୃଷ୍ଟ ବିଧାତା ପୁରୁଷ ସହ ସନ୍ଧି କରିନି.......କି ତାକୁ ଜୟ କରିପାରିନି..... । ମଣିଷ ଆଜି ବଡ଼.... ।’’

 

କଥା ଛଡ଼ାଇ ସ୍ନେହଲତା ମ୍ଲାନ ହସି କହିଲେ–

 

‘‘ବଡ଼ ନିଃସଙ୍ଗ । ବଡ଼ ଅସହାୟ । ଏଇ ତ ?’’

 

ଯୁବକଟି ଅନ୍ୟମନସ୍କ ଭାବରେ ଉତ୍ତର ଦେଲା–

 

‘‘ନିଜ ପାଇଁ, ନିଜ ପାଖରେ ହିଁ ସେ ହାରିଯାଇଛି । ବିଧାତା ପୁରୁଷ ପାଇଁ ହୁଏତ ତାର କୈଫିୟତ ଥାଇପାରେ, ମାତ୍ର.... ।’’

 

ହଠାତ୍‌ନର୍ସର ଚିତ୍କାର ଶୁଣି ବନ୍ଦ ହୋଇଗଲେ ଦୁଇ ଜଣ–

 

‘‘ମିଃ ଦାସ... !’’

 

ନର୍ସର କଣ୍ଠରେ କାରୁଣ୍ୟ ଯେପରି ବିଜୁଳି ବେଗରେ ଛୁଟାଇ ନେଲା ଯୁବକଟିକୁ । ଆଉ-? ବଜ୍ରାଘାତ ହେଲା ପରି ସ୍ନେହଲତା ଚମକି ପଡ଼ି କାନ ବନ୍ଦ କଲେ ।

 

ନା ପ୍ରଭୁ ! ସେ କିଛି ଶୁଣିବେ ନାହିଁ, ଦେଖିବେ ନାହିଁ, କହିବେ ନାହିଁ... ।

 

ପାଦତଳେ ହସପିଟାଲର ପ୍ରଶସ୍ତ ବାରଣ୍ଡାଟା କମ୍ପୁଥିଲା । ଆଉ ରୁଥିଲା ତାଙ୍କ ମୁଣ୍ଡ ଉଗରେ ଆକାଶ ।

 

ସ୍ନେହଲତା ମନକୁ ମନ କହୁଥିଲେ, ହେ ବିଧାତା ପୁରୁଷ ! ହେ ସର୍ବଶକ୍ତିମାନ ଅଦୃଷ୍ଟ ! ଏବେ ତୁମେ ପ୍ରସ୍ତୁତ ହୁଅ । ତମର ଅନ୍ତତଃ ସ୍ନେହଲତା ପାଇଁ କୌଣସି କୈଫିୟତ ନାହିଁ....ନାହିଁ....ନାହିଁ.... !!!

Image

 

ବିଦୀର୍ଣ୍ଣ

 

ମଞ୍ଜରୀ ଦେବୀ ତରତର ହୋଇ ଘରୁ ବାହାରିଗଲେ । ପୁଅଝିଅ ସମସ୍ତେ ସ୍କୁଲ କଲେଜରୁ ଫେରିଲେଣି । ଘରେ କ୍ରମଶଃ କୋଳାହଳ ବଢ଼ିଉଠୁଛି । ଯୌବନ ଓ ରାଜନୀତି ଉଭୟ ବିଷୟରେ ଏକ ସମୟରେ ସଚେତନ ହୋଇଉଠୁଥିବା ପୁଅଝିଅଙ୍କ ଆଗରେ ସଭାସମିତିକି ବାହାରିଲା ବେଳେ ମଞ୍ଜରୀ ଦେବୀ ନିଜ ଅଜାଣତରେ କିପରି ସଙ୍କୋଚ ଅନୁଭବ କରନ୍ତି । ଯେତେ ଯେଉଁଠି ଯୁକ୍ତିତର୍କ କଲେ ବି ନିଜ ପିଲାଙ୍କ ସଙ୍ଗରେ ସେ ପାରନ୍ତି ନାହିଁ । ମନେ ମନେ ସେଥିପାଇଁ ରାଗ ଯେତିକି, ବାହାରେ ବନ୍ଧୁମେଳରେ ଗର୍ବ ସେତିକି । କିନ୍ତୁ କଥା ହେଲା, ତାଙ୍କର ମନର ରାଗ, ବାହାରର ଗର୍ବ ସହିତ ନିଭୃତରେ କେବେହେଲେ ସାଲିସ କରେ ନାହିଁ–ମିଳିତ ହୋଇ ତାଙ୍କୁ ଉତ୍‌ଫୁଲ୍ଲ କରିବାର ପ୍ରଶ୍ନ ଉଠେନା !

 

ଗାଡ଼ିରେ ବସି ମଞ୍ଜରୀ ଦେବୀ ହ୍ୟାଣ୍ଡବ୍ୟାଗରେ ଥିବା ଛୋଟ ଦର୍ପଣରେ ମୁହ ଟା ଦେଖିନେଲେ । କାଳେ ପାଉଡ଼ର ଲାଗିଥିବ ! ଅକ୍ଷୟଟା ମୁରୁକି ମୁରୁକି ହସି କହୁଥିଲା–ସମାଜବାଦ କଲାବେଳେ ନିଜକୁ ସମାଜବାଦୀ ବେଶ ପୋଷାକରେ ସଜ୍ଜିତ କରିବାକୁ ହେବ । ଅର୍ଥାତ୍‌ ସାଦାସିଧା । ଝିଅ ସୁଚିତ୍ରା କିନ୍ତୁ ରାଜି ହୋଇ ନ ଥିଲା । ବରଂ ସେ ହସିଦେଇ କହିଥିଲା–ନା ମା, ବରଂ ଓଠରେ ନ୍ୟାଚୁରାଲ କଲରର ଲିପଷ୍ଟିକ ଟିକେ ଲଗାଇଲେ ଭାଷଣ ଦେବା ସମୟରେ ଇମ୍‌ପ୍ରେସିଭ୍‌ ଲାଗିବ । ମଞ୍ଜରୀ ଦେବୀ ବିରକ୍ତ ହେଲେ ଅକ୍ଷୟ କହେ–ମା, ତମକୁ ସମସ୍ତଙ୍କ ମତ ନେଇ ଚଳିବାକୁ ହେବ । ସମାଜବାଦଟା ଘରୁ ଆରମ୍ଭ ନ ହେଲେ ବାହାରେ ଚଳାଇବା ମୁସ୍କିଲ ।

 

ସମାଜବାଦ ! ସମାଜବାଦ ! ବିରକ୍ତ ଲାଗିଲାଣି । କଥା କଥାକେ ସମସ୍ତେ ସେଇ କଥା କହୁଛନ୍ତି । ସତେ ଯେମିତି ମଞ୍ଜରୀ ଦେବୀଙ୍କ ବ୍ୟତୀତ ଏ କଥା ଶୁଣିବାକୁ କେହି ଏ ଦେଶରେ ନାହାନ୍ତି !

 

ଘଡ଼ିକି ଦେଖି ବିରକ୍ତ ହୋଇଉଠିଲେ ମଞ୍ଜରୀ ଦେବୀ, ଆଉ ଡ୍ରାଇଭରକୁ ହାଁକିଦେଇ କହିଲେ–

 

‘‘ତୁଳଉଛ ନା କ’ଣ ରାଖାଲ ? ତୁମେ ପଞ୍ଚାଏ ନିକମା, ତମର ମୋଟେ ସମୟଜ୍ଞାନ ହେଲାନି । ତେଣେ ଯେ ମୁଁ ଯାଇ ନ ପହଞ୍ଚିଲେ କିଛି କାମ ହୋଇ ପାରିବନି ।’’

 

ରାଖାଲ ଯୁବକ ଡ୍ରାଇଭର । ସମାଜବାଦ ସମ୍ପର୍କରେ ତାର କିଛି ମନ୍ଦ ଧାରଣା ନାହିଁ କିମ୍ବା ଏ ଯୁଗରେ ସେ ପଦେ କଥା ସହିଯିବେ ବିନା ଦୋଷରେ ଏଇଟା ଅନ୍ତତଃ ଅସହ୍ୟ । ସେ ବେଶ୍‌ କ୍ଷିପ୍ତ ସ୍ୱରରେ ଉତ୍ତର ଦେଲା–

 

‘‘ଚଲଉଛି ତ ଆଜ୍ଞା ! ଆଉ କ’ଣ ଲୋକଗୁଡ଼ାକ ଉପରେ ମଡ଼େଇ ନେବି ?’’

 

‘‘ବେଶ୍‌ କଥା କହିଶିଖିଛ ଦେଖୁଛି ।’’ ରାଗରେ କମ୍ପିଉଠି ମଞ୍ଜରୀ ଦେବୀ କହିଲେ ।

 

ରାଖାଲ ଉତ୍ତର ଦେଲାନି । ବର୍ତ୍ତମାନ ତାର କୌଣସି କଥା ଆଉ ଶୁଣାଯିବନି । ସେ ମନକୁ ମନ ଜିଭଟା ଓଠ ଉପରକୁ ଉଠାଇ ଚୁପ୍‌ ରହିଲା !

 

ମଞ୍ଜରୀ ଦେବୀ ହାତ ଘଣ୍ଟାକୁ ଚାହିଁ ବ୍ୟସ୍ତ ହେଲେ । କାରଣ ମିଟିଂଟାର ସଫଳତା ତାଙ୍କ ଉପସ୍ଥିତି ଓ ଭାଷଣ ଉପରେ ଅନେକଟା ନର୍ଭର କରୁଛି । ସେ ଆଉ ଥରେ ପାଉଡ଼ର ପଫ୍‌ଟା ଗାଲ ଉପରେ ଘୂରାଇ ଆଣିଲେ ଏବଂ ମନେମନେ ଆଉଡ଼ାଇନେଲେ ମୁଖସ୍ଥକରା କେତେ ପଦ ସମାଜବାଦର ସ୍ଲୋଗାନ ।

 

ସଭାସ୍ଥଳରେ ଲୋକାରଣ୍ୟ । ଏକଦମ୍‌ ଧାଇଁଲା ପରି ଆସୁଛନ୍ତି ହରିପଦ ବାବୁ । ଆଜି ତାଙ୍କର ବି କିଛି କହିବାର ଥିଲା ।

 

ମଞ୍ଜରୀ ଦେବୀ ହରିପଦ ବାବୁଙ୍କୁ ପଚାରିଲେ–‘‘ଏତେ ତରତର ହୋଇ ପଳଉଛନ୍ତି କାହିଁକି ? କ’ଣ ହେଲା ?’’

 

ହରିପଦବାବୁ ତାଙ୍କ ଗହବା ନିଶରୁ ଝାଳ ପୋଛୁ ପୋଛୁ ଉତ୍ତର ଦେଲେ–

 

‘‘ରାମ, ରାମ ! ଆଉ କୁହନ୍ତୁନି । ଦେଶଟା ଉଚ୍ଛନ୍ନ ହୋଇଗଲା । ମୁଁ କହେନି–ତାତ୍ତ୍ୱିକ ଆଲୋଚନା କରିବ ତ ବାବୁ ତମେ ତମ ଭିତରେ କର । ଟେବ୍‌ଲଟେ ପକେଇ ପାଞ୍ଚ ଦଶ ବସିଯିବୁ–ଯିଏ ଯାହା କହିବ ତାକୁ ନୋଟ କରି ନେଇ ଖବରକାଜଗରେ ଛାପି ଦିଅ, ତେଣିକି ପଛେ ତମେ ହଜାରେ ପାଞ୍ଚ ଲୋକଙ୍କର ନାଁ ଦେଇପାର, ନା.... ।’’

 

ମଞ୍ଜରୀ ଦେବୀ ପୁଣି ବ୍ୟସ୍ତ ହେଲା ପରି ପଚାରିଲେ–‘‘କ’ଣ ହେଲା ଆଜି ? ଆଲୋଚକ କେହି ଆସି ନାହାନ୍ତି ? ମୋର ଟିକେ ଡେରି ହୋଇଗଲା.....ପୁଝାରୀଟା ନାହିଁ, ପିଲାଙ୍କ ପାଇଁ ଟିଫିନ୍‌ ସଜାଡ଼ି ଆସୁ ଆସୁ.... !’’ ମଞ୍ଜରୀ ଦେବୀ ସତେ ବା ନିଜ ଭିତରେ ନିଜ ଅକ୍ଷମତାକୁ କ୍ଷମା କରି ପାରୁ ନ ଥିଲେ ।

 

ହରିପଦ ବାବୁ ଦୁଇ ପଟର ଯିବା ଆସିବା ଜନତାକୁ ଲକ୍ଷ୍ୟ କରି ଚୁପ୍‌ଚୁପ୍‌ କହିଲେ–

 

‘‘ଆସିବେନି କାହିଁକି ? ପଣ ପଣ ହେଉଛନ୍ତି ପରା ! କୋଉଠୁ ଗୁଡ଼ାଏ ଛତରା ଟୋକା ଆସିଛନ୍ତି । ତାଙ୍କୁ ପଚାର, ଦି’ପଦ କହି ପାରିବେନି । ଆଉ ଯିଏ କହିଲା, ତାକୁ ବି କୁହାଇ ଦେବେନି । ପ୍ରଶ୍ନ ଉପରେ ପ୍ରଶ୍ନ । ଚାଇନାରେ କ’ଣ ହେଲା, ରୁଷିଆରେ କ’ଣ ହେଲା, ଭାରତର ଛାଞ୍ଚ ମାନେ କ’ଣ.....ଇତ୍ୟାଦି ଇତ୍ୟାଦି.....କେତେ କଥା । ତମେ ତ ପଦେ କହି ନ ଥିବ, ପାଞ୍ଚଟା ପ୍ରଶ୍ନ ହେବଣି ତେଣେ, ଏଥିରେ କିଏ କ’ଣ କହିବ କହୁ ନାହାନ୍ତି ? ମୁଁ ଶେଷରେ ସଭା ଛାଡ଼ି ଚାଲି ଆସିଲି..... । ଆପଣ ଯାନ୍ତୁ, ଦେଖିବେ ଯଦି... ।’’

 

ମଞ୍ଜରୀ ଦେବୀ ଅନ୍ୟମନସ୍କ ଭାବରେ ମିଟିଂ ହଲର ଚତୁର୍ଦ୍ଦିଗରେ ବସିଥିବା ଜନତାକୁ ଲକ୍ଷ୍ୟ କରୁଥିଲେ, ଆଉ ହରିପଦ ବାବୁଙ୍କ କଥାରେ କିପରି ନିରୁତ୍ସାହ ହୋଇ ପଡ଼ିଥିଲେ ।

 

ମାତ୍ର ମିଟିଂକୁ ନ ଯାଇ ଫେରିଯିବେ କେମିତି ? କିନ୍ତୁ ପ୍ରଶ୍ନ ଗୁଡ଼ିକର ଉତ୍ତର ଯଥାଯଥ ନ ଦେଲେ ? କଥାଟା ଚାରିଆଡ଼େ ରାଷ୍ଟ୍ର ହୋଇଯିବ । ଅଜୟ, ଅକ୍ଷୟ, ସ୍ୱପ୍ନା, ସୁଚିତ୍ରା ଆଉ ତାଙ୍କର ବାପାଙ୍କ ଠାରୁ ଆରମ୍ଭ କରି ରାଖାଲ ଏବଂ ସହରର ସବୁ ଲୋକଙ୍କ ଆକ୍ଷିରେ ତାଚ୍ଛଲ୍ୟକୁ ସହ୍ୟ କରି ପାରିବେ ତ ? ତା’ ଅପେକ୍ଷା ବରଂ.... ।

 

ମଞ୍ଜରୀ ଦେବୀଙ୍କ ଚିନ୍ତା ଅସମାପ୍ତ ରହିଲା । ମାଇକରେ ଗୋଟାଏ ଦୁର୍ଦ୍ଦାନ୍ତ କଣ୍ଠସ୍ୱର ଭାସି ଆସିଲା....ଆପଣମାନେ ଏଠାରୁ ସଭା ଉଠେଇ ନେଇ ଶ୍ମଶାନକୁ ଚାଲିଯାନ୍ତୁ ନିଜେ ନିଜେ କିମ୍ବା ଆମେ ଆପଣମାନଙ୍କୁ ନେଇଯିବୁ ଶୀଘ୍ର, ଯାହା ଗୋଟାଏ ବନ୍ଦୋବସ୍ତ ଶୀଘ୍ର କରନ୍ତୁ । ଜାତୀୟ ସମ୍ପତ୍ତିର ଏପରି ବିନର୍ବ୍ୟୟ ଆମେ ଆଉ ବରଦାସ୍ତ କରି ପାରିବୁନି ।

 

ମଞ୍ଜରୀ ଦେବୀ ଆଉ ହରିପଦବାବୁ ଏକ ସଙ୍ଗରେ ଚମକି ଉଠିଲେ ବି ଏକ ସମୟରେ ଓଠର ହସ ବିନିମୟ କଲେ । ମଞ୍ଜରୀ ଦେବୀ କହିଲେ–

 

‘‘କେତେ ଏମିତି ଫୁଟକା ଦେଖିଛି । ବୁଝିଲେ, ଏପାଖରେ ଟିଅର ଗ୍ୟାସ, ସେ ପାଖରେ ହାତ ବୋମା, ମଝିରେ ବ୍ରିଟିଶ ପୁଲିସର ଗୁଳି..ବୁଝିଲେ...ଜୀବନକୁ ଭୟ ଥିଲେ ଏ ଟୋକାଙ୍କ ପରି ଆମେ ଦେଶଟାକୁ ବ୍ରିଟିଶ୍‍ ସରକାର ହାତରେ ଟେକି ଦେଇ ନିଶ୍ଚିତ ରହିଥାନ୍ତୁ.... ! ଓଃ !’’

 

ମଞ୍ଜରୀ ଦେବୀ ହଠାତ୍‌ କଥାର ପୂର୍ଣ୍ଣଚ୍ଛେଦ ପକାଇ କହିଲେ, ‘‘ଛାଡ଼ନ୍ତୁ ! ଏଠି ଯା’ ଘଟଣା ଦେଖୁଛି, ସେଠାରେ ନିଜର ଇଜ୍ଜତ ରଖିବାଟା ବଡ଼ କଥା । ଆଉ ଏଇ ପରିସ୍ଥିତିରେ କାହାକୁ କ’ଣ କହିବି ? କାହିଁକି ବା କହିବି ? ମୁଁ ଚାଲିଲି...ଆପଣ ଯିବେ ଯଦି ଆସନ୍ତୁ, ଡ୍ରପ କରିଦେବି !’’

 

କିଛି ରାସ୍ତା ଅତିକ୍ରମ କଲା ପରେ ମଞ୍ଜରୀ ଦେବୀ କହିଲେ, ‘‘ବୁଝିଲେ, ନିଶ୍ଚୟ ଗୋଟାଏ ଦଳ ଏମାନଙ୍କ ପଛରେ କାମ କରୁଛି । ନଚେତ୍‌ଯେ କୌଣସି ଜାଗାରେ ମିଟିଂ ହେଉଛି କି ଆଲୋଚନା ହେଉଛି, ଏମାନେ ଗଣ୍ଡଗୋଳ କରୁଛନ୍ତି କେମିତି ଦଳବଦ୍ଧ ହୋଇ ? ଆପଣଙ୍କର ଧାରଣା କ’ଣ ?’’

 

ହରିପଦବାବୁ ଯେପରି ରାସ୍ତା ଦୁଇ କଡ଼ରେ କ’ଣ ଗୋଟାଏ ଖୋଜିଲା ଭଙ୍ଗୀରେ ଚାହୁଁଥିଲେ ବ୍ୟସ୍ତ ହେଲା ପରି । ମଞ୍ଜରୀ ଦେବୀଙ୍କ କଥା ନ ଶୁଣି ସେ କହିଲେ–

 

‘‘ଏଇଠି ଗାଡ଼ିଟା ଟିକେ ରୋକନ୍ତୁ, ଆଜ୍ଞା ! ସିମେଣ୍ଟ ଖବରଟା ବୁଝିଯାଏ....

 

ମଞ୍ଜରୀ ଦେବୀ ବିସ୍ମିତ ଭଙ୍ଗୀରେ କହିଲେ–

 

‘‘କ’ଣ ଆପଣଙ୍କର ନିଜର ? କେବେ ତ ଶୁଣିନି...’’ !

 

ହରିପଦବାବୁ ପୁଣି ନିଶ ପୋଛି କହିଲେ–

 

‘‘ଏଇଟା କି କଥା ? କଳ କାରଖାନା ହୋଇଥାନ୍ତା କହନ୍ତି.... ଗୋଟାଏ ଜାଗାରୁ ଆଣି ଅନ୍ୟ ଗୋଟାଏ ଜାଗାରେ ବିକିବା କଥା । ଦି’ପଇସା ଆଣି ଗୁଜୁରାଣ ମେଣ୍ଟାଇବା ପାଇଁ ... ।’’

 

‘‘ସେଦିନ ଆପଣଙ୍କ ଲୁଗା, ରେଡ଼ିଓ ଦୋକାନ, ଆଉ ଗାଁରେ କୋ–ଅପରେଟିଭ ଫାର୍ମ କଥା... ।’’

 

‘‘ସେସବୁ ଛାଡ଼ନ୍ତୁ ଆଜ୍ଞା, ମୋର ସେଥିରେ ଲାଭ କ’ଣ ? ଆପଣ ତ ଜାଣନ୍ତି....ହେଲେ ନ୍ୟସ୍ତସ୍ୱାର୍ଥ ଦଳ ମୋ ପିଛା ଛାଡ଼ୁ ନାହାନ୍ତି । ମିଟିଂରେ ଆଜି ସେ ଟୋକାଗୁଡ଼ାକ ଏତେ ଲୋକଙ୍କ ଆଗରେ...ଛି....ଛି.... ! ମୁଁ ଭଲା ମୋ ସ୍ୱାର୍ଥ ପାଇଁ ଏଗୁଡ଼ା କରିଥାନ୍ତି !’’

 

ମଞ୍ଜରୀ ଦେବୀ ଫାଟକ ଖୋଲି ରାସ୍ତା କଡ଼କୁ ଆସି ହରିପଦବାବୁଙ୍କୁ ରାଖାଲ ନ ଶୁଣିଲା ପରି କହିଲେ–‘‘ମୋର ଲାଇସେନ୍‌ସଟା ରିନିଉ କରିବା କଥା । ହଁ ଶୁଣନ୍ତୁ, ମୁଁ ମୋଟେ ଚାହେଁ ନି ମୋ ନାଁରେ କୌଣସି କାରବାର ଡାଇରେକ୍‌ଟଲି ହଉ ବୋଲି । ମିଃ ହାଜରା ଓ ସିଂହ... ।

 

ହରିପଦବାବୁ ହସି ହସି କହିଲେ–

 

‘‘ଆପଣ ଏମିତି ଡରୁଛନ୍ତି କାହିଁକି ? ଏମିତି ହେଲେ ବିଜିନେସ୍‌ଡିଲ କରିବା ମୁସ୍କିଲ । ଦଲାଲଗୁଡ଼ାଙ୍କ କଥା କହୁଛନ୍ତି.... ?’’

 

‘‘ନା ! ବଡ଼ ଭୟ ଲାଗୁଛି । କେହି ଜାଣନ୍ତିନି...ଆଜିକାଲି ଦୁନିଆର ରୀତିନୀତି ଦେଖି....-। ସେମାନଙ୍କୁ ମୋଟା ଟଙ୍କା ମୁଁ ଚାନ୍ଦା ଦିଏ, ମୋଠୁ ଅଧିକା କିଏ ଦେଇପାରିବ ? ଅଥଚ ମୋରି ଅନୁଷ୍ଠାନ ପିଛା ସବୁବେଳେ ଲାଗିଛନ୍ତି... ।’’

 

ହରିପଦବାବୁ କହିଲେ–‘‘ଆପଣଙ୍କର ଏତେ ଭୟ ପାଇବାର କାରଣଟା ମୁଁ ବୁଝୁନି । ଆପଣଙ୍କ ଭଳି ମୁଁ ପ୍ରତିଷ୍ଠିତ ହୋଇଥିଲେ କ’ଣ କରିସାରନ୍ତିଣି । ଆପଣଙ୍କର ଯେଉଁ ଟ୍ୟାଲେଣ୍ଟ ରହିଛି... !’’

 

ମଞ୍ଜରୀ ଦେବୀ ନିଶ୍ୱାସଟାଏ ଛାଡ଼ି କହିଲେ–

 

‘‘ଛାଡ଼ନ୍ତୁ । ଭାଗ୍ୟ ହେଲେ ଓ୍ୟାଇନ୍‌ସପ୍‌ରେ ମୋ ସେୟାରଟା ଅନ୍ୟ ନାଁରେ କରିଦେଲେ ଭଲ ହୁଅନ୍ତା... ।’’

 

‘‘ନାହିଁ, ନାହିଁ । ସେ କଥା କହନ୍ତୁନି...କେବଳ ଆପଣ ଥିବାରୁ ସିନା.... !’’

 

ମଞ୍ଜରୀ ଦେବୀ ଆଉ କଥା ନ ବଢ଼ାଇ ଅଗତ୍ୟା ଆସି କାର୍‌ରେ ବସିଲେ ଏବଂ କେଜାଣି କାହିଁକି ହରିପଦବାବୁଙ୍କ ଲମ୍ବା ଚଉଡ଼ା ଦୋକାନ ଉପରେ ଆଖି ପକାଇ ଦେଇ ଗୋଟାଏ ବ୍ୟଥା ଅନୁଭବ କଲେ ।

 

ମିଟିଂଟା ଏମିତି ନଷ୍ଟ ହୋଇଗଲା ଆଉ ତା ସହିତ ସଂଧ୍ୟାଟା ବି ।

 

ଘର ଭିତରକୁ ପଶିଲେ ମଞ୍ଜରୀ ଦେବୀ । କିପରି ଗୋଟାଏ ଥମ ଥମ ଲାଗୁଛି । ମାତ୍ର.... ।

 

ଉପର ମହଲାରେ ଅଜୟର ପଢ଼ାଘରେ ଲାଇଟ ଜଳୁଛି । ଟୁପ୍‌ଟାପ୍‌ ଶବ୍ଦ ମଧ୍ୟ ।

 

ମଞ୍ଜରୀ ଦେବୀ ରୁମ୍‌ ଭିତରକୁ ଯାଉ ଯାଉ ଅକ୍ଷୟର କ୍ଷିପ୍ତ ସ୍ୱରରେ ଅଟକିଗଲେ–

 

‘‘ତୁମେ ଭାଇ, ମାଆଙ୍କୁ ସଫା କହିଦିଅ । ଅନ୍ତତଃ ଉପାସରେ ମରିଯିବା ଭଲ, ଏଇ ଲଜ୍ଜାଠାରୁ ।’’

 

ଅଜୟ ଉତ୍ତର ଦେଲା–

 

‘‘କାହିଁକି, ତୁମେ ସମସ୍ତେ ମିଶି କୁହ, ମୁଁ ଏକା କହିଲେ ସେ ହସି ଉଡ଼େଇଦେବେ–ଯେମିତି ସମଗ୍ର ପୃଥିବୀଟାକୁ ସେ ହାଲୁକା କରି ଫିଙ୍ଗି ଦିଅନ୍ତି... ।’’

 

ସୁଚିତ୍ରା କହିଲା–

 

‘‘ମୋର ପଚାରିବାକୁ ଆପତ୍ତି ନାହିଁ । ମାତ୍ର ମୁଁ ସିଓର ହେବାକୁ ଚାହେଁ । ଫରେନ୍‌ ଲିକର୍‌, ଚୋରାରେ ବିକୁଥିବା ଏବଂ ଲୁଗା ଦୋକାନର ସେଲସ୍‍ଟ୍ୟାକ୍‌ସ ଫାଙ୍କିଥିବା, ଦୁଇଟା କଥା ମୁଁ ବିଶ୍ୱାସ କରେନି ।’’

 

‘‘କାହିଁକି ଅପା ବିଶ୍ୱାସ କରୁନୁ ? ମା’ର ଡାଏରୀ ଖାତାରେ ସେସବୁ ଡିଟେଲ ଲେଖା ହୋଇଛି, ଆଉ ତୁ ତ ରୋକ ମା’ର ଡାଏରୀ ପଢ଼ୁ...ତତେ ଦେଖି ମୋର ବି ଇଚ୍ଛା ହୁଏ.... ।’’

 

ସୁଚିତ୍ରା ଗର୍ଜିଉଠିଲା–

 

‘‘ଚୁପ୍‌କର ! ବାଜେ କଥା କହନା । ମାଆକୁ ସିନା ତମେ ଦୋଷ ଦଉଛ ହେଲେ ତମର ଏତେ ଲକ୍‌ସୁରୀ, ଏଡ଼େ ଫରମାସୀ ବାପାଙ୍କର କେତେଟା ଟଙ୍କାରେ.... ।’’

 

ତାଚ୍ଛଲ୍ୟରେ ଅକ୍ଷୟ ପାଟି କରି ଉଠିଲା–‘ଲକ୍‌ସୁରୀ ! ଲଜ୍ଜା ନାହିଁ ! କିଏ କହୁଛି ଆମକୁ ଗାଡ଼ି, ଯୋତା, କୋଠା, ଡିନାର, ପାର୍ଟି ପିକନିକ୍‌ରେ ଭସେଇ ଦେଇ ଆମ ମୁହଁରେ ଚୂନକାଳି ଦେବାକୁ ? ଜାଣୁ, ପାଞ୍ଚ ଜଣ ଲୋକଙ୍କ ଆଗରେ ମୁହଁ ଦେଖାଇବା ସମ୍ଭବ ନୁହେଁ....ତା’ ଅପେକ୍ଷା ରାସ୍ତାକଡ଼ରେ ପଡ଼ି ମରିଯିବା ଭଲ.... ।’’

 

ଅଜୟ କହିଲା–

 

‘‘ତୁ ଅପଦାର୍ଥ ! ଆଜି ଅନ୍ତତଃ ତାଙ୍କୁ ମିଟିଂ ଛାଡ଼ିବା ଉଚିତ ନ ଥିଲା । ଆଇ ଓ୍ୟଣ୍ଡର...ସେ ବୁଝୁନାହାନ୍ତି ଭାଷଣ ଦେଇ ଲୋକଙ୍କୁ ଆଉ ଶାନ୍ତ କରାଯାଇ ପାରିବନି । ତା’ପର, ସେ ଜାଣନ୍ତି କ’ଣ ? ସମାଜବାଦ ବିଦ୍ୟା କିଛି ହେଲେ ମଗଜରେ ନାହିଁ । କେତେଟା ମୁଖସ୍ଥକରା ଶବ୍ଦ... ।

 

ମଞ୍ଜରୀ ଦେବୀଙ୍କ ପାଦ ଟଳୁଥିଲା । ଯେପରି ଭୂମିକମ୍ପ ହେଉଛି । ସେ ଘର ଭିତରକୁ ଯିବେ କି ସେଇଠାରେ ବସି ପଡ଼ିବେ କିଛି ସ୍ଥିର କରି ପାରୁ ନ ଥିଲେ । କାରଣ ତାଙ୍କ ଡାଏରୀରେ କେବଳ ଲୁଗା, ମଦ ଆଉ ଫାଙ୍କିଥିବା ଟଙ୍କାର ହିସାବ ନାହିଁ...ଅଛି କକ୍‌ଟେଲ ପାର୍ଟିର ଇତିହାସ...ମିଃ ସିଂହ, ହାଜରା, ଦାସ...ଆହୁରି ଅନେକ ଅନେକ...ଚଣ୍ଡୀଗଡ଼ର ମିଃ ଲୁକ୍‌ ସହ ରାତ୍ରୀ ଯାପନ, ଗାଡ଼ି କିଣାର ଇତିହାସ ଆଉ ନିକଟ ଭବିଷ୍ୟତରେ ଫରେନ୍‌ ଯିବାର ଯୋଜନା ଚିଠା...ଅସୁମାରି ସଙ୍କେତ ଆଉ ଭବିଷ୍ୟତର ରଙ୍ଗୀନ୍‌ କଳ୍ପନା.... ।

 

କାନ୍ଥ ଦେହରେ ଆଉଜି ମଞ୍ଜରୀ ଦେବୀ କ୍ରମଶଃ ଅବଶ ହୋଇ ଆସୁଥିଲେ ଏକ ଅପରିଚିତ ଅଜାଣା ଗୃହରେ.... !

 

ସୁଚିତ୍ରାର କେଉଁ ଏକ କଥାରେ ଜବାବ ଦେବାକୁ ଯାଇ ଅଜୟ ଗର୍ଜନ କରି ଉଠିଲା–

 

‘‘ପୃଥିବୀ ଫାଟି ତୋର ମନକୁ ବସୁନ୍ଧରା ଆସିଲା ପର୍ଯ୍ୟନ୍ତ କେହି ଆଉ ଅପେକ୍ଷା କରି ପାରିବେନି । ପୃଥିବୀକୁ ଫଟାଇ ବସୁନ୍ଧରାକୁ ଆଣିବାକୁ ହେବ..... !!!’’

 

ମଞ୍ଜରୀ ଦେବୀ ବିଦୀର୍ଣ୍ଣ ହେବାକୁ ଯାଉଥିବା ଘୂର୍ଣ୍ଣୟମାନ ପୃଥିବୀର ଚତୁର୍ଦ୍ଦିଗରେ ସତେ ବା ଚକ୍‌କର ଖାଉଥିଲେ..... !!!

Image

 

ଅନେକ ରାତ୍ରିର ଆକାଶ

–ଏକ–

 

ଖାଲି ଯନ୍ତ୍ରଣା । ଅସୁମାରି । ଯାହାର ଆଦି ନାହିଁ କି ଅନ୍ତ ନାହିଁ । ଗନ୍ଧହୀନ ପଳାଶ ପରି ତା’ର କ୍ଲାନ୍ତି ଦିଗନ୍ତବିସ୍ତାରୀ ।

 

ଆକାଶରୁ ରହି ରହି ବର୍ଷା ଝରୁଛି । ବଗିଚାରୁ ପାଣିଗୁଡ଼ାକ ଟପ୍‌ଟପ୍‌ ଝରୁଛି । କେବେ ବି ଚିଁ ଚିଁ କରି ଗୋଟାଏ ପକ୍ଷୀର ବେଦନାତ୍ମକ କଣ୍ଠ ଭାସି ଆସୁଛି ! ସମସ୍ତେ ଅବା ଯନ୍ତ୍ରଣାର କେବଳ ପରିପୂରକ ।

 

ଏସବୁ ଘଟଣା ସତ୍ତ୍ୱେ ସୁଚରିତା ଭଲ କରି ଜାଣେ, ରାତ୍ରି ତାର ନିର୍ଦ୍ଦିଷ୍ଟ ବାଟରେ ଗତି କରି ଯିବ ଏବଂ ସକାଳୁ ଆସି ବିଛଣାରୁ ଉଠିବାର ତାଗିଦ କରିବ । ହୁଏତ ବର୍ଷା ଏତେସମୟ ଅପେକ୍ଷା ନ କରିପାରେ । ହୁଏତ ଫୁଟିଥିବା ଫୁଲସବୁ ଝଡ଼ି ଯାଇପାରନ୍ତି । ମାତ୍ର ଏଇ ଶେଷହୀନ ଯନ୍ତ୍ରଣା ? ସେ କିନ୍ତୁ ତାକୁ ଅପେକ୍ଷା କରି ରହିବ ।

 

ସୁଚରିତା କଡ଼ ଲେଉଟାଇ ଶୋଇଲା । ନିଦ ବା ଆସୁଛି କେଉଁଠୁ ? କେତେ ଦିନ ହେଲା ନିଦ ହେଉନି... । ଅସଂପୂର୍ଣ୍ଣ ନିଦର ଘଣ୍ଟାକୁ ହିସାବ କଲେ କିପରି ଗୋଟାଏ ଆତଙ୍କ ମନକୁ ଆକ୍ରାନ୍ତ କରି ପକାଏ । ହଠାତ୍‌ କରି ମନେ ହୁଏ ସେ ଅବା ପଡ଼ିଯିବ...ସେ ଅବା ଶୋଇଯିବ ଟେବୁଲର ଫାଇଲ ଉପରେ...ସେ ଅବା ଶୋଇଯିବ ଫୁଟପାଥ କି ବସ୍‌ର ରେଲିଂ ଦେହରେ କିମ୍ବା ଜନଗହଳି ରାସ୍ତାର ଉପରେ । ଆଃ । ତା’ କ’ଣ କେବେ ସମ୍ଭବ ହେବନି ? ସୁଚରିତାର ଚେତନାବୋଧ କି ଦିନେ ହେଲେ ଅସମୟରେ ଲୁପ୍ତ ହେବ ନାହିଁ ।

 

ନିଜର ବୋଧଶକ୍ତିକୁ ଘୃଣା କରିବାକୁ ଇଚ୍ଛା ହୁଏ । କାହିଁକି ଅନ୍ୟମାନଙ୍କ ପରି ସେ ନିଜକୁ ଖେୟାଲୀ, ଫୁଲେଈ ଆଉ ଦୁର୍ବଳିଆ ରୋଗଣା କରି ସମସ୍ତଙ୍କ ଆଗରେ ଦେଖେଇ ପାରେନା ? କାହିଁକି ?

 

ପକ୍ଷୀଟାଏ ବିକୃତ ଭାବରେ ନିସ୍ତବ୍‌ଧ ପୃଥିବୀକୁ ଚମକାଇ ଦେଲା ।

 

ଫାୟାର ଷ୍ଟେସନ ଘଣ୍ଟାରେ ଢଂ ଢଂ ଦୁଇଟା ବାଜିଲା । ସୁଚରିତାର ଯନ୍ତ୍ରଣାର ଅନ୍ତଃସ୍ରୋତକୁ ସତେ ବା କିଏ ପଥରର ବନ୍ଧ ଦେଇ ନିମିଷକ ପାଇଁ ଅଟକାଇ ଦେଲା !

 

ଇସ୍‌ ! ଦୁଇଟା ବାଜିଗଲାଣି । କାଲି ଯେ ଅଫିସରେ କେତେ କାମ..... ! କେହି ତ ବୁଝିବେ ନାହିଁ–କେହି ତ ଜାଣିବେ ନାହିଁ... !

 

ମରିଯିବାଟା ଏତେ ସହଜ ନୁହେଁ–ବଂଚିବାଟା ହୁଏତ ତା’ଠାରୁ କଷ୍ଟକର ! କିନ୍ତୁ ତିଳ ତିଳ କରି ଝରିଯିବାଟା କଣ ସହଜ ?

 

ଗରମ ଲାଗୁଛି.... । ଟିକିଏ ଶୀତଳ ପବନ ଲୋଡ଼ା । ନ କାନ୍ଦି ବି ମୁହଁଟା ପୋଡ଼ୂଛି ।

 

ସୁଚରୀତା ଦ୍ୱାର ଖୋଲି ବାରଣ୍ଡାକୁ ଆସିଲା । ବାହାରେ କାନ୍ଥକୁ ଆଉଜି ଚଉରାମୂଳରେ ମଇନା ମା ଢୋଳଉଛି । ଚେୟାରଟିଏ ଟାଣି ନେଇ ସୁଚରିତା ବସିଲା ।

 

–ଦୁଇ–

 

ଗଳା ପରିଷ୍କାର କରି ନିଜକୁ ବେଶ୍ ସଂଯତ କରି ଅନୁଚ୍ଚ ସ୍ୱରରେ ପଢ଼ିଲା ଅଞ୍ଜନା–

 

ପୃଥିବୀର ଇତିହାସ ଆଉ ସାହିତ୍ୟ ପ୍ରମାଣ କରେ–ସମସ୍ତ ଲୋମହର୍ଷଣକାରୀ ଯୁଦ୍ଧ ଓ ହତ୍ୟା ମୂଳରେ ନାରୀ ଓ ତାର ପ୍ରେମ ଉଭୟେ ସଂଶ୍ଲିଷ୍ଟ । ନାରୀ ହିଁ ସୃଷ୍ଟିର ଧ୍ୱଂସବାହକ... ।

 

ବହିଟା ଫୋପାଡ଼ି ଦେଇ ହସିଉଠିଲା ଅଞ୍ଜନା । ନାରୀ, ନାରୀ, ନାରୀ ! କେବଳ ନାରୀ ହିଁ ଦାୟୀ ? ନାରୀର କି କିଛି ଭଲ ଗୁଣ ନାହିଁ ? ନାରୀର କି କିଛି ଦାନ ସୃଷ୍ଟିକୁ ନାହିଁ ?

 

ନା ! ଏ ନାଟକରେ ସେ ଅଂଶ ଗ୍ରହଣ କରିବ ନି । ସେଥିପାଇଁ ଯେତେ ଟଙ୍କା, ଯେତେ ପ୍ରଲୋଭନ ତାକୁ ଦେଖାଯାଉ ସେ ରାଜି ହେବ ନାହିଁ ।

 

ଏମିତି ସେ ହେବ ନାହିଁ । ଚିନୁ ଭାଇଟା ଦୁଷ୍ଟ । ସେ ହସିବ । କହିବ, ଅଞ୍ଜନା ଫୁଲେଈ–ଜୀବନ କିଛି ଜାଣିନି, ସେ କି ନାଟକ କରିବ ! ତାକୁ ରୋଲ ନ ଦିଆଯାଉ । ଆଉ ସେହି ଚେପ୍‌ଟା ମୁହଁ ମଦୁଆ ଡିରେକ୍‌ଟର ଚୁରୁଟ୍‌ ଟାଣି ଧୂଆ ଛାଡ଼ି କହିବ, ଅଞ୍ଜନା ହ୍ୟାଜ୍‌ ଫିଉଚର... ।

 

ନା, ଯା’, ପଛେ ହେଉ, ଏ ଡ୍ରାମାରେ ଏ ନାରକୀୟ ରୋଲରେ ସେ ଓହ୍ଲେଇ ପାରିବନି–ଶହ ଶହ ଦର୍ଶକଙ୍କ ଆଗରେ । ସେମାନଙ୍କର ଯେଉଁ ଭକ୍ତି, ଯେଉଁ ସ୍ନେହ, ଯେଉଁ ମମତା ସେ ପାଇଛି.... ।

 

ସ୍ନେହ, ଭକ୍ତି ? ଆାହା ! ଝିଅଟିଏ ପରି, ପାଞ୍ଚ ବର୍ଷର ପିଲାଟିଏ ପରି, ତାକୁ ଦର୍ଶକମାନେ ସ୍ନେହ କରୁଥିବେ ଯେମିତି ? ମନଟା ଏଇ କଥା ଭାବିଲା ବେଳକୁ ଡିପ୍ରେସ୍‌ ହୋଇଯାଉଛି । ସେ ନିଜେ କ’ଣ ଜାଣିନି... । ଦର୍ଶକଗୁଡ଼ାକ ତାକୁ ଭଲ ପାନ୍ତି କ’ଣ ପାଇଁ ? କ’ଣ ପାଇଁ ତା’ ପାଖକୁ ଆସେ ଏତେ ଗଦା ଗଦା ଚିଠି ?

 

ମନଟା ଆଜି ସ୍କୁଲରୁ ଫେରିଲା ବେଳେ ଖରାପ୍‌ ହୋଇ ଯାଇଥିଲା । ସେ ମିଷ୍ଟ୍ରେସ୍‌ ପରୀକ୍ଷା ଖାତା ଦେବାରେ ଡେରି ହେଉଥିବାରୁ ବିରକ୍ତି, ସିନିୟର ଟିଚରଙ୍କର ଦୃଷ୍ଟି ଯେମିତି ଅଞ୍ଜନାର ଗତିବିଧି ଉପରେ ସର୍ବଦା ସୀମାବଦ୍ଧ ।

 

‘କଣ୍ଟାଫୁଲ’ ସିନେମାରେ ଯେତେବେଳେ ସେ ନାୟିକା ରୋଲ୍‌ରେ ଆପଏଣ୍ଟମେଣ୍ଟ ଅର୍ଡ଼ର ପାଇଲା, ସେ ପରସ୍ତେ ନାଚିଗଲା ଖୁସିରେ । କମନ୍‌ରୁମରେ ସମସ୍ତ ଟିଚର ତାକୁ କଂଗ୍ରାଚ୍ୟୁଲେଟ୍‌ କଲା ବେଳେ ମୃଣାଳିନୀ ବଡ଼ ତୀକ୍ଷ୍‌ଣ ଓ ହେୟ ଦୃଷ୍ଟିରେ ତାକୁ ଅନେଇଥିଲେ.... । ଯେମିତି ସେ ଦୁଇଟା ଆକ୍ଷି ତା’ ରକ୍ତ ସବୁ ଶୋଷି ନେଇଯିବେ ନିମିଷକେ ! ଅସହ୍ୟ ସେ ଦୃଷ୍ଟି ! ଅସହ୍ୟ ତାର ଜ୍ୱାଳା !!

 

ଅଞ୍ଜନା ଫେରିଲା ବାଟରେ ଇନ୍ଦିରାକୁ କହିଲା । ସବୁ ଶୁଣି ମୁଖରା ଡବଡ଼ବି ଇନ୍ଦିରା କହିଲା–

 

‘‘ଯାଉନୁ ତୁ ଅଞ୍ଜୁ ! ସେ ଏକଲା ନୁହଁ ଲୋ, ତାଙ୍କରି ବୟସର ଯେତିକ ସମସ୍ତେ । ବୟସ ଗଲାଣି, ଆଉ ତ ପଛକୁ ଫରି ପାରିବେ ନାହିଁ । ଉଁ...ହୁଁ....ଯଉବନ ଥରେ ଗଲେ ଆଉ ଫେରେନା... ।

 

ଇନ୍ଦିରା ଯେମିତି ମନକୁ ହାଲ୍‌କା କରି ଦେଇଥିଲା । କିନ୍ତୁ ଚିନୁ ଭାଇ ? ପ୍ରଥମ ଥର କରି ସୁନେଲୀ ପର୍ଦ୍ଦାରେ ସେ ଗୋଟିଏ ନାରକୀୟ ରୋଲ୍‌ରେ ଓହ୍ଲାଇବ ? ଲୋକଙ୍କର ଇମ୍ପ୍ରେସନ୍‌ କ’ଣ ହେବ ?

 

ଲୋକଙ୍କର ଇମ୍ପ୍ରେସନ୍‌ ? ଲୋକ କିଏ ? କିଏ ତାକୁ ବିଚାର କରିବ ଭଲ ମନ୍ଦ ନୀତି ଅନୀତି ଦେଈ ? ଚିନୁ ଭାଇ ଭାଷାରେ–ସେ ଗୋଟାଏ ଚରିତ୍ର ! ସେଇ ଚରିତ୍ରକୁ ସେ ଅନୁଭବ କରିବ । ପ୍ରାଣ ଦେଇ ଅନୁଭବ କରିବ ମର୍ମେ ମର୍ମେ । ତାକୁ ସେ ରୂପ ଦେଇ ଦର୍ଶକସମାଜକୁ ମୁଗ୍‌ଧ କରିବ । ସେଇ ନାଟକୀୟ ଚରିତ୍ରଠାରୁ ଅଂଜନା ତାର ବ୍ୟକ୍ତିତ୍ୱକୁ ସ୍ୱତନ୍ତ୍ର କରି ରଖିବ । ଆଉ ସେଇଟା ହିଁ ଅଭିନେତ୍ରୀର ବାହାଦୂରୀ । କିନ୍ତୁ ଏ କଥା ସେ କରି ପାରିବ ନାହିଁ । ପ୍ରତିଟି ଚରିତ୍ର ଅନୁଭବ କରି ପୁଣି ତା’ଠାରୁ ନିଜକୁ ଅଲଗା କରିନେବ ପ୍ରତି ମୂହୂର୍ତ୍ତରେ, ଆଉ ସାରା ଜୀବନ ଧରି ତା’ କ’ଣ ସମ୍ଭବ ?

 

ତା’ ତ ସେ କେବେ ପାରି ନାହିଁ । ସେଥର ଇଲେକ୍‌ଟ୍ରିକ୍‌ କମ୍ପାନୀର କ’ଣ ଗୋଟାଏ ଉତ୍ସବରେ ଏକ ବ୍ୟର୍ଥ ପ୍ରଣୟିନୀ ଭୂମିକାରେ ଅଭିନୟ କରୁ କରୁ ସେ ଷ୍ଟେଜ ଉପରେ କାନ୍ଦି ପକାଇଥିଲା । ଲୋକେ ଭାବିଥିଲେ ସେ ଅଭିନୟ କରୁଛି । କିନ୍ତୁ ଅଂଜନା ନିଜେ ହିଁ ଜାଣେ..ମାସ ମାସ ଧରି ସେଇ ଚରିତ୍ରର ପ୍ରତିକ୍ରିୟା କେମିତି ତାକୁ ପାଗଳ କରି ଦେଇଥିଲା । ପ୍ରତିଟି ଚରିତ୍ରର ପ୍ରଭାବରେ ସେ ଦେଖିଛି ସେ କେମିତି ଉନ୍ମତ୍ତ ହୋଇଯାଏ ।

 

ଅଥଚ ଚିନୁ ଭାଇ କହୁଛି ସେ ନିଜକୁ ଅଲଗା କରି ରଖିବ । କେମିତି ?

 

ଦର୍ପଣ ସାମ୍ନାରେ ନିଜକୁ ତଉଲିନେଲା ଅଂଜନା । ହସିଲା । ଗାଲରେ ଭଉଁରୀ ! ଯେଉଁ ଭଉଁରୀର ଗଣ୍ଡଦେଶରେ ପଡ଼ି ଶହ ଶହ ଆତ୍ମା ଛଟପଟ ହେଉଛି ।

 

ହୁଅନ୍ତୁ । ତାର କି ଯାଏ ଆସେ ? ସେ କାହିଁକି କାହା କଥା ଭାବିବ... ?

 

ଫାୟାର ଷ୍ଟେସନ ଘଣ୍ଟାରେ ବାଜିଲା ଢଂ ଢଂ କରି ତିନି । ରାତି ତିନିଟା !

 

ଇସ୍‌ ! କାଲି ପୁଣି ଗାଳି ଖାଇବାକୁ ହେବ । କିନ୍ତୁ ନିଦ ଆସୁନି । ଟିକିଏ ଶୀତଳ ପବନ ଲାଗିଲେ, ଯଦି କିଛି...

 

ଅଞ୍ଜନା କବାଟ ଖୋଲି ବାହାରକୁ ଆସିଲା । ଚେୟାରଟି ଉପରେ ହାତ ଭରା ଦେଇ ଅବଶ ଦେହଟାକୁ ଲୋଟେଇଦେଲା । ଇଏ କିଏ ? ସୁଚି ? ସୁଚରିତା ? କିନ୍ତୁ.... ?

 

ଅଞ୍ଜନା କ’ଣ ଭାବିଲା କେଜାଣି, ଅନ୍ୟ ଗୋଟାଏ ଚେୟାର ଦେହରେ ନିଃଶବ୍ଦରେ ବସିପଡ଼ିଲା ।

Image

 

–ତିନି–

 

ଧେତ୍‌ ! ମଶାଙ୍କ ଜ୍ୱାଳାରେ ମଣିଷ ଟିକେ ଶାନ୍ତିରେ ଶୋଇ ପାରିଲାନି । ଓଃ ! ’ ମନକୁ ମନ ଏତକ କହି ମାନମୟୀ ଉଠି ବସିଲା ।

 

ଚାରିଆଡ଼େ ନିସ୍ତବ୍‌ଧ । ଶୂନ୍‌ଶାନ୍‍ । ରାତି କେତେ ହେଲାଣି କେଜାଣି ? ଲଣ୍ଠନଟାକୁ ତେଜି ଦେଇ ସେ ଘଡ଼ି ଦେଖିବାକୁ ଚେଷ୍ଟା କଲା । ବୋଧେ....ଚାରିଟା ବାଜିବ !

 

ମାନମୟୀ ଉଠିଆସିଲା ଝରକା ପାଖକୁ । ନା–ସେମାନେ ଆଜି ନାହାନ୍ତି । ରାତିସାରା ଖାଇ ସେମାନେ ଅଶ୍ଲୀଳ ଭାବରେ ରାସ୍ତାର ଉପରେ ଚିତ୍କାର କରୁଥାନ୍ତି । ଲୁଗାପଟା ଆଉ କଣ୍ଠସ୍ୱର ଭୀଷଣ ଭାବରେ ଅସଂଯତ ହୋଇଉଠେ ରାତ୍ରିର ଗତି ଅନୁଯାୟୀ । ସେମାନେ ଆଜି ନାହାନ୍ତି... । ଅଥଚ ରହିମ କହୁଥିଲା ସେ ସାରା ରାତି ଅପେକ୍ଷା କରିବ । ମାଧବ କହୁଥିଲା ସେ ତାର ମୃତ୍ୟୁ ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବ । ଆଉ ଜନ୍‌ ? ଜନ୍‌ ତାକୁ ଏ ଜନ୍ମ ଓ ଜୀବନ ପରେ ବି ଅନ୍ୟ ଜନ୍ମରେ ପାଇବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବ ।

 

ମାନମୟୀ କାହାକୁ ବରଣମାଳା ଦେବ ? ଯାହାକୁ ଥରେ ଦେଇଥିଲା, ସେ ଆଜି ସ୍ୱର୍ଗରେ । ସୁଧାକର ବଞ୍ଚିଥିଲେ ଜୀବନର ଗତି ହୁଏତ ଭିନ୍ନ ହୋଇଥାନ୍ତା । କ’ଣ ବା ହୋଇଥାନ୍ତା ? ସୁଧାକର ରୋଜ୍‌ ରାତିରେ ମଦ ଖାଇ ତାକୁ ପରସ୍ତେ ବାଡ଼ଉଥିଲା, ପର ସ୍ତ୍ରୀ ଉପରେ ତାରି ଆକ୍ଷି ଆଗରେ ବିଭତ୍ସ ଅତ୍ୟାଚାର କରୁଥିଲା । ତାହାଠାରୁ କ’ଣ ରହିମ୍‌ ଆଉ ମାଧବଙ୍କର ଟାହିଟାପରା ବେଶୀ ଯନ୍ତ୍ରଣାଦାୟକ ?

 

କିନ୍ତୁ ଜୀବନରେ ଏତେ ଲୋକ ସୁଖରେ ଥାଉ ଥାଉ ସେ ଏତେ ଅସୁଖୀ ହେଲା କାହିଁକି-? ତା’ର ଭୁଲର ପ୍ରାୟଶ୍ଚିତ୍ତ ପାଇଁ ଭଗବାନ ତାକୁ ଏତେ ଶାସ୍ତି ଦେଲେ ? ସାରା ଜୀବନ କି ବିତିବ ସିଲେଇ ସ୍କୁଲରେ ମାଷ୍ଟରାଣୀ ଭାବରେ ? ସେ କି ଆଉ ଉପରକୁ ଯିବ ନାହିଁ ? ତଳକୁ ଖସିବ ନାହିଁ ? ସେ କି ଏକ ବିନ୍ଦୁ ?

 

ନିଜ ଚିନ୍ତାରେ ନିଜେ କାନ୍ଦୁଥିଲା ମାନମୟୀ । ତାର ଅଜାଣତରେ ଧାର ଧାର ଲୁହ ଗଣ୍ଡ ଭିଜାଇ ଚାଲିଥିଲା । କାନ୍ଥ ଠଣାରେ ସଯତ୍ନରେ ରଖା ହୋଇଥିବା ଚନ୍ଦନଚର୍ଚ୍ଚିତ ନୀଳମାଧବ ତାର ଦୃଷ୍ଟିଗୋଚର ହେଉ ନ ଥିଲା । ମାତ୍ର ମନର ସମସ୍ତ ଶକ୍ତି ଦେଇ ତାକୁ ସେ ଦେଖୁଥିଲା ।

 

ହଠାତ୍‌ ଫାୟାର ଷ୍ଟେସନ ଘଣ୍ଟାରେ ଢଂ ଢଂ କରି ଚାରିଟା ବାଜିଲା । ଆଉ କ’ଣ ନିଦ ହେବ ?

 

ମାନମୟୀ କବାଟ ଖୋଲି ବାହାରକୁ ଆସିଲା । ଆରେ ସୁଚି ଆଉ ଅଞ୍ଜୁ ? କ’ଣ ହେଲା ? ବୋଧେ ଗରମ ସମ୍ଭାଳି ନପାରି ପିଲା ଦୁଇଟା ବାହାରେ ବସୁ ବସୁ ଶୋଇଛନ୍ତି । କ’ଣ ଭାବି ମାନମୟୀ ଚେୟାରଟିଏ ଉପରେ ନିଃଶବ୍ଦରେ ବସିପଡ଼ିଲା ।

 

–ଚାରି–

 

ତରଙ୍ଗ ଆଇନାରେ ନିଜ ମୁହଁକୁ ଥରେ ଦେଖିନେଲା । ସୁନ୍ଦର ଲାଗୁଛି ସତେ ! ତା’ର କାନର ସେଇ ଦୁଲ୍‌ଦୁଇଟା–ସତେ ଯେମିତି ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ହାତର ମୁଦିଟା ? ଛୋଟ ନୀଳ ପଥରଟି ଦେହରେ ଅମୀୟର ହସ ହସ ମୁହଁଟା ଭାସି ଉଠୁଛି ।

ଅମୀୟ ! ଦୁଷ୍ଟ ଅମୀୟ । ଖାଲି କୁଆଡ଼େ ପଳାଇଯିବା ବ୍ୟତୀତ ଯେମିତି ତା’ର ମୁଣ୍ଡରେ ଆଉ କିଛି ଚିନ୍ତା ନାହିଁ । ଦୀର୍ଘ ଦିନ ଧରି ପ୍ରସ୍ତାବଟା ସେ ବାପ ମାଙ୍କୁ ଦେଇ ପାରିଲାନି । ଗୋଟିଏ ବୋଲି ପୁଅ । ସେମାନଙ୍କ ଆଖିରୁ ଲୁହ ଝରିଲେ ଅମୀୟ ଆଉ ତରଂଗିଣୀ କ’ଣ ଜୀବନରେ ସୁଖୀ ହୋଇପାରିବେ ? ତଥାପି ଅମୀୟ ଚାହେଁ ତାକୁ ନେଇ ପଳେଇବ । ଦୂରକୁ, କେଉଁ ଦୂରକୁ । ସେଠି ବିବାହ କରି ଫେରିବ । ଘରକୁ ବୋହୂ ନେଇ ଫେରିଲେ ବାପ ମା କ’ଣ ତାକୁ ଫେରେଇ ଦେଇପାରିବେ ?

ତରଙ୍ଗ ରାଜି ହୋଇ ନ ଥାନ୍ତା । ମାତ୍ର ସେ ଯେ ମା’ ହେବାକୁ ଯାଉଛି ! କେତେ ବୁଝେଇଲା ଅମୀୟ ସନ୍ତାନଟିକୁ ନଷ୍ଟ କରିଦେବା ପାଇଁ । କିନ୍ତୁ ତରଙ୍ଗ ପାରିବ ନାହିଁ । କାହିଁକି ନଷ୍ଟ କରି ସତୀ ସେ ବୋଲାଇବ ? ଏଇ ତାର ପ୍ରଥମ ସନ୍ତାନ, ତାକୁ କୋଳରେ ଧରି ମୁଣ୍ଡ ଟେକି ବାଟ ଚାଲିବ ସେ–ଗର୍ବରେ ଆଉ ଦମ୍ଭରେ ।

ତରଙ୍ଗ ଝରକା ଧୀରେ ମେଲା କଲା । ଅମୀୟ କହିଥିଲା ସେ ଆସି ଛିଡ଼ା ହେବ ଠିକ୍‌ ରାତି ଚାରିଟାରେ । ଝରକା ଦେହରେ ଠକ୍‌ଠକ୍‌ କରି ଯେମିତି ତାକୁ ଡାକିବାକୁ ନ ପଡ଼େ ।

କାହିଁ ? କେହି ନାହିଁ ? ରାସ୍ତାଘାଟ ଶୂନଶାନ୍‌ । ଅମୀୟ କ’ଣ ଶୋଇ ପଡ଼ିଲା କି ? ଦୁଷ୍ଟ ଅମୀୟ...

ଝରକା ଆଉଜେଇ ନିଜକୁ ଆଉଥରେ ଲଣ୍ଠନ ଆଲୁଅରେ ଦେଖିଲା ତରଙ୍ଗ । ପାଉଡ଼ର ଆଉ ଟିକିଏ ନେଇ ସେ କପାଳ ଓ ଗାଲରେ ବୋଳିଲା । ଗରମରେ ମୁହଁଟା ଖାଲି ଝାଳେଇ ଉଠୁଛି-

ଆରେ ? ସେ ତ ଭୁଲି ଯାଇଥିଲା । ରାଧାକୃଷ୍ଣ ମୂର୍ତ୍ତି ପାଖରେ ମୁଣ୍ଡ ଲଗାଇ ପ୍ରଣାମଟା ଅନ୍ତତଃ ଅମୀୟ ଆସିଲା ପୂର୍ବରୁ ସାରିଦେବାର କଥା । ଏଇ ଯୁଗଳ ମୂର୍ତ୍ତିଙ୍କୁ ପୂଜା କରି କରି ସେ ଯେ ଆଜି ଅମୀୟକୁ ପାଇଛି । ନଚେତ୍‌ ଅମୀୟ ଭଳି ପୁଂଜିପତିର ପୁଅ ଆଉ ତରଙ୍ଗ ଭଳି ଗୋଟାଏ ଟାଇପିଷ୍ଟ ?

ସେଥିରେ କ’ଣ ଅଛି ? ପ୍ରେମ ତ ଅଂଧ । ଅମୀୟ କହୁଥିଲା, କେବଳ ଏଇ ଦେଶରେ ଧନର ତାରତମ୍ୟ ରଖି ପ୍ରେମ ଓ ବିବାହ କରାଯାଏ....ଆମକୁ ସେସବୁ ଭାଙ୍ଗି ଦେବାକୁ ହେବ । ନୂଆ କରି ଗଢ଼ିବାକୁ ହେବ....ଖାଲି ଟିକିଏ ସମୟ ଦରକାର ।

ବେକରେ କାନି ଗୁଡ଼ାଇ ତରଙ୍ଗ ଆଣ୍ଠୁମାଡ଼ି ପ୍ରାର୍ଥନା କରୁ କରୁ ଅଟକିଗଲା । ଝରକା ସେପଟେ ଫିସ୍‌ଫିସ୍‌ କରି ଡାକୁଛି ଅମୀୟ ।

ସେ ଉଠି ଆସି ଝର୍କା ପାଖୁ ହାତ ବଢ଼ାଇ ଧରିଲା ଅମୀୟର ହାତକୁ । ଝାପ୍‌ସା ଆଲୁଅରେ ଅମୀୟର ମୁହଁ ଦେଖାଯାଉନି । କିନ୍ତୁ ତା’ ହାତଟା ଏତେ ଥଣ୍ଡା କାହିଁକି ? ଥର ଥର କରି କମ୍ପୁଛି କାହିଁକି ? ସେ ଖୁବ୍‌ ଆସ୍ତେ ପଚାରିଲା–

‘‘କ’ଣ ହେଲା ତମର ? ଏମିତି ଥରୁଛି କାହିଁକି ?’’ ଥରିଲା ଥରିଲା କଣ୍ଠରେ ଅମୀୟ କହିଲା–

 

‘‘ମୁଁ ପାରୁନି ତରଙ୍ଗ ! ପାରୁନି । ଆମେ ବିବାହ କଲା ପୂର୍ବରୁ ଏ ସନ୍ତାନଟିକୁ ନଷ୍ଟ କରିଦେବା ଉଚିତ । ମୁଁ ଔଷଧ ଆଣିଛି.... ଗୋଟାଏ ମାତ୍ର... ।’’

 

‘‘ଅମୀୟ ! ଛି... ! ଜାଣି ଜାଣି ଏ ପାପ କର୍ମ ମୁଁ କରି ପାରିବିନି...ମୁଁ ପାରିବିନି ଅମୀୟ-!’’

 

‘‘ପାପ ନୁହେଁ । ବଞ୍ଚି ରହିବାକୁ ହେଲେ ଗୋଟାଏ ସମାଜିକ ସ୍ୱୀକୃତି ଆବଶ୍ୟକ । ତା’ପରେ, ଏଇ ସମାଜ, ପରିବାର ଏସବୁକୁ ତମେ ଭୁଲିଯାଉଛ କାହିଁକି ?’’

 

କଣ୍ଠ ପାଖରେ ଜମାଟ ବନ୍ଧୁଥିବା କୋହ ଅପମାନକୁ ଅଟକାଇ ରଖି ତରଙ୍ଗ କହିଲା.....

 

‘‘ତମେ ବଡ଼ କ୍ଲାନ୍ତ ପରି ଲାଗୁଛ । ଯାଅ ଶୋଇପଡ଼ିବ ଘରେ । ଆଉ ପରେ ଆମେ କେବେ ଏ ବିଷୟରେ ଚିନ୍ତା କରିବା... ।’’

 

“ତମେ ମୋ କଥା ରଖିବନି ?”

 

ଖୋଲା ଝରକାକୁ ଅଧା ଆଉଜେଇ ଦେଇ ତରଙ୍ଗ ଧୀର ଓ କରୁଣ ସ୍ୱରରେ କହିଲା...

 

‘‘କଥା ତମର ରଖିବି ଅମୀୟ ! ରଖିବି । ଏ ସନ୍ତାନ ତମର ବୋଲି ଜଗତରେ କେହି ଜାଣିବେନି ।’’

 

ଏତକ କହି ଧଡ଼ାସ କରି ଝରକା ବନ୍ଦ କଲା ତରଙ୍ଗ । ମିଞ୍ଜିମିଞ୍ଜି ଲଣ୍ଠନର ଆଲୁଅର ସତ୍ତା ହଜିବାକୁ ଯାଉଚି । ଘନ ଅନ୍ଧକାର ଅସ୍ଥିର ଚଞ୍ଚଳ ଗୋଟାଏ ଲୁ’ର ପ୍ରକୋପରେ ସେ ଯେମିତି ଜଳିଯାଉଛି । ପବନ ନାହିଁ...ପୋଡ଼ିଯିବ ସେ.... ।

 

କବାଟ ମେଲାଇ ସେ ପଦାକୁ ଆସି କାବା ହୋଇଗଲା । ତେବେ କଣ ସୁଚି, ଅଞ୍ଜୁ ଆଉ ମାନୁ ସବୁ ଶୁଣିଛନ୍ତି.... ? କିନ୍ତୁ ଏମାନେ ଏମିତି ବସିଛନ୍ତି କାହିଁକି ? କ’ଣ ଭାବି ସେ ବି ଚେୟାର ଟାଣି ବସିଲା ।

 

–ପାଞ୍ଚ–

 

ଘଣ୍ଟାରେ ଢଂ ଢଂ କରି ପାଞ୍ଚଟା ଯେମିତି କିଏ କାନ ପାଖରେ ବଜାଇଦେଲା । ମଣିଷକୁ ଟିକେ ଶାନ୍ତିରେ ଶୁଆଇ ଦେଉ ନାହାନ୍ତି । ଅବଶ୍ୟ ମନେ ମନେ ସେ ଭାବିଥିଲା, କିଏ ଯଦି ତାକୁ ଭୋର ପାଞ୍ଚଟାରେ ଉଠାଇ ଦିଅନ୍ତା... ।

 

ମନୀଷା ଉଠି ବସିଲା । ଗରମ । ଭୀଷଣ ଗରମ । ଆଜୀବନ ତିରିଶ ବର୍ଷ ଡନ୍‌ଲପ୍‌ ଗଦି ଆଉ ଫ୍ୟାନ୍‌ ତଳେ ଶୋଇସାରିଲା ପରେ ସର୍ବହରାଙ୍କ ଜୀବନକୁ ତାରିଫ୍‌ କରିବା..ସଭା ମଞ୍ଚରେ ସହଜ ହୋଇପାରେ, ମାତ୍ର ପ୍ରାକ୍‌ଟିସ କରିବା ଭୀଷଣ କଷ୍ଟ । ଖାଇ ପାରୁନି ପେଟ ପୂରାଇ, କି ଶୋଇ ପାରୁନି ଟିକିଏ ଆାରାମରେ ।

 

ତଥାପି...ନା, ସେ ଫେରିଯିବ ନାହିଁ । ସେ ସଂଗଠନ କରିବ । ଜନମତକୁ ଜାଗ୍ରତ କରାଇବ । ବଂଚି ରହିବାର ନୂତନ ପନ୍ଥା ସେ ଆବିଷ୍କାର କରିବ । ନଚେତ୍‌ ଦେଶର ଜନଶକ୍ତି ଯେ ବିକଳାଙ୍ଗ ହୋଇଯିବ ।

 

ବଡ଼ଲୋକି ଆଭିଜାତ୍ୟ ଭିତରେ ସେ ଅଣନିଶ୍ୱାସୀ ହୋଇ ପଳେଇ ଆସିଲା...ମାତ୍ର ଏଇ ସାଧାରଣ ଲୋକଙ୍କ ଭିତରେ ତ ବଞ୍ଚି ରହିବାର କିଛି ଦୀପ୍ତି ଦେଖୁ ନାହିଁ ! ସେମାନେ ଯେମିତି କ୍ଲାନ୍ତ ଯେମିତି ବଡ଼ ବେଶୀ ନିଃସ୍ପୃହ, ବଡ଼ ବେଶୀ.... । ଧେତ୍‌ ! କ’ଣ କରାଯିବ ? ତେବେ...

 

ମନୀଷା କବାଟ ଖୋଲି ପଦାକୁ ଆସିଲା । ଚାରିଆଡ଼ ବେଶ୍‌ ପରିଷ୍କାର ହୋଇଆସୁଛି । ତଥାପି ଆକାଶରେ ଅନ୍ଧକାରର ପ୍ରଲେପ....

 

ଆହାଃ ବିଚାରୀ ମଇନା ମା’ ଟା କାକରରେ ଭିଜି ଶୋଇଛି । କି ଯେ ମେସ୍‌ କରିଛି...ବୁଢ଼ୀ, ଦରବୁଢ଼ୀ, ଆଉ ଟୋକୀରୁ ପଞ୍ଝାଏ ପୂରାଇ ରାତିରେ ବିଚରା ଆରାମରେ ଟିକିଏ ଶୋଇ ପାରୁନି ।

 

ମଇନା ମା’ ଏତିକିବେଳେ ଉଠିଲା ଟିକିଏ ଅଳସେଇ...ହାଇଟାଏ ମାରି କହିଲା...

 

ତୁମେ ଆଉ ଦେଈ, ସେଠି ବସିବାକୁ ଯାଅନି । ଏ କିଛି ନୂଆ କଥା ନୁହେଁ । ବୟସ ମତେ ଷାଠିଏ ପୂରିଲାଣି, ମେସ୍‌ରେ ପଚିଶ ବିତିଲାଣି । ଏଇ ଆଖିରେ ଏମିତି ଦେଖିଛି...କେତେ ରାତି ଅନିଦ୍ରା, କେତେ ଏମିତି ଚେୟାର ଦେହରେ ରାତି ପୁହାଇବା, ଆଉରି କେତେ କବାଟ ଖୋଲି କେଉଁ ଟୋକା ସାଙ୍ଗରେ ପଳେଇବା, ବିଷ ଖାଇବା...କେତେ କ’ଣ ? ସମସ୍ତଙ୍କୁ ସିନା ଥାନ ଦେବି, ରୋଷେଇ କରି ଯତନ କରି ପରଷିବି, ଗୋଡ଼ରେ ମୁଣ୍ଡରେ ହାତ ଦେବି...ହେଲେ...ତାଙ୍କ ମନ ଖରାପକୁ, ଦୁଃଖକୁ ମୁଁ କେଉଁବାଟେ ନେବି ଲୋ ଝିଅ ? ମୋରି ଝିଅ ତ ଏମିତି ଚେୟାରରେ ବସି ବସି କେତେ ରାତି ପୁହାଇଥିଲା । ବୁଝେଇ ପାରିଲିନି । କୁଆଡ଼େ ଗଲା ଯେ ଗଲା....ବାର ଦିନ ବାର ରାତି ପରେ ଶବ ମିଳିଲା ।

 

ମନୀଷା ଦେଖିଲା ମଇନା ମା’ର କୋରଡ଼ିଆ ଆଖିରେ ଆଖିଏ ଲୁହ । ପୁଣି ଦେଖିଲା ଚେୟାର ଉପରେ ଚାରି ଜଣଙ୍କର ଘୁମନ୍ତ ଚେହେରା ।

 

ଆଉ ବାକୀ କ’ଣ ଅଛି ? କ’ଣ ଆଉ ରହିଲା ତାର ସଂଶୋଧନ କରିବା ପାଇଁ ? କିନ୍ତୁ... !

 

ମଇନା ମା’ ମଇନାକୁ ଗାଳି ଦେଉଛି । ଜୀବନ ସାରା ତାକୁ ହନ୍ତସନ୍ତ କଲା...ଜଳେଇ ମାରିଲା ବୋଲି ଗାଳି ଦେଉଛି । ଅଥଚ ‘ମଇନା’ ନାଁରେ ସେ ମେସ୍‌ କରିଛି, ‘ମୌନାବତୀ ମେସ୍‌’ । ସହରର ସବୁ ଝିଅ ବୋହୂଙ୍କର ଅସୁବିଧାରେ ମୌନାବତୀ ସତେ ବା ଗୋଟାଏ ଭରସା । କିନ୍ତୁ ମଇନା ମା’ ? କାହିଁକି ବଞ୍ଚିଛି ? କ’ଣ ପାଇଁ ? ଆଉ କାହିଁକି ଏମାନେ ସବୁ ରାତିରେ ନ ଶୋଇ ବିଛଣାରେ, ଏମିତି ଆସି ପଦାରେ ଚେୟାରଟାରେ ଢୋଳୋଉଛନ୍ତି ? କାହିଁକି ? କାହିଁକି.... ?

 

ତେବେ କ’ଣ ମନୀଷା ଘରଛାଡ଼ି ଆସି ଭୁଲ୍‌ କଲା ?

 

ମନୀଷାର ମୁଣ୍ଡ ଭିତରଟା ସବୁ କିଛି ବିଗିଡ଼ି ଯାଇଚି । ହଠାତ୍‌ କରି ଉଠିପଡ଼ି ଏମିତି ଅବସ୍ଥା ଭିତରେ ହୁଏତ ତାର ସବୁ ଗୋଳମାଳ ହୋଇଯାଉଛି... ।

 

ନିଜକୁ କ’ଣ ଉତ୍ତର ଦେବ ବୁଝି ପାରିଲାନି । ମୌନାବତୀର ମେସ୍‌ରେ ପ୍ରତିଦିନ ଏମିତି ଘଟଣା ଘଟେ ଯାହାର କିଛି ମାନେ ନାହିଁ । ଆଉ ମଇନା ମା’ ଏମିତି ପ୍ରତିଦିନ ରାତି କଟାଇ ସକାଳୁ କାମରେ ଲାଗିଯାଏ । ତାର ବି କିଛି ମାନେ ନାହିଁ । ମାନେ ଯଦି ନାହିଁ, ତେବେ ଜୀବନର ଅର୍ଥ କ’ଣ ? ଯୋଜନାରେ ପ୍ରୟୋଜନୀୟତା କେଉଁଠି ?

 

ତଥାପି ଗୋଟାଏ ଅଜ୍ଞାତ ବେଦନାରେ ମନୀଷାର ଆଖି ଆଗରେ ଆକାଶଟା ବେଶି ଅସ୍ପଷ୍ଟ ମନେ ହେଉଥିଲା । ଆଉ ତା’ ସହିତ ଜୀବନର ସଂଜ୍ଞାଟା ବି ।

Image

 

Unknown

ଅପରିଚିତ

 

ସତେ ଅବା ଚିଲଟାଏ ! କାହୁଁ ଆସି ଚିଠିଟା ଝାମ୍ପି ନେଇଗଲା । ସେ ବିରକ୍ତ ହୋଇ ଗର୍ଜି ଉଠିଲେ–‘ଅଭଦ୍ର’ ।

 

ଶଶାଙ୍କ ବିରୂପାକ୍ଷ ବାବୁଙ୍କୁ ମୁହେଁ ମୁହେ ଦି’ପଦ କଡ଼ା କରି ଶୁଣେଇଦେଲା ।

 

ବହୁଦିନର ପୁଞ୍ଜୀଭୂତ ରାଗ । କେତେ ଆଉ ସମ୍ଭାଳି ହୁଅନ୍ତା ? ଚାରିକାନ୍ଥଘରା ଛୋଟକାଟର ଘର ଭିତରେ ଗୋଟାଏ ଚହଳ ସୃଷ୍ଟି ହେଲା । ଭାଇ ଭଉଣୀ, ଝିଆରୀ ପୁତୁରା ଡବ ଡବ ଆକ୍ଷିରେ ଚାହିଁଥିବା ଅବସ୍ଥାରେ ଶଶାଙ୍କ ହିନ୍ଦି ସିନେମାର ହିରୋ ପରି ଚିଠିଟା ପକେଟସ୍ଥ କରି ସ୍ଲିପର୍‌ ଚଟ୍‌ଚଟ୍‌ ଘୋଷାରି ଉପର ମହଲାରେ ଥିବା ତା’ର ଛୋଟ ଏକଣା ଘରକୁ ଉଠିଗଲା । ଉପରକୁ ଉଠିଗଲା ବେଳେ ସେ ବେପରୁୱା ଭଙ୍ଗୀରେ ଓଠରେ ହୁଇସିଲ୍‌ ମାରି ସମସ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭୁଲି ନ ଥିଲା । କାରଣ ତୁମୁଳ ବାକ୍‌ଯୁଦ୍ଧ ପରେ ସେ ବିଜୟୀ ବୀର !

 

ଭାଇର କେତେ ସାହସ ! ଝୁନୁ ଚମକି ପଡ଼ିଲା । ଝୁନୁ ସହିତ ଛବି ଆଉ ରବି ମଧ୍ୟ । ବଡ଼ ପୁଅର ପୁଅ ଅର୍ଥାତ୍‌ବିରୂପାକ୍ଷ ବାବୁଙ୍କ ନାତି–ଦାଦାର ବୀରତ୍ୱରେ ତାଳି ମାରି ନାଚି ଉଠିଲେ । ଆରେ, ରେ, ଜେଜେ ବାପା ହାରିଗଲେ ରେ.....ହାରିଗଲେ... !

 

ବିରୂପାକ୍ଷ ବାବୁଙ୍କର ରାଗ ପାଞ୍ଚମକୁ ଉଠିଗଲା । ସେ ଧାଇଁଗଲେ ନାତି ପଛେ ପଛେ । ହେଲେ ନିଜର ଭାରୀ ଦେହକୁ ନେଇ ଛୋଟ ପିଲା ସାଙ୍ଗରେ ଅଣଓସାରିଆ ବାରଣ୍ଡାରେ ଦୌଡ଼ିବା ତାଙ୍କ ପକ୍ଷରେ ସହଜ ନୁହେଁ । ରୋଷେଇ ନେଇ ସେ ବାହାରି ଆସିବା ଅବସ୍ଥାରେ ସୁରମା ଅର୍ଥାତ୍‌ ତାଙ୍କ ସ୍ତ୍ରୀ ଆସି ସାମ୍ନାରେ ଛିଡ଼ା ହେଲେ–ଠିକ୍‌ ଯେମିତି ମୃଗାଙ୍କ କିମ୍ବା ବୋହୂ ଅରୁଣା ନାତିକୁ ବାଡ଼େଇବାକୁ ବାହାରିଲେ ସୁରମା ବାଟ ଓଗାଳି ଧରନ୍ତି ।

 

ବିରୁପାକ୍ଷ ବାବୁ କଟମଟ କରି ସୁରମାଙ୍କୁ ଚାହିଁ କହିଲେ–

 

‘‘ତମେ ଘୁଞ୍ଚିଯାଅ କହୁଛି....ଉଠିଯାଅ ମୋ ସାମ୍ନାରୁ ।’’

 

ସୁରମା ତାଙ୍କର ଅଟା ଲାଗିଥିବା ହାତଟା ବଢ଼ାଇ କାଠଟା ବିରୁପାକ୍ଷ ବାବୁଙ୍କ ହାତରୁ ଝିଙ୍କିନେବାର ଚେଷ୍ଟା କରି କହିଲେ–

 

‘‘କାହିଁକି ମ ! ଦୋଷ କଲା କିଏ, ମାଡ଼ ଖାଇବ କିଏ ? ତମର ବଳ ଅଛି ବୋଲି କ’ଣ.... !’’

 

ବାକିତକ କଥା ସୁରମା କ’ଣ କହିବେ ସେ କଥା ବିରୂପାକ୍ଷ ବାବୁ ଜାଣନ୍ତି । ସାମ୍ନାଘର ଝରକା ଫାଙ୍କରେ ପରଦା ଦେଇ ବଡ଼ବୋହୂ ଅରୁଣାର ଚଷମା ଦି’ଟା ଚକ୍‌ଚକ୍‌ କରୁଛି । ଉତ୍‌କ୍ଷିପ୍ତ ହୋଇ ସୁରମାଙ୍କୁ ଏକ ରକମ ପେଲି ଦେଇ ବିରୁପାକ୍ଷ ବାବୁ ଚାଲିଗଲେ ।

 

ଘର ଭିତରେ ଗୋଟାଏ ଛମ ଛମ ନୀରବତା । ଦାଣ୍ଡ ପିଣ୍ଡାରେ ଆର୍ମ ଚେୟାରଟା ଉପରେ ବିରୂପାକ୍ଷ ବାବୁ ଗୁମ୍‌ମାରି ବସିଥାନ୍ତି । ରୋଷେଇ ଘରେ ସୁରମା ପୂଝାରୀ ସଙ୍ଗରେ ଜଳଖିଆ ତିଆରି କରିବାରେ ବ୍ୟସ୍ତ । ପିଲାଗୁଡ଼ାକ ଏଣେ ତେଣେ କେଉଁଠି ଛପିଗଲେଣି । ଶଶାଙ୍କ ଉପରେ କ’ଣ କରୁଛି ତାହା ଜାଣିବା କାହାରି ପକ୍ଷରେ ସମ୍ଭବ ନ ଥିଲା । ପୁଅକୁ ଜଳଖିଆ ପରଶି ଦେବାକୁ ସୁରମା ଦେବୀ ସାହସ କରୁ ନ ଥିଲେ କିମ୍ବା ପୁଅ ବି ତଳକୁ ଆସି ପାଟି ତୁଣ୍ଡ କରି ମା’ଙ୍କ ଆଗରେ କଲେଜ ବିବରଣୀ ଦେବାକୁ ସାହସ ବୋଧେ କରୁ ନାହିଁ ଭାବି ବିରୂପାକ୍ଷ ବାବୁ ଟିକିଏ ନିଜକୁ ଉଶ୍ୱାସ ମନେ କଲେ ।

 

ମାତ୍ର କ୍ଷଣିକ । କଲେଜପିନ୍ଧା ପ୍ୟାଣ୍ଟ ସାର୍ଟ ବଦଳାଇ ଧଳା ପ୍ୟାଣ୍ଟ ସାର୍ଟରେ ପୁଣି ଚପଲ ଘୋଷାରି ଶଶାଙ୍କ ତଳକୁ ଆସିଲା ଏବଂ ବାପାଙ୍କ ଆଡ଼କୁ ଭ୍ରୂକ୍ଷେପ ନ କରି ସାଇକେଲ ଧରିବା ଅବସ୍ଥାରେ ବିରୂପାକ୍ଷ ବାବୁଙ୍କ ମୁଣ୍ଡରେ ପୁଣି ନିଆଁ ଲାଗିଗଲା । ସେ ସମ୍ଭାଳି ନ ପାରି ପଚାରିଲେ–

 

‘‘କୁଆଡ଼େ ବାହାରିଲ ?’’

 

ସାଇକେଲ ଚାବି ପକେଇଟରୁ କାଢ଼ୁ କାଢ଼ୁ ଉତ୍ତର ଦେଲା ଶଶାଙ୍କ–

 

‘‘ମିଟିଂ ଅଛି ।’’

 

‘‘କି ମିଟିଂ ?’’

 

ଉତ୍ତର ଦେଲାନି ଶାଶଙ୍କ । ବିରୁପାକ୍ଷ ବାବୁ ଖେକି ଉଠି ପଚାରିଲେ–

 

‘‘ମୁଁ ପଚାରୁଛି କି ମିଟିଂ ଅଛି ? କଲେଜରୁ ଫେରିଲା ସଙ୍ଗେ ସଙ୍ଗେ ପୁଣି କି ଜରୁରୀ ମିଟିଂର ଡାକରା ପଡ଼ିଲା ଶୁଣେ ?’’

 

ଶଶାଙ୍କ ସାଇକେଲ୍‌ଟା ଅଧା ଘୋଷାରି ନେଇ କହିଲା–‘‘ଷ୍ଟ୍ରିକ୍‌ଟ୍‌ଲି କନ୍‌ଫିଡ଼େନ୍‌ସିଆଲ୍‌-। ଏଇ ଧରନ୍ତୁ, ଆପଣଙ୍କ ଅଫିସର କୌଣସି ଗୁପ୍ତ କଥା ମୁଁ ପଚାରିଲେ ଆପଣ କହିବେ କି-? ସେମିତି.... ।’’

ବିରୂପାକ୍ଷବାବୁ ଚେୟାର ଉପରୁ ଝୁଙ୍କିପଡ଼ି ଗର୍ଜିଉଠିଲେ–

‘‘କନ୍‌ଫିଡ଼େନ୍‌ସିଆଲ । କ’ଣ କପି କରିବ ? କେମିତି କେଉଁ ଉପାୟରେ ଅଧ୍ୟାପକଙ୍କୁ ବାଡ଼େଇବ ? ଏଇଆ ତ ?’’

‘‘Assumption ଉପରେ ମୁଁ ଯୁକ୍ତି କରିବାକୁ ଚେହେଁ ନା । ତେବେ କପି କରିବା କଥାଟାକୁ ଆପଣ ଏତେ Seriously ନେଉଛନ୍ତି କାହିଁକି ? କପି ସମସ୍ତେ କରୁଛନ୍ତି.... ।’’

‘‘କ’ଣ କହିଲୁ ? ତୁ ମୋ ପୁଅ ହୋଇ ଏଡ଼େ କୁଳାଙ୍ଗାର ହେଲୁ ? କହିଲୁ କ’ଣ ନା Seriously ନେଉଛନ୍ତି କାହିଁକି ? ତା’ ଅର୍ଥ ତୁ କହିବାକୁ ଚାହୁଁ କପି ତୋର ବାର୍ଥ ରାଇଟ ?’’

‘‘ମୁଁ କ’ଣ ସମସ୍ତଙ୍କଠୁ ଅଲଗା ?’’

ବିରୂପାକ୍ଷ ବାବୁ ଗଭୀର ଲଜ୍ଜା ଆଉ ରାଗରେ ଥରି ଥରି ମୁହଁ ଢାଙ୍କି ନେଲେ । ମାତ୍ର ଶଶାଙ୍କ ଛାଡ଼ିବାର ପାତ୍ର ନୁହେଁ–

‘‘କପି ନ କଲେ କମ୍ପିଟ କରିପାରିବିନି । ଜଣେ ମୋ ଆକ୍ଷି ସାମ୍ନାରେ କପି କରି କ୍ଲାସ ପାଇବ, ଆଉ ମୁଁ ବର୍ଷ ସାରା ଅକ୍ଲାନ୍ତ ପରିଶ୍ରମ କରି ଫେଲ ହେବି ? କ’ଣ ଅପରାଧ ?’’

‘‘ତୁ ମୋ ପୁଅ ହୋଇ...ହଇରେ, ମୋ ପୁଅ ହୋଇ... ?’’

ବିରୂପାକ୍ଷ ବାବୁ ରାଗ ଓ ଲଜ୍ଜାରେ ଭାଙ୍ଗି ପଡ଼ୁଥିଲେ ।

‘‘ଆଃ ! ଆପଣଙ୍କର ପଦବୀ, ବଂଶମର୍ଯ୍ୟାଦା, ସାମାଜିକ ପ୍ରତିପତ୍ତି ନେଇ ମତେ ଦେଖୁଛନ୍ତି କାହିଁକି ? ମନେ କରନ୍ତୁ, ଆପଣ ସର୍ବସାଧାରଣ ବାପା ଆଉ ମୁଁ ସର୍ବସାଧାରଣ ପୁଅ । ତା’ ହେଲେ ସମସ୍ୟାଟା ଶୀଘ୍ର ବୁଝି ହୋଇଯିବ । ଆପଣଙ୍କ କଥା ସ୍ୱତନ୍ତ୍ର... ।’’

‘‘ନନ୍‌ସେନ୍‌ସ । ମତେ ଆଉ ସାମ୍ୟବାଦ ପଢ଼ାନା । ଚାଲିଯା....ଯା...ମୋ ସାମ୍ନାରୁ କହୁଛି ।’’

ମୁହଁରେ ରୁମାଲଟା ବୁଲେଇ ନେଇ ଚଟ କରି ପିଣ୍ଡା ତଳକୁ ଡେଇଁ ପଡ଼ିଲା ଶଶାଙ୍କ, ସତେ ବା ସେ ଯାହା କହିଗଲା ତା’ ଅକ୍ଷରେ ଅକ୍ଷରେ ସତ ଏବଂ ତା’ ଉପରେ ଅନ୍ୟ କୌଣସି ଯୁକ୍ତି ଏକାନ୍ତ ଅଶୋଭନୀୟ ।

ବିରୂପାକ୍ଷ ବାବୁ ହାତ ପାପୁଲି ଢାଙ୍କି କାନ୍ଦିବାକୁ ଇଚ୍ଛା କରୁଥିଲେ । ତାଙ୍କ ମୁହଁଟାରେ ନିଆଁ ଯେମିତି ଚରିଯାଉଥିଲା । ଇସ୍‌ ! କି ଲଜ୍ଜାଃ ! ଏଡ଼େ ଟିକେ ପିଲା ! ମେଞ୍ଚଡ଼ ଟୋକା ! ତାଙ୍କରିଠାରୁ ଜନ୍ମ ହୋଇ... ? ଛିଃ, ଛିଃ !

କେତେ ଆଶା ସେ କରିଥିଲେ । ବଡ଼ ପୁଅ ଆଇ....ଏ. ଏସ୍‌. । ଆମେରିକା ଯାଇଛି । ଝିଅ ଦି’ ଜଣ ଦୁଇ ଦୁଇଟା ଆଇ, ଏ ଏସ. ବିବାହ କରିଛନ୍ତି । ନିଜେ ସେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଆଉ ତାଙ୍କରି ପୁଅ ଶଶାଙ୍କ ? ଏମିତି କୁଳଙ୍ଗାର ପୁଅ କାହା ଘରେ ନ ଥିବ । ଏମିତି ପୁଅ ମରିଯିବା ଭଲ । ନ ହେଲେ ସେ ନିଜେ ତାକୁ ବିଷ ଦେଇ ମାରିଦେବା ଉଚିତ.... ।

ଏତିକିବେଳେ ସୁରମା ଆସିଲେ ଏବଂ ତାଙ୍କୁ ଦେଖି ରାଗଟା ବିରୁପାକ୍ଷ ବାବୁଙ୍କର କମିବା ପରିବର୍ତ୍ତେ ବଢ଼ିଗଲା ।

 

ସୁରମା କହିଲେ–

 

‘‘ଶଶି କଣ ଚାଲିଗଲା ? ଖାଇନି ଯେ ! ନଅଟା ବେଳେ ଯାହା ଖାଇଥିଲା । ପକେଟରେ ଟଙ୍କା ସେମିତି ରହିଛି... !’’

 

ବିରୂପାକ୍ଷ ବାବୁ ରାଗରେ ଫାଟି ପଡ଼ିଲେ–

 

‘‘ଟଙ୍କା ? ଟଙ୍କା ସେ କେଉଁଠୁ ଆଣିଲା ? ରୋଜଗାର କରୁଛି ?’’

 

ସୁରମା ଦେବୀ ତାଙ୍କ କଥାର ମର୍ମଟା ନ ବୁଝିଲା ଭଳି ଉତ୍ତର ଦେଲେ–

 

‘‘ତୁମେ ଏମିତି ସାବତ ବାପ ଭଳି ତା’ ସାଙ୍ଗରେ ଲାଗିଛ କାହିଁକି ଶୁଣେ ? ଟଙ୍କା ସେ କେଉଁଠୁ ଆଣିବ ? ପରୀକ୍ଷା ବେଳେ ପିଲାଟା ଯେମିତି ପରିସ୍ଥିତି ଦେଖୁଛ, କେମିତି ଭଲରେ ଘରକୁ ଫେରିବ ମୁଁ ସେକଥା ଭାବୁଛି । ତମର ଓଲଟିବାର କଥା ।’’

 

ଉତ୍ତରକୁ ଅପେକ୍ଷା ନ ରଖି ସୁରମା ଚାଲିଗଲେ–

 

ବିରୂପାକ୍ଷ ବାବୁ ତାଙ୍କ ପଛେ ପଛେ ଧମ ଧମ ହୋଇ ଉଠିଗଲେ ଏବଂ ସୁରମାଙ୍କ କାନିରେ ଝୁଲୁଥିବା ଚାବି ପେନ୍ଥାଟା ଖୋଲି ନେଉ ନେଉ ପଚାରିଲେ–

 

‘‘ଶଶି ରୁମର ଚାବି କିଏ ?’’

 

‘‘କାହିଁକି ? ତମର ତା’ ପଢ଼ା ବହି କାଗଜରେ କ’ଣ ଦରକାର ଯେ ?’’

 

ଦରକାର ଅଛି । ଯେତେ ଦିନ ସେ ମୋ ଘରର ଥିବ, ମୋ ଟଙ୍କାରେ ଖାଉଥିବ, ସେତେ ଦିନ ତାର ପ୍ରତିଟି ଜିନିଷରେ ମୋର ଅଧିକାର ଅଛି ।’’

 

ସୁରମା ହସି ଦେଇ କହିଲେ–

 

‘‘ଭାରି ବାହାଦୁରୀ କାମଟେ କରୁଛ । ସିଏ ତା ଗୋଡ଼ରେ ଛିଡ଼ା ହୋଇଗଲେ ତମ ଦୁଆର ଆଉ ମାଡ଼ିବନି କହିଦେଉଛି । ଜନ୍ମ କରିଛ, ପୋଷିବ ନି ତମେ ତ କ’ଣ ଗାଁ ସାଇରୁ ଲୋକେ ଆସି ପୋଷିବେ ? ତମକୁ ତମ ବାପା ସେମିତି କହିଥିବେ ଏକା ?’’

 

ସୁରମା ବାଟ ଭାଙ୍ଗି ଚାଲିଗଲେ । ଆଉ ପ୍ରଚଣ୍ଡ ରାଗରେ ବିରୂପାକ୍ଷ ବାବୁ ଶଶିଘର ଆଡ଼େ ମୁହାଁଇଲେ ।

 

ପଢ଼ାଘର ନୁହେଁ ତ ଗୋଟାଏ ଜଙ୍ଗଲ । ଗଦା ଗଦା ବହି ଏଣେ ତେଣେ ପଡ଼ିଛି । ସାର୍ଟ ପ୍ୟାଣ୍ଟ ଖେଳା ହୋଇ ପଡ଼ିଛି । ଫ୍ୟାନଟା ବି ଚାଲିଛି ।

 

ଅବସ୍ଥା ଦେଖି ବିରୂପାକ୍ଷ ବାବୁ ଗୁମ୍‌ହୋଇ ବସିଲେ । ଆଉ କ’ଣ ଭାବି ଟେବୁଲ ଡ୍ରୟାରଟା ଖୋଲି ଆଣିଲେ । ଚିଠି, ହାଫ୍‌କଟା ସିନେମା ଟିକେଟ, ଫଟୋ ଆଉ ଖବରକାଗଜ କଟିଂଗୁଡ଼ାଏ । ମନେ ମନେ ଯେମିତି ସେ ହତାଶ ହୋଇ ଉଠୁଥିଲେ । ପର ମୁହୂର୍ତ୍ତରେ ନଜର ପଡ଼ିଲା ଟେବୁଲ କଭରତଳେ ଗୋଟାଏ ଚିଠି । କିଏ ଜଣେ ଦସ୍ତଖତ କରିଛି ଜଣାପଡ଼ୁନି । ଅନେକ ପୃଥିବୀର ସମ୍ବାଦ ଉପରେ ତର୍ଜମା କରିସାରି ଶେଷ ମନ୍ତବ୍ୟ ଦେଇଛନ୍ତି ବନ୍ଧୁ ସମାଜ ଉପରେ–ତୋ’ ପାଖରେ ପାଶ ଆଉ ଚାକିରୀ ଖେଳଘର ହୋଇପାରେ; କିନ୍ତୁ ଆମେ କ’ଣ କରିବୁ ? ତତେ ଠେଲି ନେଇ ଆଗରେ ଛିଡ଼ା କରେଇ ଦେବାକୁ ଶକ୍ତିର ଅଭାବ ନାହିଁ । ମାତ୍ର ଆମେ ? ଅତୀତ ନାହିଁ, ବର୍ତ୍ତମାନ ନାହିଁ । ଭବିଷ୍ୟତର ପ୍ରଶ୍ନ ଉଠେନା । ତେଣୁ ଆମର ଏଇ ଦାବୀକୁ ତୋର ଇଉନିଟ ଯେପରି ସ୍ୱାଗତ କରେ...ସକ୍ରିୟ ସାହାଯ୍ୟ ସହାନୁଭୂତି ଏକାନ୍ତ ଜରୁରୀ । କାରଣ ଆମେ ଚାହୁଁ ନିଜ ଗୋଡ଼ରେ ନିଜେ ସକ୍ଷମ ହୋଇ ଛିଡ଼ା ହେବାକୁ...

 

ବିରୂପାକ୍ଷ ବାବୁଙ୍କ ହାତଟା ଥର ଥର କମ୍ପୁଥିଲା । ଆଖିଟା ଜାଲୁ ଜାଲୁ ଦିଶୁଥିଲା । ତାଙ୍କର ଚେତନା–ଜଗତରେ ଗୋଟାଏ ଭୂମିକମ୍ପ ହେଲା ପରି ସେ ଅନୁଭବ କରୁଥିଲେ ।

 

ସୁରମା ଆସି କେତେବେଳେ ତାଙ୍କ ପାଖରେ ପାଖରେ ଛିଡ଼ା ହୋଇଛନ୍ତି । ଚିଠିଟା ସେ ପଢ଼ିଥିଲେ ଆଗରୁ କି ପଢ଼ିନେଲେ ଇତ୍ୟବସରରେ ସେ କଥା ବିରୂପାକ୍ଷବାବୁ ଖିଆଲ କରି ନାହାନ୍ତି-

 

ସୁରମା ଚିଠିଟା ଟାଣିନେଇ କହିଲେ–

 

‘‘ଯେଝା ଗୋଡ଼ରେ ଯେଝା ବାଟ ଚାଲିବେ । ତୁଚ୍ଛାକୁ ତମେ ଏତେ ବାଡ଼େଇ ହଉଛ କାହିଁକି ମୁଁ ବୁଝୁନି.....’’

 

ବିରୂପାକ୍ଷ ବାବୁ କାନ୍ଦ କାନ୍ଦ ହୋଇ କହିଲେ–

 

‘‘କିନ୍ତୁ....ମୁଁ, ମୁଁ....ମୋ ପୁଅ...ମାନେ–। ସୁରମା !’’

 

ସୁରମା ଫୋପାଡ଼ିଲା ପରି କହିଲେ–

 

‘‘ହଁ, ହଁ, ତମେ ! ତମେ, ତମେଇ ନାଟର ଗୋବର୍ଦ୍ଧନ । ତମର ଏଇ ‘ମୁଁ, ‘ମୁଁ’ ଢଙ୍ଗ ମତେ ମୋଟେ ସୁଖ ଲାଗୁନି । କିଏ ବୁଦ୍ଧି ଶିଖେଇଲା ଶଶିକୁ । ତମେ ତ ତା’ ରୋଲ୍‌ ନମ୍ବର ଧରି ରାଜ୍ୟଯାକ ମାଷ୍ଟ୍ରଙ୍କ ପିଛା ଦଉଡ଼ିଲ–ରାଶି ରାଶି ଟଙ୍କା ବିଞ୍ଚିଦେଲ–ରାଜ୍ୟଯାକ ମାଷ୍ଟ୍ରଙ୍କ ପିଛା ଦଉଡ଼ିଲ–ରାଶି ରାଶି ଟଙ୍କା ବିଞ୍ଚିଦେଲ–ଯେଉଁଠି ନ ହେଲା ସେଠିକୁ ବୁଦ୍ଧି କ୍ଷମତା ଖଟେଇଲ–ସେ ତ ସବୁ ଜାଣିଲା, ବୁଝିଲା ଆଉ ତମକୁ ଖାତିର କରିବ କାହିଁକି ? ଆଉ ମାଷ୍ଟ୍ର ଗୁରୁଜନଙ୍କୁ ସମ୍ମାନ ଦେବ କାହିଁକି ? ଏବେ ତା ମୁଣ୍ଡକୁ ହାତ ପାଇଲା, ସେ ତା’ ଦେଖିଲା କାମ କରିବ । ତମ ହାତଟେକାକୁ କାହିଁକି ଚାହିଁ ବସିବ ?’’

 

ବୋକାଙ୍କ ପରି ବିରୂପାକ୍ଷ ବାବୁ ପଚାରିଲେ–‘‘ମୋ ହାତ–ଟେକା ? ତମେ କ’ଣ କହୁଛ ସୁରମା ?’’

 

ସୁରମା ଚିଡ଼ିଯାଇ କହିଲେ–

 

‘‘ହାତଟେକା ନୁହେଁ ତ କ’ଣ ? ପଇସାକର କାମ କରି ନ ଥିବ, ଲକ୍ଷେ ଟଙ୍କାର କଥା କହି ତା’ ହାଡ଼ରୁ ମାଉଁସ ଝୁଣି ନେଇଯିବ । ତମେ ତା’ ହାତ ଧରି ପାଞ୍ଚ କୋଶ ଆଗେଇ ନେଲ, ସେ ଏବେ ମନକୁ ଦଶକୋଶ ଆଗେଇ ଗଲା ବୋଲି କାହିଁକି ଦୁଃଖ କରୁଛ ?’’

 

ବିରୂପାକ୍ଷ ବାବୁ କିଛି ବୁଝିପାରୁ ନ ଥିଲେ, କାବା ହୋଇ ସେ ସୁରମାଙ୍କ ମୁହଁକୁ ଚାହିଁଥିଲେ କେବଳ ।

Image

 

ସୁଅ

 

ବର୍ଷା ! ବର୍ଷା ! ଅବିଶ୍ରାନ୍ତ ଉତ୍ତାଳ ବାରିଧାରା । ଚତୁର୍ଦ୍ଦିଗରେ ରାତ୍ରୀର ଜମାଟ ଅନ୍ଧକାର-! ଗୋଟାଏ ପ୍ରଚ୍ଛନ୍ନ ଅସହାୟତା–ଗୋଟାଏ କାରୁଣ୍ୟ । ଯାହାର ବାଖ୍ୟା କରିବା ସମ୍ଭବ ନୁହେଁ, ସହଜ ବି ନୁହେଁ ।

 

ସୁଧୀର ଲଣ୍ଠନଟା ଟିକିଏ ତେଜି କାନ୍ଥ ଆଡ଼କୁ ଅନେଇଲା । ଫାଟି ଯାଇଥିବା କାନ୍ଥଟା ଯେମିତି ଖତେଇ ହଉଛି । ଘର ଛାତର ମଥାନ ଉପରେ ବତାଟାକୁ ମେଘ ଆଡ଼େଇ ଦେଉଛି ଧୀରେ ଧୀରେ ଗୋଟାଏ ପାଖକୁ ନିଜର ବାଟ ପରିଷ୍କାର କରିବା ପାଇଁ । ପବନର ବେଗ କ୍ରମଶଃ ପ୍ରଖର ହୋଇଆସୁଛି... ।

 

ନଈର ସନ୍ଧ୍ୟା ପୂର୍ବରୁ ବେକ ଫୁଲି ଆସିଥିଲା । ସାଇସାରା ଲୋକେ ସେଇଠି ଜମାଟ ବାନ୍ଧିଛନ୍ତି । ବନ୍ଧଟା ଯଦି ଏଇ ବର୍ଷାଟାକୁ ସମ୍ଭାଳି ଯାଆନ୍ତା... ? ଓଃ ଭଗବାନ !

 

ନିଜର ଅସ୍ୱସ୍ତିକର ଖାପ୍‌ଛଡ଼ା ଭାବନାରେ ସୁଧୀର ନିଜେ ହିଁ ଚମକି ପଡ଼ିଲା । ଭଗବାନ, ଈଶ୍ୱର, ବୁଦ୍ଧ, ଯୀଶୁ, କୃଷ୍ଣ ! ଅଭିଧାନର ଅସଂଖ୍ୟ ଶବ୍ଦ ଭିତରେ ଏସବୁ ତା ପାଖରେ ଗୋଟିଲ ଗୋଟିଏ ! କିନ୍ତୁ ହଠାତ୍‌ କାହିଁକି ଜିଭରେ ଶବ୍ଦଟା ଆସିଗଲା କେଜାଣି !

 

ଅସ୍ୱସ୍ତି ! ଭୀଷଣ ଅସ୍ୱସ୍ତି ବୋଧ ହେଉଛି । ଶୋଇ ହେଉନି, ବସି ହେଉନି କି ଘର ଛାଡ଼ି ଯାଇ ହେଉନି... ! କ’ଣ ଯେ ହେବ ?

 

ଯମୁନାକୁ ନିଦ ଲାଗିଯାଇଛି ସାମାନ୍ୟ ବୋଧେ । ସକାଳୁ କଷ୍ଟର ସୀମା ନାହିଁ । ପ୍ରଥମ ଗର୍ଭ । ସାନ ମଣିଷ–ପୁଣି ଏନିମିକ୍‌ । ତା ସାଙ୍ଗକୁ ଦୀର୍ଘ କେତେ ଦିନ ଧରି ଡିସେଣ୍ଟ୍ରି । ଚାରି ମାସ ତଳେ ଡାକ୍ତର କହିଥିଲେ ଅନ୍ତତଃ ଏକ ମାସ ପୂର୍ବରୁ ହସ୍‌ପିଟାଲରେ ରଖିବା ପାଇଁ । କିନ୍ତୁ ବୁଢ଼ାବାପାଙ୍କୁ ଏକୁଟିଆ ଏଠି ଛାଡ଼ିଦେଇ କିପରି ସେ ଯମୁନାକୁ ନେଇ ଯାଇଥାନ୍ତା ଏତେ ଆଗରୁ ? ତଥାପି ଏବେ ବି ସମୟ ଅଛି ପନ୍ଦର ଦିନ । ମାତ୍ର... ।

 

ବନ୍ୟା । ଚତୁର୍ଦ୍ଦିଗରେ କୂଳ ଖାଇ ବନ୍ୟା । ତା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଓ ଝଡ଼ । ଘରେ ଚାଉଳ ସରିଆସିଲାଣି, କିରାସିନୀ ନାହିଁ କହିଲେ ଚଳେ । ବାର୍ଲି, ସାଗୁ ଆଉ ପଥିର କଥା ଅଲଗା ।

 

ଗୋଟିଏ ବିଜୁଳି ଚମକି ଉଠିଲା । ତା ସାଙ୍ଗୁକ ଘଡ଼ି ଘଡ଼ି । ସତେ କି ପୃଥିବୀ ଦି’ଭାଗ ହୋଇଯିବ ! ଚମକି ପଡ଼ିଲା ଯମୁନା–

 

‘‘ଓଃ । ତଣ୍ଟି ଶୁଖିଯାଉଛି...ମୁନ୍ଦାଏ ପାଣି ।’’

 

ରସ ଗ୍ଲାସରେ ପାଣି ଗଡ଼େଇ ଦେଉ ଦେଉ ସୁଧୀର ଦେଖିଲା, ଯମୁନାର ଆଖି ପାଖରେ କଳା କଳା ଗହୀଡ଼ା ଦାଗ ଓ ଯନ୍ତ୍ରଣାରେ ବିକୃତ ମୁହଁ । କଷ୍ଟକୁ ଯଥାସମ୍ଭବ ଚାପି ରଖିବାକୁ ସେ ଚେଷ୍ଟା କରୁଛି ।

 

ଆର ପାଖ ଘରୁ ବାପା କାଶି ଉଠିଲେ । କଫରେ ସେ ଯେମିତି ରୁନ୍ଧିହୋଇ ଆସୁଛନ୍ତି । ସନ୍ଧ୍ୟାବେଳେ ସାମାନ୍ୟ ଦେହଟା ତାତିଥିଲା ।

 

ଭୟରେ ସୁଧୀରର ଛାତି ଭିତରଟା କମ୍ପି ଉଠିଲା । ମନେ ହେଲା ଗୋଡ଼ ହାତ ତାର ସବୁ ଯେମିତି କିଏ ବାନ୍ଧି ଦେଇ ଗୋଟାଏ ଜେଲ ଖାନାରେ ତାକୁ ପକେଇ ଦେଇଛି । ଗୋଟାଏ କଲିଜାଥରା କମ୍ପ ସେ ଅନୁଭବ କଲା...ଯେଉଁ କମ୍ପ, ଯେଉଁ ଯନ୍ତ୍ରଣା ସେ ପନ୍ଦର ବର୍ଷ ତଳେ ଥରେ ଭୋଗ କରିଥିଲା... ।

 

ସେତେବେଳେ ବି ଠିକ୍‌ଏମିତି ସନ୍ଧ୍ୟା ହୋଇ ଆସୁଥିଲା । ତିନି ଦିନ କ୍ରମାଗତ ବର୍ଷା ପରେ ନଈରେ ପାଣି ଉଛୁଳି ପଡ଼ୁଥିଲା । ବୋଉକୁ ଲାଗି ରହିଥାଏ ଜ୍ୱର । ହଠାତ୍‌ ରାତି ଦି’ ଘଡ଼ି ସମୟକୁ ବନ୍ଧଟାର ଟଳମଳ ଅବସ୍ଥା । ଇସ ! ସେ କି କରୁଣ ଦୃଶ୍ୟ ! କିଏ କୁଆଡ଼େ ଚାଲିଗଲେ ତାର ଠିକଣା ନାହିଁ....ଗାଈଗୋରୁ, ଗଛଲତା, ଘର ସବୁ ଜଳାର୍ଣ୍ଣବ ହୋଇଗଲା । ନିମିଷକରେ ଚାରିଆଡ଼େ ଖାଲି ପାଣିର ସୁ ସୁ ଗର୍ଜନ ଆଉ ବର୍ଷା ବିଜୁଳି । ତାରି ଭିତରେ ବୋଉ କହିଥିଲା–‘ଧୀରୁ ! ତୋ ବାପା କାହିଁ ଗଲେ ? ସୁଧୀର ଉତ୍ତର ଦେଇ ପାରି ନ ଥିଲା । କାରଣ ବନ୍ଧ ପାଖରେ ବାପା ଥିଲେ ଆଉ ସେ ବୋଉ ଓ ସାନଭାଇ ଦି’ଟାଙ୍କୁ ଜଗି ରହିଥିଲା । ଠିକ୍‌ ମନେଅଛି–ବୋଉ ଉଠିପଡ଼ି ହାତ ବୁଲେଇ ଘର ଭିତରେ ପବନର ବେଗକୁ କଳିବାକୁ ଚେଷ୍ଟା କରୁ କରୁ କହିଲା–

 

‘‘ଧୀରୁ ! ମୋ ଧନ ! ତୁ ଛୁଆ ଦି’ଟାକୁ ନେଇ ବୀର ବାବୁଙ୍କ କୋଠା ଉପରକୁ ଚାଲିଯା-। ପାଣି ମାଡ଼ି ଆସିଲେ ଆଉ ରାହା ମିଳିବନି ।’’

 

‘‘ତତେ ଛାଡ଼ିଦେଇ ମୁଁ ଯିବିନି ବୋଉ ! ଭାସିଯିବା ତ ସମସ୍ତେ ଯିବା... ।’’

 

ବୋଉ ଯେମିତି ସୁଧୀର କଥାରେ ଖୁସି ହୋଇଯାଇଥିଲା । ଶୁଖିଲା ଓଠରେ ତାର ଚମକି ଉଠିଥିଲା ଚେନାଏ ହସ । କ’ଣ ଭାବି ସୁଧୀର ମୁଣ୍ଡରେ ତାର ଥରିଲା ହାତଟା ରଖି ସେ କହିଥିଲା–

 

‘‘ତୁ ଯା’ ଆଗେ, ବେଳ ଥାଉ ଥାଉ ଛୁଆ ଦି’ ଟାଙ୍କୁ ଛାଡ଼ି ଦେଇ ଆ । ବାପାଙ୍କୁ ସାଙ୍ଗରେ ନେଇ ଆସିବୁ । ନ ହେଲେ ବି ମୁଁ ତୋ କାନ୍ଧରେ ଭରାଦେଇ ଚାଲିଯିବି....ଯା’ ମୋ ସୁନାଟି ପରା...ଦେଖୁନୁ ପବନ କେମିତି ବୋହୁଛି...ବନ୍ଧ ଭାଙ୍ଗିଗଲେ ଆମରି ଘର ଆଗେ ଭାସିଯିବ । କେମିତି ଗୋଟାଏ ଅଶୁଭ ସ୍ୱପ୍ନ ଦେଖିଲି...ଯା’ ଧୀରୁ–

 

ଅଗତ୍ୟା ପାଞ୍ଚ ବର୍ଷ ଭାଇର ହାତ ଧରି ଆଉ ଦି’ବର୍ଷ ଭାଇକୁ କାନ୍ଧେଇ ସୁଧୀର ଅଧମାଇଲ୍‌ ଦୂରରେ ଥିବା ବୀରବାବୁଙ୍କ କୋଠା ଆଡ଼କୁ ଦଉଡ଼ିଲା ରକମ ଧାଇଁ ଯାଇଥିଲା ! ମାତ୍ର.... ।

 

ଫେରନ୍ତି ପଥରେ ଗୁଡ଼ାଏ ଲୋକଙ୍କର ଚିତ୍କାର ଆଉ ଘରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଭିତରେ ସେ ସଂବିତ୍ ହାରି ଯାଇଥିଲା । ଆଖି ଆଗରେ ସମୁଦ୍ରର ଜଳଭଣ୍ଡାର ଭାଙ୍ଗିପଡ଼ିଛି, ପରସ୍ତ ପରସ୍ତ ଧାଇଁ ଆସୁଛି ସାପର ଫଣା ପରି ଉତ୍ତାଳ ଲହରୀମାଳ । ଖାଲି ଜଳ ଆଉ ଜଳ..... ! ବେକେ ପାଣି ଭିତରେ ହାବୁ ଡ଼ୁବୁ ଖାଇ ଯାଇଥିଲା ତାର ଦେହ । କିଏ ଜଣେ ଘୋଷାଡ଼ିନେଲା ତାକୁ... ।

 

ବାସ୍‌ ସେତିକି ! ତା’ ପରେ କ’ଣ ହେଲା ସେ ଜାଣିନି । ରିଲିଫ୍‌କ୍ୟାମ୍ପରେ ସମ୍ପୂର୍ଣ୍ଣ ଜ୍ଞାନ ହେଲା । ପରେ ସେ ପ୍ରଥମ କରି ବୋଉ କଥା ପଚାରିଥିଲା; କିନ୍ତୁ ତାର କୌଣସି ଉତ୍ତର ନ ଥିଲା ।

 

ପଚାସଢ଼ା ପାଣି ଭିତରେ ଭାସି ଆସୁଥିବା ସବୁ ଶବକୁ ସେ ନିରିଖି ଦେଖୁଥିଲା । ମାତ୍ର ବୋଉର ସତ୍ତା ମିଳିଲା ନାହିଁ । ବାପାଙ୍କୁ ଚାରି ଦିନ ଭିତରେ କୋଡ଼ିଏ ବର୍ଷ ଅଧିକ ବୟସ ହେଲା ପରି ଦିଶୁଥିଲା । ଛୋଟ ଛୋଟ ଭାଇ ଦୁଇଟା କେବଳ ଭୋ’ ଭୋ’ କରି ପେଟଜ୍ୱାଳାରେ କାନ୍ଦୁଥିଲେ-। ସେତିକିରେ ଶେଷ ହେଲାନି । ତା’ ପଛକୁ ପଛ ହଇଜା । ଅସଂଖ୍ୟ ଲୋକଙ୍କ ଭିତରେ ତାର ଛୋଟ ଭାଇ ଦୁଇଟା ବି ଶିକାର ହୋଇଥିଲେ ।

 

ତା ପରେ ?

 

କେତେ ବନ୍ୟା ଆସିଗଲାଣି । ସାଇଁ ସାଇଁ ପବନ କେବଳ ବୋଉର ଫିସ୍‌ ଫିସ୍‌ କଥା ପରି ତାକୁ ଶୁଭେ । ନଈର ପେଟରେ ପାଣି ଜମିଲେ ଗୋଟାଏ କମ୍ପ ତାର କଲିଜା ଥରାଇ ବାହାରିଆସେ । କେଜାଣି କାହିଁକି ଏକ୍ଷଣି ଗୋଟାଏ ଅଜଣା–ଭୟ ତାକୁ ଗ୍ରାସ କରିଆସୁଛି.... ?

 

ଯମୁନା ଯନ୍ତ୍ରଣାରେ ଚିତ୍କାର କରି ଉଠିଲା, ‘‘ଓଃ ! ମରିଯିବି, ଆଉ ବଞ୍ଚିବିନି ଲୋ ବୋଉ-!’’

 

ରକ୍ତ ଲହଡ଼ି ମାରୁଛି ସପଟା ଉପରେ । ପିଲା ବୋଧେ ହୋଇ ଯିବ କି କ’ଣ ? ସୁଧୀର ଅଜାଣତରେ ପାଟି କରି ଉଠିଲା–‘‘ବାପା, ବାପା, ଧାଇଁ ଆସ ।’’

 

ଖୁ ଖୁଁ କାଶି ବାପା ସେ ଘରୁ ଉତ୍ତର ଦେଲେ, ‘‘କିଛି କରିବାର କାହା ହାତରେ ନାହିଁ । ଠାକୁରଙ୍କୁ ଡାକ ଧୀରୁ ! ବୋହୂକୁ କହ..... ।’’

 

କଥାଟା ଶେଷ କରି ପାରିଲେନି । କାଶରେ ଯେମିତି ଘରଟା ଦୁଲୁକି ଉଠୁଛି ।

 

ଯମୁନାର ମୁହଁରେ ଅସୁମାରି ଯନ୍ତ୍ରଣା । ନିଜ ପାଟିରେ ଲୁଗା ଦେଇ ସେ ଚିତ୍କାର ବନ୍ଦ କରିବାକୁ ଚେଷ୍ଟା କରୁଛି ।

 

କବାଟରେ କିଏ ଠକ୍‌ଠକ୍‌ କରୁଛି ଖୁବ୍‌ ଜୋରରେ । ସୁଧୀର ଧାଇଁଯାଇ କବାଟ ଖୋଲିଲା, ରଘୁ ଆଉ କୁଳମଣି । ରଘୁ ତାର ହାତଟା ଧରି ପକାଇ ଫିସ୍‌ଫିସ୍‌ କରି କହିଲା–

 

‘‘ଶୀଘ୍ର ଆସ ଧୀରୁ ଭାଇନା ! ମାଟି ବୋଝ ଆଉ ସମ୍ଭାଳି ପାରିବନି....କିଛି ନ କଲେ ବନ୍ଧ ଭାଙ୍ଗିଲା ବୋଲି ଜାଣ ।’’

 

ରଘୁର ପାପୁଲି ଭିତରେ ସୁଧୀରର ପାପୁଲିଟା ଥର ଥର କମ୍ପି ଉଠିଲା । ସୁଧୀର ଥଙ୍ଗେଇ ଥଙ୍ଗେଇ କହିଲା–‘‘କିନ୍ତୁ.....କ’ଣ କରାଯିବ ? ତମେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଖବର ଦେଲ ତ-?’’

 

କୁଳମଣି କହିଲା–

 

‘‘ହଁ, ସବୁ ହୋଇଛି । ହେଲେ କୁଆଡ଼ୁ କିଛି ଖବର ଆସିନି । ସାହାଯ୍ୟ ତ ଦୂରର କଥା ବନ୍ଧ ଭାଙ୍ଗିଗଲା ପରେ କ’ଣ ରିଲିଫ ଆଉ ଆସନ୍ତାନି କି ? ଏଇନେ ବଡ଼ କଥା–ରାତିଟା ସମ୍ଭାଳି ହେବ କେମିତି ? ସାଙ୍ଗକୁ ପାଣି ମାଡ଼ି ଆସୁଛି......ଦଦେଇ କେମିତି ଅଛନ୍ତି ? ଆଉ ଭାଉଜ ?’’

 

‘‘ମୁଁ କହୁଛି ବନ୍ଧ ଭାଙ୍ଗିଯିବ । ଗାଁ ସାରା ସମସ୍ତେ ନିଶ୍ଚିହ୍ନ ହୋଇଯିବେ...ତମେ ପାରିବନି....ପାରିବନି ନଈର ବନ୍ଧ ବାନ୍ଧି । ଯା ପଳା, ତମର ଯଦି ଜୀବନର ଲୋଭ ଅଛି ପଳା । ଧୀରୁ କିନ୍ତୁ ଯାଇ ପାରିବନି......ନାଃ ଯାଇ ପାରିବନି ।’’ ବାପାଙ୍କର ବଜ୍ର ପରି କଣ୍ଠସ୍ୱର । କେତେବେଳେ ସେ ଆସି ଯାଇଛନ୍ତି କେହି ଜାଣନ୍ତିନି । ‘‘କିନ୍ତୁ ଦଦେଇ, ଚେଷ୍ଟା ତ କରିବା ! ଆଖି ଆଗରେ ଚାହୁଁ ଚାହୁଁ..... ।’’

 

‘‘ଚୁପ୍‌କର । ଚେଷ୍ଟା କରିବ ତମେ ମେଞ୍ଚଡ଼ ପିଲା ! ଜନ୍ମକାଳରୁ ଶୁଣି ଆସୁଛି ବନ୍ଧ ହେବ–ଆକାଶ ଉଁଚା ବନ୍ଧକୁ ଡେଇଁ ପାଣି ପଶିବନି ଆଉ ଗାଁରେ । ଫସଲ ଆମର ଦରକାର ନାହିଁ, ଗଛଲତା ଲୋଡ଼ା ନାହିଁ–ମଟର ଗାଡ଼ି ଘୋଡ଼ା କି କୋଠା ଦରକାର ନାହିଁ । ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଗୋଟାକ ରହୁ । ନାଃ ସେତକ ତମେ ପାରିବନି...... ପାରିବନି....... ବନ୍ଧ ଭାଙ୍ଗିଯିବ....... ମୁଁ କହିଦେଉଛି ।’’ ତା ପରେ ସେଇ ବେଦମ କାଶରେ ସେ କାବୁ ହୋଇ ବସିପଡ଼ିଲେ ।

 

ରଘୁ ଓ କୁଳମଣି ସୁଧୀରକୁ ଅନେଇଥିଲେ । ପବନର ତୀବ୍ରତାକୁ ଭେଦ କରି ଯମୁନାର ଯନ୍ତ୍ରଣାଭରି ଚିତ୍କାର ଶୁଭୁଥିଲା । ଆଉ ସୁଧୀରର ପାପୁଲିଟା କ୍ରମଶଃ ଥଣ୍ଡା ହୋଇ ଯାଉଥିଲା ।

 

ରଘୁ ପୁଣି କହିଲା–

 

‘‘ଭାଇନା, ଯାହା କରିବ କର ଶୀଘ୍ର । ବନ୍ଧ ଭାଙ୍ଗିଲେ ଆଗେ ଯେ ଆମରି ଘର....... ।’’

 

ବୋକାଙ୍କ ଭଳି ସୁଧୀର ପ୍ରଶ୍ନ କଲା–‘‘କ’ଣ କରିବି ? କହୁନ କାହିଁକି ? କ’ଣ କରିବି ?’’

 

ମୋ ମୁଣ୍ଡ କିଛି କାମ କରୁନି । ଯମୁନାର ଅବସ୍ଥା ସାଙ୍ଘାତିକ...., ନର୍ସଟାଏ କେଉଁଠୁ ଯୋଗାଡ଼ କରିପାରିବା ? ବାପାକୁ ଦି’ଦିନ ହେଲା ଜ୍ୱର–ଧଇଁ ପେଲୁଛି......ଟିକେ ବାର୍ଲି କେଉଁଠୁ ଆଣି ଦିଅନ୍ତୁ । ମୁଁ ନିଶ୍ଚୟ ଧାର ସୁଝିଦେବି..... ।’’

 

ରଘୁ କୁଳମଣିକି ଅନେଇ କ’ଣ କହି ଆସୁ ଆସୁ ଅଟକି ଗଲା । କାରଣ ଖୁବ୍‌ଜୋରରେ ଯମୁନା ସେ ଘରୁ କାନ୍ଦି ଉଠିଲା, ହାତଟା ଛଡ଼ାଇନେଇ ସୁଧୀର ଧାଇଁଗଲା, ଆଉ ତା ପଛେ ପଛେ ରଘୁ ଓ କୁଳମଣି ।

 

ରକ୍ତରେ ଭୂଇଁଟା ଲାଲ ଦିଶୁଛି । ଆଉ ଉଲଗ୍ନ ଅବସ୍ଥାରେ ଯମୁନାର ବିକଳାଙ୍ଗ ଶରୀର ଯେପରି ଖତେଇ ହେଉଛି । ଶିଶୁଟାର ବେକ ମାତ୍ର ବାହାରି ଆସିଛି ପଦାକୁ । କିନ୍ତୁ କାହାର କିଛି ସୋର ଶବ୍ଦ ଆଉ ନାହିଁ ।

 

‘‘ଯମୁନା ! ଯମୁନା ! ସୁଧୀର ପାଟିକରି ଉଠିଲା ! ଯମୁନା ନୀରବ ମୂର୍ଚ୍ଛା ହୋଇଯାଇଛି ବୋଧହୁଏ । ଏପରି ଅବସ୍ଥାରେ ନର୍ସ କି ଡାକ୍ତର ନ ଆସିଲେ ?

 

ବିଜୁଳିର ଚମକ ଲାଗିଗଲା ସୁଧୀରର ଚେତନା ଶକ୍ତିରେ । ସେ ଛିଣ୍ଡା ଛତାଟା ଧରି ବାହାରି ପଡ଼ି କହିଲା ।

 

‘‘ମୁଁ ଡାକିଆଣେ ଡାକ୍ତରଙ୍କୁ । ତମେ ଟିକିଏ ଜଗିଥାଅ.... ।’’

 

‘‘ମାତ୍ର ସେ ତ ନଈ ସେ ପାରିରେ ?’’

 

‘‘କ’ଣ ହେଲା, ମୁଁ ପହଁରି ଚାଲିଯିବି....ଏଇ ଆସୁଛି ।’’ ଉତ୍ତରକୁ ଅପେକ୍ଷା ନ ରଖି ଧାଇଁଗଲା । ‘‘ଭାଇନା ! ଭାଇନା ।’’ ଚିତ୍କାର କରି ରଘୁ ତା ପଛେ ପଛେ ଦୌଡ଼ିବାକୁ ଆରମ୍ଭ କଲା-। ପବନରେ ଶବ୍ଦ ଓ ମଣିଷ କିଏ ଯେ କୁଆଡ଼େ ଗଲେ ନିମିଷକରେ ସେ କଥା ସୁସ୍ଥ ଚେତନାରେ କଳ୍ପନା କରିବା ସମ୍ଭବ ନୁହେଁ ।

 

ହଠାତ୍‌ ଦୌଡ଼ୁ ଦୌଡ଼ୁ ସୁଧୀର ଚମକି ଆସି ଛିଡ଼ା ହେଲା ନଈ ମୁହାଁରେ । ସମୁଦ୍ର ସମୁଦ୍ର ପାଣି ଯେପରି ପରସ୍ତ ପରସ୍ତ ଲୋଟଣି ଭାଙ୍ଗୁଛି..... । ଠିକ୍‌ ପନ୍ଦର ବର୍ଷ ତଳର ସେଇ ଦୃଶ୍ୟ...ବିଜୁଳି ବର୍ଷା, ଘଡ଼ ଘଡ଼ି ଆଉ ଉତ୍ତୁଙ୍ଗ ଲହରୀମାଳ.... । କ’ଣ ଯେ ହେଇ ଯାଉଛି ତାର ମୁଣ୍ଡଟା ସେ ବୁଝି ପାରୁନି ।

 

ରଘୁ ତାର ହାତଟା ପଛରୁ ଆସି ଧରି ପକାଇଲା । ମାତ୍ର ସୁଧୀର ଏଥର ହାତଟା ଟାଣିନେଇ କହିଲା, ‘‘ତୁ ବସିଥା ଭାଉଜ ପାଖରେ । ମୁଁ ଏଇକ୍ଷଣି ଡାକ୍ତର ନେଇ ଫେରୁଛି.... ।’’

 

ଛତାଟା ବାଁ ହାତରେ ଧରି ସେ ପହଁରିଲା ଭଙ୍ଗୀରେ ଉଛୁଳା ନଈ ପେଟକୁ ଡେଇଁ ପଡ଼ିଲା ଆଖି ପଲକରେ !!!

Image

 

ଜେନେରେସନ୍‌ ଗ୍ୟାପ୍‌

 

‘‘ରାମ, ରାମ, ରାମ ! ଆହେ ବେଳକାଳ ଯାହା ହେଲାଣି....ଆଉ ବେଶୀ ଦିନ ନୁହେଁ, ଯାହା ଦେଖୁଛି !’’

 

‘‘କ’ଣ ଦେଖିଲ କି ?’’

 

ଗୋପୀନାଥ ପ୍ରଶ୍ନଟା କରି ଚଷମା ଫାଙ୍କରୁ ସୁଦାମଙ୍କ ମୁହଁକୁ କଣେଇ ଚାହିଁଲେ । ମୁହଁଟାରେ ବିରକ୍ତି ଭରିଯାଇଛି ।

 

‘‘ଦେଖିବାକୁ ତ ସବୁ କଥା ହୁଏନି ବାବୁ ! ଅଙ୍ଗେ ଲିଭେଇବା କଥାକୁ ରୂପ ଦେବ କିଏ-? ରୋହିଣୀ ନକ୍ଷତ୍ରକୁ ଶନି ରାଶି...ହୁଁ.... !’’

 

ଗୋପୀନାଥ ଅପ୍ରସନ୍ନ ଚିତ୍ତରେ ଚଷମାଟା ଆଖିରୁ କାଢ଼ି ଖୋଲି ରହିଲେ । ଆଉ ‘ଗୀତା’ ଖଣ୍ଡକୁ ମୁଣ୍ଡରେ ଛୁଇଁ ପକେଟରେ ପୂରେଇ କହିଲେ–

 

‘‘କି ହୋ, ବସୁନ, ସୁଦାମ ! ତୁମର ମୋଟେ ରାଶି ନକ୍ଷତ୍ର ଚିନ୍ତା ଯିବନି...ଅବଶ୍ୟ ବେଳକାଳ ମୋଟେ ଭଲ ଯାଉନି । ଘରେ ଅଶାନ୍ତି, ବାହାରେ ଅଶାନ୍ତି, ରାଜ୍ୟରେ ଅଶାନ୍ତି.... ।’’

 

କଥା ଛଡ଼ାଇ ସୁଦାମ କହିଲେ–

 

‘‘ଓହୋ ବାବା ! ସେଇ କଥା ତ କହୁଚି । ଜୀବନଟା ଅଶାନ୍ତିରେ ଭରିଗଲା । ପ୍ରଳୟ ହବ–ନିସ୍ତାର ନାହିଁ । କେହି ରକ୍ଷା କରି ପାରିବେନି... ।’’

 

ଗୋଟାଏ ଦରମଇଳା ଖବର କାଗଜ ପକେଟରୁ କାଢ଼ି ବେଞ୍ଚ ଉପରେ ପକାଇ ସୁଦାମ ବସି ପଢ଼ିଲେ । ପାର୍କର ଆଲୁଅ ତାଙ୍କ ଗାଲ ଉପରେ ତେର୍‌ଛେଇ ହୋଇ ପଡ଼ିଛି ।

 

ଗୋପୀନାଥଙ୍କୁ ବି ବିରକ୍ତ ଲାଗୁଥିଲା । ନିରୋଳାରେ ଦି’ ପଦ ଶ୍ଲୋକ ଗୀତାରୁ ପଢ଼ିବେ, ଏ କଥା ଆଉ ତାଙ୍କ ଦେଇ ସମ୍ଭବ ହେଲାନି । ଘରେ ବାହାରେ ଅଶାନ୍ତି–‘‘ଶାନ୍ତି’ ବୋଇଲେ ଜିନିଷ କୁଆଡ଼େ ଉଭାନ ହୋଇଗଲାଣି ।

 

ସୁଦାମ ଖଣ୍ଡିକାଶ ମାରି କଣ୍ଠ ସଫାକରି କହିଲେ–‘‘ତମେ ସିନା ମୋ ଉପରେ ଚିଡ଼ୁଛ ଗୋପୀନାଥ ! କିନ୍ତୁ ଦେଖ ମାଳିକାରେ, ବେଦ ବେଦାନ୍ତରେ, ଗୀତା ଭାଗବତରେ ଯାହା ଲେଖାଥିଲା ସବୁ ସତ ହେଲା କି ନାହିଁ ? କାଗଜ ମେଲାଅ ଦେଖିବ–ଖାଲି ଝଡ଼, ତୋଫାନ, ବର୍ଷା, ବିଜୁଳିର ବିବରଣୀ ଛଡ଼ା ତମେ ଆଉ କିଛି ପାଇବନି । ହାଣ, ମାରପିଟ୍‌, ଭଙ୍ଗୁରୁଜା ସାଙ୍ଗକୁ ଯେତିକି ରେପ୍‌କେସ୍‌, ନାରୀହରଣ, ପର ସ୍ତ୍ରୀ ପ୍ରତି ଅତ୍ୟାଚାର...ଶେଷକୁ ଗୋଳାବାରୁଦ ବୋମା.....-! ଏ ଦେଶ ପାଖରେ ହାତ ପାତ, ସେ ଦେଶ ପାଖରେ ମୁଣ୍ଡ ପୋତ, ଏଇତ ଅବସ୍ଥା ! କାହାକୁ କହିବା ଆଉ ?’’

 

ଗୋପୀନାଥ ଉତ୍ତର ଦେଲେ–

 

‘‘ତହିଁକି ଫେର୍‌ ବୋଝ ଉପରେ ନଳିତାବିଡ଼ା ! ବଙ୍ଗଳା ଦେଶଟା ମୁଣ୍ଡ ଉପରେ ଆସି ବସିଲାଣି । ଏଣୁ ମାଇଲେ ବ୍ରହ୍ମହତ୍ୟା–ତେଣୁ ମାଇଲେ ଗୋହତ୍ୟା.... ।’’

 

ସୁଦାମ ହଠାତ୍‌ ଉଠିପଡ଼ି, ଗୋଡ଼ ଗୋଇଠି ଟେକି ଉହୁଁକି ରାସ୍ତା ଆଡ଼କୁ ଅନାଇଲେ ଖୁବ୍‌ତୀକ୍ଷ୍‌ଣ ଭାବରେ ନିରୀକ୍ଷଣ କଲା ପରି । ସ୍କୁଟରଟାଏ ସାଏଁକିନା ଚାଲିଗଲା ।

 

‘‘କିଏ କି ?’’–ଗୋପୀନାଥ ପଚାରିଲେ ।

 

‘‘କିଏ ଆଉ ? କୁଳଗୌରବ ଗୁଣମତି ପୁତ୍ର ଗଲେ । ସାଙ୍ଗରେ ସେଇ ଟୋକୀଟା...ବୁଝିଲ ଗୋପୀନାଥ, ଲଜ୍ଜା ସରମ ବୋଲି କିଛି ନାହିଁ । ମୁଁ ନିକୁଞ୍ଜବାବୁଙ୍କୁ କହିଲି ଝିଅକୁ ଟିକିଏ ଆକଟରେ ରଖ, ଏମିତି ଘୋଡ଼ାଙ୍କ ପରି ନଚାଅନି । ପୁଅ ପିଲା, ତାଙ୍କର କି ଯାଏ ଆସେ ବାବୁ ! ହେଲେ ନିକୁଞ୍ଜ କାହିଁକି ଶୁଣନ୍ତା ? ବନିଶୀରେ ବଡ଼ ମାଛଟେ ଯେତେବେଳେ ଧରିଛି...ହୁଁ... !’’

 

’‘ତୁମର ଏଇଠି ଭୁଲ୍‌ ! ଆଜିକାଲିକା ପିଲା–ଝିଅ କ’ଣ ପୁଅ କ’ଣ ! କିଏ କାହାକୁ ମାନେ ହେ–ବାକି ନିକୁଞ୍ଜ ଝିଅ ତା’କଥା ମାନିଲାନି ! ମୋ ଝିଅ ତ ସେମିତି । କହି କହି ତା’ ମା ଥକିଗଲା । ସାଲଓ୍ୱାର ପଞ୍ଜାବୀ ଛାଡ଼ି ଲୁଗା ପିନ୍ଧା ଆରମ୍ଭ ହେଲାଣି । ଏବେ ଫେର୍‌ ଗୋଟାଏ ଲୁଙ୍ଗୀ ପିନ୍ଧା ଆରମ୍ଭ ହେଲାଣି । ରାସ୍ତାରେ କୋଉ ଝିଅକୁ ତମେ ଭଲ ସଳଖି ଚାହିଁପାରିବ ? ଛି ଛି... !’’

 

ଗୋପୀନାଥ ବିରକ୍ତିରେ ଅସହାୟ ଭାବରେ ଦୀର୍ଘନିଶ୍ୱାସ ପକାଇଲେ । ଆଉ ପାନ ଡବାରୁ ଖଣ୍ଡେ ପାନ ଖାଇ ସୁଦାମକୁ ଖଣ୍ଡେ ଦେଲେ । ସୁଦାମ ପାନଟା ଚୋବାଇ କହିଲେ–

 

‘‘ଯଦୁନାଥକୁ ଦେଖିବାକୁ ଯାଇଥିଲ ପରା ! କେମିତି ଅଛି ତା’ ଅବସ୍ଥା ? ମୁଁ ତ ଗଲା ଦିନ ଗୋଟାଏ ହରିହାଟ ଲାଗିଥିଲା ତା’ଘରେ !’’

 

‘‘କ’ଣ ଆଉ ଅବସ୍ଥା ? ବୁଢ଼ା ପଡ଼ିଛି ଖଟ ଉପରେ । ଲୋକେ ଦେଖିବାକୁ ପୁଅ, ବୋହୂ, ନାତି, ନାତୁଣୀ, ଝିଅ, ଜୋଇଁ ସେବାରେ ଲାଗିଛନ୍ତି । ହେଲେ ବାବୁ, ସବୁରି ଖାଲି ମଉଜ ମଜଲିସ ଚାଲିଛି । କେମିତି ବୁଢ଼ା ଯିବ ଏଇ ଚିନ୍ତା...ବୁଢ଼ୀଟା ବି ପାଖ ମାଡ଼ୁନି ହୋ... ସେଇ ‘ମହନା’ ପିଅନଟା ଯଦି ନ ଥାନ୍ତା–କିଏ ଘୂଅମୂତ କରନ୍ତା କେଜାଣି ?’’

 

‘’ରାମ, ରାମ, ରାମ, ସଭିଏଁ ସୁଖର ସାଥୀ । ସ୍ତ୍ରୀ କ’ଣ, ପୁତ୍ର କ’ଣ ! ଆରେ ବାବୁ, ପଇସା ଯଦି ଥିବ ତେବେ ସବୁ ଆପଣାର... ।’’

 

ସୁଦାମ ଏତିକି କହି ଠୋ ଠୋ କରି ହସି ଉଠିଲେ । ଗୋପୀନାଥ କରୁଣ କଣ୍ଠରେ କହିଲେ– ‘‘ଯାହା କହିଲ ! ଏବେ ଦେଖୁନ, ରିଟାୟାର କଲିଣି ଦୁଇ ମାସ ହେଲା–କିଏ ପଚାରେ ମତେ ? ଘରେ ଗୋଠେ ଲୋକ । କେହି ପଚାରୁଛନ୍ତି ନା, ଦେହ କିମିତି ଲାଗୁଛି, ଚା ପିଇବ କି, କୋଉ ତରକାରୀଟା ହେଲେ ଭଲ; ବିଛଣାଟା ଟିକେ ସହଳ ପକେଇଦେବା କଥା କେହି ଭାବୁନି । ଆଉ ଚୁନିବୋଉ ଏବେ ଏକବାରେ ଉପରମୁହାଁ । ଦି ଦି’ଟା ରୋଜଗାରିଆ ପୁଅ, ଝିଅ, ଜୋଇଁ ଚର୍ଚ୍ଚା, ନାତି ନାତୁଣୀ ସଙ୍ଗେ ଥଟ୍ଟା ତାମସା, ଆଉ ସାଇରେ ପଞ୍ଝାଏ ମାଇକିନା ନେଇ ତାସ୍‌ଖେଳ...ହ୍ୟାପ୍‌ ଦୁନିଆରେ ମାଇପି ଜାତିଠୁ ନିମକ୍‌ହାରାମ୍‌ ଜାତି କେହି ନାହିଁ... । ଖାଲି ପଇସା ରୋଜଗାର କରୁଥିବ–ତାଙ୍କୁ ବସ କହିଲେ ବସିବେ, ଉଠ କହିଲେ ଉଠିବେ... ।’’

 

ସୁଦାମ ଜବାବ ଦେଲେ–

 

’’ତମେ ସିନା ରିଟାୟାର କଲଣି–ଆଉ ମୋ ଅବସ୍ଥା କ’ଣ ? ମୁଁ ତ ଆଉରି ଦୁଇ ମାସ କାମ କରିବି । ହେଲା ତମ ଘରେ ଲୋକ ଟିକେ ବେଶୀ–ଭାଉଜକୁ ସମୟ ମିଳୁନି । ମୋ ଘରେ କେତେ ଲୋକ ? ବାପ, ପୁଅ, ମା ତିନି ଜଣ । ମୁଁ ଗୁନାବୋଉର ମୁହଁ ଦେଖେ ? ଠାକୁର ଘର ଭଲ କି ସେ ଭଲ... ନହେଲେ ପୁଅପାଇଁ ମାନସିକ କରି ଆଜି ପୁରୀ ତ କାଲି କାଶୀ, ବନାରସ । ଟିକିଏ ଆସ, ପାଖରେ ବସ...ଭଲ ମନ୍ଦ ପଦେ କଥା ନାହିଁ.... । ଏଣେ ’ଗୁନା’ଟା ତାଠୁ ପାଞ୍ଚବର୍ଷ ବଡ଼ ଝିଅଟା ସାଙ୍ଗରେ..କେଳେଙ୍କାରୀରେ ମୁହଁ ଦେଖେଇ ହଉନି । ଆରେ ବାବୁ ! ମାଇପେ ସିନା ଘର ଆଡ଼ଟା ନିଘା ରଖିବା କଥା–ମୋ ଘର କ’ଣ ଘର ହୋଇ ଆଉ ଅଛି ? ଗୋଟାଏ ଆଖଡ଼ା ଘର । ପଞ୍ଝାଏ ଟୋକ ଟୋକୀ ସଞ୍ଜ ହେଲେ ଆସିବେ ଯେ ରାତି ବାର ଗୋଟେ ହେଲେ ଯାଇଁ ଯିବେ...ରାମ, ରାମ, ରାମ !’’

 

ଗୋପୀନାଥ ଖେଁକି ଉଠି କହିଲେ–

 

’’ତମର ସେ ଭାଉଜ ପ୍ରୀତି ରଖ । ପରିବାର ବୋଇଲେ ପିଲା ଛୁଆ କୁଟୁମ୍ବ କାହା ଘରେ ନାହିଁ ? ତା ବୋଲି ନିଜ ‘ସ୍ୱାମୀ’ ଖବର ବୁଝିବନି ? ଗୀତା ଦି’ପଦ ପଢ଼ିବି ବୋଲି ମତେ ଶେଷକୁ ଏଇ ପାର୍କକୁ ରାସ୍ତା କଡ଼କୁ ଆସିବାକୁ ପଡ଼ିବ ? ତେବେ ମୁଁ ଦି’ମହଲା କୋଠା, ଦଶ ବଖରା ଘର କାହିଁକି କରିଥିଲି ? କ’ଣ ଏଇ ବାରଦାଣ୍ଡ ଶୁଣ୍ଢିପିଣ୍ଡା ହେବି ବୋଲି ?’’

 

ସୁଦାମ ହସି ପକାଇଲେ । ଗୋପୀନାଥଙ୍କ ପକେଟରୁ ଗୀତାଟା ନେଇ ହାତରେ ଧରିଲେ । ଆହା ! ରିଟାୟାର କରି ଗୋପୀନାଥର କେତେ ପରିବର୍ତ୍ତନ ହେଲାଣି ? ଆଗେ ‘ଗୀତା’ କି ‘ଭାଗବତ’ ନାମ ପଡ଼ିଲେ ଚିଡ଼ି ଯାଉଥିଲା । ସମସ୍ତଙ୍କର ବୋଧେ ଏଇ ଦଶା ହବ । ଦି’ମାସ ପରେ ସେ ବି ଖଣ୍ଡିଏ ଧରି ଆସିବେ ଏଇଠିକୁ । ରିଟାୟାର କେବଳ ଚାକିରିରୁ ହୁଏନା–ପରିବାରରୁ ମଧ୍ୟ ମଣିଷ ରିଟାୟାର କରିଥାଏ । ନଚେତ୍‌ ଗୋପୀନାଥ ଭଳି ପ୍ରତାପୀ, ରାଗୁଆ ମଣିଷଟା–ଶେଷରେ ପାର୍କରେ ଆସି ଗୀତା ପଢ଼ନ୍ତା ?

 

ନିଜ କଥା ଭାବି କିପରି ଉଦାସ ହୋଇଗଲେ ସୁଦାମ । ଜୀବନଟା ସାରା କ’ଣ ପାଇଁ ବା ଏତେ ପରିଶ୍ରମ ? କିଛି ନାହିଁ..ସବୁ ଶୂନ୍‌ଶାନ୍‌...କେହି କାହାର ନୁହେଁ...ମିଛ ମାୟା ସଂସାର... ।

 

ଗୋପୀନାଥ ସୁଦାମର ହାତଟା ଧରି କହିଲେ–’’ସୁଦାମ ! ମତେ ଆଉ ଭଲ ଲାଗୁନି । ଜଞ୍ଜାଳରେ ମୁଁ ସଢ଼ି ପଚିଗଲିଣି । ଏବେ ଟିକେ ନିରୋଳାରେ ରହିବାକୁ ଚାହେଁ–ଅନ୍ତତଃ ଜୀବନର ଶେଷ ଭାଗରେ ଟିକିଏ ଶାନ୍ତିରେ ମରିବାକୁ ଚାହେଁ । ତୁମର ଅନେକ ଆଶ୍ରମ, ମଠ ବାଡ଼ି ଜଣା ଅଛି... ।’’

 

ସୁଦାମ କଟ୍‌କଟ୍‌ କରି ଚାହିଁ କହିଲେ–

 

‘‘ଆଶ୍ରମ ? ମଠ ବାଡ଼ି ? ସବୁ ଧପ୍‌ପାବାଜ । ଆମ କପାଳରେ ଶାନ୍ତି ନାହିଁ–ତାକୁ କେଉଁଠୁ ଖୋଜିଲେ କ’ଣ ମିଳିବ ? ଆଉ ଆଶ୍ରମ ?’’

 

ସୁଦାମଙ୍କର ମନେ ପଡ଼ିଗଲା ତିରିଶ ବର୍ଷ ତଳେ ଆଉଥରେ ଏମିତି ଗୋଟାଏ ଆଶ୍ରମ ଖୋଜିଦବାକୁ ଗୋପୀନାଥ କହିଥିଲେ । ତରୁଲତା ଡାକ୍ତରାଣୀ ସଙ୍ଗରେ ବିଭାଘର ନ ହେଲାରୁ ଗୋପୀନାଥ ବାବାଜି ହେବାକୁ ବସିଥିଲେ । ତା’ପରେ ବିଭାହେଲେ ଅଲିଅଳୀ ନାକକାନ୍ଦୁରୀ ଚୁନି ବୋଉକୁ....ତା’ପରେ ମାଛ, ମାଂସ, ମଦ....ଆଉ ଏବେ ପୁଣି ଆଶ୍ରମର ନିଶା ଘାରିଲାଣି । ଭୀମରତି ହେଲାଣି ଗୋପୀନାଥଙ୍କୁ ।

 

’’ହସୁଛ ଯେ । ‘‘ ଗୋପୀନାଥ ସଙ୍କୁଚିତ ହେଲା ପରି ପ୍ରଶ୍ନ କଲେ ।

 

‘‘ଭାଇ, ମିଛ ମାୟା ସଂସାର । ଆଶ୍ରମ ଯାହା, ଘର ସେଇଆ । ‘ତରୁ’ କୁ ବାହାହବା ଯାହା, ‘ଭାଉଜ’କୁ ନେଇ ଘର କରିବା ସେଇଆ ।’’

 

ଓଃ ! ଗୋପୀନାଥଙ୍କ ଛାତି ଭିତରେ ଗୋଟାଏ ବ୍ୟଥାର ବାମ୍ଫ ସୃଷ୍ଟି ହେଲା । ତରୁଲତା କଥା ତାଙ୍କର ମନେ ପଡ଼େନା, ଏମିତି ନୁହେଁ । ମାତ୍ର ସୁଦାମ ତା’କଥା ଭୁଲିନି...ଭୁଲି ନାହାନ୍ତି ଆହୁରି କେତେ ଚିହ୍ନା ଅଚିହ୍ନା । ସିଏ ବି ଅଜବ ସ୍ତ୍ରୀଲୋକ । ସାରା ଜୀବନ ବାହା ନ ହୋଇ ଅଭିଶାପରେ ତାଙ୍କୁ ଜର୍ଜର କରି ରଖିଦେଲା । ଏବଯାଏଁ ଲୋକେ ସେ କଥା ଭୁଲି ପାରିଲେନି । କଳଙ୍କ....କଳଙ୍କ....

 

ରାଗିଯାଇ ଗୋଟାଏ ଅଭୂତ ପ୍ରଶ୍ନ କଲେ ସେ...‘ଆଚ୍ଛା ତରୁଲତା ବାହା ହେଲାନି କାହିଁକି-? ଏବେ ବି କ’ଣ ତାକୁ ସମୟ ହୋଇନି ?’’

 

ହେଁ ହେଁ କରି ହସିଉଠିଲେ ସୁଦାମ–

 

‘‘ଆଚ୍ଛା–ସତରେ ତୁମ ମୁଣ୍ତ ଖରାପ ହେଲାଣି । ହଇହେ, ସେ କାହକୁ ବାହା ହେବ ? ହେଲେ ହୋଇପାରେ ତୁମକୁ କେବଳ । ଗୋଟିଏ କଥା ତମେ କରିପାର–ଆଜିକାଲି ତ ଅନେକ ଲୋକ ରିଟାୟାର କରି ବାହା ହେଉଛନ୍ତି.....ତମର ତ ଆଉ ଚାକିରି ଡର ନାହିଁ । ତମେ ଏବେ ବାହା ହେଇପଡ଼ ‘ତରୁ’କୁ । ସେ ତ ଗୋଡ଼ ଲମ୍ୱେଇ ଅପେକ୍ଷା କରି ବସିଛି....କ’ଣ କ୍ଷତି ହବ ? ହୃଦାନନ୍ଦବାବୁ ଷାଠିଏ ବର୍ଷରେ ବାହା ହେଲେ, ସତୀନାଥ ସ୍ତ୍ରୀ ମରିଗଲାରୁ ପୁଣି ବାହା ହେଲା ରମାକୁ । ଆଉ ସେ ତମ ଅଫିସର ଶଙ୍କର ଦାସ–ସେ ତ ପୁଣି ରିଟାୟାର କରି ସ୍ତ୍ରୀ ଥାଉ ଥାଉ ପ୍ରେମିକା ସହ ରେଜିଷ୍ଟ୍ରି କଲେ... ! ତା’ହେଲେ ଆଶ୍ରମ, ମଠ କିଛି ଦରକାର ହେବ ନାହିଁ....ଶାନ୍ତି ଆସି ପାଦତଳେ ଗଡ଼ଗଡ଼ା ମାରିବ....’’

 

ଗୋପୀନାଥ ଅନ୍ୟମନସ୍କ ହୋଇଯାଇଥିଲେ । ଚୁନିବୋଉଟା ସବୁ ଭଲ–ହେଲେ ‘ପ୍ରେମ’ କ’ଣ ଜିନିଷଟା ସେ ମୋଟରୁ ଜାଣେ ନାହିଁ । ତରୁଲତା ସହିତ ବିବାହ କରିବା କଥାଟା ହଠାତ୍‌ ସୁଦାମ ଏମିତି କହିଲା କାହିଁକି ? କିପରି ଲାଜରା ଅନୁଭବ କଲେ ସେ ।

 

ସୁଦାମ ଉଠିପଡ଼ି କହିଲେ–

 

‘‘ମେଘ ଆସିଲାଣି ଦେଖୁଛ ? ଚାରିଆଡ଼େ ବନ୍ୟା, ପ୍ରଳୟ ଆଉ ତାଣ୍ଡବ ତମ ଘରେ, ମୋ ଘରେ, ରାଜ୍ୟରେ ଆଉ ପୃଥିବୀରେ । ବେଳକାଳ ଆଉ ଭଲ ନାହିଁ । ଆମ ଟାଇମ୍‌ବି ସରିଲା-। ତେଣୁ ଦୁଃଖ କରି ଲାଭ କ’ଣ ? ରୋହିଣୀ ନକ୍ଷତ୍ର... ଶନି ରାଶି...ରାମ, ରାମ, ରାମ ।’’

 

ନିଜ ନିଶକୁ ସାଉଁଳେଇ ଗୋପୀନାଥ ଆକାଶକୁ ଅନେଇଥିଲେ ଆଉ ବିରକ୍ତ ହେଉଥିଲେ ସୁଦାମ ଉପରେ । କୋଉଠୁ ଗୋଟାଏ ପାଳଭୂତ ପରି ଆସିଗଲା ଯେ–ନା ପଢ଼େଇଦେଲା ଗୀତା, ନା ଭାବିବାକୁ ଦେଉଛି ତରୁଲତା କଥା । ସୂକ୍ଷ୍ମଚିନ୍ତା ତା’ ମୁଣ୍ଡରେ ପ୍ରେମ କରିଥିଲେ ସିନା ପଶନ୍ତା ? ଧେତ୍‌ !

 

ଗୋପୀନାଥ ଛତା ଓ ଗୀତା କଥା ଭୂଲିଯାଇ ଡଗ ଡଗ ହୋଇ ଯୁବକସୁଲଭ ଭଙ୍ଗୀରେ ପାର୍କର ଫୁଲପେନ୍ଥାଗୁଡ଼ିକ ଧାଇଁ ଧାଇଁ ଛିଡ଼ାଇବାକୁ ଲାଗିଲେ । ପଛରେ ହୋ ହୋ ହସି ସୁଦାମ ଦରଓ୍ୟାନକୁ କୁହାଟ ଛାଡ଼ୁଥିଲେ !!

Image

 

ଅସାଧାରଣ

 

ଶଶିକାନ୍ତ ମନେ କଲେ ସେ ବିଛଣାରୁ ନ ଉଠିବା ଉଚିତ । କାରଣ ଅନେକଗୁଡ଼ିଏ ଘଟଣାକୁ ଏକାଠି ହୃଦୟଙ୍ଗମ କରିବା ଓ ତାର ସାରବତ୍ତା ସହିତ ଭବିଷ୍ୟତ କର୍ମପନ୍ଥା ଗ୍ରହଣ କରିବାକୁ ହେଲେ ବିଛଣାରେ ଆକ୍ଷି ବୁଜି ପଡ଼ିରହିବାର ଛଳନା କରିବା ହିଁ ଶ୍ରେୟଃ । ଆକ୍ଷି ଖୋଲି ସାମାନ୍ୟ ଆରାମ କରିବାର ଉପାୟ ନାହିଁ । ସମସ୍ତେ ଯେପରି ତାଙ୍କର ମୁହୂର୍ତ୍ତଗୁଡ଼ିକୁ ଗ୍ରାସ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ।

 

କିନ୍ତୁ କାହିଁକି ? ସେ ତ କାହାରି ଅନିଷ୍ଟ କରି ନାହାନ୍ତି ?

 

ମନେ ହେଲା, ସକାଳର ସୂର୍ଯ୍ୟଶିଖା ଝରକା ଦେଇ ମଶାରି ଭେଦକରି ତାଙ୍କର ଆକ୍ଷିପତା ଉପରେ ଯେପରି ଲକ୍‌ ଲକ୍‌ କରୁଛି । ଏଥର ଆକ୍ଷି ନ ଖୋଲିଲେ ରକ୍ଷା ନାହିଁ । କିନ୍ତୁ ଚଞ୍ଚଳାଙ୍କର ପାଦ ଶବ୍ଦ ଶୁଣି ସେ ଚୁପ୍‌ ହୋଇଗଲେ । ଅବଶ୍ୟ ସବୁଦିନ ପରି ଚଞ୍ଚଳାଙ୍କର ଗତି ଆଜି ଦ୍ରୁତ ନ ଥିଲା । ସେ ପାଟି କରି କହିଲେ–

 

‘‘କାହିଁକି ଏତେବେଳଯାଏ ଶୋଇଛ ମ ? ଉଠୁନ କାହିଁକି ?’’ ସେ ବୋଧେ ପାଖକୁ ଆସିଲେ । ମଶାରି ଟେକିବା ପୂର୍ବରୁ ଶଶିକାନ୍ତ ଉଠିପଡ଼ିଲେ, ଯେହେତୁ ଆଉ ଶୋଇବା ବିଶେଷ ନିରାପଦ ହେବ ନାହିଁ ।

 

ଆରପାଖ ଘରେ ବୁଢ଼ୀ ବେଶ୍‌ ଶୁଣାଇଲା ଶୁଣାଇଲା ଭଙ୍ଗୀରେ କହୁଛନ୍ତି ବୋଉକୁ–

 

‘‘କୁଳ ଛାଡ଼ିଲେ କି କରେ ନାଆ,

 

ଦୁଧ ଛାଡ଼ିଲେ କି କରେ ମାଆ...

 

କିଛି କେହି ଏ ଘରେ ଛୋଟ ହୋଇ ନାହାନ୍ତି ଅପା । ଯାହାର ଯାହା ଇଚ୍ଛା ସେ ତାହା କରୁ; କିନ୍ତୁ ସେଥିରେ ଯେମିତି ଦାଣ୍ଡରେ ଆଉ ମହତ ନ ପଡ଼େ । ଶଶୀ ଶେଷକୁ ଏଇଆ ହେଲା ? ବାପ, ଦାଦିଙ୍କର ନା ପକାଇଲା ? କାହିଁ ଅଫିସର ହୋଇ କେଉଁଠି ଯାଇ ବସନ୍ତାଣି... ମୁଣ୍ଡକୁ ତ କେହି ନାହିଁ... ।’’ ବେଳେବେଳେ ବୋଉ ବି ଏମିତି କହେ । ଏସବୁ କଥା ଶୁଣି ଶଶିକାନ୍ତ ହସନ୍ତି । କିନ୍ତୁ ସେ ଆଜି ହସିପାରିଲେ ନାହିଁ । ପ୍ରକୃତରେ ମନେହେଲା ଯେପରି ସେ ଦୃଷ୍ଟ ହୋଇଛନ୍ତି । ଜୀବନରେ ଯାହା କରିବାର କଥା ସେ କରିପାରିଲେ ନାହିଁ । କାହାର ମନ ସେ ରଖିପାରିଲେ ନାହିଁ-। ଆଉ ନିଜର ମନଟା ମଧ୍ୟ ତା’ ସହିତ ଭାଙ୍ଗିରୁଜି ଛାରଖାର ହୋଇଯାଇଛି । ନିଜକୁ ଚଳାଇବା ଯେପରି ଏକ ବିଷମ ସମସ୍ୟା ।

 

ଶଶିକାନ୍ତ ଚଞ୍ଚଳାକୁ ଏଡ଼େଇ ଯିବା ପାଇଁ ଖପ୍‌କରି ମଶାରୀ ଭିତରୁ ଡେଇଁ ପଡ଼ିଲେ ଆଉ ଅତି ସହଜ ଭଙ୍ଗୀରେ କହିଲେ–

 

‘‘ଆଃ ! ଏତେ ଡେରି ହେଲାଣି, ମତେ କେହି ନିଦରୁ ଉଠାଇ ଦେଲାନି ?’’

 

ବୋଉ ଉତ୍ତର ଦେଲା ଘର ଭିତରକୁ ପଶିଆସି–‘ହଇରେ କାନ୍ତ ! ଶେଷକୁ ତୁ ଏଇଆ କଲୁ ? ଦିନରାତି ଯେ ତୋର ଅଫିସ କାମ ସରୁ ନ ଥାଏ, ସକାଳ ଆଠରୁ ଯାଉ ଯେ ରାତି ଦଶରେ ଫେରୁ, ମୁଁ ପଚାରୁଛି ତୁ କରୁ କ’ଣ ? ଆଉ ଟଙ୍କା ଯଦି ଆଣିଲୁ ତାକୁ କ’ଣ କଲୁ କହ ? ଘରେ ଯାହା ସୁବିଧା ଅସୁବିଧାର ହୁଏ, ମୁଁ ଚଳାଇ ନିଏ, ବୋହୂ କଟ କଟ ହେଲେ ମୁଁ ତାକୁ ଗାଳି ଦିଏ ! ତୁ କ‘ଣ କଲୁରେ କାନ୍ତ ! ମୋ କଥାର ଜବାବ ଦେ ।’’

 

ଶଶିକାନ୍ତ ଭାବି ନ ଥିଲେ ବୋଉ କେବେ ତାଙ୍କୁ ଏମିତି ଜେରା କରିବ ବୋଲି । ଖୁଡ଼ୀ ବୋଉ ପଛକୁ ସେମିତି ଉତ୍ତ୍ୟକ୍ତ ଅବସ୍ଥାରେ ଛିଡ଼ା ହୋଇଛନ୍ତି । ଆଉ ବାଁ ପାଖରେ ଚଞ୍ଚଳା ।

 

ଶଶିକାନ୍ତ ମୁହଁ ପୋତି ଖଟ ଉପରେ ବସିପଡ଼ିଲେ–

 

‘‘ହିସାବ କେଉଁଠି ଗଣ୍ଡଗୋଳ ହୋଇଛି ବୋଉ । ତୁ ତ ଜାଣୁ ତୁ ତ ଜାଣୁ... ।’’ ବୋଉ ଉତ୍ତର ଦେଲା ପୂର୍ବରୁ ଚଞ୍ଚଳା କହିଲେ ।

 

‘‘କ’ଣ ଜାଣୁ ମ ! ବାଜେ କଥା କହିବ ନାହିଁ । ଜୀବନ ସାରା ଏତେ ଭଲେଇ ହୋଇ, ଜଗତଯାକ ଲୋକଙ୍କୁ ବିଶ୍ୱାସ କରି କ’ଣ ପାଇଲ ଶୁଣେ ? ତମରି ଅଫିସର ଛାରଛିକର କିରାନୀଙ୍କର କୋଠା, ଜମିବାଡ଼ି କାହିଁ କେତେ ! ଆଉ ତମେ କଣ ନା ବଡ଼ ଅଫିସର । ସମ୍ଭାଳ । ଯେମିତି ସମସ୍ତଙ୍କୁ ବିଶ୍ୱାସ ସେମିତି ଫଳ ପାଅ ।’’ ଶଶିକାନ୍ତ ଜବାବ ଦେଲେ ନାହିଁ । ବୋଉ ଆଗରେ ଚଞ୍ଚଳା ସହିତ ଯୁକ୍ତିକରି ସେ ଲୋକହସା ହେବେ ଖାଲି । ସେ ସମସ୍ତଙ୍କୁ ଏଡ଼େଇ ବାଥରୁମ୍‌ ଭିତରେ ପଶିଗଲେ । କିନ୍ତୁ ଦ୍ୱାର ଦେଇ ଗଲାବେଳେ ବୋଉର ଆକ୍ଷି ଉପରେ ନଜର ପଡ଼ିଥିଲା । ତା ଆକ୍ଷିରେ ଲୁହ । ଶଶିକାନ୍ତଙ୍କ ଛାତି ଭିତରଟା ଚଉଁକିନା ହୋଇଗଲା । ବାପାଙ୍କ ମୃତ୍ୟୁର ଦଶ ବର୍ଷ ଭିତରେ ସେ କେବେହେଲେ ତାକୁ କାନ୍ଦିବାର ଦେଖି ନାହାନ୍ତି ।

 

ସେ ବାଥରୁମ୍‌ ଭିତରେ କବାଟ ଦେଇଦେଲେ । ତାଙ୍କ ଅଫିସରେ ଟଙ୍କା ତୋଷରଫ ଖବରଟା ତା ହେଲେ ବିଜୁଳି ବେଗରେ ଚାରିଆଡ଼କୁ ବ୍ୟାପିଯାଇଛି । ଆଶ୍ଚର୍ଯ୍ୟ । କାହାକୁ ସେ ସନ୍ଦେହ କରିବେ ? ସମସ୍ତେ ଯେପରି ତାଙ୍କ ବିରୁଦ୍ଧରେ ଏକ ବିରାଟ ଷଡ଼ଯନ୍ତ୍ର କରିଛନ୍ତି । ଆଉ ସେ ବ୍ୟୂହ ଭେଦକରି ଯାଇପାରିବେ ନାହିଁ । ଶେଷକୁ ଯେତେବେଳେ ବୋଉ.... ।

 

ବାଥରୁମ୍‌ରୁ ଫେରି ସେ ପଦାକୁ ଚାଲିଯିବାକୁ ସ୍ଥିର କଲେ । କାରଣ ବାହାରେ ଲୋକେ ସନ୍ଦେହ କଲେ ବି କିଛି ପଚାରିବା ପାଇଁ ସାହସ କରିବେ ନାହିଁ ।

 

କିନ୍ତୁ ତା’ ହେଲା ନାହିଁ । ଇବ୍ରାହିମ ଆସୁଛି । କୋଉ ପିଲାଦିନେ ଶଶିକାନ୍ତଙ୍କ ସଙ୍ଗରେ ସେ ପଢୁଥିଲା । ଏବେ ତାର ଲୁହା, ଇଟାର କାରବାର । ସାଇବଜାରରେ ସେ ନାମଜାଦା । ଶଶିକାନ୍ତଙ୍କୁ ଏବେ ବି ସେ ‘ଦୋସ୍ତ’ ବୋଲି ଡାକେ । ସେଇ ଇବ୍ରାହିମ ସହିତ ପ୍ରଥମେ ରାସ୍ତାରେ ଭେଟ ହେଲା । ସେ ତାଙ୍କୁ ଦେଖି ଚିରାଚରିତ ଗଳାରେ କହିଲା–‘‘କ୍ୟା ଶଶି ଭୟା । ଘର ତ ବନା ନେହିଁ, ଗାଡ଼ି ଭି ନେହିଁ । କ୍ୟା ସବ୍‌ ଗୁଜବ୍‌ ଉଠ୍‌ତା ହୈ ? ତୋର ଅଫିସରେ କେତେ ରୁପିୟା ଲୋକସାନ୍‌ ହୋଇଛି ? ଲେକିନ୍‌ ମେରା ବିଶ୍ୱାସ ନେହିଁ । ତୁମ୍‌ ଘବରାଓ ମତ୍‌ । ଇବ୍ରାହିମ ତୋର ପୁରାନା ଦୋସ୍ତ ଶଶି ! ନେହିଁ ଘବରାଓ !’’

 

ଶଶିକାନ୍ତ ଇବ୍ରାହିମ୍‌କୁ କେବଳ ଅନାଇ ଥିଲେ । ସକାଳର ସୂର୍ଯ୍ୟ ଇବ୍ରାହିମ୍‌ର ଅଯତ୍ନ ଶୁଷ୍କ କେଶରାଶିକୁ ସ୍ପର୍ଶ କରୁଥିଲା । ସାଇକେଲ ଉପରୁ ଝୁଙ୍କିପଡ଼ି ଇବ୍ରାହିମ ତାଙ୍କ କାନ୍ଧ ଉପରେ ହାତ ପକାଇ ସାନ୍ତ୍ୱନା ଦେଉଥିଲା ।

 

ଇବ୍ରାହିମ୍‌ ! ଲୋକଟା ମନ୍ଦ ନୁହେଁ । ସେ ଶୁଣି ଥିଲେ ବି ବିଶ୍ୱାସ କରି ନାହିଁ । ଏଇ ତ ପ୍ରକୃତ ବନ୍ଧୁର ଲକ୍ଷଣ । ପୁଣି ଆଶ୍ୱାସ ଦେଉଛି । ସେ ଅଛି, ଅଥଚ ଇବ୍ରାହିମର ଖବର ସେ ରଖନ୍ତି ନାହିଁ । ତା’ଘରେ ଯାଇ କେବେ ସାନ୍ଧ୍ୟ ବିନୋଦନ କରି ନାହାନ୍ତି । ଇବ୍ରାହିମ୍‌ର ଏଇ ଭଲ ପାଇବାର ସରଳତା, ବୋଉର ସ୍ନେହ ପରି ତାଙ୍କୁ ବୋଧ ହେଲା । ସେ କହିଲେ–

 

‘‘ଭାଇ ଇବ୍ରାହିମ... !’’

 

ଆଉ ସେ କହିପାରିଲେ ନାହିଁ । ତାଙ୍କ କଣ୍ଠଟା ଯେପରି ଫାଟିଯିବ ।

 

‘‘କ୍ୟା ଶଶି ଭୟା । ଘବରାଓ ମତ୍‌ । ମେରା ବିଶ୍ୱାସ ନେହିଁ । କୁଛ ନେହିଁ ହୋଗା । ରୁପିୟା ଲିଏ କୁଛ ଫିକର ନେହିଁ କରୋ । ମୁଁ ତାର ଜାନ୍‌ ନେଇନେବି ।’’

 

‘‘ଇବ୍ରାହିମ ।’’

 

ଚିତ୍କାର କରି ଶଶିକାନ୍ତ ତାଙ୍କୁ ଜାବୁଡ଼ି ଧରିଲେ । ଟଙ୍କା ପାଇଁ ନୁହେଁ । ମନେହେଲା ଇବ୍ରାହିମ୍‌ ହିଁ ଏକମାତ୍ର ଲୋକ, ଯେ କି ତାଙ୍କୁ ଅବିଶ୍ୱାସ କରି ନାହିଁ । ଦୀର୍ଘ ଏକ ସପ୍ତାହ ପରେ ହଠାତ୍ ଭାରାକ୍ରାନ୍ତ ମନଟା ଯେପରି ହାଲୁକା ହୋଇଯାଇଛି ।

 

ଇବ୍ରାହିମ୍‌କୁ ବିଦାୟ ଦେଇ ଶଶିକାନ୍ତ ଆଗେଇଲେ । ଆଜି ସେ ଅଫିସ ଯିବେ ନାହିଁ । ଲୋକେ ପଛେ ଯାହା ଭାବନ୍ତୁ । ଟଙ୍କା ତୋଷରଫ ସେ କରି ନାହାନ୍ତି । ଯିଏ କରିଛି ସେ ଜାଣନ୍ତି...ଅଥଚ ସେ ଲୋକଟା କେଡ଼େ ଆସ୍ଫାଳନ ନ କରୁଛି । ଶଶିକାନ୍ତଙ୍କ ବିବେକ ଭିତରୁ କିଏ ଯେପରି କହିଲା, ଆଇନ୍‌ ଓ ନ୍ୟାୟ ଦୃଷ୍ଟିରୁ ତାକୁ ଧରା ପକାଇବା ଉଚିତ୍‌ । ମାତ୍ର...ମାତ୍ର...ପାଞ୍ଚଟା ପିଲା ରୁଗ୍‌ଣ ବାପା ମା...ଆଉ, ଆଉ, କ’ଣ ?

 

ଶଶିକାନ୍ତ ଅଟକିଗଲେ ଘନ ଘନ ହୁଇିସଲ୍‌ ଶବ୍ଦରେ । ଚାରି ଛକି ରାସ୍ତାର ଘେର ମଝିରେ ସିଏ । ଗାଡ଼ି, ମଟର, ରିକ୍‌ସା ତାଙ୍କର ଚତୁର୍ଦ୍ଦିଗରେ । ଆଉ ତା ସତ୍ତ୍ୱେ ବି ପୁଲିସ କନଷ୍ଟେବଲ୍‌ ଧାଇଁଆସି ହାତ ଦେଖାଇଛି ସାମ୍ନାରେ । ଇସ୍‌ କି ବିପର୍ଯ୍ୟୟ ! ଚତୁର୍ଦ୍ଦିଗରେ ଜନତା ଯେପରି କୁତୂହଳୀ ଦୃଷ୍ଟି ନେଇ ତାଙ୍କୁ ତର୍ଜମା କରୁଛି । ଚିହ୍ନନ୍ତା ନା କ’ଣ ? ଶଶିକାନ୍ତ ଚଟ୍‌କରି ପଛକୁ ଫେରିଆସିଲେ । ଏତିକିବେଳେ ଗୋଟାଏ ଜିପ୍‌ ଭିତରୁ ପାଟିକରି ଉଠିଲା ଜଣେ କିଏ ପରିଚିତ ଗଳାରେ–

 

‘‘ଆରେ ଶଶି ! ଶଶି ଯେ ! ରାସ୍ତା ଦେଖି ସବୁ ଦିନେ ଚାଲେ ନାହିଁ । ଇସ୍‌ ! ଆଉ ଟିକକରେ ତ ପ୍ରାଣ ଯାଇଥାନ୍ତା ।’’

 

ଶଶିକାନ୍ତ ଚିହ୍ନିଲେ ସେ ନବକିଶୋର, ଦଶମ ଶ୍ରେଣୀରୁ, ପଢ଼ା ଛାଡ଼ି ଯିଏ କଣ୍ଟ୍ରାକ୍ଟରୀ କରି ଆଜି କ୍ରୋଡ଼ପତି । ଶଶିକାନ୍ତ ଏ ପରିସ୍ଥିତିରେ କିପରି ବୋକା ହୋଇ ଯାଇଥିଲେ । ଚେଷ୍ଟା କଲେ ସେ ହସିବାକୁ ।

 

ନବକିଶୋର ତାଙ୍କୁ ଟେକିନେଲା ପରି ନେଇ ଗାଡ଼ିରେ ବସାଇଦେଲା । ଆଉ କହିଲା,‘‘ତୁ ଗୋଟାଏ ଗଧ ଶଶି ! ତୋ’ ଦେଇ ଖଡ଼ା ସିଝିବନି । ରାସ୍ତା ଚିହ୍ନି ବାଟ ଚାଲିପାରୁନୁ ଆଉ ତୁ କ’ଣ ତୋ ଅଫିସର ଚୂଟିଆମୂଷାକୁ ଧରିପାରିବୁ ? ଅତି ମାତ୍ରାରେ ତୋର ଏଇ ନୀରବ ଗୁଣଟା ମତେ ଭଲ ଲାଗେନା । ଏ ଯୁଗରେ ଏସବୁର ମୂଲ୍ୟ କିଛିନାହିଁ ।’’

 

‘‘ତୁ ତୁ କେମିତି ଜାଣିଲୁ ?’’

 

‘‘ଆରେ ମୁଁ ପରା କାଲି ତୋ’ ଅଫିସକି ଯାଇଥିଲି । ଚାରିଆଡ଼େ ହୁଲ୍‍ସ୍ଥୁଲ୍‌ । ମୁଁ ତ କାନରେ ହାତ ଦେଇ ଆସିଲି । ଟଙ୍କା ତ ଆଜିକାଲି ସମସ୍ତେ ଖାଉଛନ୍ତି, କିନ୍ତୁ ତୋ’ ପରି ଏମିତି ଦିନ ଦ୍ୱିପହରେ କିଏ ଧରା ପଡ଼ୁଛି; ଶୁଣେ ? ଏଣେ ପୁଣି କାଗଜରେ କାଲି ପଢ଼ିଲି–ତୁ କୁଆଡ଼େ ତୋ’ ଦରମାର ଶତକରା ପଚାଶ ଭାଗ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାବିଧ୍ୱସ୍ତ ରିଲିଫ ପାଣ୍ଠିକୁ ଦେଇଦେଇଛୁ-। ଆଇଡ଼ିଆଟା ତୋର ମନ୍ଦ ନୁହେଁ...ହେଲେ ଟଙ୍କା ତୋଷରଫ କରି ଧରା ପଡ଼ିବାଟା... ।’’

 

ଶଶିକାନ୍ତ ହଠାତ୍‌ ବିବର୍ଣ୍ଣ ହେଲା ପରି ମନେ କଲେ, ଯେମିତି ମନେହେଲା ନବକିଶୋରର ଏଇ ଶ୍ଳେଷ ବାକ୍ୟରେ ତାଙ୍କର ମସ୍ତିଷ୍କବିକୃତି ଘଟିବ । ସେ କହିଲେ–

 

‘‘ଏଇଠି ଗାଡ଼ି ରଖ ନବ । ଏଇ ସାମ୍ନା ଦୋକାନରେ ମୋର ଟିକେ କାମ ଅଛି । ଆଉ ମୁଁ ତ ଏଠିକି ଆସୁଥିଲି ।’’

 

‘‘ସାମ୍ନାରେ ଦୋକାନ ନାହିଁ । ବ୍ୟାଙ୍କ ଖୋଲିବାର ସମୟ ହୋଇ ନାହିଁ । ନବକିଶୋର ମୁରକି ହସି କହିଲା ।’’

 

‘‘ଅବଶ୍ୟ, ଅବଶ୍ୟ ତୋର କାମ ବଢ଼ି ଯାଇଥିବ ବ୍ୟାଙ୍କରେ । ତୋର ଘର ତିଆରି ପାଇଁ କଣ୍ଟ୍ରାକ୍ଟର ଦର୍କାର ହେଲେ ମତେ ଖବର ଦେବାକୁ ଯେପରି ନ ଭୁଲୁ । ଆଚ୍ଛା ବାଏ, ବାଏ !’’

 

ଶଶିକାନ୍ତ ଚାହିଁ ଦେଖିଲେ ସାମ୍ନାରେ ଷ୍ଟେଟ୍‌ବ୍ୟାଙ୍କ । ହସିବାକୁ ସେ ବାଧ୍ୟ । କାରଣ ନବକିଶୋର ଜାଣେ ନାହିଁ ଷ୍ଟେଟ୍‌ବ୍ୟାଙ୍କରେ ଚାକିରିର ପନ୍ଦର ବର୍ଷ ଭିତରେ ସେ ଏକାଉଣ୍ଟ ଖୋଲିପାରି ନାହାନ୍ତି । ତାଲା ବନ୍ଦ । ବ୍ୟାଙ୍କ ସାମ୍ନାରେ ସେ ପଥର ହେବାକୁ ମନ କରୁଥିଲେ ।

 

ପୂର୍ବଦିନ ରାତ୍ରିରୁ ଶଶିକାନ୍ତ ଅଫିସ ଯିବେ ନାହିଁ ବୋଲି ସ୍ଥିର କରିଥିଲେ ହେଁ ଠିକ୍‌ ପରଦିନ ପ୍ରାତଃ ଭ୍ରମଣରୁ ଫେରି ଅଭ୍ୟାସ ମୁତାବକ ସେ ପ୍ରସ୍ତୁତ ହେବାକୁ ଲାଗିଲେ । ଅଫିସ ନ ଯାଇ ସେ କରିବେ କ’ଣ ? ପ୍ରାତଃ ଭ୍ରମଣରେ ସେ ଯେପରି କ୍ଳାନ୍ତ ହୋଇ ପଡ଼ିଥିଲେ । ଏଇ କେତେ ଦିନ ଧରି ଅଦ୍ଭୂତ ନିଃସଙ୍ଗତା ତାଙ୍କୁ ତିଳ ତିଳ କରି ଖାଇଯାଇଛି । ନିଜକୁ ଅସହାୟ ମନେ କରୁଥିଲେ ସିଏ, ଏତେ ବଡ଼ କ୍ଷମତା ସମ୍ପନ୍ନ ବ୍ୟକ୍ତି ହୋଇ । ଅଥଚ କାହିଁକି ? ସେ ପ୍ରଶ୍ନର ଉତ୍ତର ସେ ଦେଇପାରିଲେ ନାହିଁ ନିଜକୁ ।

 

ଅର୍ଥର ଅଭାବ କି ଯଶ,ମାନ ନୁହେଁ । ମଣିଷର ନିର୍ଦ୍ଦୟପଣିଆ ଜୀବନକୁ ଯେପରି ଶୂନ୍ୟ କରିଦିଏ । ସେ ତ ଆଜି ପର୍ଯ୍ୟନ୍ତ ମଣିଷର କଥା ଶୁଣି ନାହାନ୍ତି । ଅଥଚ ତାର ଭଲ ପାଇଁ ନିଜର ଛାତି ପତାଇ ସେ କ୍ରୁଶବିଦ୍ଧ ହେବାକୁ ପଛାଇ ନାହାନ୍ତି । ତଥାପି ସେ କାହାର ଭଲକରିପାରିଲେ ନାହିଁ । ସମସ୍ତେ ଯେମିତି ଆଶା କରୁଛନ୍ତି ସେ ଆହୁରି କରିଥାନ୍ତେ । ନିଜକୁ ଆହୁରି ଟୁକୁରା, ଟୁକୁରା କରି ଛିଡ଼ାଇ ଫୋପାଡ଼ିଥାନ୍ତେ । ଏତିକି ଯଥେଷ୍ଟ ହେଲାଣି । ସର୍ବଶେଷରେ ଏହି କଳଙ୍କ, ଏଇ ଅପବାଦ ? କିନ୍ତୁ ଲାଭ କ’ଣ ହେବ ? ସେ ସସ୍‌ପେଣ୍ଡ ହେବେ । ଚିରଦିନ ଲାଗି ବିତାଡ଼ିତ ହେବେ-। କ୍ଷତି କ’ଣ ? ପିଲାମାନେ ଚଳିବେ କିପରି ? ବୋଉ, ଖୂଡ଼ୀ ଓ ଚଞ୍ଚଳା.... ! କିନ୍ତୁ ମନ ଭିତରୁ ଯେପରି କିଏ କହୁଛି–ଶଶିକାନ୍ତ, ତୁ ନିର୍ବୋଧ, ତୁ କାହାକୁ ଚଳାଉଛୁ ? ବାପା ମରିଗଲା ତୁ ବଡ଼ ହେଲୁ । ପାଠପଢ଼ିଲୁ ମଣିଷ ହେଲୁ । ତିନିଟା ଭଉଣୀ ବାହା କଲୁ, ନିଜେ ବିଭା ହୋଇ ବାପ ହେଲୁ-। ତତେ କିଏ କଲା ରେ ସାହାଯ୍ୟ ? ତତେ ଯିଏ କରିଥିଲା, ସେଇ....ସେଇ ସେମାନଙ୍କୁ କରିବ । କାହାବିନା କିଛି ଅଚଳରହେ ନାହିଁ । ତୋର ଏଇ ମୂର୍ଖ ଅହଂଭାବ ଯୋଗୁ କିଛି ହେବ ନାହିଁ ତୋ’ ଦେଇ ।

 

ମନକୁ ମନ ନିଜ ପାଇଁ ହସିଲେ ଶଶିକାନ୍ତ । ଅଫିସ ବେଳ ହୋଇଗଲାଣି । କିନ୍ତୁ ନ ହୋଇଥିବାର ଭଙ୍ଗୀରେ ସେ ପ୍ରଚୁର ଆବେଗ ନେଇ ସବୁ ଦିନ ପରି ଭାତ ଥାଳି ପାଖରେ ଯାଇଁ ବସୁ ବସୁ କାହାର ମଟର ହର୍ଣ୍ଣରେ ଚମକି ପଡ଼ିଲେ । ଏତ ନିବାରଣ ବିଶ୍ୱାସ । ସିଭିଲ୍‌ ସର୍ଜନର ମଟର ହର୍ଣ୍ଣ । ଇସ୍‌ । ନିହାତି ଅବାନ୍ତର ଲୋକଟା । ଦିନ ଦ୍ୱିପ୍ରହରରେ ଡ୍ରିଙ୍କ୍‌କରି ବସିଥାଏ । କିନ୍ତୁ ତାକୁ କିଛି କହି ଫେରାଇ ଦେବା ଏତେ ସହଜ ନୁହେଁ ।

 

ଟିକକ ପରେ ନିବାରଣ ଆସି ଡାଇନିଂ ହଲରେ ହାଜର–

 

‘‘କି ହୋ ସାହେବ । ଦେହ ଖରାପ ବୋଲି ଗିନ୍ନି ତମର ମତେ ବସେଇ ଉଠେଇ ଦେଉ ନାହାନ୍ତି, ଆଉ ତୁମେ ତ ମହାନନ୍ଦରେ ମାଛମୁଣ୍ଡ ଧରି ବସିଗଲାଣି । ଉଠ, ଉଠିଆସ୍‌ । ...ରାମ୍‌.....ରାମ୍‌....ତମ ଭଳିଆ ଅଫିସର ଗୁଡ଼ାଙ୍କ ଦେଇ ଖଡ଼ା ସିଝିବନି...ଅଥଚ କି ଘଟାଟୋପ୍‌ ତମର-। କାହାଁନ୍ତି ? ମେମ୍‌ସାହେବ କାହାନ୍ତି.... ?’’

 

ଶଶିକାନ୍ତ ବୁଝି ସାରିଥିଲେ ଇଏ ଚଞ୍ଚଳାର କାଣ୍ଡ । ଅର୍ଦ୍ଧସ୍ନାନ ଅବସ୍ଥାରେ ନିବାରଣର କୁହୁ ତାନରେ ସେ ଧାଇଁ ଆସିଲେ ଏବଂ କହିଲେ–

 

‘‘ଯା‘ହେଉ, ଆପଣ ଆସିଲେ, ଭଲ ହେଲା । ଗଲା କାଲି ମୁଁ ମୋଟେ ଶୋଇ ନାହିଁ । ସମଗ୍ର ରାତ୍ରି ତାଙ୍କୁ ଜ୍ୱର । ଏଣୁ ତେଣୁ କ’ଣ ଯେ ଗପୁଛନ୍ତି, ଭଗବାନ ଜାଣନ୍ତି । କେଉଁ ଅରମା ବଣ ଜଙ୍ଗଲ ତ ଟୁର କରି କରି ଫେରିଲେ...ଦେଖନ୍ତୁ ନା ଡାକ୍ତର...ମୋ ମତରେ ତାଙ୍କର ବିଶ୍ରାମ ନେବା ଦରକାର.... କିନ୍ତୁ ସେ ମୋ କଥା ଶୁଣିବେ ନାହିଁ ।’’

 

‘‘ଆଚ୍ଛା, ଠିକ୍‌ଅଛି । ଆପଣ ବ୍ୟସ୍ତ ହୁଅନ୍ତି ନାହିଁ । ମୁଁ ତାକୁ ଠିକ୍‌ କରିଦେଇଛି । କିରେ, ତତେ ଜ୍ୱର ହୋଇଥିଲା, ସକାଳୁଟାରେ ରାସ୍ତାରେ ବୁଲୁଥିଲୁ କାହିଁକି ? ତୁ ଅନୁଭବ କରିଛୁ କି–ତତେ ଜ୍ୱର ଆଉ ରାତ୍ରିରେ ଡେଲିରିୟମ ଷ୍ଟେଜ ଆସି ଯାଇଥିଲା ବୋଲି ? ଆରେ ବୋକା ? ନିଜ ଦେହ ପ୍ରତି ନଜର ନାହିଁ, ମନ ପ୍ରତି ଖିଆଲ ନାହିଁ, ଭବିଷ୍ୟତ, ବର୍ତ୍ତମାନ କାହା ପ୍ରତି ତୋର ମମତା ନାହିଁ, ତୁ ତା’ହେଲେ ବଞ୍ଚିଛୁ କେମିତି ? ଆସ୍‌, ମୁଁ ତତେ ଆଜି ଯଦି ଇମର୍‌ଜେନ୍‌ସିରେ ନ ରଖୁଛି...-।’’

 

ଶଶିକାନ୍ତ କହିଲେ–

 

’’ତୁ ଗୁଡ଼ାଏ ପିଇଛୁ ନିବାରଣ ! ଯା’ ଚୁପ୍‌ଚାପ୍‌ କପେ ଚା ଖାଇ ହସପିଟାଲ ପଳା । ନଚେତ୍‌ ଚଞ୍ଚଳା ସଙ୍ଗରେ ଯା’ ଗଳ୍ପ କରିବୁ...ମୋର ଭାଇ ଅଫିସ ଡେରି ହୋଇଗଲାଣି ।’’

 

ଚଞ୍ଚଳା ପାଟିକରି ଉଠିଲେ–

 

‘‘ନା । ସେ କଥା ହେବନି, ନିବାରଣ ବାବୁ ଯାଇ ପାରିବେନି । ତମର ମଧ୍ୟ ଆଜି ଅଫିସ ଯିବା ବନ୍ଦ ।’’

 

ଶଶିକାନ୍ତ ନିବାରଣକୁ ଚାହିଁ ମୃଦୁ ହସିଲେ । କାରଣ ସେଇ ତ ସାଂସାରିକ ରୀତି । ଏଇସବୁ ନ କରିବାରୁ ତାଙ୍କୁ ଲୋକେ ସନ୍ଦେହ କରୁଛନ୍ତି । ନା,ନା ଏଣିକି ସେ...

 

ସମସ୍ତ କଥାରେ ହଠାତ୍‌ ପୂର୍ଣ୍ଣଚ୍ଛେଦ ଟାଣି ଫୋନଟା କ୍ରିଂ କ୍ରିଂ କରିଉଠିଲା । ଶଶିକାନ୍ତ ଚଞ୍ଚଳ ହୋଇ ଧାଇଁ ଯାଉଥିଲେ; ମାତ୍ର ଚଞ୍ଚଳା କହିଲେ–‘‘ଥାଉ । ମୁଁ ଯାଉଛି । ତମର ଅଫିସରୁ ଡାକରା ଆସିଥିବ ।’’

 

ଚଞ୍ଚଳା ଉଠିଗଲେ । ନିବାରଣ ଧୀରେ ଧୀରେ କହିଲେ– ‘‘ଶଶି ! ତୋର ଅଫିସ ସଂକ୍ରାନ୍ତ ବ୍ୟାପାରରେ ମୁଁ କେବେହେଲେ ମୁଣ୍ଡ ଘୂରାଏ ନାହିଁ । କିନ୍ତୁ ଆଜି କହିବାକୁ ବାଧ୍ୟ ହେଲି...-।’’

 

‘‘ତା’ ହେଲେ ତୁ ବି ସେକଥା ସତ ଭାବିଛୁ । ମୋର ଗୁଡ଼ାଏ ଖ୍ୟାତି ହୋଇଗଲାଣି ନିବାରଣ..କିଛିଟା ନିନ୍ଦା ହେଲେ କ୍ଷତି କ’ଣ ?’’

 

କିନ୍ତୁ ବଦମାସ କଥା ତ ମୁଁ କହୁ ନାହିଁ । ଆଜିକାଲି ସଚ୍ଚୋଟ କିଏ କହ ? ଶାଲା ସମସ୍ତେ ବଦମାସ । ହେଲେ ମୁଁ ଭଲକରି ଜାଣେ, ତୋର ସଞ୍ଚୟ ଘରେ ଜିରୋ । କିନ୍ତୁ ଇଆଡ଼େ ଯେ ଦାୟିତ୍ୱର ସୀମା ନାହିଁ । ଚଞ୍ଚଳା, ଚାରିଟା ପିଲା ଘର...ଖଣ୍ଡେ ନାହିଁ...ଆଉ ତା’ ସାଙ୍ଗକୁ ଅଛି ଗୁଡ଼ାଏ ଲୋକଦେଖାଣିଆ ସଚ୍ଚୋଟପଣିଆ । ସେଥିରେ ତୁ ନିଜେ ମଣିଷ ହେଲୁ ନା ଅନ୍ୟ କାହାକୁ କଲୁ ! ସାଧାରଣ ଜଗତରେ ବାସକରି ତୋ ପରି ଅସାଧାରଣ ମୁଁ ଅବଶ୍ୟ ଦେଖିନି; କିନ୍ତୁ ଏଇ ଅସାଧାରଣତ୍ୱରେ କିଛି ତ ବାହାଦୁରୀ ନାହିଁ...ଆଉ ଏଇ ବସ୍ତୁତାନ୍ତ୍ରିକ ଯୁଗରେ ? ତୁ ସେଇ ଦୈନିକ ପନ୍ଥାରେ ଚଳୁଥା...ଏଣେ ପଛେ ତୋର ଚୂଲୀଚାଳ ଉଡ଼ିଯାଉ । ସତ କଥାଟା ବି କହିବା କ’ଣ ଶାସ୍ତ୍ରରେ ମନା ଅଛି ।

 

ବିରକ୍ତ ହୋଇ ଆସୁ ଆସୁ ସମ୍ଭାଳିନେଲେ ନିଜକୁ ଶଶିକାନ୍ତ । କାରଣ ନିବାରଣ ବିରକ୍ତିର ଭଙ୍ଗୀରେ କହିଲେ–

 

‘‘ତୁ ଭାବୁଛୁ, ମଦ ଖାଇ ମୁଁ ଇଆଡ଼ୁ ସିଆଡ଼ୁ ଗପୁଛି ନା ରେ ? ମୋର ଠିକ୍‍ ଜ୍ଞାନ ଅଛି । ଅସଲ କଥା–ତୋ’ନିଜର ସମ୍ମାନବୋଧ ନାହିଁ, ନିଜେ ତୁ କ’ଣ ଜାଣୁନା । ଅର୍ଦ୍ଧପାଗଳ ଅବସ୍ଥା ତୋର ଆସିଲାଣି । ତୁ ଗୋଟାଏ ଅମଣିଷ ।’’

 

ଶଶିକାନ୍ତ ମୃଦୁ ହସି କହିଲେ–

 

‘‘ମଣିଷର ନୂତନ ସଂଜ୍ଞା ମତେ ଜଣା ନାହିଁ ଡାକ୍ତର ! ହେଲେ ମୁଁ ଛଳନା କରି ଶିଖି ନାହିଁ । ଏତିକି ମୋର ବୁଝି ପାରିବାର ଶକ୍ତି ଅଛି... ।’’

 

କେଜାଣି କାହିଁକି ଶଶିକାନ୍ତ ଅଟକିଗଲେ । ଈବ୍ରାହିମର ଦାଢ଼ିଭରା ମୁହଁଟା ତାଙ୍କ ଆଗରେ ଭାସିଉଠିଲା । ଶଶିକାନ୍ତ ଯଦି ଅର୍ଦ୍ଧ–ପାଗଳ, ତେବେ ଇବ୍ରାହିମ ତ ପୂରା ପାଗଳ । ମଣିଷ ତା’ ହେଲେ ପାଗଳ । ଅବଶ୍ୟ କିଏ କେଉଁଥିପାଇଁ ପାଗଳ ଜାଣିବା ମୁସ୍କିଲ ।

 

‘‘ତା, ହେଲେ ମୋ କଥା ଣୁଣ । କିଛିଟା ବ୍ରାଇବସ ଦେଇ ତତେ ଏ ଅପବାଦରୁ ନିଜକୁ ଘୁଞ୍ଚେଇ ନେବାକୁ ହେବ । ଗୁଡ଼ାଏ ଇତର ଲୋକଙ୍କ ସଙ୍ଗରେ ମିଶିବା ତତେ ଛାଡ଼ିବାକୁ ହେବ...ମାନେ ଏହି ଇବ୍ରାହିମ ଇତ୍ୟାଦି ପରି ଲୋକ । ତତେ ପଦାକୁ ବାହାରିବାକୁ ହେବ । ଅବଶ୍ୟ ଡ୍ରିଙ୍କ୍‌ କରିବାଟା ତୋ’ ଉପରେ ନିର୍ଭର କରେ..ହଁ,ତତେ ସ୍ମାର୍ଟ ହେବାକୁ ହେବ । ନଚେତ୍‌ ଦେଖ ଶଶିକାନ୍ତ ! ତୋର ଓଲ୍‌ଡ଼ ଆଇଡ଼ିଆଲ୍‌ସ ପାଇଁ ତତେ ମୁଁ ଦିନେ ସୁଟ କରିଦେବି । ଜଙ୍ଗଲରେ ପଶୁ ଶିକାର କରିବା ମୋର ପିଲାଦିନୁ ଅଭ୍ୟାସ ଥିଲା..ହେଲେ ସେ ସୁବିଧା କାହିଁ ? ତୁ ତ ପଶୁଠୁ ବଳି, ତତେ ଶିକାର କଲେ ପୁରାଣ ଅଶୁଦ୍ଧ ହେବ ନାହିଁ ।’’

 

ଶଶିକାନ୍ତ ଚୁପ୍‌ହୋଇ ‘ବସିପାରିଲେ ନାହିଁ । ତାଙ୍କ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ କ’ଣ ହୋଇଯାଉଛି ଯେପରି । ଭୀଷଣ ଦୁର୍ବଳ କଣ୍ଠରେ ସେ କହିଲେ–‘‘ତୋର ଯାହା ଇଚ୍ଛା ହେଉଛି, ତୁ ତା’ କର ଭାଇ । ମତେ ବର୍ତ୍ତମାନ ଭାରି କ୍ଳାନ୍ତ ଲାଗୁଛି । ମୁଁ ଯାଉଛି ଟିକେ ବିଶ୍ରାମ କରେ.... । ଆଶା, ତୁ କିଛି ମନେ କରିବୁନି ।’’

 

‘‘ଆରେ ନା, ନା, ତୁ ଟିକିଏ କାହିଁକି, ମାସେ ବିଶ୍ରାମ ନେଇପାରୁ । ବାସ୍ତବିକ ତୁ ବେମାର । ତୋର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯଥେଷ୍ଟ ବିଶ୍ରାମ ନେବା ଆବଶ୍ୟକ । ତୁ ନିଶ୍ଚିନ୍ତ ରହ ଶଶି ! ଆଉ ସବୁ କାମ ମୁଁ ତୋର କରିଦେବି । ତୁ ଭାବନା ଯେ ତୋର କେହିନାହିଁ ବିପଦ ବେଳେ ଛିଡ଼ା ହେବାକୁ.... ।’’

 

ଶଶିକାନ୍ତ ଉପର ମହଲାରୁ ଉଠୁଥିଲେ ଯେପରି ଶୂନ୍ୟ ଗତିରେ । ଶରୀରର ସ୍ଥିତି ଶୂନ୍ୟ ଲାଗୁଥିଲା । ମନେ ହେଉଥିଲା ନିଜର ଦାୟିତ୍ୱଟା ଅନ୍ୟ ଉପରେ ଦେଇଥିବାରୁ ସେ ବୋଧେ ଏତେ ହାଲ୍‌କା ହୋଇ ଯାଇଛନ୍ତି । ସେ ପଡ଼ିଯିବା ଭୟରେ ଦୋମହଲାର, ସିଡ଼ି ଧରି ଚାଲୁଥିଲେ ।

 

ବୋଧହୁଏ ତାଙ୍କୁ ଜ୍ୱର ହୋଇଥିଲା, ନଚେତ୍‌ ଏତେ ଦୁର୍ବଳ ଲାଗନ୍ତା କାହିଁକି ? ବୋଧହୁଏ ତାଙ୍କର ଜୀବନଟା ଅସଜଡ଼ା, ବିଶୃଙ୍ଖଳ, ନଚେତ୍‌ ଏତେ ଲୋକ ତାକୁ ସଜାଡ଼ି ଦେବା ପାଇଁ ଆସନ୍ତେ କାହିଁକି ?

 

ଶଶିକାନ୍ତ ସିଡ଼ିର ସର୍ବଶେଷ ପାହାଚରେ ଲଥ୍‌କିନା ବସି ପଡ଼ିଲେ । ସତେ କି ସମଗ୍ର ପୃଥିବୀଟା ଘୂରୁଛି ତାଙ୍କ ପାଖରେ ।

 

ତା’ପରଦିନ ଅତି ସକାଳୁ ଶଶିକାନ୍ତ ବିଛଣାରେ ଉଠି ବସିଲେ । ସମଗ୍ର ରାତ୍ରି ଯେପରି ବିନିଦ୍ର କଟିଲା । ଭାରାକ୍ରାନ୍ତ ମନ ଆଉ କ୍ଳାନ୍ତିଭରା ଶରୀରରେ ସେ ଅବସନ୍ନ ମନେ କରୁଥିଲେ । ସଂଧ୍ୟା ବେଳଠାରୁ ଚଞ୍ଚଳା ନାହାନ୍ତି । ତାଙ୍କ ଭାଇଙ୍କର ଝିଅ ବିଭାଘର ପାଇଁ ଅଟକିଛନ୍ତି ସେଇଠି । ସବୁ ଥର ପରି ଶଶିକାନ୍ତଙ୍କୁ ଯିବା ପାଇଁ ସଙ୍ଗରେ ସେ ଜିଦ୍‌ କରି ନାହାନ୍ତି । କାରଣ ଚଞ୍ଚଳାର ମତରେ ସେ ବିଶ୍ରାମ ନେବା ଉଚିତ୍‌ ।

 

ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେବାର ପୂର୍ବାଭାସ । ପୃଥିବୀର କୋଳାହାଳ ପୁନଶ୍ଚ ହେବ ସଜାଗ, ମୁଖରିତ । ଯେତେ କଣ୍ଠ ସେତେସ୍ୱର ଆଉ ସେତେ ଭାଷା । ଚମତ୍କାର ଏହି ପୃଥିବୀ ସତେ-! ହଠାତ୍‌ ଫୋନ୍‌ଟା କ୍ରିଂ କ୍ରିଂ କରି ବାଜିଉଠିଲା ।

 

‘‘ହ୍ୟାଲୋ !’’

 

‘‘ମୁଁ ଭାସ୍ୱତୀ କହୁଛି, ଶଶିକାନ୍ତ ।’’

 

‘‘ଆଚ୍ଛା କୁହ । କ’ଣ ସବୁ ଭଲ ।’’

 

‘‘ତମ ଚାରିପଟେ ଗଢ଼ିଥିବା ବ୍ୟୂହ ବିଷୟରେ ତମକୁ କିଛି ଜଣାଅଛି ? ଏଥର କିନ୍ତୁ ତମେ ହାରିଗଲ !’’

 

‘‘ଅଭିମନ୍ୟୁ ଯେତେବେଳେ ବ୍ୟୁହ ଭେଦ କରିପାରି ନ ଥିଲା, ମୁଁ ତ ଧନ–ଜନ–ଶକ୍ତିଶୂନ୍ୟ ଗୋଟାଏ ସାଧାରଣ ମଣିଷ... !’’

 

‘‘ଆରେ ! ତମେ କ’ଣ ସାଧାରଣ ? ତମେ ତ ଅସାଧାରଣ ଶଶିକାନ୍ତ ! ତମକୁ ରୋଗ, ଶୋକ, ଦୁଃଖ, ମାନ, ଅପମାନ କିଛି ହିଁ ଲାଗେନା । ତୁମର ଧନ ନାହିଁ, କିନ୍ତୁ ତମେ ଦାନ ଦେଇଛ ଅଜସ୍ର । ତମ ଦେହରେ ଶକ୍ତି ନାହିଁ, ତମେ ରୋଗ, ଦୁଃଖ, ବଢ଼ି, ମରୁଡ଼ି, ବାତ୍ୟା ସବୁ ଅଞ୍ଚଳ ବୁଲି କାମ କରି ସୁନାମ ଅର୍ଜ୍ଜନ କରିଛ । ତା’ ସହିତ ତମର ସଞ୍ଚୟ, କୋଠା, ଗାଡ଼ି, ଆସବାବ କିଛି ନାହିଁ, କିନ୍ତୁ ତୁମେ ଟଙ୍କା ତୋଷରଫ କରିଛ ବୋଲି ଅଭିଯୁକ୍ତ । ଖାଲି ସେତିକି ନୁହେଁ, ଟଙ୍କା ଲାଞ୍ଚ ଦେଇ ଅପବାଦରୁ ମୁକୁଳିବା ପାଇଁ ମଧ୍ୟ ଚେଷ୍ଟିତ । ଆଉ ସେଥିରେ ମଧ୍ୟ ତମକୁ ଶାନ୍ତି ମିଳିଲା ନାହିଁ, ତମେ ଗୁଣ୍ଡା ଲଗାଇ ଗୋଟାଏ ଲୋକକୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନାହିଁ । ଛିଃ, ଛି, ଛିଃ.... ! ତମେ ନିହାତି କାପୁରୁଷ, ଶଶିକାନ୍ତ ।’’

 

“ତମେ ଯେ କଣ କୁହ, ମୁଁ ବୁଝିପାରେନା ଭାସ୍ଵତୀ । କାହାକୁ ମୁଁ ମାରିଛି ?”

 

’’ତମ ଅଫିସର ସେଇ ଲୋକଟାକୁ ଇବ୍ରାହିମ୍‌ ବୋଲି ଗୋଟାଏ ଲୋକ ଛୁରୀ ଭୂଷି ମାରି ଦେଇଛି । ଅବଶ୍ୟ ସେ ନିଜକୁ ଧରା ଦେଇଛି ଏବଂ ତୁମ ନାଁ ପର୍ଯ୍ୟନ୍ତ ଧରି ନାହିଁ । କିନ୍ତୁ ସମସ୍ତଙ୍କୁ ଅଜଣା ନାହିଁ ଯେ ଇବ୍ରାହିମ ତୁମର ପ୍ରିୟ ଲୋକ । ଗଲାକାଲି ସକାଳେ ତୁମେ ତା’ ସହିତ ଆଠଟାରେ ବିଚ୍‌ ବଜାରରେ ଛିଡ଼ାହୋଇ ଗଳ୍ପ କରୁଥିଲ କାହିଁକି ? ସେ ଅବଶ୍ୟ ପୋଲିସ୍‌ର କାମ...-।’’

 

ଶଶିକାନ୍ତଙ୍କ ତଣ୍ଟି ଶୁଖି ଯାଇଥିଲା । ସେ ଖୁବ୍‍ ଚାପିଲା କଣ୍ଠରେ କହିଲେ–‘‘କିନ୍ତୁ ତୁମେ...ତୁମେ କ’ଣ ଏସବୁ ବିଶ୍ୱାସ କର ?’’

 

ଭାସ୍ୱତୀ ଯେପରି ଥମିଗଲେ । ଟିକିଏ ରହି କହିଲେ–

 

‘‘ମୁଁ ତମର ବ୍ୟକ୍ତିତ୍ୱକୁ ଶ୍ରଦ୍ଧାକରେ ଶଶିକାନ୍ତ । କିନ୍ତୁ ଏପରି ନିର୍ମମ ଭାବରେ ନିଜକୁ ଅତ୍ୟାଚାରିତ ହେବା ନୀତିକୁ ମୁଁ ପସନ୍ଦ କରେ ନାହିଁ । ତୁମେ କ’ଣ ବୁଝିପାରୁନ, ନିବାରଣ ହେଉ କିମ୍ବା ଯେ କେହି ହେଉ, କେହି ତମର ମଙ୍ଗଳ ଚାହାଁନ୍ତି ନାହିଁ । ସେମାନେ ତମର ଏଇ ଅସାଧାରଣତ୍ୱଟାକୁ ନଷ୍ଟକରିବା ପାଇଁ ଷଡ଼ଯନ୍ତ୍ର କରି ଚାଲିଛନ୍ତି । ତମେ ଦିନେ ମତେ କହିଥିଲ–

 

‘‘ସତୀ ! ଭଲ କଥାଟି ଏତେ ଆଶ୍ଚର୍ଯ୍ୟ ଯେ, ତୁମେ କେବେ କାହାକୁ ଭଲ କିମ୍ବା ସତ୍‌ ଦେଖିଲେ କେବଳ ବିସ୍ମିତ ହେବ । ମିଥ୍ୟା, ଅନ୍ୟାୟ, ଅସତ୍ୟ ସବୁ ସାଧାରଣ, ଧାରାବାହିକ । କେବଳ, ‘ସତ୍ୟ’ଟା ହିଁ ଭେଜାଲ ଓ ଅସାଧାରଣ ।’’

 

‘‘ତମର ମନେ ଅଛି ତ ? କିନ୍ତୁ ଏହି ଇବ୍ରାହିମ ଲୋକଟା ଅତି ଭଲ ହେବାକୁ ଯାଇ କ’ଣ କଲା କୁହ ? ଅବଶ୍ୟ ଗୋଟାଏ ସୁଖବର, ମୃତ୍ୟୁକାଳୀନ ଜମାବନ୍ଦୀରେ ମୃତ ବ୍ୟକ୍ତି ସ୍ୱୀକାର କରିଛି ଟଙ୍କା ତୋଷରଫ କଥା । ତେଣୁ ତୁମେ ମୁକ୍ତି ଶଶିକାନ୍ତ ! କିନ୍ତୁ ଏହି ଈବ୍ରାହିମ ? ତା’ ପାଇ ତମର କୈଫିୟିତ୍‌ କ’ଣ ? କ’ଣ କହି ତମେ ଜନତାକୁ ବୁଝାଇବ ?’’

 

ଶଶିକାନ୍ତ କହିଲେ–

 

‘କୈଫିୟତ ? କିଛି ନାହିଁ । ମୁଁ ତା’ ପାଇ ଚେଷ୍ଟା କରିବି ଭାସ୍ୱତୀ । ମୁଁ ମୋର ସମସ୍ତ ଧନ-ଜନ-ଶକ୍ତି ନେଇ ତା’ ପାଇଁ ଲଢ଼ିବା ଦରକାର ହେଲେ ମିଛ କହିବି । ମିଛି ସାକ୍ଷୀ ଦେବି, ଲାଞ୍ଚ, ଘୁସ ଦେବି । ଆଉ ଜାଣ ଭାସ୍ୱତୀ ! ଇବ୍ରାହିମ୍‌ ପାଇଁ କାହାକୁ ଦରକାର ମନେ କଲେ ମୁଁ ଅର୍ଡ଼ର କରିବାକୁ ପଛାଇବି ନାହିଁ ।’’

 

ହସି ହସି ଭାସ୍ୱତୀ କହିଲେ–

 

‘‘ତୁମେ ପାରିବ ନାହିଁ ଶଶିକାନ୍ତ ! ତୁମେ, ତୁମେ... ।’’

 

‘‘ମୋ ପାଇଁ ନୁହେଁ, ଇବ୍ରାହିମ୍‌ ଲାଗି... ।’’ ସେ ରହିଗଲେ । ଆଉ ଯେପରି ସେ କଥା କହିପାରିବେ ନାହିଁ । ଲୁହରେ ଭିଜି ଭିଜି ସେ ଓଦା ହୋଇଥିଲେ ସତେ କି ।

 

ସେ ପଟରୁ ଭାସ୍ୱତୀ କାରୁଣ୍ୟକୁ ଏଡ଼ାଇଯିବା ଭଙ୍ଗୀରେ କହିଲେ–

 

‘‘ତୁମେ ଦିନେ ବଡ଼ ଅସହାୟ ଭାବରେ ହାରିଯିବା ବୋଲି ମୁଁ ଜାଣିଥିଲି । କାରଣ ନିଜକୁ ନିରାପଦରେ ରଖିବା ପାଇଁ, ନିଜର ଆଦର୍ଶ ଓ ନୀତିକୁ ବଜାୟ ରଖିବା ପାଇଁ, ତମେ ନିଜକୁ କାଚର ଘରେ ରଖି କେବଳ ଆକର୍ଷଣୀୟ, ଲୋଭନୀୟ କରିଦେଲା ଶଶିକାନ୍ତ । ଆଉ ସେଇ କାଚଘରକୁ ତମର ଚାରିପଟେ ଥିବା ସେଇ ପ୍ରିୟ ମଣିଷମାନେ ଟେକା ପଥର ମାରି ଚୂର୍ଣ୍ଣ ବିଚୂର୍ଣ୍ଣ କରି ଭାଙ୍ଗିଦେଲେ । ତମକୁ ଟାଣି ଆଣି ହଜାର ସାଧାରଣରେ ସାମିଲ କରିଦେଲେ । ତମେ ଯୀଶୁ କି ବୁଦ୍ଧ ହୋଇ ପାରିଲନି...ଗାନ୍ଧୀ ହୋଇ ପାରିଲନି, କି ପାରିଲନି ହୋଇ ମହମ୍ମଦ । ତମେ.... ତମେ କିଛି ହୋଇ ପାରିଲନି...ତମର ଆଦର୍ଶ ନୀତି ତମକୁ ରକ୍ଷା କରି ନାହିଁ...ବରଂ ନଷ୍ଟ କରିଦେଇଛି ... ।’’

 

ଶଶିକାନ୍ତ ସେତେବେଳକୁ ଫୋନ୍‌ରଖି ଦେଇଥିଲେ । କାରଣ ଏକ ସଦ୍ୟ ଆଘାତପ୍ରାପ୍ତ ବ୍ୟକ୍ତି ପରି ସେ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ କରୁଥିଲେ ଏବଂ ବେଶ୍‌ ଶୀତଦିନ ହେଲେ ବି ଝାଳେଇ ଯାଇଥିଲେ ।

 

ସେ ଝରକା ଦେଇ ଆକାଶକୁ ଅନେଇଥିଲେ । ହଠାତ୍‌ ଯେପରି ଆଜି ପୃଥିବୀ ବହୁତ ଉପରକୁ ଉଠିଯାଉଛି । ଏବଂ ଆକାଶ ଅନେକ ତଳକୁ !!!

Image

 

ଦର୍ପଣ

 

ଡାକବଙ୍ଗଳାର ପ୍ରଶସ୍ତ ବାରଣ୍ଡାରେ ଖୁନ୍ଦି ହୋଇ ଆସୁଥିଲା ଅନ୍ଧକାର....ନିର୍ଜନ ଅନ୍ଧକାର-। ଚତୁର୍ଦ୍ଦିଗରେ ସନ୍ଧ୍ୟାର ନୀରବ ଅଭିଷେକ ।

 

ଉମାକାନ୍ତ ଆର୍ମଚେୟାର ଉପରେ ପ୍ରାୟ ନିଦରେ ଶୋଇ ଆସୁଥିଲେ । ଦୀର୍ଘଦିନ ଧରି ବୁଲି ବୁଲି ସେ କ୍ଳାନ୍ତ ହୋଇଗଲେଣି ।

 

ଦରଓ୍ୱାନ୍‌ ଆସି କହିଲା–

 

ବାବୁ ! ଜଣେ ସ୍ତ୍ରୀଲୋକ ଆପଣଙ୍କ ସଙ୍ଗରେ ଦେଖା କରିବାକୁ ଚାହାଁନ୍ତି । ନା ପଚାରିଲେ ବି କହୁ ନାହିଁ... । ମୁଁ କହିଲି, ବାବୁ ବିଶ୍ରାମ ନେଉଛନ୍ତି ।

 

ଉମାକାନ୍ତର ନଜର ଦରଓ୍ୱାନ ପଛପଟରେ ଥିବା ସ୍ତ୍ରୀଲୋକଟିର ସ୍ଥିର ମୂର୍ତ୍ତି ଉପରେ ଆବଦ୍ଧ ହୋଇଗଲା । ମନେ ହେଲା ସେ ତାକୁ ଜାଣିଛନ୍ତି, ମନେ ହେଲା ସେ ତାକୁ ଖୁବ୍‌ ନିବିଡ଼ ଭାବରେ ଜାଣିଛନ୍ତି...ଆଉ ଦୀର୍ଘ ଦିନ ଧରି ତାକୁ ଖୋଜି ଖୋଜି ସେ ବ୍ୟାକୁଳ ହୋଇଥିଲେ ବି ତାର ସନ୍ଧାନ ପାଇ ନାହାନ୍ତି । ଅଥଚ, ଅଥଚ ବଡ଼ ଅସମୟରେ ଅଚାନକ ଭାବରେ ସେ ଆସିଯାଇଛି...-!’’

 

ଦରଓ୍ୟାନକୁ ଲଣ୍ଠନଟା ଘର ଭିତରୁ ବାରଣ୍ଡାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ଉମାକାନ୍ତ । ବିନାନୁରୋଧରେ ଭଦ୍ରମହିଳା ଚେୟାର ଟାଣି ବସିଲେ–

 

‘‘ଏଥର ଦରଓ୍ୟାନ ଚାଲିଗଲାଣି, ତମେ ଓଢ଼ଣା କାଢ଼ି ନିର୍ଦ୍ୱନ୍ଦ୍ୱରେ ବସିପାର । ଅନେକ ଦିନ ପରେ ହଠାତ୍‌ ତମକୁ ଏମିତି ସ୍ଥାନରେ କେବେ ଦେଖିବାକୁ ପାଇବି, ଏ ବିଶ୍ୱାସ ମୋର ନ ଥିଲା ସୁନିତା... !’’

 

ଅସ୍ପଷ୍ଟ ଲଣ୍ଠନ ଆଲୋକରୁ ଚେନାଏ ପଡ଼ିଛି ସୁନୀତାଙ୍କ ଚୂର୍ଣ୍ଣ କେଶ ଗୁଚ୍ଛ ଉପରେ । ତାଙ୍କର ସୁନ୍ଦର ଆଖି ଦିଓଟିର ତାରକା ପୂର୍ବ ପରି ଚପଳ–ଚଞ୍ଚଳ ଭାବରେ ଉମାକାନ୍ତରୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରୁଛି ।

 

‘‘ମୋର କିନ୍ତୁ ବିଶ୍ୱାସ ଥିଲା–ପୃଥିବୀର ଅନେକଗୁଡ଼ିଏ ଧରାବନ୍ଧା କଥା ରହିଛି । ଋତୁ ପରିବର୍ତ୍ତନ ପରି, ଦିନ ରାତ୍ରିର ଘୂର୍ଣ୍ଣନ ପରି ସେସବୁ ଗୋଟିକ ପରେ ଗୋଟିଏ ଆସେ । ଅନେକଗୁଡ଼ାଏ କଥାକୁ କେବେହେଁ ଜୀବନ ଦେଇ ଉପେକ୍ଷା କରାଯାଇ ପାରେନା । କେଜାଣି ମୃତ୍ୟୁରେ ତାହା ସମ୍ଭବ ହୋଇଥାଏ ।’’

 

ଉମାକାନ୍ତ ନୀରବ ହୋଇଗଲା । ତାଙ୍କ ପାଇଁ ପ୍ରଶ୍ନମାଳାକୁ ସୁନୀତା ଯେପରି ସଂକ୍ଷିପ୍ତ, ଖୁବ୍‌ସଂକ୍ଷିପ୍ତ କରି ଦେଇଛନ୍ତି । ମନକୁ ମନ ସୁନୀତା ପୁଣି କଥା ଆରମ୍ଭ କଲେ–

 

‘‘ଭଲ ଅଛି ଉମାକାନ୍ତ ? ମତେ ଦେଖି ଡରୁ ନାହିଁ ତ ଆଗ ପରି । ମନେ ହେଉଛି, ମୁଁ ଯେପରି ତମର ଭାବାନ୍ତର ସୃଷ୍ଟି କରୁଛି... !’’

 

ଖୁବ୍‌ ଏକ ସତେଜ ହସି ହସି ଉମାକାନ୍ତ ଉତ୍ତର ଦେଲେ–’’ତମେ ସେମିତି ଆଗ ପରି ଚପଳ ଅଛ ସୁନୀତା ।’’

 

‘‘ଯେତେ ବାହାଦୁରୀ କଲେ ବି ତୁମେ ଭୀରୁ, ମୁଁ ସେ କଥା ଜାଣେ । ତୁମର ଗୌରବମୟ ଜୀବନରେ ମୁଁ ଗୋଟାଏ କଳଙ୍କ । ବହୁ ଚେଷ୍ଟା କରି ତୁମର ଅଜସ୍ର ସୁନାମ ଦେଇ ତୁମେ ତାକୁ ପୋଛି ପାରିଲ ନାହିଁ । ମୋର ଦୁଃଖ ହୁଏ ଉକାକାନ୍ତ ! କିନ୍ତୁ ଉପାୟ କିଛି ନାହିଁ... ।’’

 

‘‘ତମେ ମତେ ସବୁବେଳେ ଭୂଲ ବୁଝିଲ ସୁନୀତା ! ଭାବିଛି ମୁଁ ଖୁବ୍‌ ଖୁସୀ । ଅବଶ୍ୟ ସୁଖର ସଂଜ୍ଞା ପାଇଁ ଯାହା ଯାହା ଲୋଡ଼ା ତା’ ଅପେକ୍ଷା ମୁଁ ଅଧିକ ପ୍ରାଚୁର୍ଯ୍ୟର ଅଧିକାରୀ ।’’

 

‘‘କାବ୍ୟ କବିତା କି କଳ୍ପନାବିଳାସ ଦେଇ ଜୀବନରେ ବାସ୍ତବତାକୁ ଯଦି ରସସିକ୍ତ କରାଯାଇ ପାରନ୍ତା... ! ତାହା ସମ୍ଭବ ନୁହେଁ । ବିଗତ ଦଶ ବର୍ଷର ନିର୍ବାସନ ଓ ଆତ୍ମାହୁତି ଭିତରେ ମୁଁ ଅନେକ କିଛି ଶିଖିଲି ଉମାକାନ୍ତ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏବେ ବି ତାକୁ ମୁଁ ପ୍ରୟୋଗ କରିପାରି ନାହିଁ । ତେଣୁ ସିଦ୍ଧପୁରୁଷ ଭାବରେ ମୁଁ ଆତ୍ମ–ପରୀକ୍ଷା ଦେବା ପାଇଁ ଆସି ନାହିଁ ।’’

 

ସୁନୀତାଙ୍କର ଶରୀରର ଅବୟବକୁ ଲକ୍ଷ୍ୟ କରୁ କରୁ ଅନ୍ୟମନସ୍କ ଭାବରେ ଉମାକାନ୍ତ ଉତ୍ତର ଦେଲେ–

 

‘‘ସମୟେ ସମୟେ ନାରୀ ନିଷ୍ଠୁର ହୋଇଯାଏ, ମୁଁ ଜାଣିଛି । କିନ୍ତୁ ନିଷ୍ଠୁରତାର ଗୋଟାଏ ସୀମା ଥାଇପାରେ । ତମ ଦୃଷ୍ଟିଦେଇ ବା ତମର ପରିସର ଦେଇ ତମେ ପୃଥିବୀକୁ ଦେଖୁଛ; ମାତ୍ର ଅନ୍ୟର ଦୃଷ୍ଟିରେ ଟିକିଏ ଦେଖିବାକୁ ଚେଷ୍ଟା କଲେ, ମୁଁ ଜାଣେନା ତମେ ଆଘାତ ପାଇବ କି ସୁଖୀ ହେବ !’’

 

ସୁନୀତା ଉତ୍ତର ଦେଲେ ନାହିଁ । ଅତୀତର ଅନେକ ଅବାନ୍ତର ଯୁକ୍ତିପୂର୍ଣ୍ଣ ନିରର୍ଥକ ସନ୍ଧ୍ୟା ଓ ପ୍ରଭାତର ସ୍ମୃତି ତାଙ୍କର ମନେପଡ଼େ । କ’ଣ ଲାଭ ହୋଇଛି । କିଛି ନାହିଁ । ଅନେକ ବାର ସେ ମୁଣ୍ଡ ପିଟି ପିଟି କ୍ଳାନ୍ତ ହୋଇ ଫେରିଛନ୍ତି, ମାତ୍ର ମରୁଭୂମିରେ ଓ ଏସିସ୍‌ର ସନ୍ଧାନ ସେ କରିପାରି ନାହାନ୍ତି । ସେଇ ଏକ ଯୁକ୍ତି, ସେଇ ଏକ ପ୍ରତିବିମ୍ବ, ପରିବର୍ତ୍ତନଶୂନ୍ୟ ନିଶ୍ଚିତ ମାଇଲ ଖୁଣ୍ଟର ପ୍ରତିମୂର୍ତ୍ତି ।

 

ସନ୍ଧ୍ୟା କ୍ରମଶଃ ଗାଢ଼ ହୋଇଆସୁଛି । ବଙ୍ଗଳାର ଚତୁର୍ଦ୍ଦିଗରେ ଅନ୍ଧାର, ଖାଲି ଅନ୍ଧାର । ଅଥଚ ପୌଷର ନିର୍ମମ ଝରାପତ୍ରରେ କିପରି ଗୋଟାଏ ବିଷର୍ଣ୍ଣ ଆକୁଳତା ।

 

ନୀରବତା ଭାଙ୍ଗି ଉମାକାନ୍ତ କହିଲେ–

 

‘‘ସେଇ ଯେ ପ୍ରଚଣ୍ଡ ଅଭିମାନ ନେଇ ତମେ ଚାଲିଗଲ ସୁନୀତା, ଦଶ ବର୍ଷ ଭିତରେ କେବେ ତ ଦିନେ ମନେ ପକାଇନ, କେବେ ତ ଦିନେ ଖୋଜି ନାହଁ, ଅଥଚ ମୁହୂର୍ତ୍ତ ମୁହୂର୍ତ୍ତ, ଦିନ ଦିନ ଧରି ନିରବଚ୍ଛିନ୍ନ ବସି ରହିଥିଲେ ବି ତମେ କେବେ କ୍ଳାନ୍ତ ହେଉ ନଥିଲ... ।’’

 

‘‘ଏସବୁ ବିଷୟରେ ଆଲୋଚନା ନ କରିବା ଭଲ । ମତେ ଦୁର୍ବଳ କରିଦିଅ ନାହିଁ ଉମାକାନ୍ତ । ସବଳତାର ଜୟଗାନ ମୁଁ କରୁ ନାହିଁ; କିନ୍ତୁ ଦୁର୍ବଳତାର ମାନେ କିଛି ହୁଏନା..... । ଏ ଆତ୍ମପ୍ରବଞ୍ଚନ ପାଇଁ ମୁଁ ନିଜେ ଦାୟୀ । ସେଥିରେ ମୁଁ କାହାକୁ ଅଭିଯୁକ୍ତ କରୁ ନାହିଁ .... ।’’

 

ବିଷର୍ଣ୍ଣ କଣ୍ଠରେ ଉମାକାନ୍ତ ପୁଣି କଥାର ମୋଡ଼ ଘୂରାଇଲେ–

 

‘‘ଅନେକ ସମୟରେ ଏଠାକୁ ଆସିଲେ ଅତୀତର ସ୍ମୃତି ମତେ ଆଚ୍ଛନ୍ନ କରି ପକାଏ । ବିବାହଟାକୁ ତମେ ଯେତେ ବଡ଼ କରି ଦେଖିଛ ସୁନୀତା, ଜୀବନରେ ମୂଲ୍ୟାୟନରେ ସେତିକି ବିଘ୍ନ ସୃଷ୍ଟି ହୋଇଛି । ଆଜିର ଅଶାନ୍ତି ବସ୍ତୁତାନ୍ତ୍ରିକ ମନୁଷ୍ୟ କିନ୍ତୁ କେଉଁଥିରେ ବିଶ୍ୱାସ କରେ ନାହିଁ । ବିକ୍ଷୁବ୍‌ଧ ହିଁ ତାର ସଂଜ୍ଞା ।’’

 

ସୁନୀତା ଯେପରି ଚମକି ପଡ଼ିଲେ । ସ୍ଥିର ଜଳରାଶିରେ ହଠାତ୍‌ ଏକ କମ୍ପନରେ ସୃଷ୍ଟି ହେଲା ଆଖି ଓ ମୁହଁରେ ସ୍ମୃତି ଓ ବିସ୍ମୃତିର ଅଜସ୍ର ତରଙ୍ଗ । ମାତ୍ର ସେ କ୍ଷିପ୍ତ କଣ୍ଠରେ ଉତ୍ତର ଦେଲେ-

 

‘ଦେଖୁଛି ଦୀର୍ଘ ଦଶ ବର୍ଷ ଭିତରେ ତମେ କିଛି ବଦଳି ନାହଁ । ଅନ୍ତତଃ ଜୀବନକୁ ଦୃଢ଼ ଭାବରେ ଗ୍ରହଣ କରିନେବାକୁ ତମେ ସକ୍ଷମ ହୋଇ ପାରିଥାନ୍ତ । ପୂର୍ବପରି ଏବେ ବି ତମେ ଭୀରୁ, ଏବେ ବି ତମେ ସ୍ୱାର୍ଥପର ରହିଛ ଉମାକାନ୍ତ । ସ୍ୱାର୍ଥପରତା ଗୋଟାଏ ରୋଗ, ଯାହାର ବୀଜାଣୁ ଥରେ ପ୍ରବେଶ କଲେ ଆଉ ନିଷ୍କ୍ରାନ୍ତ ହେବାର ପଥ ପାଏ ନାହିଁ । ତମର ଶାନ୍ତି ପାଇଁ, ପ୍ରଶସ୍ତି ପାଇଁ ଆଉ ସାମାଜିକ ସୁଖ୍ୟାତି ଓ ପ୍ରତିପତ୍ତି ପାଇଁ ବହୁ ସଂଜ୍ଞା ଜୀବନରେ ତମେ ସୃଷ୍ଟି କରିଛି । ବହୁ ବାଟରେ ନିଜକୁ କଳଙ୍କମୁକ୍ତ ରଖିବାକୁ ଆପ୍ରାଣ ପ୍ରଚେଷ୍ଟା କରିଛ । ତଥାପି ତମେ ଭୀରୁ, ସ୍ୱାର୍ଥପର...... ।’’

 

ଉମାକାନ୍ତ କଥା ମଝିରେ ବାଧା ଦେଇ କହିଲେ–

 

‘‘ତା’ ହେଲେ ତମେ ଜାଣିପାରୁଛ, ତମର ଦଶ ବର୍ଷର ଅଭିଯାନ, ଆତ୍ମ–ନିର୍ବାସନ ସବୁ ବୃଥା ହୋଇଯାଇଛି !’’

 

‘‘ତା’ ମୁଁ ଏଠାକୁ ଆସିବା ପୂର୍ବରୁ ଜାଣିଥିଲି । ମାତ୍ର ଦିଅଁ ଗଢ଼ୁ ଗଢ଼ୁ କେହି ମାଙ୍କଡ଼ ଗଢ଼ିବାର ଚେଷ୍ଟା କରେ ନାହିଁ । ତାହା ଭାଗ୍ୟର ବିପର୍ଯୟ, ଜନ୍ମର ଅଭିଶାପ ।’’

 

‘‘ଭାଗ୍ୟକୁ ଆଜିକାଲି ତମେ ବିଶ୍ୱାସ କର ?’’

 

‘‘ଦିନେ କରୁ ନ ଥିଲି । ପୃଥିବୀରେ ସମସ୍ତ ଶକ୍ତି ବିରୁଦ୍ଧରେ ମୋର ସଂଗ୍ରାମ କରିବାର ଇଚ୍ଛା ଥିଲା; ମାତ୍ର ସେଦିନ ତମର ମନେ ଥିବ, ଯେଉଁଦିନ ତମେ ନିଃସହାୟ ଭାବରେ ମତେ କହିଥିଲ, ଜୀବନର କୌଣସି ସ୍ମିତ ତମେ ଦେଖିପାରୁ ନାହଁ....ଖାଲି ଅନ୍ଧାର ଆଉ ଅନ୍ଧାର । ସେଦିନ ମୁଁ କ୍ଲାନ୍ତ ହୋଇପଡ଼ିଲି, ଖୁବ୍ କାନ୍ଦିଲି ରାତି ରାତି ଅନିଦ୍ରା ହୋଇ । ମାତ୍ର ଲାଭ କିଛି ହେଲାନି । ମୁ ଦୁର୍ବଳ ହୋଇପଡ଼ିଲି ମୋର ମନେ ହେଲା, ଯୁଗ ଯୁଗ ଧରି ମୋର ସଞ୍ଚତ ଶକ୍ତି ଯେପରି ଶୂନ୍ୟ ହୋଇଯାଇଛି... । ଶୂନ୍ୟତାର ଅନ୍ଧକାର ଭିତରେ ଚାଲୁ ଚାଲୁ ହୁଏ ତ ମୁଁ କିଛି ଗୋଟାଏ ଭୁଲ କରିବସିବି... ।’’

 

‘‘ଆଉ ସେଥିପାଇଁ ପଳାୟନପନ୍ଥୀ ହେବାକୁ ତମେ ଶ୍ରେୟଃ ମନେ କଲ ? ମତେ ଆଶ୍ଚର୍ଯ୍ୟ ଲାଗୁଛି ସୁନୀତା, ତମ ଭଳି ସ୍ୱୟଂସମ୍ପୂର୍ଣ୍ଣ ନାରୀ ଯଦି ଅବଶେଷରେ ଅତି ସାଧାରଣ ନାରୀଠାରୁ ନିଜକୁ ସ୍ୱତନ୍ତ୍ର କରିପାରେ ନାହିଁ....ତେବେ ?’’

 

‘‘ମୁଁ ଜଣେ ନାରୀ । ମୋଠାରେ ଗୁରୁତ୍ୱ କିମ୍ବା ବିଶେଷଣ ପ୍ରୟୋଗ କରି ମତେ ଅଭିଯାଡ଼ ଅସାଧାରଣ ସଂପ୍ରଦାୟଭୁକ୍ତ କରିବାର ପ୍ରୟାସ କରନା । ମତେ ଆଘାତ ଦେଇ ମୋର ଧୈର୍ଯଶକ୍ତିର ପରୀକ୍ଷା କରିବାରେ ଆଜି ଆଉ ପ୍ରୟୋଜନ କ’ଣ ? ଜୀବନର ସଂଧ୍ୟାରେ ସୂର୍ଯ୍ୟର ବର୍ଣ୍ଣଛଟାରେ ଦୀପ୍ତ ହେବାକୁ ଆଶା କରିବା ମୁର୍ଖତା ବ୍ୟତୀତ ଅନ୍ୟ କିଛି ହେବ ନାହିଁ । ତମେ ତ ଜାଣ ଉମାକାନ୍ତ, ସମଗ୍ର ଜୀବନ ଧରି ମତେ କୌଣସି ଜିନିଷ ପ୍ରାପ୍ତି ହୋଇ ନାହିଁ.... ।’’ ସୁନୀତା ବୋଧହୁଏ କ୍ଲାନ୍ତ ହୋଇ ପଡ଼ୁଥିଲା ।

 

ଉମାକାନ୍ତ ଉଦାସ ଆଖିରେ ବଙ୍ଗଳାର ଅନତିଦୂରରେ ଥିବା ଆମ୍ବଗଛକୁ ଚାହିଁଥିଲେ ଅବା ।

 

‘‘ତମେ ବୋଧହୁଏ ଭୁଲ ନ ଥିବ ସୁନୀତା ! ପରଜନ୍ମରେ ମୋର ବିଶ୍ୱାସ ନାହିଁ, ଏ ଜନ୍ମର ସମସ୍ତ ବ୍ୟର୍ଥତା ଯଦି ଭଗବାନ ତମର ଆସନ୍ତା ଜନ୍ମରେ ସର୍ଥକ କରି ତୋଳନ୍ତି, ତା’ ହେଲେ ହୁଏତ ତୁମେ ସୁଖୀ ହେବ, କିନ୍ତୁ ମୁଁ ନୁହେଁ । ମୁଁ କେବଳ ଏଇ ଜନ୍ମର ସୁଖ–ଦୁଃଖ, ଜନ୍ମମୃତ୍ୟୁ ନେଇ ବ୍ୟସ୍ତ ରହିଲି, ଅଥଚ ମୁଁ ନିଜେ ଜାଣେନା ସେ କ’ଣ ? ସେଥିପେଇଁ ନିର୍ବାସନ ମତେ ଶାନ୍ତି ଦେଇ ନାହିଁ କି ଜୀବନରେ ଐଶ୍ୱର୍ଯ୍ୟ ମତେ ବିଭୋର କରି ନାହିଁ ।’’ ବ୍ୟର୍ଥତାର କାରୁଣ୍ୟରେ ତାଙ୍କ କଣ୍ଠଦେଶରେ ସାମାନ୍ୟ କମ୍ପନ ସ୍ପଷ୍ଟ ଜଣାପଡ଼ୁଥିଲା, ଯଦିଓ ସେ ତାକୁ ଚାପି ରଖିବାକୁ ଚେଷ୍ଟା କରୁଥିଲେ ।

 

‘‘ମତେ ଭୀଷଣ କଷ୍ଟ ହେଉଛି । ମତେ ତୁମେ ଦୁର୍ବଳ କରିବାକୁ ଚେଷ୍ଟା କରନା । ଜୀବନର ଏଇ ଯେଉଁ ନୂତନ ସଂଜ୍ଞା, ନୂତନ ଆଭିମୁଖ୍ୟ ତମେ ଗ୍ରହଣ କରିଛ, ସେଥିରେ ମୁଁ ସୁଖୀ ହେବାକୁ ଚେଷ୍ଟାକରିବା ଛଡ଼ା ଆଉ ଉପାୟ କ’ଣ କୁହ ? ମୁଁ ଦିନେ ତମକୁ କହିଥିଲି, ଆମେ ସଂଗ୍ରାମ କରିବା, ଅସତ୍ୟ ଅନ୍ୟୟ ବିରୁଦ୍ଧରେ ଆମର ସ୍ଥିତିକୁ ଆମେ ସ୍ୱୀକାର କରିବା; କିନ୍ତୁ ତମେ ପାରିଲନି, ହା’ ହତୋସ୍ମିରେ ବ୍ୟର୍ଥତାର ଝଙ୍କାର କେବଳ ସୃଷ୍ଟି କଲ ?’’

 

‘‘ଦୁଃଖଟା ତମର ଏକାନ୍ତ ବ୍ୟକ୍ତିଗତ ଭାବୁଥିବାରୁ ତମେ ଏପରି ଭାବରେ କଥା କହିପାରୁଛ ।’’ ଉମାକାନ୍ତ ଅବଶ କଣ୍ଠରେ ଉତ୍ତର ଦେଲେ ।

 

ସୁନୀତା ହସୁ ହସୁ କହିଲେ–

 

‘‘ମତେ ତମେ ହସେଇଲ ! ଦୁଃଖ–ସୁଖର ଭାଗ ବାଣ୍ଟି ଜୀବନକୁ ଆଉ ଥରେ ନୂଆକରି ଗଢ଼ିବାକୁ ମୁଁ ଆସିନାହିଁ । ଅତୀତର ସେଇ କାଳ୍ପନିକ ଦିନଗୁଡ଼ିକର ମୂଲ୍ୟନିୟନ୍ତ୍ରଣ କରିବାର ଅଭିଳାଷ ମୋର ନାହିଁ । ଜୀବନରେ ଯାହା ହଜେ, ତା’ଆଉ ଫେରି ଆସେନା । ଅଯଥା ଦୀର୍ଘ ଦିନ ପରେ ଏ ବିଷୟରେ ଯୁକ୍ତି କରିବାକୁ ମୁଁ ଚାହେଁନା .... । ଥରେ ମୁଁ କହିଛି ନିର୍ବାସନରେ ମୁଁ ସିଦ୍ଧି ଲାଭ କରି ନାହିଁ । ଆଶାକରେ, ମୋର ଚରମ ଦୁର୍ବଳତାଟିକୁ ତମେ ପାସୋରି ଯାଇନ... ?’’

 

ଉମାକାନ୍ତ ଅନ୍ଧକାର ଭିତରେ ନିରୀକ୍ଷଣ କରୁଥିଲେ ସୁନୀତାଙ୍କୁ । କେତେ ପୁରୁଣା ଦିନରେ ସ୍ମୃତି ହେଲେ ବି ଲାଗୁଛି ସତେ ଯେମିତି ଏଇ ଆଜିକାଲିର ଘଟଣା ପରି । ଦୀର୍ଘ ଦିନର ବ୍ୟବଧାନ ପରେ କିଛି ତ ନୂଆ ଲାଗୁ ନାହିଁ ତାଙ୍କୁ ! ଏବେ ବି ମନେ ପଡ଼ୁଛି ଦଶ ବର୍ଷ ତଳେ ସୁନୀତାଙ୍କର ଶେଷ କେତେ ପଦ କଥା....ଆଖି ଆଗରେ ଦଶିଯାଉଛି । ବହୁ ତରତରରେ ଅଙ୍କା ବଙ୍କା ଅକ୍ଷରରେ କେତୋଟି ଲାଇନ୍... ।

 

ମୁଁ ଚାଲିଯାଉଛି ଉମାକାନ୍ତ ! ଅବଶ୍ୟ ନିର୍ଦ୍ଦିଷ୍ଟ କୌଣସି ପନ୍ଥା କିମ୍ବା ନିର୍ଦ୍ଦିଷ୍ଟ କିଛି ସଂଧାନରେ ନୁହେଁ.... । ଅନେକ ସହିଲି, ଅନେକ ଜଞ୍ଜାଳ ଯନ୍ତ୍ରଣା ଆଉ ଅପମାନରୁ ନିଜକୁ ମୁକ୍ତି ଦେବା ପାଇଁ ମୁଁ ଚାଲିଯାଉଛି । ତମର ସମ୍ମାନବୋଧ ମୋ ପ୍ରତି ତିଳେ ହେଲେ ନାହିଁ ବୋଲି ମୋ ନିଜର କ’ଣ ମୋ ପ୍ରତି ସମ୍ମାନ ନାହିଁ ? ମୋର ଶାରୀରିକ ଉପସ୍ଥିତ ତମକୁ ପ୍ରେରଣା ଦିଏ ତମେ ସ୍ୱୀକାର କରିଛ; କିନ୍ତୁ ମୋର ଏଇ ଶରୀରକୁ ତୁମ ସମ୍ମୁଖକୁ ଧରି ଆଣେ ଯେଉଁ ମନ ? ତମେ ତାକୁ ଅସମ୍ମାନ କର, ତମ ପାଖରେ ସେ ଏକ ଦୁର୍ବଳତା । ତେଣୁ ସେ ଦୁର୍ବଳ ମନକୁ ନେଇ ମୁଁ ଚାଲିଯାଉଛି ଦୂରକୁ, ଯେଉଁଠାରେ ଦେହ ପାଇଁ କିମ୍ବା ପାର୍ଥିବ ଐଶ୍ୱର୍ଯ୍ୟ ପାଇଁ ତାକୁ ଅପମାନିତ ହେବାକୁ ପଡ଼ିବ ନାହିଁ । ପୁଷ୍ପକୁ ସ୍ପର୍ଶ କରିବାକୁ ଯାଇଁ କଣ୍ଟକ ଜର୍ଜରିତ ହୋଉଛି ମୁଁ । ମାତ୍ର ତାର ସୁରଭିରୁ ତ ମତେ ତୁମେ ବଞ୍ଚିତ କରିପାରିବନି !

 

ଭାବନା, ମୁଁ ଅଭିମାନ କରୁଛି । ସତ କଥା, ତୁମର ସୃଷ୍ଟିଶୀଳ ପ୍ରାଣରେ ମୁଁ ଥିଲି ଏକ ଅନ୍ତରାୟ । ମୋର ଅନୁପସ୍ଥିତି ତମର ପ୍ରତିଭାକୁ ବିକାଶ କରାଉ ଜୀବନକୁ ସୃଜନମୟୀ କରୁ । ତମର ଯଶ, ମାନ, ଗୌରବରେ ମୁଁ ହେବି ଗୌରବାନ୍ୱିତ, ମୁଁ ସଂଗ୍ରହ କରିବି ବଞ୍ଚିବାର ଜୀବନିକା.... । ପୃଥିବୀର କୌଣସି କୋଣରେ ତମେ ଅଛ....ତମର ସ୍ଥିତି ମତେ ସହ୍ୟ କରିବାକୁ ଦେଉ ଜୀବନର ସମସ୍ତ ବେଦନା, ସମସ୍ତ ବ୍ୟର୍ଥତା.... !

 

ସୁନୀତାଙ୍କର ଚିଠିଟା ଧରି ଆଶ୍ଚର୍ଯ୍ୟ ହୋଇ ଉମାକାନ୍ତ କେବଳ ଦର୍ପଣରେ ନିଜର ପ୍ରତିବିମ୍ବକୁ ନିରୀକ୍ଷଣ କରିଥିଲେ । ବସ୍ତୁତାନ୍ତ୍ରିକ ପୃଥିବୀରେ ଏପରି ପରିକଳ୍ପନା ତାଙ୍କୁ ନିଛକ ଖେୟାଲ ମନେ ହୋଇଥିଲା ।

 

ମାତ୍ର ସୁନୀତା ତାଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ଦଶ ବର୍ଷ ଭିତରେ କେବେ ସେ ଦିନେ ତାଙ୍କର ଦୃଷ୍ଟିପଥକୁ ଆସି ନାହାନ୍ତି । ଆଜି ହଠାତ୍ ଅସମୟରେ......ଆଉ ଅବହେଳାରେ ସେ ଆସିଛନ୍ତି । ବୋଧହୁଏ ତାଙ୍କ ଦୁର୍ବଳତାର ସମୀକ୍ଷା ପାଇ.....କିନ୍ତୁ ତାର କ’ଣ ଆଉ ପ୍ରୟୋଜନ ଅଛି ?

 

‘‘ହଠାତ୍ ସୁନୀତା ଚେୟାର ଛାଡ଼ି ଉଠିପଡ଼ିଲେ ଆଉ ଦେଖା ହେବ....ସମ୍ଭାବନା ତ ଅଛି-। ଜୀବନଟା ବଡ଼ ଦୀର୍ଘ ମନେହୁଏ ଆଜିକାଲି ।’’

 

ଉମାକାନ୍ତ କରୁଣ କଣ୍ଠରେ ଅନୁରୋଧ କଲେ–

 

‘‘ବସ ସୁନୀତା । ଆଉ ଟିକିଏ ବସ । କହ ତମର ଜୀବନର ଅନୁଭୂତି । ଦୀର୍ଘ ଦଶ ବର୍ଷ ଧରି ତମେ କିପରି କଟାଇଲ ?’’

 

‘‘ବାଃ ! ରଚନା ଲେଖିବନି ତ ? ଜୀବନର ଏଇ ଅବିସ୍ମରଣୀୟ ଦଶ ବର୍ଷ ଭିତରେ ଜୀବନର ସ୍ୱାଦ ଅନେକ କିଛି ପାଇଛି, ତା’ତୁମେ କଳ୍ପନା କରିପାରିବନି ।’’

 

‘‘ତୁମର ଦୁର୍ବଳତା ବୋଲି ଯାହାକୁ ଆଖ୍ୟା ଦେଉଛି, ମୁଁ କହିବି ସେ ତୁମ୍ଭର ଦାମ୍ଭିକତା ।’’

 

‘‘କହିପାର । ତମେ ଗାଳ୍ପିକ, ତମେ ଔପନ୍ୟାସିକ, ବହୁଚରିତ୍ର ଗବେଷଣା କରି ତମେ ଆଜି ବିଶ୍ୱବିଖ୍ୟାତ ହେବାକୁ ବସିଛ....ତମକୁ ମିଥ୍ୟା ବୋଲି କହିବାରେ ସାହାସ ମୋର ନାହିଁ ।’’

 

‘‘ଥଟ୍ଟା କରୁଛ ?’’

 

‘‘ତମେ ମତେ ଭୁଲ ବୁଝିଛ । ମୁଁ ଦିନେ କହିଥିଲି ଅସୀମ ମୋର ଆଶା । ଅବଶ୍ୟ ଗୋଟିଏ ପରେ ଗୋଟିଏ ସେମାନେ ମଉଳି ଗଲେ । ମୋର ଏଇ ତଥାକଥିତ ‘ଦୁର୍ବଳତା’ଟି ମୋର ଶେଷ ଆଶା । ଜୀବନରେ ସବୁ ହରେଇଥିବା ବ୍ୟକ୍ତି ଯଦି ସବୁ ଫେରି ପାଇପାରେ ଏବଂ ତା’ଠାରୁ ଅଧିକ କିଛି ପାଏ, ସେ କ’ଣ ସୁଖୀ ହେବ ନାହିଁ ? ଲେଖିବ ଏକଥା ? କିନ୍ତୁ ମନେରଖ, ମୁଁ ଆଜି ବ୍ୟାକ୍‌ଡ଼େଟେଡ଼୍–ମତେ ତୁମ ଉପନ୍ୟାସର ନାୟିକା କଲେ ତମେ ହୁଏତ ଇପ୍‌ସିସ ଯଶର ଚୂଡ଼ା ସ୍ପର୍ଶ କରିପାରିବ ନାହିଁ ଏଇ ବସ୍ତୁତାନ୍ତ୍ରିକ ଯୁଗରେ । ତେଣୁ ମୋର ଅନୁରୋଧ, ତୁମେ ମତେ ବାଦ୍ ଦେବ । ପୃଥିବୀର ମୂଲ୍ୟ ନିୟନ୍ତ୍ରଣ କର ଉମାକାନ୍ତ ।’’

 

‘‘ଜୀବନର ଜୁଆଖେଳରେ ତମେ ଜିତିଛ ବୋଲି ଅନୁମାନ କରିବାକୁ ବାଧ୍ୟ ହେଉଛି ସୁନୀତା ।’’

 

‘‘ଉମାକାନ୍ତ ।’’

 

‘‘ଆରେ ନା ନା–ତମେ ମୋଟେ ବ୍ୟସ୍ତ ହୁଅନା । ମୁଁ ମୋର ଜୀବନର ଶେଷ ପର୍ଯ୍ୟନ୍ତ ତମକୁ ଅଭୟ ଦେଉଛି ।’’

 

‘‘ଆଜି ମୁଁ ଆସିଥିଲି ସେଇଥିପାଇଁ । ତୁମର ଦୁର୍ବଳତାର ସୁଯୋଗ ନେଇ ମାଗିନେବି ମୋର ଶେଷ ଭିକ୍ଷା । ଦିନେ ବି କହୁଥିଲି, ଅନୁନୟ ବି କରୁଥିଲି ଗୋଟିଏ ସାଲିସ କରିନେବା ପାଇଁ, ବଞ୍ଚିଯିବା ପାଇଁ ଚାହୁଁଥିଲି ଗୋଟିଏ ଆଚ୍ଛନ୍ନ ମାୟାର ଧମ୍ର କୁଣ୍ଡଳୀ ଭିତରେ, ଯାହାକୁ ତୁମେ କହିପାର ହ୍ୟାଲୁସିନେସନ ? ମାତ୍ର ତା’ ହୁଏନା, ଜୀବନ ସହିତ ତମେ ସାଲିସ୍ କରିଛ, ଆଉ ମୁଁ କରିଛି ମୃତ୍ୟୁ ସହିତ । ତେଣୁ ହ୍ୟାଲୁସିନେସନ୍‌କୁ ଅଗତ୍ୟା ମତେ ବିଦାୟ ଦେବାକୁ ପଡ଼ିଲା । ବାସ୍ତବତାର ନିର୍ମମ ନିଷ୍ଠୁରତା ଭିତରେ ଆତ୍ମ–ଜୟ କରିବାକୁ ଚେଷ୍ଟା କରିଛି ମାତ୍ର...ସିଦ୍ଧି ମୋର ପ୍ରାପ୍ତି ହେବା ପାଇଁ ଅନେକ ବିଳମ୍ବ ଅଛି । ତେବେ ଜୀବନଧର୍ମୀ ଲେଖକ ତୁମେ, ଗୋଟିଏ କଥା କହିଯାଉଛି, ମୃତ୍ୟୁକୁ ଆଉ ମୋର ଭୟ ନାହିଁ । ତୁମର ସ୍ମୃତି ମତେ ଦେଇଛି ଅଖଣ୍ଡ ଜୀବନ । ଆଶା କରେ ନିଜକୁ ତୁମେ କେବେ ନଷ୍ଟ କରିଦେବ ନାହିଁ !!’’

 

ସୁନୀତା ଚେୟାର ଛାଡ଼ି ଉଠିପଡ଼ିଲେ । ଉମାକାନ୍ତ ନୀରବ ଭାବରେ ତାଙ୍କର ଯିବା ପଥକୁ ଚାହିଁ ରହିଥିଲେ ଘଣ୍ଟା ଘଣ୍ଟା ଧରି, ଯେପରି ଦଶ ବର୍ଷ ତଳେ ସେ ନିଜର ଛବିଟିକୁ ଶୁଷ୍କ ପତ୍ର କମ୍ପନରେ ଯେପରି ଗୋଟିଏ ଅଦ୍ଭୁତ ନିଃସଙ୍ଗତା ଉମାକାନ୍ତଙ୍କର ଦେହ ମନକୁ ଜରାଜୀର୍ଣ୍ଣ ପଙ୍ଗୁ କରି ଦେଇଥିଲା । ଅଥଚ ଆକାଶରେ ଜହ୍ନର ତରଙ୍ଗ ।

 

ଦୁଇ ଦିନ ପରେ !

 

ଦୈନିକ ସମ୍ବାଦପତ୍ରରେ–ବିଖ୍ୟାତ୍ ଔପନ୍ୟାସିକ ଉମାକାନ୍ତଙ୍କର ଅକାଳ ମୃତ୍ୟୁ ! ହଠାତ୍ ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇଯିବାରୁ ସେ ମୃତ୍ୟୁ ବରଣ କଲେ । ମୃତ୍ୟୁ ହେବାର ଦୁଇ ଘଣ୍ଟା ପୂର୍ବରୁ ସେ ଅତ୍ୟଧିକ ମାତ୍ରାରେ ପ୍ରଥମ ଥର ପାଇଁ ମଦ୍ୟପାନ କରିଥିଲେ ବୋଲି ତାଙ୍କର ପରିବାରବର୍ଗଙ୍କଠାରୁ ପ୍ରକାଶ । ଗତ କେତେ ବର୍ଷ ଧରି ଏହି ଔପନ୍ୟାସିକ ସାହିତ୍ୟକୁ ତାଙ୍କର ବହୁମୁଖୀ ଅବଦାନରେ ସମୃଦ୍ଧ କରି ଯାଇଛନ୍ତି ଏବଂ ତାଙ୍କର ଅଧିକାଂଶ ଉପନ୍ୟାସ ଆନ୍ତର୍ଜାତିକ ଖ୍ୟାତ ଲାଭ କରିଛି.... ।

 

ସୁନୀତା ସମ୍ବାଦପତ୍ରଟି ଧରି ନିଜକୁ ପ୍ରଥମ ଥର ପାଇଁ ଅବଶ ମନେ କରୁଥିଲେ । ଦର୍ପଣରେ ତାଙ୍କର ସମଗ୍ର ଶରୀରଟା ପଙ୍ଗୁ ଓ ବିକଳାଙ୍ଗ ଦିଶୁଥିଲା !!!

Image

 

ଛାୟା

 

ମୁଁ ଟେଲିଗ୍ରାମଟା ହାତରେ ଧରି କାଠ ହୋଇ ଯାଇଥିଲି । ଲୁସି ଆଉ ପୁସି ନାହାନ୍ତି । ଚିରଦିନ ପାଇଁ ନବଘନବାବୁଙ୍କୁ ହାତୋଽସ୍ମିରେ ପକାଇଦେଇ ସେମାନେ ଚାଲି ଯାଇଛନ୍ତି । ଅଜାଣତରେ ମୋ ହାତଟା କମ୍ପି ଉଠୁଥିଲା ।

 

ଟିକୁ ମୋର କାନି ଧରି ପଚାରୁଥିଲା–

 

‘‘ମା ! କାହିଁକି କାନ୍ଦୁଛୁ ? ମାଆ.... !’’ ମୋ କାନ୍ଦ ଦେଖି ସେ ରାହା ଧରି କାନ୍ଦିବାକୁ ଆରମ୍ଭ କଲା । ଲୁଗା କାନିରେ ମୁଁ ଲୁହ ପୋଛି ନେଉ ନେଉ କହିଲି–

 

‘‘ସେଇ ଯେ ନବ ମଉସା, ତୋ ବାପାଙ୍କର ସାଙ୍ଗ, ଆମ ଘରେ ଆସି ଦଶହରାରେ ଥିଲେ.....ତତେ କେତେ ବେଲୁନ୍, କେତେ ଚକୋଲେଟ କିଣି ଦେଇଥିଲେ...ତାଙ୍କର ଦୁଇଟିଯାକ ଝିଅ ଆଉ ନାହାନ୍ତି ଧନ... ! ଆହା ବିଚାରୀ !’’

 

ଟିକୁ କିଛି ବୁଝିଲା ନାହିଁ । ସେ ଖାଲି ଜାଣିଲା, ମା ତାର କାନ୍ଦୁଛି ଆଉ ମା ପାଇଁ ସମବେଦନାରେ ଆଖିରେ ତାର ଅଶ୍ରୁ । ଟିକକ ପରେ ‘କୁକୁ’, ମୋର ଝିଅ ଆସି ସେଠି ପହଞ୍ଚିଲା ଟିକୁକୁ ଚାରି ଆଉ କୁକୁକୁ ମାତ୍ର ଦୁଇ । ସେ ଦୁଇ ଜଣଙ୍କୁ କୋଳରେ ଯାବୁଡ଼ି ଧରି ମୁଁ, ଏକ ଅଜଣା ବେଦନାରୁ ଆତ୍ମହରା ହୋଇ କାନ୍ଦିଲି । ଆହା, ମୋର ଟିକୁ ଆଉ କୁକୁ ! ସେମାନେ ଯଦି ମୋତେ ଏମିତି ଛାଡ଼ି ଚାଲିଯା’ନ୍ତି....ନା ନା, ମୁଁ ବଞ୍ଚିବି ନାହିଁ ପ୍ରଭୁ ! ମୋର ସବୁ ପଛେ ତୁମେ ନିଅ ମାତ୍ର ମୋର ପିଲାଙ୍କ ତୁମେ ବାହୁଛାୟା ଦେଇ ରଖ ।

 

ପୁଣି ଥରେ ଟେଲିଗ୍ରାମଟା ଖୋଲି ପଢ଼ିଲି । ଇଏ ଟେଲିଗ୍ରାମ କରିଛନ୍ତି ମତେ । ଆଠଦିନ ହେଲା ସେ ସେଇଠି ଅଛନ୍ତି ଛୁଟି ନେଇ କରି । ନବଘନ ବାବୁଙ୍କର ଭାଗ୍ୟର ବିପର୍ଯ୍ୟୟ ଏମିତି ଏକ ବର୍ଷ ହେଲା ଚାଲିଛି । ସ୍ତ୍ରୀ ସୁଭଦ୍ରା ଆର ବର୍ଷ ଚାଲିଗଲେ ଝିଅ ଦିଓଟିଙ୍କୁ ଛାଡ଼ି ଦେଇ । ସୁଭଦ୍ରାଙ୍କ ବିଚ୍ଛେଦରେ ଦୀର୍ଘଦିନ ଧରି ଶଯ୍ୟାଶୟୀ ହେଲେ ନବଘନ । ଇଏ ଯାଇଁ କିଛିଦିନ ସେଠି ରହି ତାଙ୍କୁ ବୁଝାସୁଝା କରି ଫେରିଲେ । ସବୁବେଳେ ୟାଙ୍କ ମନ ନବଘନ ବାବୁଙ୍କ ପାଇଁ ଚିନ୍ତାକୁଳ । ତାଙ୍କଠାରୁ ସପ୍ତାହରେ ଚିଠି ଖଣ୍ଡେ ନ ପାଇଲେ ୟାଙ୍କର ଘରଦ୍ୱାର, ଅଫିସ ସବୁ ପିତା । ଯା’ ହେଉ ସୁଭଦ୍ରାଙ୍କ ମୃତ୍ୟୁର ଦୀର୍ଘଦିନ ପରେ ନବଘନ ବାବୁ ଲେଖିଥିଲେ ଚିଠି, ‘‘ରମାନାଥ ! ଭଗବାନଙ୍କର ଇଚ୍ଛା ବିରୁଦ୍ଧରେ କେହି ଯାଇପାରିବେନି । ଭାଗ୍ୟରେ ଯାହା ଥିବ ଭୋଗ କରିବ । ସୁଭଦ୍ରା ମରିଗଲେ ନାଇଁ ଯେ ତରିଗଲେ । ଆରେ, ସଂସାରରେ ଆଉ ସୁଖ କ’ଣ ଅଛି ? ଖାଲି ଘାଣ୍ଟି ହେବା କଥା । ସବୁ ମାୟା ବନ୍ଧନ ଏଡ଼ି ମନ ଚାହୁଁଛି ଚାଲିଯିବି କାଶୀ କି ବୃନ୍ଦାବନ । ହେଲେ ଲୁସି ପୁସି ଦି’ଜଣଙ୍କୁ ଛାଡ଼ି ଯାଇପାରୁଛି କେଉଁଠି ? ମା ମରା ହତଭାଗିନୀ ଦି’ଟା । ତୋ ପାଖକୁ ବି ମୁହୂର୍ତ୍ତେ ବେଳ ନାହିଁ ଯିବାକୁ । କ’ଣ କରିବି ? ସବୁ ତ ମତେ କରିବାକୁ ପଡ଼ିଛି...ତୋର ସିନା ଘର ସଜାଡ଼ି ପିଲା ଛୁଆଙ୍କୁ ଦେଖିବା ପାଇଁ ଶକୁନ୍ତଳା ଦେବୀ ରହିଛନ୍ତି.... ।’’

 

ଆହୁରି କେତେ କ’ଣ ଥଟ୍ଟା ପରିହାସ କରି ନବଘନ ବାବୁ ଲେଖିଥିଲେ । ଚିଠିରେ ଯେମିତି ଗୋଟିଏ ଲୁକ୍‌କାୟିତ ବେଦନା ଥିଲା । କେଜାଣି କାହିଁକି ଚିଠି ପଢ଼ି ମୋ ଆଖିରେ ଲୁହ ଆସି ଯାଇଥିଲା । ମୁଁ ଜାଣି ନ ଥିଲି ନବଘନଙ୍କର ଯୋଡ଼ିଏ ଝିଅ ଅଛି ବୋଲି । ଇଏ ସୁଭଦ୍ରା କି ଝିଅମାନଙ୍କର ନାଁ ତୁଣ୍ଡରେ ଧରନ୍ତି ନାହିଁ । ଖାଲି ନବଘନ ବ୍ୟତୀତ ଯେମିତି ତାଙ୍କର ଆଉ କିଛି ନାମ ମନରେ ପଡ଼େ ନାହିଁ । କେମିତି ମଣିଷ କେଜାଣି ? ମୁଁ ସେଦିନ ଚିଠି ପଚାରିଲି–

 

‘‘କି ମଣିଷ ତମେ ? ତାଙ୍କର ଯୋଡ଼ିଏ ଝିଅ ଅଛି ବୋଲି ତୁମେ ତ ମତେ କହିନ ? ଆହା ! ମା ମରା ଝିଅ ଦିଓଟି–କେତେ ହୀନିମାନରେ ଚଳୁଥିବେ.... ! ଆମ ଘରକୁ ଦଶହରାରେ ତାଙ୍କୁ ନେଇ ଆସିବାକୁ କହିଲନି ? ତମେ ପୁରୁଷ ଲୋକଗୁଡ଼ା କ’ଣ ଯେ ମୁଁ ବୁଝେ ନାହିଁ...... ।’’

 

ସେ ମୋର କଟୂକ୍ତିକୁ ହଜମ କରିଦେଇ କହିଲେ, ‘‘ତମକୁ ନବଘନ ପାଇଁ ଭାରି କଷ୍ଟ ହେଉଛି ନା ? ଯେତେହେଲେ ପତ୍ନୀହରା ପୁରୁଷ ପାଇଁ ଜଣେ ନାରୀର ଦୁଃଖହେବା ସ୍ୱାଭିକ ।’’ ତମେ ବୁଝିଲ ଏଇଆ । ତମ ସାଙ୍ଗ ପାଇଁ ଖାଲି ମତେ ନିଦ ହେଇ ନ ଥିବଟି ? ପିଲାମାନଙ୍କ କଥା ତୁମେ କ’ଣ ନବଘନ ବାବୁଙ୍କ ପରି ଏମିତି ବୁଝିବ ଯଦି ମୁଁ ଆଜି ମରିଯିବି..... ? ମୋ ଅଜାଣତରେ ମୋ କଣ୍ଠ ଥରି ଉଠିଲା ।

 

ସେ ଫିକ୍ କରି ହସି କହିଲେ–‘‘ସେ ନବଘନ ଗୋଟିଏ ପକ୍‌କା ମାଇଚିଆ...ନ ହେଲେ ଏମିତି ଚିଠି ସେ ଲେଖନ୍ତା ନାହିଁ । ପତ୍ନୀ ପ୍ରେମ ଓ ବାତ୍ସଲ୍ୟ ମମତାର ଯେଉଁ ପରାକାଷ୍ଠା ସେ ଦେଖେଇଲାଣି... !’’ କହୁ କହୁ ସେ ଚିଠିଟା ଆଉଥରେ ପଢ଼ିଲେ । ମୁହଁଟା କେମିତି ଗମ୍ଭୀର ହୋଇଉଠିଲା । ବନ୍ଧୁ ପାଇଁ ବିଶେଷତଃ ନବଘନ ବାବୁଙ୍କ ପାଇଁ ସେ କେମିତି ବ୍ୟସ୍ତ ହୋଇ ରାତ୍ରି ଅନିଦ୍ରା ପର୍ଯନ୍ତ ରହନ୍ତି । ମୁଁ ଜାଣେ, ତେଣୁ ମୁଁ କଥା ବଢ଼ାଇ ଅଧିକ କଷ୍ଟ ଦେବାକୁ ଚାହୁଁ ନ ଥିଲି ।

 

ଆଉ ଦିନକର କଥା । ନବଘନ ବାବୁଙ୍କଠାରୁ ଇଏ ଚିଠି ନ ପାଇ ଭୀଷଣ ବ୍ୟସ୍ତ ହେଉଥାନ୍ତି । ଶେଷକୁ ଟ୍ରଙ୍କକଲ୍ କରିବା ପର୍ଯନ୍ତ ଗଲା । କିନ୍ତୁ ଖବର ମିଳିଲା ନାହିଁ । ତା ପର ଦିନ ଗୋଟିଏ ଚିଠି ଆସି ପହଞ୍ଚିଲା । ଝିଅମାନଙ୍କର ଦେହ ଖରାପ । ରାତି ରାତି ଜଗି ଅନିଦ୍ରା ରହି ନବଘନ ବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଯା’ହେଉ କଲିକତା ନେଇ ସେମାନଙ୍କୁ ଟ୍ରିଟ୍‌ମେଣ୍ଟ କରି ଫେରିଛନ୍ତି । ଟିକିଏ ଅବସ୍ଥା ଉନ୍ନତି କରିଛି । ହେଲେ ଝିଅ ଦି’ଟା ରାତିରେ ମା ମା ଚିତ୍କାର କରି ଶୋଉ ନାହାନ୍ତି ।

 

ଚିଠିଟା ପଢ଼ି ମୁଁ ବାସ୍ତବିକ ବ୍ୟସ୍ତ ହୋଇ ପଡ଼ିଥିଲି । ଆହା ! ମା ନାହିଁ । ମୋର ଅଭାବ କି ବାପ ପୂରଣ କରିପାରିବ ! ଟିକୁ କୁକୁଙ୍କ ଦେହ ଖରାପ ହେଲେ କାନି ଧରି ରହିଥିବେ । ଟିକେ ପାଖଛଡ଼ା ହେଲେ କାନ୍ଦି କାନ୍ଦି ଅଥୟ ହେବେ । କେତେ ରାତ୍ରି ଅନିଦ୍ରା, କେତେ ଦିନ କେତେ ଉତ୍‌କଣ୍ଠାରେ କଟିଥିବ, ସେଇ ଭଗବାନ ହିଁ ଜାଣନ୍ତି । ଆଉ ଇଏ ! ବେଶ ଆରାମରେ ଶୋଇ ଶୋଇ ଘୁଙ୍ଗୁଡ଼ି ମାରନ୍ତି । ପିଲାଏ ବ୍ୟସ୍ତ ହେଲେ ଚିଡ଼ି ଉଠନ୍ତି । ହାୟ ! ନବଘନ ବାବୁଙ୍କ ପରି ୟାଙ୍କର ଯଦି ଅବସ୍ଥା ହୁଅନ୍ତା ପାଗଳ ହୋଇଯାନ୍ତେ । କେଜାଣି କାହିଁକି ଘର ଭିତରେ ମୋର ଅନୁପସ୍ଥିତିଟା ଭାବି ଆଉ ସମସ୍ତିଙ୍କର ଅସୁବିଧାଟା କଳ୍ପନା କରି ମୋ ଆଖିରୁ ଲୁହ ଝରି ପଡ଼ିଲା ।

 

କେତେବେଳେ ସେ ଘରକୁ ଆସିଛନ୍ତି ମୁଁ ଜାଣେ ନାହିଁ । ଚିଠିଟା ମୋ ହାତରୁ ଟାଣି ନେଇ ବିରକ୍ତ ହୋଇ ସେ ଚିରି ଦେଇ କହିଲେ–‘‘ଛିଃ ଛିଃ ! ଏମିତି ବୃଦ୍ଧ ପାଗଳ ଲୋକ ମୁଁ କେଉଁଠି ଦେଖିନି । ତା’ ସାଙ୍ଗକୁ ତମେ ବି ଜୁଟିଛ ।’’

 

ମୁଁ ବିରକ୍ତ ହୋଇ ଉତ୍ତର ଦେଲି–

 

‘‘ତମ ଭଳି ସମସ୍ତଙ୍କର ଛାତି ଏମିତି ପଥର ନୁହେଁ ମ ! ଝିଅ ଦି’ଟା ତାର ବେମାର । ଘରେ ମା ନାଇଁ....ଲୋକଟା କେତେ ହଇରାଣ ହେଉଛି... । ଆଜି ଯଦି କିଛି ହୁଏ ନବଘନ ବାବୁ କାହାକୁ ନେଇ ବଞ୍ଚିବେ ଶୁଣେ ?

 

‘‘ସେଠୁ ଗଲାତ ! ତାକୁ ଯେତେ ବୁଝାଇ କହିଲି–ସ୍ତ୍ରୀ କାର ମରୁନି ? ସ୍ତ୍ରୀ ମରିବା ତ ସୌଭାଗ୍ୟର ବିଷୟ । ତୁ ଅନ୍ୟ ଗୋଟିଏ ବାହା ହୋଇ ପଡ଼୍.... ?’’

 

ମୁଁ କଥା ଛଡ଼େଇ କହିଲି–

 

‘‘ହଁ ! ଭାରି ଭଲ କଥାଟା କହିଦେଲ ଆଉ ସେ କଥା ରଖିଲେନି ବୋଲି ତମକୁ କଷ୍ଟ ହେଉଛି ! ସେ ତ ବାହା ହୋଇପଡ଼ିବ ଆଉ ଝିଅ ଦି’ଟାଙ୍କୁ ଯେ ସାବତ ମା ଦେଖିବ, ଏମିତିକି ଗ୍ୟାରେଣ୍ଟି ଦେବ ତମେ ଶୁଣେ ? ବିଚାର ଅନାଥ ଝିଅ ଦି’ଟା ! ଏମିତିରେ ତ ମା ନାହିଁ.....ସେମିତିରେ ଦୁଃଖ ଗାଆଣି ଗାଇଲେ ସରିବ ନାହିଁ । ତମ ନିଜ ପିଲାଙ୍କୁ ଚାହିଁ ତମର କେମିତି ଟିକେ ମାୟା ହୁଏନି...ମୁଁ ବୁଝି ପାରୁନି । ଛିଃ.....ଛିଃ... !’’

 

‘‘କାହିଁକି ବାଜେ କଥାଗୁଡ଼ା ବକୁଛ ଶୁଣେ ? ନବଘନର ମୁଣ୍ଡ ଠିକ୍ ନାହିଁ....ନଚେତ୍ ?’’

 

କଥା ଅଧା ରଖି ଅନ୍ୟମନସ୍କ ଭାବରେ ଚାଲିଗଲେ । ମୁଁ ନବଘନ ବାବୁଙ୍କ ସଂସାର ପାଇଁ ଯେତେ ଚିନ୍ତିତ ହେଉ ନ ଥିଲି, ଚିନ୍ତିତ ହେଉଥିଲି ମୋର ଅବର୍ତ୍ତମାନରେ ମୋର ପରିବାରର ଅବସ୍ଥା କ’ଣ ହେବ ଭାବି ।

 

ଦି’ଦିନ ପରେ ଟେଲିଗ୍ରାମ କଲେ ନବଘନ ବାବୁ ଶୀଘ୍ର ଯିବାପାଇଁ । ଲୁସି ପୁସିଙ୍କ ଦେହ ବୋଧେ ବେଶୀ ଖରାପ ହେଲା କି କ’ଣ ? ରାତି ଅଧରେ ଟେଲିଗ୍ରାମ ପାଇ ମୋ ମନଟାକୁ କେମିତି ପାପ ଛୁଇଁଲା ।

 

ଇଏ ରାଗିଯାଇ ଏକଦମ ନିଆଁ ପାଲଟି ଯାଇ କହିଲେ–

 

କଥା ନାହିଁ, ବାର୍ତ୍ତା ନାହିଁ । ଘଡ଼ି ଘଡ଼ି ଟେଲିଗ୍ରାମ । ମୁଁ ଯାଇ ପାରିବିନି । ମୋର କିଛି କାମ ଅଛି ନା ଖାଲି ନବଘନ ଆଉ ତା’ ଝିଅ ଏଇମାନଙ୍କ ଚିନ୍ତା କରି ମରୁଥିବି ! ତମର ଇଚ୍ଛା ଅଛି ତ ତମେ ଟିକଟ କାଟି ଚାଲିଯାଅ । ମତେ ବ୍ୟସ୍ତ କର ନାହିଁ । ବରଂ ମୁଁ ନବଘନ ପାଇଁ ରାଞ୍ଚିରେ ଗୋଟିଏ ସିଟ୍ ବନ୍ଦୋବସ୍ତ କଲେ ଭଲ କାମ ଦେଖେଇବ.... ।

 

ସତେ ବା ତାଙ୍କର ଏଇ ଶେଷ ନିଷ୍ପତ୍ତି । ସଙ୍ଗେ ସଙ୍ଗେ କମ୍ବଳଟାକୁ ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ଟାଣି ଦେଇ ସେ ଶୋଇଗଲେ । ମୁଁ କିଛି କହିଲିନି । ମୁଁ ଜାଣେ ଟିକକ ପରେ ଠିକ୍ ଗାଡ଼ି ଟାଇମକୁ ସେ ଉଠିବେ ।

 

ସତକୁ ସତ ରାତି ଚାରିଟା ବେଳେ ଉଠି ସେ ବାହାରିଲେ । ଗଲାବେଳେ ମତେ ଗମ୍ଭୀର ଦେଖି ସେ କହିଲେ–‘‘ଫେରେ ଆସିଲେ ଅନେକ କଥା କହିବି । ତମେ ଗୋଟିଏ କାମ କର–ୟା ଭିତରେ ଗୋଟିଏ କେଉଁଠୁ ଝିଅ ଦେଖ–ଗରିବ ଘର ହେଲେ ଭଲ । କଥା ମାନି ରହିବ ଆଉ ଝିଅମାନଙ୍କ ଗୃହ ମୂତ କରିବ । ବିବାହ କରିଦେଲେ ନବଘନକୁ ମୋର ଚିନ୍ତା ସରିବ ଯାଇ.... ।’’

 

ମୋ ମୁଣ୍ଡରେ କ’ଣ ପଶିଲା କେଜାଣି ମୁଁ କହିଲି–‘‘ସେ କଥା ପରେ ବୁଝିବା । ତମକୁ ମୋ ରାଣ । ମୋ ମନ ଭାରି ଛୁଆ’ଦିଟଙ୍କା ପାଇଁ ଗୋଳେଇ ହେଉଛି । ତମେ ଯାଅ ନବଘନବାବୁ ଓ ଝିଅ ଦି’ଜଣଙ୍କୁ ଗାଡ଼ି କରି ଏଠାକୁ ନେଇଆସ । କଟକରେ କେତେ ସୁବିଧା । ଭଲ ହୋଇଗଲେ ପୁଣି ଚାଲିଯିବେ ତାଙ୍କ ଜାଗାକୁ । ବୁଝାଇ ସେମାନଙ୍କୁ ନେଇ ଆସ । ତମେ ସେ ରୋଗୀ ଦେଖା, ରାତି ଜଗା କିନ୍ତୁ ପାର ନାହିଁ ମୁଁ ଜାଣେ । ଓଲଟା ବନ୍ଧୁତ୍ୱ ଦେଖାଇବାକୁ ଯାଇଁ ନିଜେ ଯେପରି ଦେହ ଖରାପ କରି ନ ବସ । ସବୁଠୁ ଭଲ ତମେ ସେମାନଙ୍କୁ ଏଠାକୁ ନେଇ ଆସ.....ମୁଁ ସବୁ ବନ୍ଦୋବସ୍ତ କରିଦେବି । ଝିଅ ଦି’ଟାଙ୍କୁ ଦେଖିବାକୁ କେତେ ଯେ ମୋର ଇଚ୍ଛା.... ।’’

 

କହୁ, କହୁ ମୋ ଆଖିରେ ଲୁହ ଭରିଉଠିଲା । ସେ କ’ଣ କହି ଆସୁ ଆସୁ ଅଟକିଗଲେ-। ଟିକକ ପରେ ଗଳା ଖଙ୍କାରି କହିଲେ–

 

‘‘ତମେ କ’ଣ ମତେ ପଶୁ ଭାବୁଛ, ମାଳତୀ ! ନବଘନ ମୋର ଅତି ଆପଣାର ବନ୍ଧୁ । ସୁଭଦ୍ରା ମରିଗଲା ପରେ ମୋର ମନେ ହୁଏ ତାର ମାନସିକ ବିକୃତି ଘଟିଛି । ନଚେତ୍..... ନଚେତ୍ ଏମିତି... ଅଚ୍ଛା.... ଏସବୁ ଥାଉ । ମୁଁ ଫେରିଆସେ । ନବଘନକୁ ତମର ନିମନ୍ତ୍ରଣ ଜଣାଇବି, ଚେଷ୍ଟା କରିବି ତାକୁ ନେଇ ଆସିବାକୁ ।

 

ସେ ଚାଲିଗଲେ । ମୁଁ କଟକଚଣ୍ଡୀଙ୍କୁ ମୁଣ୍ଡ ଲଗାଇ ପ୍ରଣିପାତ କଲି । ମାହରା ଅନାଥ ଶିଶୁ । ଯେମିତି ଭଲ ହୋଇଯା’ନ୍ତୁ ।

 

ସେ ଯିବାର ଚାରିଟି ଦିନ ବିତିଯାଇଛି । ପ୍ରତିଦିନ ମୁଁ ଭାବେ ଏଇ ଫେରିବେ । ସଙ୍ଗରେ ଆଣିବେ ଲୁସି ଆଉ ପୁସି । କଉତୁକିଆ ଛୁଆ ଦିଓଟି ହୋଇଥିଲେ ବୋଲି ସେଥର ନବଘନବାବୁ କହୁଥିଲେ । ଆହା ! ସୁଭଦ୍ରା ମରିବାର ବର୍ଷେ ବି ହେଇନି... କେତେ ଭୋଗିଲେଣି ସେମାନେ । ଛୁଆ ଦି’ଟାଙ୍କୁ କିଛି ଦେଇପାରି ନାହିଁ । ଏକୋଇଶିଆକୁ ଖବର ନବଘନ ବାବୁ ଦେଇ ନ ଥିଲେ । ଇଏ ତାଙ୍କର ଘରକୁ ବୁଲି ଗଲା ବେଳେ କିଛି ଜିନିଷ ନେବାକୁ କହିଲେ କହନ୍ତି ସିଆଡ଼େ କିଣି କରି ନେଇନେବେ । ଆଉ ନବଘନ ବାବୁ ଏଠାକୁ ଆସିଲାବେଳେ ବୋଝ ବୋଝ ଜିନିଷ ‘ଟିକୁ’ ଆଉ ‘କୁକୁ’ ପାଇ ନେଇ ଆସନ୍ତି । ମତେ ଲାଜ ମାଡ଼େ । ଇଏ ତ ସବୁ କଥାରେ ହସି ଦିଅନ୍ତି । କାହାକୁ ଆଉ କହିବି ?

 

ହାୟ ! ହାୟ ! ସବୁ କଳ୍ପନା କଳ୍ପନା ମୋର ପାଣି ହୋଇଗଲା । ଲୁସି ପୁସି ଚାଲିଗଲେ ସବୁ ଦିନ ପାଇଁ । ନବଘନ ବାବୁ ତ ବିଛଣା ଧରି ଯାଇଥିବେ..... !

 

ମୁଁ ଆଉ ଭାବି ପାରିଲିନି । ଟିକୁ କୁକୁଙ୍କୁ କୋଳରେ ଧରି ଖାଲି ନୀରବରେ କାନ୍ଦୁଥିଲି ମୁଁ–ତା ଛଡ଼ା ମୋର ଆଉ ଉପାୟ କ’ଣ ?

 

କୌଣସି ମତେ ସନ୍ଧ୍ୟା ଗାଡ଼ି ପର୍ଯ୍ୟନ୍ତ ମୁଁ ଅପେକ୍ଷା କଲି । ଭାବିଲି ନିଶ୍ଚୟ ସନ୍ଧ୍ୟାରେ ସେ ଆଉ ନବଘନ ବାବୁ ଫେରିବେ ! ମାତ୍ର ଅପେକ୍ଷା ଅପେକ୍ଷାରେ ହିଁ କଟିଲା..... ।

 

ରାତି ଅଧରେ କବାଟ ଖଡ଼ ଖଡ଼୍ ଶବ୍ଦରେ ମୁଁ ଉଠି ବସିଲି । କିଏ ? ଝର୍କା ସେ ପଟରେ ନବଘନ ବାବୁ ଛିଡ଼ା ହୋଇଛନ୍ତି । ନବଘନ ବାବୁ ଦୁଃଖରେ ସ୍ଥାଣୁ ପାଲଟି ଯାଇଛନ୍ତି ।

 

କବାଟ ନ ଖୋଲୁଣୁ ସେ କହିଲେ–‘‘ଶୀଘ୍ର ଦାଣ୍ଡଘରେ ବିଛଣା କରିଦିଅ ନବଘନ ପାଇଁ-। ଚାରି ଦିନ ହେଲା ସେ ଶୋଇନି । ସକାଳେ ସବୁ କଥା ।’’

 

ଦୁହେଁ ଯାକ ସାଙ୍ଗ ହୋଇ ଦ୍ୱାର ବାରଣ୍ଡାରେ ଗୋଡ଼ ହାତ ଧୋଇବାକୁ ଗଲେ । ମୁଁ କଥା ସିନା କହି ପାରିଲିନି ମାତ୍ର, ମାର ଲୁହକୁ ଅଟକାଇ ପାରି ନ ଥିଲି..... ।

 

ବିନା ବାକ୍ୟରେ ନବଘନ ବାବୁ ଘରେ ପଶି କବାଟ ଦେଲେ । ମୁଁ ସ୍ଥାଣୁ ପରି ବାରଣ୍ଡାରେ ଛିଡ଼ା ହୋଇଥାଏ, ଇଏ ଆସି ମୋ କାନ୍ଧରେ ହାତ ରଖି ଧୀରେ କହିଲେ–

 

‘‘ଛି, ଛି, ପିଲାଙ୍କ ଭଳି କାନ୍ଦୁଛ ! ଆସ, ଘରକୁ ଆସ ।’’ ମୁଁ କୋହ ଚାପି ଚାପି ଭିତରକୁ ଗଲି, ଯେପରି ନବଘନ ବାବୁ ମୋ କାନ୍ଦ ନ ଶୁଣନ୍ତି ।

 

ଘର ଭିତରେ ମୋ କାନ୍ଧରେ ଚାପ ଦେଇ ପରିହାସ ଭଙ୍ଗୀରେ ଇଏ କହିଲେ, ‘‘ଏମିତି କାନ୍ଦନା ମାଳତୀ ! ତମ କାନ୍ଦ ଦେଖିଲେ ନବଘନ ହୁଏତ ତମ ପ୍ରେମରେ ପଡ଼ିଯିବ । ଶେଷରେ ମୋତେ ହିଁ ରାଞ୍ଚି ଯିବାକୁ ହେବ ।’’

 

ମୁଁ ଉତ୍ତର ଦେଲିନି । ମୋର ନୀରବତା ଦେଖି ସେ କହିଲେ–‘‘ତମେ କହିଥିଲ ନା ଦେଖିବ ଲୁସି ଆଉ ପୁସିଙ୍କୁ । ହେଲେ ତା ଯେତେ ବେଳେ ସମ୍ଭବ ନୁହେଁ ଆଉ ସେମାନଙ୍କର ଫଟୋଟା ଅନ୍ତତଃ ଦେଖି ମନର ଓରମାନ ମେଣ୍ଟାଇ ନିଅ ।’’ କହୁ କହୁ ଖଣ୍ଡେ ଫଟୋ ସେ କୋର୍ଟ ପକେଟରୁ କାଢ଼ି ମୋ ହାତରେ ଦେଲେ । ଇଏ କ’ଣ ? ମୁଁ ଚମକି ପଡ଼ିଲି । ମୁଁ ଠିକ୍ ଦେଖୁଛି ତ ? ନା, ନା । ମୁଁ ଆଖି ପରିଷ୍କାର କରି ପୁଣି ଦେଖିଲି ଯୋଡ଼ିଏ ଶଙ୍ଖୀ ବିଲେଇ ପାଖାପାଖି ବସିଛନ୍ତି । ଡଉଲ ଡଉଲ ଶଙ୍ଖ ମଲମଲ ଚେହେରା । ବେକରେ ସୁନାହାର ନା କ’ଣ ପଡ଼ିଛି । ମୁଁ କାବା ହୋଇ ତାଙ୍କୁ ଅନାଇଲି । ସେ କହିଲେ–‘‘ହଁ ମାଳତୀ ! ଏଇ ଦୁଇଟି ବିଲେଇ ନବଘନ ଝିଅ । ମଣିଷ ଶିଶୁଠାରୁ ସେ ତାଙ୍କୁ ଅଧିକ ସ୍ନେହ କରୁଥିଲେ... ।’’ ସେ ଆଉ କହି ପାରିଲେନି । ଝରଝର ଲୁହ ତାଙ୍କ ଆକ୍ଷିରୁ ଝରି ପଡ଼ୁଥିଲା ।

 

ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇଗଲି । କାରଣ ନବଘନର ବିଲେଇ ଝିଅ ପାଇଁ ଏମିତି କାନ୍ଦିପାରିବେ ମୁଁ କଳ୍ପନା କରି ପାରି ନ ଥିଲି ।

 

ରାତିରୁ ଆକାଶରେ ତାରାସବୁ ସେତେବେଳେ ମଳିନ ପଡ଼ିଗଲେଣି !!!

Image

 

ସୀମାବଦ୍ଧ

 

କଦମ୍ବ, କୃଷ୍ଣଚୂଡ଼ା କି ବକୁଳ ଗଛ ନ ହୋଇ ସୁନାରୀ ଗଛଟା ଯେ କାହିଁକି ଜୀବନରେ ଗୋଟିଏ ନିର୍ଜୀବ ସାକ୍ଷୀ ରୂପେ ସବୁ କଥାରେ ମୁହଁକୁ ଚାହିଁ ଛିଡ଼ାହେଲା, ସେଇଟା ତା’ର ମନ ସହଜରେ ବୁଝିପାରେ ନାହିଁ । ସବୁ ବଡ଼ ବଡ଼ ଘଟଣା ସହିତ ସୁନାରୀ ଗଛଟା ମନକୁ ମନ ଯେମିତି ଯୋଡ଼ି ହୋଇଯାଏ !

 

ପ୍ରଥମେ ଅନଭ୍ୟସ୍ତ ଭାବରେ ସାଇକେଲ ଶିଖୁ ଶିଖୁ ଛିଟିକି ସେ ପଡ଼ି ଯାଉ ଯାଉ ସୁନାରୀ ଗଛକୁ ଧରି ପକାଇଥିଲା । କଲେଜର ପଢ଼ିବାକୁ ଯାଉ ଯାଉ କେତେଥର ପ୍ରିୟମ୍ବଦା ପାଇଁ ସେ ସୁନାରୀ ଗଛର ଫୁଲ ନେଇ ଯାଇଛି । ଆଉ ନିରାଟିଆ ଉଦୁଉଦିଆ ଖରାବେଳେ କେମିତି କିଏ ଡାକିଲା ପରି ସେ ଗଛମୂଳେ ବସିଯାଇଛି କେତେବାର । ଷ୍ଟ୍ରାଇକ୍ ସାରି ଫେରନ୍ତା ପଥରେ ସ୍ଳୋଗାନ୍‍ର ପାମ୍ପଲେଟ କେତେଟା ବି ସେ ଗଛରେ ଲଗାଇ ଦେଇଛି । ଆଉ ସେଇଠି ଠିଆହୋଇ ହୁଇସିଲ ମାରିଛି ଅଜଣା ଝିଅର ମୁହଁକୁ ଚାହିଁ । ବାପାଙ୍କଠୁ ଗାଳି ଖାଇ ସେଇଠି ନିରୋଳାରେ ସେ ବଡ଼ପାଟିରେ ବାପାଙ୍କୁ ଉତ୍ତର ଦେବା ପାଇଁ ରିହରସାଲ କରିଛି । ସେହି ଗଛମୂଳେ ଯେମିତି ସବୁ ସୁବଦ୍ଧି ଆଉ କୁବୁଦ୍ଧି ଜୀବନର ମୁଣ୍ଡରେ ହାବୁଡ଼ୁବୁ ଖାଏ ।

 

ଗାଁରୁ କି ଦୂରରୁ କିଏ ଆସିଲେ ସେ ତାଙ୍କୁ ସହର ବୁଲାଇ ନିଏ । ନିଜକୁ ଗୋଟିଏ ବଡ଼ ଗାଇଡ଼ି ହସିବାରେ ଭାବିବାକୁ ତାକୁ ଭଲ ଲାଗେ । ବାଟସାରା କହିଚାଲେ ସେ–ହେଇ ଦେଖ ଷ୍ଟେସନ, ରେଭେନ୍‌ସା କଲେଜ, ପୋଷ୍ଟଅଫିସ, ମେଡ଼ିକାଲ କଲେଜ, ହାଇକୋର୍ଟ, ମହିଳା କଲେଜ, ଚଣ୍ଡୀମନ୍ଦିର, ଖାନନଗର, ଚର୍ଚ୍ଚ, ମସଜିଦ୍ ଇତ୍ୟାଦି.....ଇତ୍ୟାଦି ସହ ସେମାନଙ୍କର ମନଗଢ଼ା ଇତିହାସ ! ଶେଷକୁ ହେଇ ଦେଖ ‘ସୁନାରୀ ଗଛ’..ଫୁଲ । ସୁନାଫୁଲ ତେଜରେ କେମିତି ସୂର୍ଯ୍ୟକୁ ଟପି ଯାଇଛି.... । ଅଜଣା ଦର୍ଶକ ସ୍ତମ୍ଭିତ ହୁଏ, ଜଣା ଦଶକ ସତେ ବା ନୂଆକରି କିଛି ଆବିଷ୍କାର କରେ !

 

ସେଦିନ ‘ଗରିବି ହଟାଓ’ ଆନ୍ଦୋଳନ ଉପରେ ଏକ ଭାଷଣ ଦେଇସାରି ସେ ଏକ ଅଦ୍ଭୁତ ଉଦ୍ଦୀପନା ନିଜ ଭିତରେ ଅନୁଭବ କରିଥିଲା । ଖାଲି ଗୁଡ଼ାଏ ସୁନେଲୀ ସ୍ୱପ୍ନ ତାକୁ ଆଚମକା କୁତୁକୁତୁ କରି ଅସ୍ଥିର କରି ଦେଇଥିଲା । ସତେ କ’ଣ ଏସବୁ ସମ୍ଭବ ? ସୁନାରୀ ଗଛରେ ଲହଡ଼ି ମାରୁଥିବା ଫୁଲର ଢେଉ ସତ ସୁନା ପାଲଟିଗଲା କି ? ଟିଣ, ନଡ଼ା, ପୋଲ ତଳେ ତାଳ ବାହୁଙ୍ଗାଘେରା ଘରଗୁଡ଼ିକ ସବୁ କ’ଣ ସୁନା ପାଲଟିଗଲା କି ଆଉ ? ପ୍ୟଣ୍ଟ ଆଉ ସାର୍ଟ ପକେଟରେ ଗୁଡ଼ାଏ ସୁନାରୀ ଫୁଲ ପୂରାଇ ସେ ଘରକୁ ଗଡ଼ ଜିଣିଲା ପରି ଫେରିଲା ।

 

ବୋଉ ପଚାରିଲା–

 

‘‘ପକେଟରେ କ’ଣ ପୂରେଇଛୁ କିରେ ? ଉତ୍ତର ଦେବା ଆଗରୁ ଚୂନି ପକେଟରେ ହାତ ପୂରାଇ କହିଲା–

 

‘‘ଭାଇ ! ଲଜେନ୍‌ସ ଆଣିବ କହିଥିଲ....ଏତେଗୁଡ଼ାଏ.... ।’’

 

ଏତିକି କହି ମୁହଁ ତା’ର ଫିକା ପଡ଼ିଗଲା । କାରଣ ବାହାରି ଆସିଲା ତାର ଟିକ ପାପୁଲିରେ ସୁନାରୀ ଫୁଲର କେତୋଟି ଝରା ପାଖୁଡ଼ା ।

 

ବୋଉ ହସିଦେଇ କହିଥିଲା–

 

‘‘ବାଇଆଟା ! ଏମ୍‌.ଏ ପାଶ କଲୁ, କେଉଁଠି ଯାଇ ଚାକିରି ବାକିରି ଖବର ବୁଝି ବାପା ପଛକୁ ଟିକିଏ ଅଣ୍ଟା ଲଗେଇ ଦିଅନ୍ତୁ ନା, ରାତି ଅଧଯାଏ ଟିଂ ଟିଂ ବୁଲି ଫୁଲ ତୋଳୁଛୁ ? ଏଣେ ମୁଁ ଚାହିଁ ବସିଛି....ଭାତ ଶୁଖିଗଲାଣି । ଚାଲିଲୁ..... !’’

 

ଅଣ ଓସାରିଆ ବାରଣ୍ଡାରେ ଟିଣ ଚେୟାର ଦେହରେ ବାପା ବସିଥିବା ଅବସ୍ଥାରେ ତେର୍ଚ୍ଛଇ ଚାହିଁଲେ ଟିକେ ଜୀବନକୁ । ଛାତି ଭିତରଟା ଧଡ଼ପଡ଼ ହୋଇଉଠିଲା । ସେ ପଛପଟ ଦେଇ ଭାଙ୍ଗିଗଲା ବେଳେ ବାପା ବିଡ଼ିଟା ଆଗକୁ ଫୋପାଡ଼ି କହିଲେ–

 

‘‘ତୁମେ ସେ ବାରିଷ୍ଟରଙ୍କ ପୁଅ ସଙ୍ଗରେ ଏତେ ମିଳାମିଶା କରିବାଟା ମୁଁ ଉଚିତ୍ ମନେ କରୁନି । ଏଣିକି ସଭା ସମିତ ଛାଡ଼ି ଅନ୍ତତଃ ନିଜକୁ ଚଳେଇବାର ବନ୍ଦୋବସ୍ତଟା କର..ଆଉ ତ ତିନି ମାସ ରହିଲା...ତେଣିକି... ।’’

 

ଜୀବନର ଏହି ତିନି ମାସ ରହିବା କଥାଟା ଏକ ସପ୍ତାହ ଭିତରେ ତିନି ହଜାର ଥର ସେ ଶୁଣିଛି । ଆଉ ତା’ ସହିତ ‘ତୁ’ ବଦଳରେ ‘ତୁମେ’ ଶବ୍ଦ । ତିନି ମାସ ପରେ ସତେ ବା ଏକ ପ୍ରଳୟ ଝଞ୍ଜା ଏ ଘରକୁ ଧ୍ୱଂସ କରିଦେବ ! ଉଡ଼େଇ ନେଇ ପକେଇଦେବ କେଉଁ ମରୁଭୂମିରେ ! ରିଟାୟାର ଏ ଦେଶରେ ଅନେକ ଲୋକ କରୁଛନ୍ତି–ତାଙ୍କମାନଙ୍କର ପୁଅମାନେ ବେକାର, ଝିଅମାନେ ଅବିବାହିତା, ବାପା, ମା’ମାନେ ରୋଗଯନ୍ତ୍ରଣାରେ ଔଷଧ ବିନା ଛଟପଟ–ଏଇଟା କିଛି ନୂଆ କଥା ନୁହେଁ । ବାରିଷ୍ଟର ପୁଅ ସହିତ ଜୀବନରେ ଚାକିରି, କି ବାପାଙ୍କ ରିଟାୟାରମେଣ୍ଟ କିମ୍ବା ଅନଟନ କୌଣସିଟା ସଂପୃକ୍ତ ନୁହେଁ । ତଥାପି ସେ କଥା କହନ୍ତି ଏକ ଭିନ୍ନ ମୁଡ଼ରେ ଥିଲାବେଳେ–ଜୀବନ ନିଜର ସାଂସାରିକ ଅକ୍ଷମତା ଯୋଗୁଁ ଉତ୍ତର ଦେବାକୁ ସଂକୋଚ ମନେ କରେ । ଏହି ସମୟରେ କଥାଟା ବଡ଼ ବେଶୀ ବାଧିଲା ଯେମିତି.... ।

 

ଚାଉଳ ଗନ୍ଧଉଛି । ନାକ ଟାକି ହୋଇଯାଉଛି ମନକୁ ମନ । ଦି’ ଦିନ ହେଲା ଯେଉଁ ଚାଉଳ ଆସିଛି, ତାକୁ ଛୁଇଁ ହେଉନି । ମାତ୍ର ମୁହଁ ଖୋଲି ଏକଥା କେଉଁ ତାକ୍‌ତରେ କିଏ କହିବ ?

 

‘‘ବୋଉ ?’’

 

‘‘କ’ଣ ?’’

 

‘‘ରାତିରେ ରୁଟି କଲୁନି ? ଚାଉଳଠାରୁ ଅଟା ଶସ୍ତା... ।’’

 

‘‘ସବୁଦିନେ ତ କରେ–ହେଲେ ଆଜି ବାମ୍ପ ପଡ଼ି ପାପୁଲିଟା ସିଝିଯାଇଛି...ଚକଟି ପାରିଲିନି । ଦିନଟା ଏ ସେମିତି ଚଳେଇନିଅ ।’’

 

‘‘କାହିଁ ଦେଖେ ?’’

 

ବୋଉର ଡାହାଣ ହାତ ପାପୁଲି ଉପରେ ଦି’ ତିନିଟା ଡିମା ଡିମା ଫୋଟକା । ଗୋରା ହାତଟା ସିଝି କଳାକାଠ । ଅନେଇ ହଉନି । ବାଁ ହାତରେ ଚଟୁ ଧରି ବୋଉ ଭାତ ବାଢ଼ିବା କଥାଟା ସେ ଜାଣି ପାରିନି..... ।

 

ଜୀବନର ଅତର୍କିତରେ ପାଟିରୁ ବାହାରିଗଲା–

 

‘‘ସାଙ୍ଗେ ସାଙ୍ଗେ କେଉଁ ଡାକ୍ତରକୁ ଦେଖେଇଥାନ୍ତୁ ନା.....କ’ଣ ଲଗେଇଛୁ ?’’

 

‘‘ନାଇଁ ମ, କିଛି ହେବନି....ସେମିତି ଭଲ ହୋଇ ଯିବନି.....ତୁ ଖା, ଖାଇଲୁ... ।’’

 

ଜୀବନ ଥାଳିରେ ଗାର କାଟି ଅନ୍ୟମନସ୍କ ହୋଇଗଲା । ଆର ବର୍ଷ ଚୂନିର ଗୋଡ଼ଟା ପନିକି ମାଡ଼ି କଟିଯାଇ ରକ୍ତସ୍ରୋତରେ ଘର ଭାସିଗଲା ପରେ ବି ଏ ଘରେ ଡାକ୍ତର ଡକା ହୋଇ ନ ଥିଲା କି ଚୂନିକି କେହି ଡାକ୍ତରଖାନା ନେଇ ଯାଇ ନ ଥିଲେ । ବୋଉ କାନ୍ଦି କାନ୍ଦି ବାପାଙ୍କୁ କେତେ ଅନୁନୟ କରିଥିଲା । ମାତ୍ର ବାପା ଶୁଣି ନ ଥିଲେ । ସେଦିନ ଜୀବନ ଭାବିଥିଲା ସପ୍ତମ କନ୍ୟା ହୋଇଥିବାରୁ ବାପା ବୋଧେ ଭାଳୁଛନ୍ତି, ଚୂନି ମରିଗଲେ ତାଙ୍କର କିଛି କ୍ଷତି ହେବ ନାହିଁ, କିନ୍ତୁ ବାପା ତ ଚୂନିକୁ ଗେଲ କରିବାର ସେ ଅନେକ ସମୟରେ ଦେଖିଛି !

 

ଆଉ ବୋଉ ତ ସାମାନ୍ୟ । ତା’ର ରୋଗ ଶୋକ କେବେ ହୋଇଛି ଏବଂ ଏ ଘରେ କିଏ ଜାଣେ ସେକଥା ସେ ଅନ୍ତତଃ ଜାଣେ ନାହିଁ । ଜୀବନ ହଠାତ୍ ଖାଇବା ଛାଡ଼ି ଉଠିଗଲା... ।

 

ବୋଉ ବ୍ୟସ୍ତ ହୋଇ କହିଲି ବାପାଙ୍କୁ ଶୁଣେଇ...

 

‘‘କି ଚାଉଳ ଆଣିଛ ? ବନ ଦି’ଦିନ ହେଲା ଦି’ଗୁଣ୍ଡା କରି ବି ଖାଉନି ।’’

 

ବାପାଙ୍କ ଉତ୍ତର ଶୁଣିବାକୁ ତାର ଧୈର୍ଯ୍ୟ ନ ଥିଲା । ସେ ଦୁମ୍ କରି ଯାଇ ବିଛଣାରେ ପଡ଼ିଗଲା । ଏମ୍.ଏ.ପାଶ କରିବାର ଦୁଇ ବର୍ଷ ପରେ ଯଦି ତା’ର ବାପା ତାକୁ ଚାକିରି କରିବା କଥା କହିଲେ, ସେଥିରେ ତ କିଛି କ୍ଷତି ନାହିଁ ? ମାତ୍ର ସେ କ’ଣ ଚେଷ୍ଟା ନ କରିଛି ? ଆଇ.ଏ.ଏସ୍; ଓ.ଏ.ଏସ୍ ପରୀକ୍ଷା ଦେଉଛି । ଅଧ୍ୟାପକ ଚାକିରି ପାଇଁ ଦରଖାସ୍ତ ପକାଇଛି; ଆଉ ଯେତେ ଯେଉଁଠି ପୋଷ୍ଟ ଖାଲି ହେଲା ସେଠିକି ବି ଦୌଡ଼ୁଛି । ଏବେ ଆଉ ଉପାୟ କ’ଣ ? ହେଇ ହେଇ ବେକାର ଥିବାରୁ ସଭା ସମିତି ବକୃତା ଟିକେ ବଢ଼ିଯାଇଛି । ବାପାଙ୍କର ତିନି ମାସ ରହିଲା...ୟା’ ପୂର୍ବରୁ ପନ୍ଦର ଜଣଙ୍କୁ ସେ ଭରଣ ପୋଷଣ କରିଛନ୍ତି । ଦିନେ ହେଲେ ତାକୁ ଚାକିରି କରିବା କଥା କି ସାଙ୍ଗସାଥି ସମ୍ପର୍କରେ ମନ୍ତବ୍ୟ ଦେଇ ନାହାନ୍ତି ।

 

ବାପାଙ୍କ ଅଣ୍ଟାକୁ ସଳଖି ଦେବାକୁ ତା’ର ଚାକିରି ଦରକାର । ବୋଉର ପୋଡ଼ା ଘା’ ପାଇଁ ଔଷଧର ଆବଶ୍ୟକତା କ’ଣ ନାହିଁ ? ଅଛି, ସେଇଟା ବୋଉ ପାଖରେ ଗୌଣ ।

 

ତେବେ ? ବଡ଼ ହତାଶ ଲାଗିଲା ତାଙ୍କୁ । ଚାକିରି ନ ପାଇ ତା’ ଉପର ମେଧାବୀ ଛାତ୍ରମାନେ କିପରି ସର୍ବହରା ପରି ଘୁରି ବୁଲୁଛନ୍ତି ସେ ଦୃଶ୍ୟଗୁଡ଼ା ଛବି ପରି ତା’ ଆଖି ଆଗରେ ନାଚିଗଲା ।

 

ଜୀବନର ଭୋକିଲା ପେଟରେ ନିଆଁ ଜଳୁଥିଲା । ଦିନସାରା ଉପବାସ କହିଲେ ଚଳେ ।

 

କିପରି ଗୋଟିଏ ଅସ୍ୱସ୍ତି...... ।

 

ବୋଉ ଆସିଲା ଘର ଭିତରକୁ । କଂସା ତାଟିଆରେ ମୁଢ଼ି । ରାଗି ଆସୁ ଆସୁ ଜୀବନ ହସି ପକାଇ କହିଲା–

 

‘‘ଫେରକ କାହିଁକି ମୁଢ଼ି ଆଣିଚୁ ? ମୁଁ ତ ଖାଇଛି...... ।’’

 

‘‘ହଉ ! ବାପାଙ୍କ ଉପରେ ଚପଟ ପଡ଼ୁଛି, ତୁ ବଡ଼ ପୁଅ–ପଦେ ଅଧେ କଥା କହିଦେଲେ..... ।’’

 

‘‘କିନ୍ତୁ ମୋ ସାଙ୍ଗମାନେ କ’ଣ ଅପରାଧ କଲେ ?’’

 

‘‘ନାହିଁ ମ....ସେମାନେ ବଡ଼ଲୋକର ପିଲା ।’’

 

ଶ୍ରେଣୀହୀନ ସମାଜ ବିଷୟରେ ବୋଉ ତ କିଛି ଜାଣେନି । ‘‘ଗରିବ ହଟାଓ’’ ଆନ୍ଦୋଳନରେ ସବୁ ତଥାକଥିତ ବଡ଼ଲୋକ କେମିତି ଝାସ ଦେଇଛନ୍ତି–ସାମ୍ୟବାଦ ପ୍ରତିଷ୍ଟା ପାଇଁ ଆଜିର ଜନତାର ବ୍ୟାକୁଳତା ଏ ସମ୍ବନ୍ଧରେ ତା’ର ବୋଉ କ’ଣ ଜାଣେ ? ଆଉ ବାପା ? ଜୀବନଟାସାରା ଟଙ୍କା ଛଡ଼ା ଆଉ କିଛି ଭାବୁ ନାହାନ୍ତି ?

 

ଏତିକିବେଳେ ବୋଉ ତା ପାଟିରେ ବା ହାତରେ ମୁଠେ ମୁଢ଼ି ଖୁଆଇଦେଲା । ବାଁ ହାତରେ ବୋଉର ପୁରୁଣା ରୁଲି ପଟକ ଆଉ ନାହିଁ ।

 

ମୁଢ଼ି ଚୋବାଇ ସେ ପଚାରିଲା–

 

‘‘ତୋ ରୁଲି ଗଲା କୁଆଡ଼େ ?’’

 

ବୋଉ ହସିଦେଇ କହିଲା–

 

‘‘ସେ ପଟଟା ଭାଙ୍ଗିଦେଇ ରମାପୁଅ ଏକୋଇଶାକୁ ଖଡ଼ୁ ପଠେଇଲି । ରମା ମନ କଷ୍ଟ କରିବିନି... ? ପ୍ରଥମ ପୁଅ..... । ହଅ.....ତୁ ଚାକିରି କଲେ...ଠାକୁର ଚାହିଁଲେ ।’’

 

ବୋଉ ରହିଗଲା ହସିଦେଇ । ଝଲକାଏ ଶୀତଳ ପବନରେ ସୁନାରୀ ପୁଲର ପତଳା ପାଖୁଡ଼ା ଟେବୁଲ ଉପରୁ ଖସି ପଡ଼ିଲା ।

 

ଜୀବନ ହସିଦେଇ କହିଲା–

 

‘‘ଠାକୁରଙ୍କୁ ପ୍ରାର୍ଥନା କଲେ ସୁନାରୀ ଫୁଲ ସୁନା ପାଲଟି ଯାଆନ୍ତାନି ? ଏମିତି କ’ଣ ଏବେ ଆଉ ହୋଇ ପାରିବନି ?’’

 

ବୋଉ ଜବାବ ଦେଲା–

 

‘‘ହବନି କାହିଁକି ? ସବୁ ହବରେ ବାୟା ! ଭକ୍ତି ନିଷ୍ଠା ଥିଲେ କୋଉ କଥା ଅସମ୍ଭବ ହେବନି.... ।’’

 

ଜୀବନର ମନ ହେଉଥିଲା ବୋଉ କାନ୍ଧରେ ମୁହଁ ଲଦି କାନ୍ଦିବାକୁ । ଏମ.ଏ.ପାସ୍ କରି ସତେ ବା ତା’ର ଛାତି ଲୁହ ପରି ଟାଣ ହୋଇଯାଇଛି । ମାତ୍ର କାନ୍ଦି ପାରିଲିନି, କ୍ଷୋଭ ଆକ୍ରୋଶରେ ସେ ସୁନାରୀ ଫୁଲଗୁଡ଼ାକ ଦଳି ପକାଇଲା କେବଳ !!

Image

 

କୁହୁଡ଼ି

 

ସେମାନଙ୍କର ଏକାଠି ବସି କଫି ଖାଇବା କିଛି ଦିନ ଧରି ବନ୍ଦ ହୋଇଯାଇଛି । କାରଣ କେହି କାହା ସଙ୍ଗରେ ସମୟ ମିଳାଇ ଏଠିକି ଆସିଲେନି । ଅନ୍ୟ କାହାକୁ ନେଇ କିଏ ଯାଉଛି କି ନାହିଁ ତାର ଖବର ମଧ୍ୟ କେହି ରଖିବାକୁ ଆଗ୍ରହ ପ୍ରକାଶ କଲେନି । କଫି ରେସ୍ତୋରାଁରେ ବହୁ ଜନସମାଗମରେ ହୋଟେଲର ନିର୍ଦ୍ଦିଷ୍ଟ ବୟଟି ବ୍ୟତୀତ ଅନ୍ୟ ସମସ୍ତ ବେଶୀ ଦିନ ଏ କଥା ମନେରଖିବା ଅବାନ୍ତର ମନେ କରିଥିଲେ ଏବଂ କିଛି ଦିନ ପରେ କଥାଟା ମୋଟାମୋଟି ପାସୋର ହୋଇଯାଇଛି ପ୍ରାୟ ।

 

ଏଥି ଅନ୍ତରେ ହଠାତ୍ ଗୋଟିଏ ଏକ୍‌ଜିବିସନ୍‌ର ଧସ୍ତାଧସ୍ତି ଭିତରେ କୋକାକୋଲା ପିଇ ଲଟେରୀ ଉଠୁଥିଲା ବେଳେ ସୀତାଂଶୁ ଦେଖିଲା ଦୁଇ ବର୍ଷ ଗତ ହୋଇଯାଇଥିଲେ ବି ବନଲତାର ସିନ୍ଥିରେ ସିନ୍ଦୁର ନାହିଁ...କି ତାର ସାଥିରେ ଅନ୍ୟ ପୁରୁଷ ବନ୍ଧୁ ନାହିଁ । ଚମତ୍କାର ଭାବରେ ଚେହେରାରେ ବରଂ ଗୋଟିଏ ଲାବଣ୍ୟ ଫୁଟି ଉଠିଛି । ସୀତାଂଶୁ ଆଖିରୁ ଚଷମାଟା କାଢ଼ି ପରିଷ୍କାର କରିନେଲା । କୋକୋକୋଲା ଦୋକାନର ଦର୍ପଣରେ ବନଲତାର ଉଚ୍ଛଳ ହସ ପୁନଶ୍ଚ ଗୋଟିଏ କମ୍ପନ ସୃଷ୍ଟି କରୁଛି ଛାତି ଭିତରେ ।

 

‘‘ଏଇ ଇଡ଼ିୟଟ... !’’ ସୀତାଂଶୁର କାନ୍ଧ ଉପରେ ଗୋଟିଏ ପରିଚିତ ହାତର ସ୍ପର୍ଶ !

 

“ତୁ…ତୁ, ମନୁ ! କେବେ ଫେରିଲୁ କିରେ–!”

 

‘‘ମନେ ମନେ ତୁ କ’ଣ ଭାବୁଥିଲୁ ମୁଁ ଆଉ ଫେରନ୍ତି ନି... ! ଫେରିଲିଣି ଆଠ ଦିନ ହେଲା–ଅର୍ଥାତ୍ ମ୍ୟାରେଜ ପାଇଁ । ଆଁଟାଏ କରିଦେଲୁ କାହିଁକି ? କିରେ ଆର୍‌ମିକୁ ଗଲି ବୋଲି କ’ଣ ମୋର... !

 

‘‘ଆଗେ କହ ତ–କିଏ ସେହି ମହୀୟସୀ ଭଦ୍ରମହିଳା ଯିଏ ତୋର ପାଣିଗ୍ରହଣ ପାଇଁ ଇଚ୍ଛୁକ ? ତୋ’ଠାରୁ କାର୍ବନ କପି ଚିଠି ପାଇଥିବ... ।’’ ‘‘ଦୂର୍, ପାଗଳ ନା କଣ ? ପ୍ରେମ କରିଥିବା କୌଣସି ଝିଅକୁ ବିବାହ କରିବା ଅନ୍ତତଃ ମୁଁ ପସନ୍ଦ କରେନା । ଯିଏ ପ୍ରେମ କରିପାରେ, ସେ ଜଣକୁ କରେନା, ସେ ବହୁ ଲୋକକୁ କରିପାରେ ! ବୁଝିଲୁ...ଆଉ କାର୍ବନ କପି କଥା କହୁଛୁ ! ବାପ ରେ ବାପ, ଝିଅଗୁଡ଼ା ଯାହା ମୋର ଜୀବନକୁ କଲେ କାର୍ବନ କପି କିମ୍ବା ଟାଇପ୍ କପି ଚିଠିର କରି ନ ଥିଲେ ମୁଁ ଯେ ଖତମ୍ ହୋଇ ଯାଇଥାନ୍ତି ! ଚିଠି ଲେଖିଥାନ୍ତି କେତେବେଳେ ଆଉ ପାଠ ପଢ଼ିଥାନ୍ତି କେତେବେଳେ ? ଶେଷରେ ଆର୍ମିକୁ ଯିବାରୁ ମୁକ୍ତ ମିଳିଲା–ନ ହେଲେ ସେ ଯେଉଁ ଅଣ୍ଡିରାଚଣ୍ଡୀ ଶଶୀପ୍ରଭା ମନେ ନାହିଁ, ଚାଲେ ନାହିଁ ଯେ, ଯେମିତି ମଣିଷ ଦେଖିଲେ କୁଦିପଡ଼େ, ଭାଇ, ତା’କବଳରୁ ମୁକ୍ତି ମିଳିବା ସମ୍ଭବ ନ ଥିଲା.... !’’

 

‘‘ତେବେ ତୁ ସଂକ୍ଷପରେ କହ । ଏବେ ତୁ କାହାକୁ ବାହା ହେଉଛୁ ? ଆଠ ଦିନ ହେଲା ଆସିଲୁଣି, ତୋର କିଛି ଖୋଜ ଖବର ନାହିଁ.... !’’

 

‘‘ତୁ କୋଉଠି ଅଛୁ, ମୁଁ ଜାଣିବି କେମିତି ? ଶୁଣିଲ ବନଠାରୁ ତୁ କୁଆଡ଼େ ଛ’ମାସ ହେଲା ଆମ ଘର ଆଡ଼େ ଆସିନୁ !’’

 

‘‘ତେବେ ବନଲତା କହିଛି ଛ’ମାସ । ଦୁଇ ବର୍ଷକୁ କମାଇ ଦେଇ ଛ’ମାସରେ ରଖିଛି ସେ । କାହିଁକି ? ନିଜର ଅପାରଗତା, ନା ବ୍ୟର୍ଥତା ନା ନିଜର ଅନ୍ୟମନସ୍କତା ଦେଖାଇବା ପାଇଁ-?’’ ସୀତାଂଶୁ ନ ବୁଝିଲା ପରି କହିଲା–

 

‘‘ଛ’ ମାସ ଧରି ମୁଁ ଏଠି ନ ଥିଲି ରେ ! ବେକାର ବସିଛି ତ ମାମୁଁଙ୍କର ହଠାତ୍ ହାର୍ଟଫେଲ୍‍ କଲା । ଅଗତ୍ୟା ମାମୁଁଙ୍କର ଉତ୍ତରାଧୀକାରୀ ସୁତ୍ରେ କିଛିଟା । ମାଇଁ ଆଉ ପରିବାରର ମନଲାଖି ହେବାକୁ ହେଲା....ଛ’ ମାସ ପରେ ଏବେ ଇ ତ ଆସୁଛି !’’

 

ହଠାତ୍ ମାନସ କହିଲା–

 

‘‘ଦେଖିଛୁ ଆଶୁ ! ସେ ଛତରା ପ୍ରଫୁଲ୍ଲ ଦେଖୁଛୁ–ଏକ ଲୟରେ ସେ ଝିଅଟାକୁ ଚାହିଁ ଚାହିଁ ଚାଲିଛି ଆରେ.....ଏ.... !’’

 

ସୀତାଂଶୁ ଦେଖିଲା, ଚିତ୍କାର କରି ପ୍ରଫୁଲ୍ଲକୁ ଡାକି ଡାକି ମାନସ ତୀର ବେଗରେ ମିଲିଟାରୀ କାଇଦାରେ ଦୌଡ଼ିବା ଆରମ୍ଭ କରିଦେଇଛି । ଦୀର୍ଘ ପାଞ୍ଚ ବର୍ଷ ପରେ ବି ତାର କିଛି ପରିବର୍ତ୍ତନ ହୋଇନି !

 

ମନୁ ଦୌଡ଼ିଯିବା ଭିତରୁ ବନଲତା ଆଗେଇ ଆସିଛି ସୀତାଂଶୁ ପାଖକୁ ।

 

‘‘ନମସ୍କାର !’’

 

‘‘ନମସ୍କାର ! ସବୁ ଭଲ.... !’’

 

ଉତ୍ତର ନାହିଁ । ବନଲତା ତାର ହରିଣ ଆଖିରେ ଆଗ ପରି ତାକୁ ତର୍ଜମା କରୁ ନାହିଁ ଆସିବାର ଅପେକ୍ଷାରେ ବିବ୍ରତ ହୋଇ । ବନଲତା ମନରୁ ଫେରନ୍ତା ପଥକୁ ସତେ ବା ଉଦ୍‌ବିଗ୍ନ ହୋଇ ଅନେଇଛି । ସୀତାଂଶୁର ଇଚ୍ଛା ହେଉଥିଲା ତାର ବେଣୀ ଧରି ହଲେଇ ଦିଅନ୍ତା କିମ୍ବା ତାର ମସୃଣ ଗଣ୍ଡରେ ଟିପ ମାରି ଗୋଟାଏ ଭଉଁରୀ ସୃଷ୍ଟି କରନ୍ତା..... !

 

ନା, ଆଜି ସେସବୁ କିଛି କରି ହେବନି । ଦୁଇ ବର୍ଷ ପରେ ଯୌବନ ଶେଷ ହୋଇଗଲା ବୋଲି ନୁହେଁ, କି ଅବେଳା ଅସମୟ ବୋଲି ନୁହେଁ । କେଉଁଠି ଯେମିତି କ’ଣ ଛନ୍ଦ ହଜିଯାଇଛି କି ସୁତା ଛାଡ଼ିଯାଇଛି.....ବୁଝି ହେଉନି, ଦେଖି ହେଉନି; ଖାଲି ଅନୁଭବ ଓ ଅନ୍ତର୍ଦାହରେ ସତେ ବା ବେଶୀ କ୍ଷୀଣ ଆଉ ଦୁର୍ବଳ ଲାଗୁଛି ।

 

ବନଲତା ନୀରବତା କାଟି ପଚାରିଲା–

 

‘‘ଭାଇ କେତେବେଳେ ଫେରିବେ କିଛି କହିଛନ୍ତି ? ଓଃ ମଣିଷ ମଲା । ସବୁବେଳେ ତାଙ୍କର ଏମିତି ଅଭ୍ୟାସ । ରାସ୍ତାଘାଟରେ ମଣିଷକୁ ଛିଡ଼ା କରେଇ ଦେଇ କୁଆାଡ଼େ ଯେ.... ।’’

 

ସୀତାଂଶୁ କଥା ଛଡ଼ାଇ ନେଇ କହିଲା–

 

‘‘ଅବଶ୍ୟ ଏକା ନୁହେଁ । ତା ପର ଭୟ କରିବାର କିଛି ନାହିଁ–ବିରାଟ ଜନଗହଳି ଭିତରେ ତୁମର ବା ଆଶଙ୍କା କ’ଣ ? ସମୟ ନଷ୍ଟ କଥା ଯଦି ଭାବୁଥାଅ, ତା’ ହେଲେ ଉଭୟଙ୍କର ବର୍ତ୍ତମାନ ସମାନ କ୍ଷତି, ଭବିଷ୍ୟତରେ କାର ବେଶୀ କାର କମ୍ ହୋଇପାରେ.... । ଏହା ସତ୍ତ୍ୱେ ବି ଆମକୁ ଏଠି ଅପେକ୍ଷା କରିବାକୁ ହେବ । ମନୁ ବୋଧେ ଫେରୁଥିବ ।’’

 

ବନଲତା ଉତ୍ତର ଦେଲାନି । ସୀତାଂଶୁର କଣ୍ଠରେ ଅପ୍ରତ୍ୟାଶିତ ଉଷ୍ମତା । ସେ ଚୁପ୍ ହୋଇ ତଳେ ବସି ପଡ଼ିଲା । ସୀତାଂଶୁ ଆଉ ଗୋଟିଏ ସିଗାରେଟରେ ନିଆଁ ଧରାଇଲା ସେମିତି ଠିଆ ହୋଇ । ବନଲତା ଜାଣେ, ସୀତାଂଶୁ ଅନେକ ସମୟ ଛିଡ଼ା ହୋଇପାରିବ । ମାତ୍ର କିପରି ଦୁର୍ବଳ ଦିଶୁଛି ଯେ ! କିଛି କିଛି ପଚାରିଦେଲେ ବର୍ତ୍ତମାନ ସେ ତାକୁ ହୁଏତ ଓଲଟା ପ୍ରଶ୍ନରେ ବିବ୍ରତ କରିବ । କିନ୍ତୁ ଏ ନିସ୍ତବ୍‌ଧତା ଅସହ୍ୟ । ଅନ୍ତତଃ ପୁରୁଷ ହୋଇ ଜଣେ ନାରୀ ପାଖରେ ଏପରି ମୌନବ୍ରତ ଅବଲମ୍ବନ କରିବା କାପୁରୁଷର ଲକ୍ଷଣ ।

 

ସୀତାଂଶୁ ପ୍ରଶ୍ନ କଲା–

 

‘‘ମନୁ କାହାକୁ ବାହା ନେଉଛି ?’’

 

ସଂକ୍ଷିପ୍ତ ଉତ୍ତର ଦେଲା ବନଲତା–

 

‘‘ରୋଜିକୁ ।’’

 

ରୋଜି ! କାର୍ବନ କପିର ଚିଠି ବି ସେ ବାଣ୍ଟୁଥିଲା ତାର ଅଗଣିତ ପ୍ରେମିକାଙ୍କୁ । ବାଃ ମନ୍ଦ ନୁହେଁ । ମାନସ ସହିତ ରୋଜି । ଏକ ଚମତ୍କାର ଯୋଗାଯୋଗ । ‘‘କିଛି କହିଲନି ଯେ ! କ’ଣ ମନ୍ଦ ହେବ ? ବାପା ଠିକ୍ କରିଛନ୍ତି । ଆଉ ଭାଇ ? ଯୁଦ୍ଧକୁ ଗଲାପରେ ଅନେକ ବଦଳି ଯାଇଛନ୍ତି–ସେ ରାଜି ହୋଇଗଲେ ।’’

 

ସୀତାଂଶୁ ଉତ୍ତର ତଥାପି ଦେଲାନି । କାରଣ କିଛି ନ ଥିଲା । ମାତ୍ର କଥା ପରେ କଥା କହିବାକୁ ସବ୍‌ଜେକ୍‌ଟ ନାହିଁ !

 

ତଥାପି ବନଲତା ପଚାରିଲା–

 

‘‘ତମର ନୂଆ ଖବର କଣ ?’’

 

‘‘ଗତାନୁଗତିକ !’’

 

‘‘ଭଲ ଲାଗୁଛି ?’’

 

‘‘ମନ୍ଦ ନୁହେଁ !’’

 

ବନଲତାକୁ କିନ୍ତୁ ଓଲଟା ପ୍ରଶ୍ନ କଲା ନାହିଁ ସୀତାଂଶୁ । ହୁଏତ ରାଗଟା ସେଇ ବାଟରେ ସୁଝାଇ ଦେବାକୁ ତାର ଇଚ୍ଛା !

 

ବନଲତା ଛାଡ଼ିବାର ପାତ୍ରୀ ନୁହେଁ । ସେ ପୁଣି ପ୍ରଶ୍ନ କଲା ସାଧା ସିଧା–‘‘ତମେ ଚିହ୍ନି ପାରୁନ, ନା ରାଗ କରିଛି, ନା ଅଭିମାନ, ନା ଉଦାସୀନ ରହିବାକୁ ଚେଷ୍ଟା କରୁଛ–କିଛି ତ ବୁଝାପଡ଼ୁନି !’’

 

‘‘ମୁଁ କାହାକୁ କ୍ଳାସିଫିକେସନ୍ ଦିଏ ନାହିଁ କି କାହାଠାରୁ ଦରକାର କରେନି ।’’

 

‘‘ତୁମର କଥା ସ୍ୱତନ୍ତ୍ର ହୋଇପାରେ । ମାତ୍ର ତୁମକୁ ଛାଡ଼ି ଅନ୍ୟ ଏକ ପୃଥିବୀ ତୁମର ଚତୁର୍ଦ୍ଦିଗରେ ଘେରି ରହିଛି, ଏ କଥା କାହିଁକି ତୁମେ ଭୁଲିଯାଉଛ ?’’

 

‘‘ଅଯଥା ଯୁକ୍ତି ମତେ ଭଲ ନାହିଁ ବୋଲି !’’

 

‘‘ତମେ ସ୍ୱାର୍ଥପର !

 

ସୀତାଂଶୁ ନୀରବ ହୋଇଗଲା ! କାରଣ ଉପାୟ ନାହିଁ । ବନଲତା ଯେମିତି ଗଛର ଲଟାଟାଏ ଭଳି ଦେହରେ ଛନ୍ଦି ହୋଇଯାଉଛି । ସମଗ୍ର ଦେହସାରା ଗୋଟିଏ ବାନ୍ଧିହେଲା ଭଳି ଅସ୍ୱସ୍ତିକର ବିରକ୍ତ ତାକୁ ଘୋଟି ଆସୁଥିଲା ।

 

ମାତ୍ର ବନଲତା ହସୁଛି ! ଏକ୍‍ଜିବିସନ୍‌ର ଧାଡ଼ି ଧାଡ଼ି ଜନତାର ସ୍ରୋତ ! ପଡ଼ିଆରେ ଗୋଡ଼ ଲମ୍ବେଇ ବଡ଼ ଆମୋଦକରା ଭଙ୍ଗୀରେ ସେ ପ୍ରଶ୍ନ କରି ଚାଲିଛି । ଆନନ୍ଦ, ଆନନ୍ଦରେ ସତେ ଯେପରି ସେ ଭାଙ୍ଗିପଡ଼ୁଛି !

 

ବିରକ୍ତ ହୋଇ ଜାଗା ଛାଡ଼ି ପଳାଇବାକୁ ଇଚ୍ଛା କଲା ସୀତାଂଶୁ ! ମାନସଟା କୁଆଡ଼େ ଗଲା କେଜାଣି ! ଯଦି ନ ଫେରେ... ! ଭଉଣୀକୁ ଏକା ଛାଡ଼ି ଯାଇଥିବାର କଥା ମନେ ଥିଲେ ତ ?

 

 

ଅସହ୍ୟ ଲାଗୁଛି–ବନଲତାର ଏପରି ନିର୍ବୋଧ ଭାବରେ ହସିବା ଆଉ ମାନସର ହଠାତ୍ ଏପରି ଅନ୍ତର୍ଦ୍ଧାନା

 

ବନଲତା ଉଠି ଛିଡ଼ା ହେଲା–

 

‘‘ଭାଇ ବୋଧେ ଫେରିବାକୁ ଡେରି କରିବେ । ଚାଲ, ଆମେ ଯିବା ।’’

 

‘‘କୁଆଡ଼େ ?’’

 

‘‘ରାସ୍ତାକୁ, ରିକ୍‌ସା ନେଇ ତମେ ଯିବ, ମୁଁ ବି ଯିବି ।’’

 

‘‘ନା !’’

 

‘‘କାହିଁକି ? ଚରିତ୍ର ଖରାପ ହୋଇଯିବ....’’ ? କହି ଠୋ ଠୋ ହସରେ ଭାଙ୍ଗି ପଡ଼ିଲା ବନଲତା । କେଉଁ ଅତୀତର ଖୁସିର ସ୍ୱର ଯେମିତି ତା କଣ୍ଠରେ ଲହଡ଼ି ଭାଙ୍ଗୁଛି ।

 

ପଛ ଆଡ଼କୁ ବୁଲି ସୀତାଂଶୁ କହିଲା–

 

‘‘ଚରିତ୍ର ନଷ୍ଟର ଆଶଙ୍କା ମୋଠାରୁ ତମର ବେଶୀ । ଚରିତ୍ର ନ ଥିବା ଲୋକ ଚରିତ୍ରକୁ ବେଶୀ ଧରି ରଖିବାର ଛଳନା କରେ ।’’

 

‘‘ନନ୍‌ସେନ୍‌ସ ।’’

 

ବିରକ୍ତ ଓ ଘୃଣାରେ ବନଲତାର ସ୍ୱର ଯେମିତି ବିଦୀର୍ଣ୍ଣ କରିଦେବ ସୀତାଂଶୁକୁ ।

 

ପର ମୁହୁର୍ତ୍ତରେ ହାଇହିଲ୍ ଖଟ୍ ଖଟ୍ କରି ବନଲତା ଏକରକମ ଧଇଁ ଚାଲିଗଲା । ସତେ ବା ସୀତାଂଶୁ ବୋଲି କେହି ନ ଥିଲା କି ରହିବ ନା ! ହିଁ

 

ଏକରକମ ଭଲ ହୋଇଛି । ସୀତାଂଶୁ ପରିସ୍ଥିତିଟା ବିଶେଷ ପ୍ରୀତିକର ମନ ହେଲା ନାହିଁ । କେବଳ ଯା’ ହୋଇଛି ତାର ଭଲ ହୋଇଛି ବୋଲି ଭାବି ନିଜକୁ ନିଜେ ସମର୍ଥ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନ ଥିଲା ।

 

ଦୁଇ ବର୍ଷ ତଳର ଗୋଟିଏ ଛୋଟ ସ୍ମୃତି ଆଖି ଆଗରେ ନାଚି ଉଠିଲା । ନିଦ୍ଧିଷ୍ଟ ସମୟର ପ୍ରାୟ ଅଧଘଣ୍ଟା ପରେ ସୀତାଂଶୁ ପହଞ୍ଚି ଦେଖିଲା, ସୁନୀଲ ସହିତ ହସି ଖୁସିର ବତାସରେ ଦୋହଲି ଦୋହଲି ବନଲତା କଫି ଖାଉଛି ।

 

ସେଦିନ କଫି ନ ଖାଇ ଫେରି ଆସିଥିଲା ସୀତାଂଶୁ, ଆଉ ବନଲତାକୁ ଏକ ଚିଠି ଲେଖି ଜଣାଇ ଦେଇଥିଲା ତା’ର ମତାମତ । ଅର୍ଥାତ୍ ତା’ସହିତ ସୀତାଂଶୁର କୌଣସି ସମ୍ବନ୍ଧ ନାହିଁ ।

 

କିନ୍ତୁ ଅନେକ ବାର ଇଚ୍ଛା ହୋଇଥିଲେ ବି ସୀତାଂଶୁ ନିଜର ଜିଦ୍ ବଜାୟ ରଖି ବନଲତା ସହିତ ଦେଖା କରିନି । ତା’ ଘର ରାସ୍ତା ଦେଇ ଯାଇନି, ତା’ର ଥିବା ସହରରେ ଆନନ୍ଦ ଖୁସି କରି ନାହିଁ । ଅଧିକାଂଶ ସମୟ ମାମୁଁ ଘରେ ନିପଟ ମଫସଲରେ କଟାଇଛି । କେବଳ ଇଣ୍ଟର୍‌ଭ୍ୟୁ ଦେବାକୁ ସହର ନ ଆସି ଉପାୟ ନାହିଁ । ମାତ୍ର ବନଲତା ଏକ କାଳନାଗୁଣୀ ପରି ଦିନରାତି ତାକୁ ଦଂଶି ଚାଲିଛି ।

 

ଆଜି ବହୁ ଦିନ ପରେ ବି ସେଇ ବିଷ ତାକୁ ଘାରି ଯାଇଛି । ବନଲତା କିନ୍ତୁ ସେମିତି ରହିଛି । କିଛି ତା’ର ପରିବର୍ତ୍ତନ ନାହିଁ.....ଚିନ୍ତା ନାହିଁ....ସମସ୍ୟା ନାହିଁ..... । ମାନସ ମନ୍ଦ କହିନି ! ଭଲ ପାଇବା ସଂକ୍ରାମକ ରୋଗ । ସେ ଗୋଟିଏ ବ୍ୟକ୍ତିରେ ସୀମାବଦ୍ଧ ହୁଏନି । ବ୍ୟାପିଯିବା ତାର ଧର୍ମ ।

 

ସୀତାଂଶୁ ଫେରିଆସିଲା ଘରକୁ । ମେସ୍ ସାରା ସମସ୍ତେ ଶୋଇଗଲେଣି । ପୁଝାରୀ ଭୋଳାନାଥ ଅପେକ୍ଷା କରିଛି । ସେ ଜାଣେ, ସୀତାଂଶୁ ଏମିତି ଡେରିରେ ଫେରେ । ନ ଖାଇ ବିଛଣାକୁ ଚାଲିଗଲା ସୀତାଂଶୁ ।

 

ଶେଷ ରାତିରେ ସୀତାଂଶୁ ସ୍ୱପ୍ନ ଦେଖିଲା ବନଲତା ରାଗିକରି ଧାଇଁ ଯାଉ ଯାଉ ତା’ ଦେହରେ ମଟରଟାଏ ଧକ୍‌କା ଖାଇଯାଇଛି । ଇସ୍ ! ରକ୍ତ...ରକ୍ତରେ ହୋରି ଖେଳୁଚି ଯେମିତି ରାସ୍ତାଟା ।

 

ଭୟରେ କମ୍ପି କମ୍ପି ସୀତାଂଶୁ ଉଠିପଡ଼ିଲା । ଅଦ୍ଭୁତ ! ଦୁଇ ବର୍ଷ ପରେ ଆଜି ବନଲତା ସହିତ ଦେଖା ଏବଂ ପ୍ରଥମ ସ୍ୱପ୍ନ । ଦୁଃସ୍ୱପ୍ନ । ଅବଚେତନ ମନର କଥା ସ୍ୱପ୍ନରେ ଭାସିଆସେ । ତେବେ ସେ କ’ଣ ଚାହେଁ ? ....ନା–ନା ବନଲତା ବିଶ୍ୱାସଘାତିନୀ ହେଉ ପଛେ ମାତ୍ର ସେ ବଞ୍ଚିରହୁ ଆଉ ସୁଖରେ ରହୁ.... ।

 

ଅନେକ ଦିନ ତଳେ ଏକ୍‌ସକର୍‌ସନ୍‌ରେ ଯାଇଥିଲାବେଳେ ତାଜମହଲ ବୁଲି ଦେଖୁ ବନଲତା ଗୋଟିଏ ନିରୋଳା ସ୍ଥାନରେ କହିଥିଲା–‘‘ମୋର ତାଜ ଲୋଡ଼ା ନାହିଁ....ବହୁ ଜନର ଦୃଷ୍ଟି ଆକର୍ଷଣ କି ପ୍ରେମର ଆଦର୍ଶ ଗଳ୍ପ ହେବାର ସ୍ୱପ୍ନ ମୋର ନାହିଁ । କୁହ, ତୁମେ ମତେ କେବେ ଦୂରେଇ ଦେଇ ଚାଲି ଯିବନି ତ ?’’

 

ସେଦିନ ସୀତାଂଶୁ ହସି ହସି ବେଦମ ହୋଇ ଯାଇଥିଲା । ବନଲତା ସତେ କେଡ଼େ ପିଲାଳିଆ ! ଜୋର କରି ତା’ଠାରୁ କଥା ନେଇ ଯାଇଥିଲା ।

 

ସେଦିନର କଥା ସହିତ ଆଜିର ସ୍ୱପ୍ନ । ଅଦ୍ଭୁତ । ତେବେ... । ସୀତାଂଶୁର ଛାତି ଭିତରଟା କମ୍ପି ଉଠିଲା । ନାଃ ! ଏ ଅଭିମାନ ସେ ଭାଙ୍ଗୀ ଦେଇଯିବ । ବନଲତାକୁ ହୁଏତ ସେ କିଛିଦିନ ଗଲେ ସଂପୂର୍ଣ୍ଣ ହରାଇ ବସିପାରେ ।

 

ସୀତାଂଶୁ ଉଠି ଦାଣ୍ଡ ପିଣ୍ଡାକୁ ଆସିଲା । ରାସ୍ତାରେ ଗଛ ଉପରେ ଆଉ ଆକାଶ ଘେରି ଆଖି ପାଉଥିବା ସମସ୍ତ ଜାଗାରେ ଗଦା ଗଦା କୁହୁଡ଼ି । ସୂର୍ଯ୍ୟ ଉଠିବ । ମାତ୍ର ଅନେକ ଡେରିରେ ଆସିବ-

 

ସୀତାଂଶୁ ରାସ୍ତା ଉପରକୁ ଆସିଲା । ଯଦି ବନଲତା କିଛି କଥା ନ କହେ ? ଧେତ୍, ନ କହୁ । ସେ ମାନସ ପାଖକୁ ଯିବ । ମାନସ ତାର ବଂଧୁ । ବନଲତା ଜାଣୁ, କଥା ଦେଇ ସେ କଥା ଦେଇ ସେ କଥା ଭାଙ୍ଗି ନାହିଁ । ମାତ୍ର ଅଭିମାନ କରି ସେ ହାରିଯିବା ପାଇଁ ପ୍ରସ୍ତୁତ ନୁହେଁ !

Image

 

ଅରଣ୍ୟ : ରାତ୍ରୀର ନୀରବତା

 

ନିଜକୁ ଭୁଲିବା, ନିଜକୁ ଠକିବାଠାରୁ ମର୍ମାନ୍ତିକ ଯନ୍ତ୍ରଣା କିଛି ନାହିଁ ।

 

ନିରଞ୍ଜନକୁ ଏପରି ଏକ ଅବସ୍ଥାର ସମ୍ମୁଖୀନ ହେବାକୁ ହେବ, ଏକଥା ସେ କେବେ ଭାବି ନ ଥିଲା । ସବୁ କଥାରେ ତାର ବାହାଦୁରୀପଣ ଏମିତି ଗୋଟିଏ ମାଟି ଖେଳଣା ପରି ଚୂର୍‌ମାର୍‌ ହୋଇଯିବ, ଏକଥା ସେ ଭୁଲ୍‌ରେ କଳ୍ପନା ବି କରି ନ ଥିଲା ।

 

ପାଠପଢ଼ା, ଚାକିରି, ସଂଘ, କମିଟି, ସଭା ମସିତି, ସବୁଠି ସେ ଅଛି ପୁଣି ନାହିଁ । କୌଣସି ତାର ମନଃପୁତ ନୁହେଁ, ଅଥଚ ସେ କରିଛି । କାରଣ ତା’ଛଡ଼ା ତାର ଅନ୍ୟ ପଥ ନାହିଁ । ମାତ୍ର ନିରୋଳାରେ ନିଜ ଛାତି ଭିତରେ ଲୁଚି ରହିଥିବା ଅନ୍ୟ ଏକ ମଣିଷକୁ ସେ ବୋଧ ଦେଇ କହିଛି–‘‘ବ୍ୟସ୍ତ ହୁଅନା, ବ୍ୟସ୍ତ ହୁଅନା, ସବୁ ଠିକ୍ ହୋଇଯିବ ।’’

 

ମାତ୍ର ଆଜି ପାନ ଦୋକାନର କତା ଦଉଡ଼ିରେ ସିଗାରେଟରେ ନିଆଁ ଲଗଉ ଲଗଉ ନିଜର ଛବିଟା ଯେମିତି ତାକୁ ଖତେଇ ହୋଇଉଠିଲା, ଆଉ ଭିତରର ମଣିଷଟା କାନେକାନେ ପଚାରିଲା–

 

‘‘କେବେ ଠିକ୍ ହେବରେ ମୂର୍ଖ ? ଆଉ କେତେ ଯୁଗ ଲାଗିବ ?’’

 

ସିଗାରେଟ୍‌ ପ୍ୟାକେଟ ରଖିବା ବାହାନାରେ ସେ ନିଜ ଛାତିରେ ହାତ ବୁଲାଇ ଆଣିଲା । ନା–ଅନ୍ୟ ମଣିଷଟି ତା’ଭିତରେ ଖୁଜୁବୁଜୁ ଅଥୟ ହେଉଛି । ତା’ କଥାରେ ବିଶ୍ୱାସ କରୁନି ।

 

ସବୁ ଦିନ ପରି ନିଜକୁ ଆଉ ଥରେ ଦର୍ପଣରେ ଦେଖିବାକୁ ନୀରଞ୍ଜନ ଆଜି ଇଚ୍ଛା କଲାନି ।

 

ମେସ୍‌କୁ ଫେରି ଏତେ ଶୀଘ୍ର ଲାଭ ନାହିଁ । ଖଟ ସାରା ଛାରପୋକ । ଘରସାରା ମଶା ଆଉ ବନ୍ଧୁମାନଙ୍କର ଜ୍ୱାଳା ଯନ୍ତ୍ରଣାର ଗୁଞ୍ଜନ ଶୁଣିବାକୁ ଇଚ୍ଛା ନାହିଁ, ଧୈର୍ଯ୍ୟ ବି ନାହିଁ ।

 

ସିଗାରେଟ ଟାଣି ଟାଣି ସେ ରାସ୍ତା ଉପରକୁ ଉଠିଗଲା ।

 

ଫୁଟ୍‌ପାଥ୍‌ରୁ ଦୋକାନୀଗୁଡ଼ାକ ଜିନିଷ ସଜାଡ଼ି ଚାଲିଯିବାକୁ ବ୍ୟସ୍ତ ହେଲେଣି । ଦୋକାନର କବାଟଗୁଡ଼ା ଦରଆଉଜା ହୋଇଗଲାଣି ।

 

ସେମାନେ ବଲବଲ କରି ଆଶ୍ଚର୍ଯ୍ୟ ଭାବରେ ଅନାଇଲେ । ଝିଅଟିକୁ ତା’ମା’ ସତର୍କତା ସହକାରେ ଚୁମୁଟି ଦେଲା । ସେ ଉଠି ଚାଳିଗଲା ପଲା ଭିତରକୁ । ତା’ ଭିତରୁ ଜଣେ ଉଠିପଡ଼ି ସନ୍ତର୍ପଣରେ ଆଗେଇ ଆସିଲା–ସଂଖୋଳି ନେବାକୁ ନୁହେଁ–ଘଉଡ଼େଇ ଦେବାକୁ ।

 

ନିରଞ୍ଜନର ଭିତର ମଣିଷଟା କଇଁ କଇଁ ହୋଇ ବାହୁନି ଉଠିଲା ।

 

ଅଗତ୍ୟା ନିରଞ୍ଜନ ଫେରିପଡ଼ିଲ । ରାସ୍ତାଟା ହେଲା ବଡ଼ ଆପଣାର । ଏହାରି ଉପରେ ଚାଲିଥିଲାବେଳେ କେହି ତାକୁ ପ୍ରଶ୍ନ କରିବନି.....କେହି ତାକୁ ତଡ଼ି ଦେଇ ପାରିବନି । ରାସ୍ତାରେ ତାର ଅଧିକାର ଅଛି: ମାତ୍ର ତାର ଦୁଇ ତୀରରେ ଥିବା ଅସଂଖ୍ୟ ପୃଥିବୀ ଉପାରେ ତାର ଇଞ୍ଚେମାତ୍ର ଅଧିକାର ନାହିଁ । ସେମାନଙ୍କର ମଧ୍ୟ ତାକୁ ଅଂଶ ନ ଦେଲେ ନାହିଁ, ଥରୁଟିଏ ଆଦର କରି ସ୍ୱାଗତ ଜଣାଇବାର ତାକତ୍ ନାହିଁ ।

 

ନିରଞ୍ଜନ କାନ୍ଦି ନ ଥିଲା ସତ, କିନ୍ତୁ ରୁମାଲଟା ନିଜ ଆଖି ଉପରେ ସେ ବୁଲାଇ ଆଣିଥିଲା ।

 

ଗଳି ଗଳି ଦେଇ ସେ ଯେ କେଉଁ ଗଳିରେ ପଶିଯାଇଥିଲା, ଝାପ୍‌ସା ଝାପ୍‌ସା ଆଲୁଅରେ ସେ ବୁଝି ପାରୁ ନ ଥିଲା । ଚାଲି ଚାଲି କ୍ଲାନ୍ତ ଲାଗିଲାଣି । ଭୀଷଣ ଜୋରରେ ଶୋଷ ହେଲାଣି । ଟୋପାଏ ପାଣି ମିଳିଲେ ସେ ନିର୍ବିଘ୍ନରେ ମେସକୁ ଫେରି ଯାଇପାରନ୍ତି ।

 

ପାଣି ? ଓଃ ! ବଡ଼ ଶୋଷ । ଘଣ୍ଟାରେ କିନ୍ତୁ ବାର ବାଜିଗଲାଣି । ଏତେବେଳେ ପାଣି ମିଳିବା ଦୁଷ୍କର ।

 

ନିରଞ୍ଜନ ଏଣିକି ତେଣିକି ଅନେଇ ଦେଖିଲା କୋଡ଼ିଏ ପଚିଶ ହାତ ପଛରେ ଥିବା ଗୋଟିଏ ଘରର ହାର ଦ୍ୱାର ମେଲା ଅଛି । ରିକ୍‌ସାରୁ ଓହ୍ଲାଇ ଦି’ଜଣ ଲୋକ ଘର ଭିତରକୁ ପଶି ଯାଉଛନ୍ତି । ନିରଞ୍ଜନ ହଠାତ୍ ଭାବିନେଲା, ସେଇ ଘରୁ ଟୋପାଏ ପାଣି ପିଇ ନେଇ ସେ ରିକ୍‌ସାଟା ନେଇ ମେସ୍‌କୁ ଚାଲିଯିବ ।

 

ରିକ୍‌ସାକୁ ଅଟକାଇ ସେ ବାରଣ୍ଡା ଉପରକୁ ଉଠିଯାଇ କବାଟ ଠକ୍ ଠକ୍ କଲା ।

 

ସ୍କାର୍ଟପିନ୍ଧା ବାର ଚୌଦ ବର୍ଷର ଝିଅଟିଏ ଧାଇଁ ଆସିଲା ଏବଂ ତାକୁ ଦେଖି ଚିତ୍କାର କରିଉଠିଲା–

 

‘‘ବାପା ! ବାପା ! ସେଇ ବଜାରୀ ଟୋକା ଆସିଛି । ବୋଉ । ବାପା ! ଧାଇଁ ଆସ–ବଜାରୀ ଟୋକା ଆମ ଘରକୁ ଆସିଛି ।’’

 

ଝିଅଟାର ଆର୍ତ୍ତନାଦ । ସେ ମୂର୍ଚ୍ଛା ହୋଇଯିବ କି ଆଉ ?

 

ହଠାତ୍ କ’ଣଟାଏ ପାଦ ଆଙ୍ଗୁଠିରେ ବାଜି ଗଡ଼ିଗଲା । ଛୋଟ ବଲ୍‌ଟାଏ । ନା–ବାଲ୍ ନୁହେଁ । ପେଣ୍ଡୁ । ନିରଞ୍ଜନ ସେଇଟି ଗୋଟେଇ ପକେଟ୍‌ରେ ରଖିଲା ଅନ୍ୟମନସ୍କ ଭାବରେ ।

 

ଆଗରେ ଗୋଟାଏ ଫୁଲ ଦୋକାନ । ଗୋଟିଏ ମଲ୍ଲୀମାଳ ହାତରେ ଧରି ନିରଞ୍ଜନ କିଣିବ କି ନାହିଁ ଭାବୁ ଭାବୁ ରବୀନ୍ଦ୍ର ଆସି ଛିଡ଼ା ହେଲା ତା‘ ପାଖରେ । ସଙ୍ଗହୋଇ ଦି’ଜଣ ପଢ଼ି ଏକା ସାଙ୍ଗରେ ଏକା ଅଫିସରେ ଚାକିରି କଲେ । ତଫାତ୍ ଏଇଆ–ରବିନ୍ଦ୍ର କିଛିଦିନ ହେଲା ଏକ ଧନୀ ପରିବାରର ଏକମାତ୍ର ଅନ୍ଧୁଣୀ କନ୍ୟାକୁ ବିବାହ କରି ଧନୀ ହୋଇଯାଇଛି ଏବଂ ମେସ୍ ଛାଡ଼ି ଶ୍ୱଶୁର ଘରେ ରହିଛି ।

 

ରବିନ୍ଦ୍ର ତାକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇଛି । ସତେ ବା ନିରଞ୍ଜନ ଏକ ଅପରାଧୀ କରିଛି ! ନିଜ ଅନିଚ୍ଛାରେ ନିରଞ୍ଜନ ପଚାରିଲା–

 

‘‘ତୁ କିଣିବୁ ନା କ’ଣ ?’’

 

‘‘ନା–ଏତେ ରାତିରେ ତୁ ଏକୁଟଆଟା ଏ ଗଳି ରାସ୍ତାରେ....ଫେର୍‌ ମଲ୍ଲୀମାଳ ! ବ୍ୟାପାର କ’ଣ ?’’

 

‘‘କିଛି ନାହିଁ । ମୋ ନଜର ସଉକ୍– !’’

 

ବିରକ୍ତରେ ପଚିଶ୍ ପଇସା ଫୋପାଡ଼ି ଦେଇ ରିଷ୍ଟଓ୍ୟାଚ୍ ତଳକୁ ମଲ୍ଲୀମାଳଟା ଗୁଡ଼ାଇ ଗୁଡ଼ାଇ ରବିନ୍ଦ୍ର ନ ଅନାଇ ଏକାମୁହାଁ ଚାଲିବାକୁ ଆରମ୍ଭ କଲା ରଞ୍ଜନ ।

 

ଭିତରର ମଣିଷଟା ଚିତ୍କାର କରି ଛାତି ଭିତରୁ ପଦାକୁ ଝାମ୍ପ ଦେବା ପାଇଁ ସତେ ବା ପ୍ରସ୍ତୁତ ହୋଇଗଲାଣି ! ତାର ପ୍ରସ୍ତୁତିରେ ନିରଞ୍ଜନର କଅଁଳ କଲିଜା ଫାଟି ଫାଟି ଯାଉଛି ।

 

ସେଇପରି ଅବସ୍ଥାରେ ନିରଞ୍ଜନ ଚାଲୁ ଚାଲୁ ରାସ୍ତା ଉପରେ ନୀରବତା ଲକ୍ଷ୍ୟ କରୁଥିଲା-। କ୍ରମଶଃ ରାସ୍ତାର ଦୁଇ କଡ଼ ପାଚେରୀରେ ମରାହୋଇଥିବା ବିଜ୍ଞାପନର ଛବି, ନିର୍ବାଚନ ସ୍ଳୋଗାନ, ସିନେମା ପୋଷ୍ଟର, ଅଶ୍ଳୀଳ ଲେଖା ଆଉ ଇଲେକ୍‌ଟ୍ରିକ୍ ଖୁଣ୍ଟତାକୁ ସ୍ପଷ୍ଟ ହୋଇ ଦିଶିଲା ଏବଂ ଏକ ଜୀବନ୍ତ ମଣିଷ ପରି ମନେ ହେଉଥିଲା ।

 

ନିରଞ୍ଜନ ଚାଲୁ ଚାଲୁ ଗତି ମନ୍ଥର କଲା । ରାସ୍ତା ତଳକୁ ପଲା ମାରି ରହିଥିବା କୁଡ଼ିଆ ସାମ୍ନାରେ ପଥର ଢିରା ଦେଇ ହାଣ୍ଡିରେ ବସିଛି ଭାତ । ନିଆଁ ଜଳୁଛି ହୁତୁ ହୁତୁ । ଆଉ ତା’ପାଖନ୍ତୁ ଲାଗି ଦି’ଟା ପିଲା, ସ୍ତ୍ରୀ ପୁରୁଷ ପାଞ୍ଚ ଜଣ ହେବ ବସିଛନ୍ତି । ସେ ଭାବିଲା, ସାମ୍ନାରେ ପଡ଼ିଥିବା ପଥର ଉପରେ ବସିବ ଆଉ ସେମାନଙ୍କ ସାଙ୍ଗରେ ଗପିବ ମାତ୍ର ।

 

ନିରଞ୍ଜନ ଏପରି ଅପ୍ରତ୍ୟାଶିତ ସମ୍ବୋଧନ ପାଇଁ ପ୍ରସ୍ତୁତ ନ ଥିଲା । ସେଇ ଚିତ୍କାରରେ ଝିଅର ବୋଉ ଓ ବାପାଙ୍କର ଧାଇଁ ଆସିବାର ପାଦ ଶବ୍ଦ ସହିତ ସମାନ ଗତି କରି ବିପରୀତ ଦିଗରେ ନିରଞ୍ଜନ କୁଦା ମାରି ଧାଇଁ ଚାଲିଗଲା । କୁଆଡ଼େ କେତେ ବାଟ ଯେ ସେ ଦଉଡ଼ି ପଳାଇଲା, ସେ ଜାଣିପାରିଲା ନାହିଁ ।

 

ଅବଶେଷରେ ତାର ପାଦ ଥମିଲା ଆସି ମେସ୍ ପାଖରେ । ଭିତରେ ମଣିଷଟା ତାକୁ ଧକ୍‌କା ମାରି ମାରି କେମିତି ଯେ ନେଇ ଆସିଲା କେଜାଣି ?

 

ମେସ୍ ସାମ୍ନା ଦୋକାନରେ ବିଜ୍ଞାପନ–‘Thing go better with Cocacola, ଆଉ ବାମ ପଟ ପାନ ଦୋକାନରେ ତିନି ଆଙ୍ଗୁଠି ଛାପ-ମରା ‘ଆନାସିନ୍‌’ର ସବୁଜ ପାମ୍ପଲେଟ । କେଜାଣି କାହିଁକି ସେ ଚମକି ପଡ଼ିଲା । ନିରଞ୍ଜନର ତଣ୍ଟି ଶୁଖିଯାଉଛି ଆଉ କପାଳଟା କଟ୍ କଟ୍ କରି ବିନ୍ଧୁଛି ।

 

ନିରଞ୍ଜନର ଭିତର ମଣିଷଟା ଦମ୍ ନେଉଥିବା ତାର କଅଁଳ କଲିଜା ଭିତରେ ଠୋ ଠୋ କରି ହସିଉଠିଲା ।

 

ସେ ଏଥର ଛାତିରେ ହାତ ନ ବୁଲାଇ ପକେଟ୍‌ରୁ ପେଣ୍ଡୁଟି କାଢ଼ି ବଲ୍ ଖେଲିବା ଭଙ୍ଗୀରେ କୁଦା ମାରିବାକୁ ଆରମ୍ଭ କରିଦେଲା.... ।

Image

 

ତୃଷ୍ଣା

 

ବସ୍‌ଟା ସାରା ଲୋକ ବୋଝେଇ । ଗରମରେ ତଣ୍ଟି, ଓଠ ସବୁ ଶୁଖିଯାଉଛି । ଅଥଚ ଭଦ୍ରଲୋକ ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କର ଭାଗ୍ୟ–ସିଟ୍‌ଟିଏ ସେ ପାଇଛନ୍ତି ।

 

ରତ୍ନାକରର ହାଇ ମାରିବାକୁ ବି ଜୁ ନାହିଁ । ସତେ ବା ହାଇଟା ଅନ୍ୟ ଲୋକକୁ ଧକ୍‌କା ମାରିବ ଡାହାଣ ହାତଟା କଟ କଟ କଲାଣି । ବାଁ ହାତଟା ନିଜ ଦେହ ଓ ପାଖ ଲୋକର ଦେହ ଭିତରେ ଓହଳି ରହି ଝିମ୍‌ଝିମ୍‌ ହେଲାଣି ।

 

ବସ୍ ଚାଲିଲା । ଝଲକାଏ ଶୀତଳ ପବନ ପଶି ଆସିଲା । ସାମ୍ନା ସିଟିରେ ନିଦ୍ରାଗତ ଭଦ୍ରଲୋକଙ୍କ ଓଠ ଉପରେ ଚମକିଗଲା । ବିଜୁଳିର ଶିହରଣ । ହସ । କାଣି ଚାଏ । ସ୍ୱପ୍ନ ଦେଖିଲେ ବୋଧେ ସେ.... ।

 

କିପରି ଲୋଭ ହେଲା ରତ୍ନାକରର ସେ ସ୍ୱପ୍ନ ଦେଖନ୍ତା । ଅନେକ ଦିନ ଧରି ସେ ଶୋଇକରି ସ୍ୱପ୍ନ ଦେଖିନି । କେତେବେଳେ ସେ ବିଛଣା ଧରୁ ଧରୁ ଶୋଇପଡ଼େ, ତାର ଖିଆଲ ରହେନା । ନିଦରେ କେବଳ ସ୍ୱପ୍ନ ଦେଖି ପରେ ସ୍ମରଣ କରିବା ତାର ମନେ ନାହିଁ ।

 

ରାସ୍ତା ଅନେକ ରହିଛି । ବର୍ତ୍ତମାନ ଯଦି ନିଦ ଆସନ୍ତା ଆଉ ସେ ଏକ ସୁନ୍ଦର ସ୍ୱପ୍ନଦେଖନ୍ତା ? ବସ୍‌ର ଝରକା ବାଟେ ଅସ୍ତ ହେଉଛନ୍ତି ଚନ୍ଦ୍ର । ଧାଡ଼ି ଧାଡ଼ି ଗଛ ଲୁଚକାଳି ଖେଳିଲା ପରି ଦେଖା ଦେଇ ଲୁଚି ଯାଉଛନ୍ତି । କିନ୍ତୁ ବସ୍ ସାରା ବସିଥିବା ଓ ଠିଆ ହୋଇଥିବା ଅବସ୍ଥାରେ ଲୋକମାନେ ଆଖି ବୁଜି ଦେଇଛନ୍ତି ।

 

ରତ୍ନାକର ଇଚ୍ଛାକରି ଢୋଳେଇ ପଡ଼ି ସ୍ୱପ୍ନ ଦେଖିବାକୁ ଚେଷ୍ଟା କଲା । କି ସ୍ୱପ୍ନ– ?

 

କେଜାଣି କାହିଁକି ପୋଡ଼ି ଯାଇଥିବା ଗୋଟିଏ ଘରର ଦୃଶ୍ୟ ତା ଆଖି ଆଗରେ ଭାସିଉଠିଲା । ଟଣା ଟଣା, ଧସ୍ତା ଧସ୍ତିରେ ଗୁଡ଼ିଏ ଲୋକ ଯେପରି କିଲିବିଲି ହୋଇ ଏପଟ ସେପଟ ଦୌଡ଼ୁଛନ୍ତି.... । ଟ୍ରେନ୍‌ଟା ମାଡ଼ି ମାଡ଼ି ଆସୁଛି । ଇସ୍.... ! ଏତେ ଗରମରେ ଦେହଟା ଶିରଶିରେଇ ଉଠିଲା ରତ୍ନାକରର !

 

ଆଖି ଖୋଲି ପୁଣି ରତ୍ନାକର ଆଖି ବନ୍ଦ କଲା । ପୁଣି ସେଇ ଦୃଶ୍ୟ । ସେ ମା ପଛେ ପଛେ ଦୌଡ଼ୁଛି ଆଉ ପଛରେ ତାର ଚାରି ଚାରିଟା ଭଉଣୀ । ଗୋଟିଏ ବିରାଟ ହାତ ବଢ଼ାଇ କିଏ ତାକୁ ପଛରୁ ଟାଣି ଧରିଲା । ଆଉ ତା’ପରେ କ’ଣ ହେଲା କେଜାଣି ?

 

କିଛି ଦେଖାଯାଉନି । ଖାଲି ଗୁଡ଼ାଏ ବସ୍, ଟ୍ରାମ୍, ବଡ଼ ବଡ଼ କୋଠା ଆଉ ମଣିଷର ମୁଣ୍ଡ ସାଲୁ ସାଲୁ ହୋଇ ଜିଆ ପରି କଲିକତାରୁ ରାଜପଥ ଉପରେ ଦେଖାଯାଉଛି । ଆଉ ତା ଭିତରେ ସେ ଦେଖିଲା, ନିଜକୁ ନସର ପସର, ତରତର ଅବସ୍ଥାରେ କେମିତି ସେ କାରଖାନାକୁ ଦୌଡ଼ିଛି, କେମିତି କ୍ୟୁଲଗାଇ ରେସନ ଆଣୁଛି, କେମିତି ଖାଉ ଖାଉ ମା କଥା ଭାବି କାନ୍ଦୁଛି ଆଉ ଢାକା ଫେରିଯିବା ପାଇଁ ତାର ସଞ୍ଚିତ ସମ୍ବଳ କେମିତି ଥରେ ଚୋରି ହୋଇଯାଇଛି । ଯନ୍ତ୍ରଣାରେ ଛଟପଟ ହୋଇ ରକ୍ତାକ୍ତ ହୃଦୟରେ କଲିକତାର ଫୁଟାପାଥ ଉପରେ ଦୌଡ଼ୁଥିବା ପ୍ରତିଛବିଟାକୁ ସ୍ପଷ୍ଟ ଦେଖି ପାରୁଥିଲା ରତ୍ନାକର । ଅସହ୍ୟ । ସେ ଆଖି ମେଲା କରି ଚାହିଁଲା । ନିଜର ଲୁହରେ ଅନ୍ଧ ହୋଇ ସେ କିଛି ଦେଖିପାରିଲା ନାହିଁ ।

 

ଅଗତ୍ୟା ସେ ଆଖି ବୁଜିଲା । ଏଥର ବି ସେଇଆ ! ଝଲସି ଉଠିଲା ଆକାଶଭରି ନିଆଁ-। ଖାଲି ନିଆଁ ଆଉ ନିଆଁ । ଗୋଳାବାରୁଦ ଶବ୍ଦରେ ଚମକି ରହିଛି ସହରଟା । ଘୋଷାରି ନେଉଛନ୍ତି ଉଲଗ୍ନ ଅବସ୍ଥାରେ ଝିଅ ବୋହୁଙ୍କୁ ପଞ୍ଚାଏ ବନ୍ଧୁକଧାରୀ ସୈନ୍ୟ । ବୋଝ ବୋଝ ଝିଅ ବୋହୂ ମେଳାରେ ଗୁଡ଼ାଏ ଚିହ୍ନା ମୁହଁ । ଆରେ.... ? କିଏ ଏମାନେ ? ସୀତା, ମୀତା, ରୀତା ଆଉ ନୀତାର ଛୋଟ ଛୋଟ ଗୁଲୁ ଗୁଲିଆ ମୁହଁ ଗୁଡ଼ାକ ଯେମିତି ସେଇ ଶାଢ଼ୀପିନ୍ଧା ଝିଅ ବୋହୂଙ୍କ ମୁହଁରେ ନଦି ହୋଇଯାଇଛି.... । ସେମାନେ ଚିତ୍କାର କରି ଡାକୁଛନ୍ତି । ଆଉ ରତ୍ନାକର ଦୌଡ଼ିଗଲା ବେଳେ କିଏ ତାକୁ ଟାଣି ଧରୁଛି । ଚାରି ପଟରେ ଗୁଡ଼ାଏ ବନ୍ଧୁକମୁନ ତାକୁ ଘେରି ରହିଛି... ।

 

ନିଜ ଅଜାଣତରେ ରତ୍ନାକର ଚିତ୍କାର କରି ଉଠିଲା । ଆଖିରୁ ଟପ୍ ଟପ୍ ଲୁହ ଗଳି ପଡ଼ୁଛି । ଦେହ, ହାତ, ମୁଣ୍ଡ ସବୁ ଠକ୍ ଠକ୍ କମ୍ପୁଛି ଉତ୍ତେଜନାରେ । ସେ କେଉଁଠି ଅଛି ସେ ଜାଣିପାରୁନି । ଥରେ ନୁହେଁ, ଦି’ଚାରି ଥର ସେଇପରି ସମ୍ମୋହିତ ଅବସ୍ଥାରେ ରତ୍ନାକର ଚିତ୍କାର କରିଉଠିଲା–

 

‘‘ରୋକୋ ! ରୋକୋ ! ରୁକ୍ ଯାଓ, ହଟ୍ ଯାଓ–।’’

 

ବସ୍‍ଟା ସ୍ପିଡ଼୍ କମାଇ କଟ୍ କଟ୍ କରି ପାହାଡ଼ିଆ ରାସ୍ତାରେ ଅଟକିଗଲା ।

 

ବସ୍ ଭିତରେ ଲାଇଟ୍ ଜଳି ଉଠିଲା । ସବୁଯାକ ଲୋକ ତାକୁ ଘେରିଯାଇ ପଚାରୁଛନ୍ତି, ‘କ’ଣ ହେଲା ? ‘‘‘କ’ଣ ହେଲା ?’’

 

ରତ୍ନାକର ନିଜର ପରିସ୍ଥିତି ସମ୍ପର୍କରେ ପୂରା ଅଚେତନ ଥିଲା । ଗୁଡ଼ାଏ ଲୁହ ଝପର୍ ଝପର୍ ହୋଇ ତା’ ନିଶ ଓ ଛୋଟ ଦାଢ଼ିକୁ ଭିଜାଇ ସାର୍ଟକୁ ବି ଭିଜାଇ ଦେଇଥିଲା । ସେଇପରି ଆଚ୍ଛନ୍ନ ଅବସ୍ଥାରେ ସେ ଉତ୍ତର ଦେଲା ।

 

ନା, ନା, କିଛି ନୁହେଁ । ମୁଁ, ମୁଁ ସ୍ୱପ୍ନ ଦେଖୁଥିଲି.... ।’’

 

ଏକ ସମ୍ମିଳିତ ହସର ଝଙ୍କାର ସହିତ ବସ ଷ୍ଟାର୍ଟ ହେବାର ଘର୍ଘର ଶବ୍ଦ ମିଶି ରତ୍ନାକରର କାନର ତନ୍ତ୍ରୀ ଛିନ୍ନବିଛିନ୍ନ ହେଲା ପରି ମନେହେଲା ।

 

ମାତ୍ର ସାମ୍ନା ସିଟ୍‌ରେ ଭଦ୍ରଲୋକ ବେଶ୍ ନିଶ୍ଚିନ୍ତ ନିଦ୍ରାମଗ୍ନ । ସେ କିଛି ଜାଣି ନାହାନ୍ତି, ଶୁଣି ନାହାନ୍ତି ।

 

ରତ୍ନାକର ଅନ୍ଧକାରରେ ନିଜ ଜିଭ ଦେଇ ଓଠ ଉପରୁ ଲୁହଗୁଡ଼ା ପୋଛି ନେଇ ଭାବୁଥିଲା–

 

‘ଲୁହର ସ୍ୱାଦ ଲୁଣି ! ଆଉ ରକ୍ତର ? କ’ଣ ତାର ସ୍ୱାଦ ? ମିଠା ? ନା ଖଟା ? ନା ଲୁଣି-?’

 

କିପରି ଗୋଟିଏ ଶୋଷରେ ରତ୍ନାକରର ତଣ୍ଟିଟା ଶୁଖି ଯାଉଥିଲା !

Image